Unknown

 

 

 

 

 

 

 

 

 

ସାଗରଯାତ୍ରୀ

ଚିତ୍ତରଞ୍ଜନ ଦାସ

 

 

 

 

 

 

 

ଉତ୍ସର୍ଗପତ୍ର

 

ଶ୍ରୀ ବିଜୟାନନ୍ଦ ପଟ୍ଟନାୟକ କରକଳେଷୁ

ଯାହାଙ୍କ ଅନୁଗ୍ରହରୁ ସାଗରଯାତ୍ରୀର

ସୌଭାଗ୍ୟ ପାଇଲି ।

ଲେଖକ

•••

 

ଆରବସାଗର

୩୦-୧୧-୫୪

 

ଭାଉଜୋଉ,

 

ଚାରିଆଡ଼େ ନୀଳ ଜଳରାଶି । ପଅରିଦିନ ଦିନ ଏଗାରଟାରୁ ଆମ ଜାହାଜ ବମ୍ବେ ଛାଡ଼ିଲାଣି । ଏ ପର୍ଯ୍ୟନ୍ତ କେବଳ ପାଣି ଉପରେ ଆମେ ଭାସି ଚାଲିଛୁ । ସମେସ୍ତ କହୁଛନ୍ତି, ଆହୁରି ୧୦ଦିନ ଗଲେ ଆମେ ସ୍ଥଳଭାଗ ଦେଖିବାକୁ ପାଇବା । ଜନହୀନ ଏଇ ଜଳଶର୍ଯ୍ୟା ଉପରେ ମୋର କିନ୍ତୁ ଖାଲି ମଣିଷହିଁ ମନେ ପଡ଼ୁଚି । ସଂସାରରେ ମଣିଷ ମଣିଷ ଭିତରେ କେତେ ସମ୍ବନ୍ଧ, କେତେ ମାୟା, ମଣିଷ କେତେ ଶ୍ରଦ୍ଧା, କେତେ ସ୍ନେହ ଦେଇ ତା’ର ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବର ସଂସାର ଗଢ଼ିଛି, ମଣିଷକୁ ଦେବତାର ଆସନ ଦେଇଚି । ସେଇ ସ୍ନେହ ପାଇବାର ଲୋଭରେ ।

 

କିନ୍ତୁ ସଂସାରର କୋଳାହଳ ଭିତରେ ହଠାତ୍ ଏଇ ସ୍ନେହ ସମ୍ପର୍କ ଧରାପଡ଼େ ନାହିଁ । ଅପରର ତଣ୍ଟି କାଟିବାକୁ ସେଠି ସମାଜର ନିୟମ ତିଆରି ହୁଏ । ପେଟ ପୂରିବାର ଦୁରାଶାରେ ସେଠି ଗରିବ ପରିବାରରେ ଭାଇ-ବଣ୍ଟରା ହୁଏ, ଭୋଟ ନେବାକୁ ସେଠି ରାଜନୀତି ଚାଲେ, ଅନ୍ଧକରି ରଖିବାକୁ ସେଠି ଧର୍ମ ଆଉ ଭଗବାନର ଆଶ୍ରୟ ନିଆହୁଏ । ଏଠି ଆରବ ସାଗରର ବକ୍ଷ ଉପରେ ସୃଷ୍ଟିକର୍ତ୍ତାଙ୍କର ପାଦାସନ ପାଖରେ ବସି ହଠାତ୍ ସେଇ ସଂସାରଟା ଯେପରି ଖାଲି ପ୍ରହସନ ପରି ମନେ ହେଉଚି । ନିଜେ ତିନିଦିନ ଆଗରୁ ତା’ରି ଭିତରେ ଥିଲି । ନାନା ପ୍ରକାର ଲାଭକ୍ଷତିର ଆଶା ଓ ଆଶଙ୍କାରେ ଆପଣାକୁ ଛନ ଛନ କରି ରଖିଥିଲି । ଛଦାମେ ପ୍ରଶଂସା ପାଇବାକୁ ବା କଡ଼ାଏ ଖ୍ୟାତି କମାଇବାକୁ କୋଉ ବଡ଼ଲୋକ ସଭାରେ ସମ୍ମାନ ହରାଇ ମୋଟେ ଆଶ୍ଚର୍ଯ୍ୟ ହୋଇ ନ ଥିଲି; କିନ୍ତୁ ଆଜି ଅତି ଦୂରରେ ଏଇ ସାଗର ବକ୍ଷରେ ନିଜର ନୀଡ଼ ବାନ୍ଧୁବାନ୍ଧୁ ସେସବୁ କି ତୁଚ୍ଛ ବୋଲି ମନେ ହେଉଛି।

 

ପଅରିଦିନ ବମ୍ବେବନ୍ଦରରୁ ଜାହାଜ ଛାଡ଼ିଲାବେଳର ଗୋଟାଏ କଥା ନ ଲେଖି ରହିପାରୁ ନାହିଁ । ଜାହାଜ ଛାଡ଼ିବାର ଘଣ୍ଟା ବାଜିବା କ୍ଷଣି ବିଦାୟ ନେବାକୁ ଆସିଥିବା ବନ୍ଧୁମାନଙ୍କର ଆଖି ସଜଳ ହୋଇ ଉଠିଲା । କେତେ ହାତ ଶୂନ୍ୟରେ ଦୋହଲି ଦୋହଲି ଆପଣାର ଅଜସ୍ର ଆଶିଷ ଓ ଅନୁରାଗ ଜଣାଉଥିଲା । ହଠାତ୍ ମୁଁ କାନ୍ଦି ପକାଇଲି, ଜାହାଜର ଡେକ୍ ଉପରେ ଠିଆହୋଇ କେତେ ବାପା ମାଆ, ଭାଇଭଉଣୀଙ୍କୁ ଦେଖୁ ଦେଖୁ ମୁଁ ଯେପରି ତୁମମାନଙ୍କଠାରୁ ବିଦାୟ ନେଇ ଯାଉଥିଲି । କେତେ ଜଳସ୍ଥଳ ପାରି ହୋଇ ବୋଉର ନିଶ୍ୱାସ ଗୁଡ଼ାକ ସତେ ଅବା ଫୁଲ ହୋଇ ମୋ ଉପରେ ବରଷି ଯାଉଥିଲା ।

 

ଗୁଜରାଟ, ବମ୍ବେ ପ୍ରଭୃତି ଧନୀ ପ୍ରଦେଶରେ ଓଡ଼ିଶାକୁ ଗରିବ ବୋଲି କହନ୍ତି । ଏଇଥର ବମ୍ବେ ସହର ଦେଖିବାର ସୁଯୋଗ ପାଇଲି । ଜାଣି ପାରିଲି ନାହିଁ ଓଡ଼ିଶାର ଗରିବଠାରୁ ଏଠାକାର ଗରିବ କେଉଁ ଦିଗରୁ କମ୍ ତୁଚ୍ଛ, କମ୍ ଲାଞ୍ଛିତ । ଗରିବ ସବୁଠି ପୂରି ରହିଛନ୍ତି; ସେଇମାନଙ୍କର ରକ୍ତ ତେଲ ହୋଇ ସବୁଠାରେ ଧନୀ ସମାଜର ସଭ୍ୟତା ଯନ୍ତ୍ର ଚଲାଉଛି । କଥା ହେଉଛି–ଓଡ଼ିଶାରେ ବଡ଼ ସେଠ୍‌ ନାହାନ୍ତି, ଯୋଉମାନେ କି ଦାତା ହିସାବରେ ଲକ୍ଷେ ହଜାରେ ଦେଇ ପାରୁଥାନ୍ତେ । ଦୟାଲୁ ହିସାବରେ ହରିଜନ ଆଉ ଦରିଦ୍ରଜନ ଲାଗି ସ୍କୁଲ ଆଉ ବସତି ତିଆରି କରି ଦିଅନ୍ତେ । ସେଥିଲାଗି ଓଡ଼ିଶାର ଧୂଳି ମାଟିରେ ପ୍ରଥମେ ଏହାର ଦାରିଦ୍ର୍ୟଟାହିଁ ଆଖିରେ ପଡ଼େ । ସୁଟ୍ ପ୍ୟାଣ୍ଟ, କୋଠା, ସୁନା ରୁପା ଦୋକାନ ଭିତରେ ବମ୍ବେର ଦାରିଦ୍ର୍ୟ ସହଜରେ ଧରାପଡ଼େ ନାହିଁ ।

 

ବଡ଼ ସୁଖର କଥା, ଓଡ଼ିଶା କୁଆଡ଼େ ଅଳ୍ପଦିନରେ ବମ୍ବେ ଓ ଅହମଦାବାଦ ପରି ଧନୀ ହେବାକୁ ଯାଉଚି । ଏଠି ମଧ୍ୟ ଯକ୍ଷପୁରୀର ନିଦ ଭାଙ୍ଗିଲାଣି, ଖାଲି ହୀରାକୁଦ ଲାଗି ଅପେକ୍ଷା ଅଛି । ଓଡ଼ିଶାର ମର୍କତକେଶରୀ ପୁଣି ଫେରି ଆସିବେ । ଏଠି କାରଖାନା ବସିବ, ଖଣି ଖୋଳା ହବ, ଫଉଜ ଗଢ଼ା ହେବ ପିଲାଙ୍କୁ ନେଇ । ସେତେବେଳେ ହୁଏତ କୋଉ ମହାତ୍ମା ସ୍ମାରକ ନିଧି ଓଡ଼ିଶାରେ ଲକ୍ଷର ସୀମା ଡେଇଁଯିବ, ଆମରି ଦେଶରେ ଦାତା ଆଉ ଦୟାଳୁ ବହାରିବେ; ସେଇମାନଙ୍କର ଖବର କାଗଜରେ ସେହି ଦାନ ଓ ଦୟାର ଦକ୍ଷତା କଥା କହି ଉଠିବ । ଜଗନ୍ନାଥ କଲେ ସେ ଦିନ ଅଚିରେ ଆସିବ ।

 

ଏଥର ଜାହାଜ ବିଷୟରେ କୋତୋଟି କଥା ଲେଖୁଛି । ଆମ ଜାହାଜର ନାଁ ‘ଜଳ ଆଜାଦ’ । ଜାହାଜରେ ମୌଲାନା ଆବୁଲ କଲାମ୍ ଆଜାଦ୍‍ଙ୍କର ଫଟୋ ରହିଚି । ସିନ୍ଧିଆ କମ୍ପାନୀର ଆଉ ଗୋଟିଏ ଯାତ୍ରୀବାହୀ ଜାହାଜ ଅଛି; ନାଁ–‘ଜଳ ଜବାହର’ । ବ୍ରିଟିଶ ଅମଳରେ ଏଇ କମ୍ପାନୀ ଗଢ଼ା ହୋଇଥିଲା । ନାନା ଅସୁବିଧା ଓ ବାଧାର ସମ୍ମୁଖୀନ ହୋଇ କୁଆଡ଼େ ସେତେବେଳର ଏଇ ଏକ ମାତ୍ର ‘ଜାତୀୟ’ ଜାହାଜ ପ୍ରତିଷ୍ଠାନ ଆପଣାକୁ ବଞ୍ଚାଇ ରଖିବାକୁ ସମର୍ଥ ହୋଇଥିଲା ।

 

ଓଡ଼ିଶାର ପୁଅ ମୁଁ, ପାଠ ପଢ଼ିବା ଲାଗି ବାର ଦ୍ୱାର ବୁଲିବି ବୋଲି କଦାପି ଆପଣାକୁ ଉର୍ତ୍ସନା କରିନାହିଁ, କଦାପି କାଳର ଅବିଚାରରେ ବିସ୍ମୟ ପ୍ରକାଶ କରିନାହିଁ, ପ୍ରଥମ ଶ୍ରେଣୀର ଯାତ୍ରୀ ହୋଇ ଆଜି ଏଇ ଜାହାଜରେ ବିଦେଶ ଯାଉଚି । ଦୁଇଟା ଦିନରେ ଯେପରି ମୋ’ର ମହତ୍ତ୍ୱ ଭାରି ବଢ଼ିଯାଇଚି । ଅନ୍ତତଃ ପ୍ରଥମ ଶ୍ରେଣୀର ଯାତ୍ରୀ ହିସାବରେ ଯେଉଁ ଘର ମତେ ଶୋଇବାକୁ ମିଳିଚି, ଯେଉଁ ଖାଦ୍ୟ ମୁଁ ଖାଉଚି, ଯେଉଁ ସମାଜରେ ମୁଁ ରଙ୍ଗରସ କରୁଚି, ଏପରିକି ନିତି ବ୍ୟବହାର କରୁଥିବା ପାଇଖାନା ଆଉ ଗାଧୁଆ ଘର ମଧ୍ୟ ମୋ’ର ମୁଲ୍ୟ ବଢ଼ାଇ ଦେଇଚି । ମୋ ଘର ସଫା କରୁଥିବା ‘ସେବକ’ କରି ସଫା କପଡ଼ା ହୁଏତ ମୁଁ ନିଜେ ପିନ୍ଧୁ ନ ଥିଲି । ସବୁମିଶି ପରିପାର୍ଶ୍ୱ ବେଶ୍ ସରଗରମ ହୋଇ ରହିଚି, ଖୋଲା ସାଗରର ଖୋଲା ପବନ ପରି ସଭିଙ୍କର ଫୁଲା ମନ ନେଇ ‘ଜଳ ଆଜାଦ’ ସଦର୍ପେ ଚାଲିଚି ।

 

ଯାତ୍ରୀବାହୀ ଜାହାଜକୁ ଏକ ଭାସମାନ ସହର କୁହାଯାଇ ପାରେ । ପିଲାଦିନେ ସ୍କୁଲବହିରେ ସେଇ କଥା ପଢ଼ିଥିଲି ।

 

ବମ୍ବେ ସହରଠାରୁ ପଅରି ଦିନ ବିଚ୍ଛିନ୍ନ ହୋଇ ଆସିବା ପରେ ଏଠି ଯେପରି ଏକ ଛୋଟ ସହରର ପରିବେଶ ଜୀବନ ପାଇ ଉଠିଛି । ଶୋଇବା ଘରର ସାଜସଜ୍ଜା ଅତି ସୁନ୍ଦର, ପାଣିକଳଠାରୁ ଆରମ୍ଭ କରି ଦର୍ପଣ ପର୍ଯ୍ୟନ୍ତ ସବୁ ଅଛି । ଜାହାଜ ତରଫରୁ ଘର ଓଳାଇବା, ବିଛଣା ସଜାଡ଼ିବା, ଏପରିକି ଜୋତା ପାଲିସ୍ କରିବାକୁ ଲୋକ ବ୍ୟବସ୍ଥା ରହିଛି । ସାବୁନ ତଉଳିଆ ପ୍ରଭୃତି ସ୍ନାନ-ସଂରଜାମ ଯଥା ସ୍ଥାନରେ ଝୁଲୁଚି । ମୁଣ୍ଡ ଉପରେ ବିଜୁଳୀ ପଙ୍ଖା, ହାତ ପାଖରେ ବିଜୁଳୀ ଆଲୁଅର ବୋତାମ, ବାଁ ପାଖକୁ ଗୋଲାକାର ଖୋଲା ଝରକା, ଅନାଇଲେ ସାଗର ଉପରେ ଆଖି ପାଉନାହିଁ । ପବନ ସହିତ ତରଙ୍ଗର ଉଲ୍ଳୋଳିତ ଗର୍ଜନ ବହିର୍ଜଗତ ବିଷୟରେ ଘର ଭିତରର ଯାତ୍ରୀକୁ ବେଶ୍ ସତର୍କ କରି ଦେଇ ଯାଉଚି, ମ୍ୟାକ୍ ବେଥ୍ ନାଟକର ସେହି କବାଟ ଖଡ଼ ଖଡ଼ ପରି ।

 

ଦୁଇ ତିନିଦିନ ଜାହାଜର ଖାଇବା ଘରର ଆପ୍ୟାୟନ ପରେ ମୁଁ ଓଡ଼ିଆ ଢଙ୍ଗ ଭୁଲିଗଲିଣି । ଜଳଖିଆ, ଦୋହରା ଖିଆ, ଭାତଖିଆ ପ୍ରଭୃତି କଥା ଆଉ ମନେ ପଡ଼ୁନାହିଁ । Breakfast, Lunch, Dinner ପ୍ରଭୃତି ଶବ୍ଦ ମୁଖସ୍ଥ ହୋଇ ରହିଲାଣି । ଟେବୁଲ ଉପରେ କଣ୍ଟା ଚାମଚରେ ଖିଆ ମୋ’ ପରି ଗୋଟାଏ ଅନଭ୍ୟସ୍ତ ଅକିଞ୍ଚନକୁ ଭାରି ସାବଧାନ କରିଦେଇଛି । ସମସ୍ତେ କହୁଚନ୍ତି, ବିଦେଶକୁ ଯିବାକୁ ହେଲେ ବାଟ ମଝିରେ ଏଇ ଜାହାଜର ପାଠଶାଳାରେ ବିଦେଶର ସମସ୍ତ କାଇଦା ଦୋରସ୍ତ କରି ନେବାକୁ ପଡ଼ିବ । ନ ହେଲେ ସେଠି ଯାଇ କୁଆଡ଼େ ପଦେ ପଦେ ହାସ୍ୟାସ୍ପଦ ହେବା ସାର ହେବ ।

 

ଏଠୁ ନମସ୍କାର କହିବା ଉଠି ଗଲାଣି, ପୋଷାକ ପିନ୍ଧିବାର ରୀତିନୀତି ଏଇ ଆରବ ସାଗରରୁ ହିଁ ଇଂଲିଶ୍-ପ୍ରଣାଳୀ ଡେଇଁ ପଡ଼ିଲାଣି । ସମସ୍ତେ ସୁଟ୍ ପିନ୍ଧୁଛନ୍ତି, ସମୟ ଜାଣି ଟାଇ ବଦଳାଉଛନ୍ତି, ବିଲାତୀ ମେଜାଜ୍‍ରେ କଥାବାର୍ତ୍ତା କରୁଚନ୍ତି, ସମୟ କ୍ଷେପଣ ଓ ଅର୍ଥ କ୍ଷେପଣର ନାନା ପ୍ରକାରର ଭଦ୍ର ପଦ୍ଧତିରେ କ୍ରମେ ସିଦ୍ଧସ୍ୱଭାବ ହେଉଛନ୍ତି । ରାତିରେ ଖାଇବା ପରେ ନାନା ପ୍ରକାରର ଖେଳ ଚାଲୁଚି: କିନ୍ତୁ ସବୁଖେଳେ ପଇସା ବାଜି ରଖି ଖେଳିବାକୁ ହେଉଚି । କଟକ ଛତରା ବଜାରର ଜୁଆଖେଳ ସହିତ ଏହାର ପାର୍ଥକ୍ୟ କେଉଠିଁ ମୁଁ ବୁଝିପାରୁନାହିଁ । ମନ ହେଲେ ବୈକୁଣ୍ଠଧାମରେ ନାରାୟଣ ଲକ୍ଷ୍ମୀଙ୍କ ସହିତ ଜୁଆ ଖେଳନ୍ତି, ଧର୍ମରାଜ ମଧ୍ୟ ଧର୍ମପତ୍ନୀଙ୍କୁ ହରାଇବାଯାଏ ଜୁଆରେ ମଜ୍ଜିଯାଇ ପାରନ୍ତି, ମଣିଷ କି ଛାର ? ତଥାପି, ଜାଣିବା କଥା ଏତିକି ଯେ, ପେଟ ପାଇଁ ଜୁଆ ଖେଳି ଛତରା ବଜାରର ଟୋକା ପୋଳିସ୍ ଆଖିରେ ପଡ଼େ, କିନ୍ତୁ ନିର୍ଲିପ୍ତ ରାତ୍ରୀଯାପନ ଲାଗି ଜୁଆ ଖେଳି ଜାହାଜର ରସିକ ଯାତ୍ରୀ ଆପଣା ବିବେକର ତର୍ଜନୀ ଦେଖିବାକୁ ମଧ୍ୟ ପାଏ ନାହିଁ ।

 

ଜାହାଜର ଯାତ୍ରୀମାନେ ତିନୋଟି ଶ୍ରେଣୀର; ପ୍ରଥମ, ଦ୍ୱିତୀୟ ଓ economics । ପ୍ରତ୍ୟେକ ଶ୍ରେଣୀର ରହିବା, ଖାଇବା, ବୁଲିବା, ବସିବା ସବୁ ଅଲଗା । ଯିଏ ଯେତି କି ପଇସା ଦେଇଚି, ସେଇ ଅନୁସାରେ ସେ ସେତିକି ଖାତିରି ପାଉଚି । କିନ୍ତୁ ମୁଁ ଭାବୁଚି, ଅଲଗା ଖାଇବା ଓ ରହିବା ସତ୍ତ୍ୱେ ଦିନରେ ଅନ୍ତତଃ ଥରେ ସମସ୍ତେ ଏକାଠି ବସି ଏକା ଜାଗାରେ ମିଳି ପାରୁଥିଲେ ପଇସାର କେଉଁ ମଠ ମାରା ହୋଇ ଯାଇଥାନ୍ତା ? ଦୁଇଦିନ ଆଗରୁ କିଏ କେତେ ଜାଗାରେ ବେଶ୍ ଆନନ୍ଦରେ ଥିଲେ, ଶ୍ରେଣୀ ବିଭାଗର କୌଣସି ବିଚାର ନ ରଖି ସେମାନେ ସମାଜର ନାନା ସ୍ତରରେ ଆପାଣାର ସମ୍ବନ୍ଧ ରଖିଥିଲେ, ଶ୍ରଦ୍ଧା ଦେଇ ଆପଣାକୁ ଚିହ୍ନାଇଥିଲେ, ଏଠି ହଠାତ୍ ସବୁ ଓଲଟି ଗଲା କିପରି ?
 

ଜାହାଜ ଉପରେ ଖେଳ ପଡ଼ିଆ ଅଛି, ବୈଠକ ଘରେ ବନ୍ଧୁମାନେ ତାସ୍, ଚେସ୍ ଓ କ୍ୟାରମ୍ ଖେଳରେ ବେଶ୍ ଦିନ କଟାଇ ଦେଉଚନ୍ତି, କାଲିଠାରୁ କାଠର ବାଡ଼ ଦିଆଯାଇ ଗୋଟିଏ ପହଁରିବା ପୋଖରୀ ତିଆରି କରା ଯାଇଛି । ମଣିଷ ଯୁଆଡ଼େ ଯାଏ, ସେଠି ସେ ଅଳ୍ପ ବହୁତେ ଆପଣାର ଏକ ସଂସାର ଗଢ଼ି ପକାଏ । ସେଥିଲାଗି ବାଇଶି ଦିନର ଜଳଯାତ୍ରା କରୁଥିବା ଏଇ ଛୋଟିଆ ଜାହାଜଟି ଉପରେ ଯାତ୍ରୀମାନଙ୍କ ଲାଗି ଏକ ଛୋଟିଆ ସଂସାର ଗଢ଼ି ରଖିବା ଦିଗରେ କତ୍ତୃପକ୍ଷ କୌଣସି ଉଦ୍ୟମ ବାକୀ ରଖି ନାହାନ୍ତି । ତଳେ ଅଗାଧ ଜଳ ଗର୍ଜନ କରୁଥିବା ବେଳେ ଯନ୍ତ୍ର ଦ୍ୱାରା ଜଳ ଉଠାଇ ଚଳିବା ଭଳି ଏକ ସନ୍ତରଣାଗାର ତିଆରି କରିବାରେ କାହାରି ଧୈର୍ଯ୍ୟଚୁକ୍ତି ଘଟି ନାହିଁ ।

 

ଖାଲି ଏଇ ଜାହାଜରେ କାହିଁକି, ଜୀବନହିଁ ସେଇଆ । ପ୍ରତେକ କ୍ଷେତ୍ରରେ ମଣିଷ ଆପଣା ଲାଗି ଆପାତତଃ ଏକ ପରିପୂଣ୍ଣ କ୍ଷେତ୍ର ତିଆରି କରିବାରେ ଅତି ସ୍ୱାଭାବିକ ଭାବରେ ତତ୍ପର ହୈାଇଉଠେ । ତା’ରି ହାତର ଗଢ଼ା ଗୋଟିଏ ମୂତ୍ତି, ତା’ରି ଶ୍ରଦ୍ଧାର ଆସନ ଅଧିକାର ଗୋଟିଏ ପ୍ରେମାସ୍ପଦ ଭିତରେ ସେ ସକଳ ବିଶ୍ୱ ଓ ସକଳ ଆସ୍ପଦର ପ୍ରକାଶ ପ୍ରତିଫଳିତ କରିଦିଏ । ତା’ର ପଦେ କଥାରେ ହୁଏତ କାଳ କାଳର କଥାର ମର୍ମ ନିନାଦିତ ହୁଏ; ଏକକରେ ବହୁତ ଜନ୍ମଲାଭ କରେ, ମୁହୂର୍ତ୍ତରେ କଳ୍ପ କଳ୍ପର ସ୍ପନ୍ଦନ ଅନୁଭୁତ ହୁଏ । Our single creations are only the replica of our own entire world. ଆମେ ସମସ୍ତେ ଗୋଟିଏ ଶିଳ୍ପୀ । ଆମ ତୁଳୀର ପ୍ରତ୍ୟେକ ଲିଖନାଘାତରେ ସମସ୍ତ ସୃଷ୍ଟିର ପ୍ରକାଶ ଲୀଳା ପ୍ରାଣ ପାଇ ଉଠେ ।

 

ଜାହାଜରେ ଖବର–ସରବରାହ ଲାଗି ବ୍ୟବସ୍ଥା ରହିଚି । ଏଗାରଟା ବାଜିଲାଣି । ବର୍ତ୍ତମାନ ଖବର ଘୋଷଣା କରାଗଲା ଯେ, ଗତ ଚବିଶି ଘଣ୍ଟା ଭିତରେ ଆମେ ୩୩୭ ମାଇଲ ଆସିଚୁ । ପ୍ରଥମ ଦିନ ୩୫୫ ମାଇଲ ଆସିଥିଲୁ । ବମ୍ବେ ସହର, ଭାରତ ଓ ସ୍ଥଳଭାଗ ଏତେ ପଛରେ ପଡ଼ିଗଲାଣି, ଭାବିଲା ବେଳକୁ ହଠାତ୍ ଧାରଣା କରି ହେଉନାହିଁ । ଚାରିଆଡ଼େ କେବଳ ଜଳରାଶି । କେବଳ ଖୋଲା ଆକାଶ । ସମସ୍ତ ଦୂରତାର ବିଭେଦ ଜ୍ଞାନକୁ ଗର୍ଭସ୍ଥ କରି ଏଠି କେବଳ ବ୍ୟାପ୍ତିହିଁ ଆପଣାକୁ ବିସ୍ତାର କରି ରହିଚି । ସୂର୍ଯୋଦୟ ଓ ସୂର୍ଯ୍ୟାସ୍ତହିଁ ସମୟର ଗତି ବିଷୟରେ ଧାରଣାକୁ ପରିଷ୍କାର କରି ରଖିଚି । କିନ୍ତୁ ଯେପରି ମନେ ହେଉଚି, ଆଉ କେତେ ଦିନ ଗଲେ ହୁଏତ ଦିନ, ବାର ଓ ତାରିଖର ସମସ୍ତ ଅର୍ଥ ଆମଲାଗି ଦୁରୂହ ହୋଇ ପଡ଼ିବ ।

 

ଆମର ଜାହାଜ ଏକୁଟିଆ ଚାଲି ଯାଉଚି । ତରଙ୍ଗ ବକ୍ଷରେ ଦଉଡ଼ି ଚାଲିଥିବା ଇନ୍ଦ୍ରଧନୁର ପ୍ରକମ୍ପିତ ପ୍ରତିଫଳନ, ମତେ ଜାହାଜ ସହିତ କେତେ କେତେ ଦୂରକୁ ଦଉଡ଼ାଇ ନେଉଚି-। ମଝିରେ, ମଝିରେ ଜଳଚାରୀ କେଉଁ ପକ୍ଷୀ ଆମ ସହିତ ଜଳରାଶି ଉପରେ ବୁଡ଼ି ବାହାରି ଚାଲିଚି-

 

ଦିନ ଅପେକ୍ଷା ରାତିଟାହିଁ ମତେ ଭାରି ଭଲ ଲାଗୁଚି । ଉପରେ ସ୍ଥିର ଆକାଶର ତାରାବଳୀ, ତଳେ କୃଷ୍ଣ ଚିକ୍କଣ ଜଳବକ୍ଷ; ଆଉ ମୁଁ ଯେପରି ସବୁ ଧ୍ୟାନ ସବୁ ଅର୍ଚ୍ଚନାର ଆୟୋଜନ ଧରି ଅତି ଗଭୀରର ଅନାବିଷ୍କୃତ ପ୍ରଦେଶରେ ବିଚରଣ କରିବାରେ ଲାଗିଚି । ସେହି ଅନ୍ଧାର ଭିତରେ ମଧ୍ୟ ନିରୋଳା ଅନ୍ତରାକାଶର କେଉଁ ଉଜ୍ଜ୍ୱଳ ସୂର୍ଯ୍ୟ ଯେପରି ସକଳ ହିରଣ୍ମୟ ଆବରଣର ପରସ୍ତ ତଳୁ ଅନ୍ତରାଚ୍ଛନ୍ନ ସତ୍ୟକୁ ଅନବଗୁଣ୍ଠିତ କରି ଦେଖାଇ ଦେଉଚି । ଜାହାଜର ଦୋଳନ ଓ ହୃତପିଣ୍ଡର ସ୍ପନ୍ଦନ ସଙ୍ଗେ ସଙ୍ଗେ ଯେପରି ମୁଁ ପାଖୁଡ଼ାକୁ ପାଖୁଡ଼ା ଫୁଟି ଚାଲିଚି ।

•••

 

ଆରବ ସାଗର

୧-୧୨-୫୦

 

ସେଇ ଜଳରାଶି, ସେଇ ଦିଗନ୍ତବିସ୍ତୃତ ତରଳ ନୀଳିମାର ପ୍ରସାରିତ ଆହ୍ୱାନ, ଅଥଚ ଦେଖି ଦେଖି ମନରେ ଏତେ ଟିକିଏ କ୍ଳାନ୍ତି ଆସୁନାହିଁ । ସବୁବେଳେ ମନେହେଉଚି, ସତେ ଯେପରି ମୁଁ ମନେ ପ୍ରାଣେ ଯାହାକୁ ଖୋଜୁଚି, ଯାହାକୁ ଚିହ୍ନିନାହିଁ ବୋଲି ବାର ବାର ଭୁଲ ମନେ କରୁଚି, ଆଭାସ ପାଇ ପୁଣି ହରାଇ ମୁଁ ଯାହା ପଛରେ ଧାଇଁଚି, ସେ ମହାଧନ ଏଇ ସାଗର ଭିତରେ ଅଛି; ବରୁଣ ତନୟାର ତରଙ୍ଗବେଣୀରେ ସେଇ ଅପ୍ରାପ୍ରର ସ୍ପନ୍ଦନ ବାର ବାର ମୋତେ ଉତ୍‌ଗ୍ରୀବ କରି ଦେଇ ଯାଉଚି, ବାର ବାର ମନର ସହସ୍ର ଆଖି ଅତି ପିପାସିତ ପଥିକ ପରି ହାତ ପତାଇ ରହୁଚି ।

 

ଏହା ପୂର୍ବରୁ ଜଳରାଶିର ଏ ମହିମା ଅନୁଭବ କରି ନ ଥିଲି । ପାହାଡ଼ ଦେଖିଚି, ଜଙ୍ଗଲ ଦେଖଚି, କେଉଁ ପରିଚିତର କସ୍ତୁରୀ ପଛରେ ଦେଖିଚି, କେଉଁ ପରିଚିତର କସ୍ତୁରୀ ପଛରେ ଓଡ଼ିଶାର କେତେ ଅରଣ୍ୟପଥ ଅତିକ୍ରମ କରିଚି । କେଉଁଠି ନଈକୂଳରେ ନୀରବ ସନ୍ଧ୍ୟାର ଉତ୍ସାରିତ ଆଶୀର୍ବାଣୀ ଶୁଣୁ ଶୁଣୁ ନିର୍ବାକ ହୋଇ ଠିଆ ହୋଇ ଯାଇଚି, କେଉଁ ପର୍ବତ ପଥରେ ହୁଏତ ହଠାତ୍ ଆପଣା ଅନ୍ତରର ପ୍ରତିଧ୍ୱନି ଶୁଣି ହଠାତ୍ ଚକିତ ହୋଇ ପଡ଼ିଚି, ହଠାତ୍ ଆପଣାର ସ୍ୱତନ୍ତ୍ର ସତ୍ତା ହଯାଇ ଦେଇଚି, ହଠାତ୍ ପରିପୂର୍ଣ୍ଣ ହୋଇ ଉଠିଚି । ସୁବିସ୍ତୃତ ଦୃଶ୍ୟାବଳୀ ହଠାତ୍ ଏକ ରୂପ-ସାମାନ୍ୟରେ ପରିଣତ ହୋଇ ମୋର ଭକ୍ତମନକୁ ଅଜସ୍ର ପରିଚୟରେ ପରିତୃପ୍ତ କରି ଦେଇଯାଇଚି-। ଏଠି ମଧ୍ୟ ବାରବାର ସେଇ ଅନୁଭୂତି । ଚାରିଦିଗକୁ ଏକାଠି କରି ଏକ ନୀଳ ଗୋଲକରେ ସୃଷ୍ଟିର ସମସ୍ତ ମହିମା ଏଇ ନୀଳ ଜଳ ଓ ନୀଳ ଆକାଶରେ ଠୁଳ ହୋଇ ରହିଚି, ଆଖି ଯେତେ ଦୂରକୁ ଯାଉଚି, ସେ ସେତେ ଦୂରକୁ ପ୍ରସାରିତ ହୋଇ ଯାଉଚି, ସେ ସେତିକି ପାଖରେ କେବଳ ପୂଣ୍ୟ ପରିଚିତର ଏକ ଉଜ୍ଜଳ ବିନ୍ଦୁ ହୋଇ ନାଚି ନାଚି ଚାଳିଚି । ସବୁବେଳେ ମନେ ହେଉଚି, ଏଠିକାର ସବୁ ଯେପରି ମୋ ଚିହ୍ନା । ନିର୍ଜନ ବନ ପଥରେ, ଅଚିହ୍ନା ପାହାଡ଼ର ପାଦଦେଶରେ ଯେଉଁ କୁହୁକ ଆପଣାର ଭାଷାରେ ମୋତେ ଚିହ୍ନା ଦେଇ ଯାଇଥିଲା, ଏଠି ସେଇ କୁହୁକ ଆପଣାର ନୀଳ ଜାଲ ବିସ୍ତାର କରି ରହିଚି । ନାନା ସଂକୀର୍ଣ୍ଣ ବିକ୍ଷେପରେ ମନର ଆଖି ମୁଦି ହୋଇଗଲେ ହଠାତ୍ ଯେପରି ତା’ର ସମସ୍ତ ଅଭିମାନ ତରଙ୍ଗର ପ୍ରଚଣ୍ଡ ଗର୍ଜନରେ ମାତି ଉଠୁଚି । ପୁଣି ସବୁ ବିକାରକୁ ପଛରେ ଫିଙ୍ଗି ସଚ୍ଚା ଆଖିରେ କ୍ଷଣେ ଅନାଇଦେଲେ କ୍ଷଣକରେ ତା’ର ସମାହିତ ରୂପ ଏକ ଅପରୂପ ପ୍ରଶାନ୍ତିର କୋମଳତାରେ ସକଳ ଚିତ୍ତକୁ ଆବୋରି ରଖୁଚି, ଚିତ୍ତ ତା’ରି ଭିତରେ ଆପଣାକୁ ଦେଖୁଚି, ସେଇ ଆପଣା ଭିତରେ ମହାଦାଶ୍ରୟରେ ସେ ଆପେ ଆପେ ସଂଯୁକ୍ତ ହୋଇ ଯାଉଚି । ବ୍ୟାପ୍ତିର ଏଇ କହୁକ ଲୀଳା ଆରବସାଗରକୁ ଆସି ନ ଥିଲେ ଜାଣି ପାରି ଥାଆନ୍ତି କି ନାହିଁ କେଜାଣି ?

 

ସାଗର ଜଳରେ ଯାହାରି ପରିଚୟ ମତେ ମହାନ୍ କରି ଦେଇ ଯାଉଚି, ସେଇ ପୁଣି ପର ମୁହୂର୍ତ୍ତରେ ମତେ ଏଠିକାର ମଣିଷ ଭିତରକୁ ଟାଣି ଆଣୁଚି । ସମସ୍ତ ଆପଣା ଖୁସିରେ ଜାହାଜର ଏଣେ ତେଣେ ବିଚରଣ କରୁଚନ୍ତି; କିଏ ସିଗାରେଟ ଖାଉଚି,- କିଏ ଦିନ ରାତି, ଆଲୁଅ ଅନ୍ଧାର, ଥଣ୍ଡା ଗରମ ଅନୁସାରେ ଆପଣାର ଅନୁରୂପ ବେଶ-ପରିଚ୍ଛଦ ଲଗାଇବାରେ ଲାଗିଛି, କିଏ ଆପଣା ଅଭିଜ୍ଞତାରୁ ରସାଳ କଥାମାନ କହି ବିସ୍ମିତ ଶ୍ରୋତା ସମାଜରେ ତା’ର ଚତୁରତା ସମ୍ବନ୍ଧରେ ସ୍ପଷ୍ଟ ଧାରଣା ଦେବାକୁ ଭାରି ଚେଷ୍ଟା କରୁଚି, କିଏ ଅଧିକରୁ ଅଧିକ ମଣିଷଙ୍କ ସହିତ ଦୋସ୍ତି କରିବାର ମତଲବରେ ଆପଣାର ସମସ୍ତ ସମୟ ଓ ସମସ୍ତ ସମାହିତ ଅପବ୍ୟୟ କରି ଯାଉଚି–ଆଉ ସାଗର ବକ୍ଷର ଏଇ ବିଚ୍ୟୁତ ସଂସାରରେ ସବୁ ଦେଖି ମୁଁ ଖାଲି ଅବାକ୍ ହୋଇ ରହିଚି । କେତେ ଅଗଭୀର ଏ ଜୀବନ ଯାତ୍ରା, କେଡ଼େ ସୀମିତ ଏଠାକାର ଆବର୍ତ୍ତିତ ପରିଚୟ, କେତେ କ୍ଷୁଦ୍ର ଏଇ ସମ୍ବନ୍ଧର ମୂଳ ଚେରଟା ! କାଲି ରାତିରେ ଖାଇବା ପରେ ଆମର ଏକ ପ୍ରମୋଦ ସମ୍ମିଳନ ହୋଇଥିଲା । ଆମେ ଏତେଗୁଡ଼ିଏ ମଣିଷ ଏତେ ପାଖ ପାଖ ହୋଇ ବସିଥିଲୁ, ଅଥଚ କେତେ ଯୋଜନର ବ୍ୟବଧାନ ଯେପରି ଆମ ସମସ୍ତଙ୍କୁ ଆପଣା ଆପଣା ଏକାକୀ ଓ ସଚେତ ପଥରେ ବ୍ୟସ୍ତ ବିକଳ କରି ରଖିଥିଲା । ହଠାତ୍ ପ୍ରାସଙ୍ଗିକ ଭାବରେ କୌଣସି ପ୍ରକାର ନିକୃଷ୍ଟ କୌତୁକରେ ଅପରକୁ ଧନ୍ଦାରେ ପକାଇ ଦେଇ ପାରିଲେ, ଯେପରି ସମସ୍ତେ ସବୁଠାରୁ ବେଶୀ ଆମୋଦ ପାଉଥିଲେ । ଜଣେ ମଣିଷ ଆଉ ଜଣେ ମଣିଷ ପାଖକୁ ଆସିଲେ ପୃଥିବୀରେ ଏକ ଶୁଭ ମୁହୂର୍ତ୍ତ ସମ୍ଭାବିତ ହୁଏ; ଇତିହାସରେ ଏପରି ଅନେକ ମୁହୂର୍ତ୍ତ ଇତିହାସର ପୃଷ୍ଠାକୁ ନୂତନ କରି ଓଲଟାଇ ଦେଇଚି; କିନ୍ତୁ ଯେଉଁ କ୍ଷେତ୍ରରେ ଏତେ ପାଖ ପାଖ ରହି ସୁଦ୍ଧା ଆଖି ଆଖି, ଅନ୍ତର ଅନ୍ତର ଆଉ ସ୍ୱପ୍ନର ଆଦାନ ପ୍ରଦାନ ଓ ବୁଝାମଣା ହୋଇ ନ ପାରୁଚି, ସେଠି ମୁଁ ଏ ଯୁଗର କୋଉ ଅପଦେବତାକୁ ଦୋଷ ଦେବି ?

 

ପ୍ରକୃତିର ପ୍ରସାରିତ ସାନ୍ନିଧ୍ୟ ସଂସାରର କେତେ କବିଙ୍କ କେତେ ସାନ୍ତ୍ୱନା ଦେଇଚି, ପକ୍ଷୀ ସହିତ କେଉଁ ମାଦକିତ କବି ଆପଣାର ସ୍ୱର୍ଗକୁ ଉଡ଼ି ଯାଇଚନ୍ତି, ଫୁଲ ଦେଖି କେଉଁ କବି ସଂସାରର ମଇଳା ଭିତରୁ ଦୂରକୁ ଦଉଡ଼ି ଯାଇ ଆପଣା ମନୋରାଜ୍ୟରେ ମହାଜନକର ଅଭୟ ଲାଭ କରିଚନ୍ତି, ସମୁଦ୍ର ଉପରେ ଗୋଡ଼ ଦେଉ ଦେଉ ହୁଏତ କେହି କେହି ନାନା ବ୍ୟର୍ଥତାର ଅବସାଦ–ଭୂମି ଛାଡ଼ି ଆସିଲେ ବୋଲି ଗୀତ ଗାଇ ଉଠିଚନ୍ତି । ଆଜିକାର ଏଇ ସମୁଦ୍ର ମତେ କିନ୍ତୁ ମୋର ସଂସାରର ମଇଳା ପାଖକୁ ଆହୁରି ମିଳାଇ ଆଣୁଚି । ପ୍ରକୃତି ପାଖରୁ ଲବ୍‌ଧ ପ୍ରଶସ୍ତ ଦୃଷ୍ଟି ମତେ ସଂସାର ସହିତ ଶୁଭତର ସୂତ୍ରରେ ସଂଯୁକ୍ତ କରି ଦେଉଚି । କେବଳ ଆପଣା ପ୍ରତିଷ୍ଠାର କୃଛ୍ଛ୍ର ପ୍ରଚେଷ୍ଠା କରୁ କରୁ ମୁଁ ମଣିଷର କଳା ପାଖଟାକୁ ଅଧିକ କରି ଦେଖିଥିଲି, ସଂସାରରୁ ବିରକ୍ତ ହୋଇ କେବଳ ଆପଣା ଲାଭ କ୍ଷତି ଓ ଦୋଷ ଗୁଣର ଅଭିଯୋଗ କରିଥିଲି, କିନ୍ତୁ ସମୁଦ୍ର ଯେପରି ବାର ବାର ତରଙ୍ଗର ସମ୍ମାର୍ଜନରେ ମୋ ଦୃଷ୍ଟିର କଳାକୁ ପୋଛି ଦେଇ ଯାଉଚି । ମୁଁ ଭାବୁଚି, ମଣିଷ କାହିଁକି ଏହିପରି ଆପଣାର କଳାକୁ ପୋଛି ଦେଇ ଅପରର ଆଲୋକକୁ ପ୍ରଥମେ ନ ଚିହ୍ନିବ ? ରାତ୍ରି ଆକାଶର ଦୁଇଟି ତାରାପରି କାହିଁକି ଦୁଇଟି ମଣିଷ ପରସ୍ପରର ଜ୍ୟୋତିରେ ଆପଣା ଆପଣାର ପଥକୁ ଜ୍ୟୋତିର୍ମୟ କରି ନ ଦେବେ ? ସବୁରି ଆଖି ନିଶ୍ଚୟ ଏ ସାଗରକୁ ଦେଖୁଥିବ, ତାରାମୟୀ ରଜନୀର କୋଳରେ ବସି ନିଶ୍ଚୟ ସବୁରି ଅନ୍ତର କ୍ଷଣକ ଲାଗି ଆଲୋକିତ ହୋଇ ଉଠୁଥିବ, ତେବେ ଆମେ କାହିଁକି ପରସ୍ପରକୁ ସେହି ଆଲୋକମୟ କୋଷକୁ ପ୍ରଥମେ ନ ଚହ୍ନିବା, କାହିଁକି ସବୁରି ମହଦାକାଙ୍‌କ୍ଷାର ମନ୍ଦିର ପଥରେ ଆମର ମିଳନ ନ ହେବ ? ଫୁଲଟିକୁ ଅନାଇଲେ, ପୂର୍ବ ତୋରଣରୁ ଆଲୋକର ଶଙ୍ଖ ବଜାଇ ଉଠି ଆସୁଥିବା ସୂର୍ଯ୍ୟର ପ୍ରତ୍ୟକ୍ଷ କଲେ, ମୁଁ ଏଇ କଥା ଭାବେ । ପର୍ବତ ପାଖରେ, ଅରଣ୍ୟ ପଥରେ, ଜଳ ବକ୍ଷରେ ମୁଁ ମଣିଷ ଗହଳରୁ ଏଇ ସମଦରଦୀକୁ ସବୁବେଳେ ଖୋଜି ବୁଲେ । ପ୍ରଦେଶ, ଦେଶ, ଜାତି, ଯୁଦ୍ଧ ପ୍ରଭୃତି ନାନା ଭଳି ଛଳନାର ଆଶ୍ରୟ ନେଇ ମଣିଷ ଏକାଠି ହେଉଚି, ଏ ସବୁ କ୍ଷେତ୍ରରେ ମଣିଷକୁ ପଲ ପଲ କରି ଦଉଡ଼ାଇ ନେବାକୁ ଏ ଯୁଗରେ ବେଶୀ ସମୟ ଲାଗୁ ନାହିଁ । କିନ୍ତୁ ସବୁରି ଅଭିଳାଷ ଓ ସବୁରି ଆଳୋକର ସମାନ ଧର୍ମତ୍ୱ ଘୋଷଣା କରି ଏଇ ଧରା ତଳେ କିଏ ପତାକା ଉଡ଼ାଇବ, କିଏ ଅମୂଲ୍ୟ ମଣିଷଜନ୍ମର ଜୟ ଜୟକାର କରିବ ?

 

ଆମ ସମସ୍ତଙ୍କର ପଥ ଅତି ବିଚିତ୍ର, ଅତି ସ୍ୱତନ୍ତ୍ର । ଆମର ଜୀବନରାସ୍ତା ଜ୍ୟାମିତିର ସରଳ ରେଖା ପରି ସଳଖ ନୁହେଁ । ଆମେ ସମସ୍ତେ କାନ୍ଦୁଚୁ, ସମସ୍ତେ ଦଉଡ଼ଚୁ, ସମସ୍ତେ ହରାଇଚୁ, ସମସ୍ତେ ବୋକା ବନିଚୁ । ତଥାପି ସମସ୍ତଙ୍କର ଜୀବନରେ ମିଳନର ପରମକ୍ଷଣ ସମ୍ଭବ ହୋଇଚି, ସମସ୍ତେ ସ୍ୱପ୍ନ ମଧ୍ୟରେ ହଠାତ୍ ଜାଗି ଉଠିଚନ୍ତି, ସମସ୍ତେ କ୍ଷଣକ ଲାଗି ପାଇଚନ୍ତି, ପରିପୂର୍ଣ୍ଣ ହୋଇଚନ୍ତି । ସଞ୍ଜ ସକାଳର ବିଚ୍ଛେଦ ଓ ମିଳନ ଦେଇ ସମସ୍ତେ ଧାଇଛନ୍ତି । ଆମେ ଏଇ କଥାଟି ପ୍ରତ୍ୟେକେ ଭାରି ଭଲକରି ଜାଣିଚୁ । ତଥାପି ଆପଣା ଆପଣାର ଅଭିଜ୍ଞତାକୁ ପରସ୍ପର ସହିତ ମିଳାଇବାକୁ ଆମେ ଏ ଯୁଗରେ ଅତି କୁଣ୍ଠିତ ହୋଇ ପଡ଼ିଚୁ । ନିଜର ମନ ଭିତରେ, ଏକାକୀ ପଥରେ ଯାହା ଅତି ସ୍ୱାଭାବିକ, ସବୁରି ପାଖରେ ତାକୁ ଆମେ ଯଥାସାଧ୍ୟ ଅବଗୁଣ୍ଠିତ କରି ରଖିବାର ଉଦ୍ୟମ କରୁଚୁ, ଅପର ପାଖରେ ନିଜକୁ ଅଜାଡ଼ି ଦେଇ ସହଜରେ ପରିପୂର୍ଣ୍ଣ ହେବାରୁ ଆମେ ଆପଣାକୁ ବଞ୍ଚିତ କରି ରଖିଚୁ । ଏଠି ସେଇ କଥା ବାର ବାର କଣ୍ଟା ଫୋଡ଼ିଲା ପରି ମତେ ଯେପରି କିଏ କହିଦେଇ ଯାଉଚି । ଏକାଠି ବସିଲା ବେଳେ ଏଠି କିଏ ସିଗାରେଟ ଖାଉଚି, କିଏ ଆପଣାର ଟାଇ ସଜାଡ଼ୁଚି । ସମ୍ଭାନ୍ତ ନାରୀମେଳରେ ସମ୍ଭ୍ରମର ସହିତ ଟିକିଏ କାଶି କିଏ ଆପଣାକୁ କୃତାର୍ଥ କରିବାର ସୁଯୋଗ ଖୋଜୁଚି, କିଏ ଅଧିକା ପଇସା ଖରଚ କରି ସଭିଙ୍କ ସାମନାରେ ଭଦ୍ର ପରିପାଟୀରେ ମଦ୍ୟପାନ କରି ଆପଣାର ଗୁରୁତା ବଜାୟ ରଖୁଚି–ସଭିଙ୍କର ପ୍ରସାଧନ ସଯତ୍ନ ମୁଖମଣ୍ଡଳରେ ଏକ ଜାନ୍ତବ ଚଞ୍ଚଳତା ବେଶ୍ ଉକୁଟି ଉକୁଟି ଯାଉଚି । ଅଥଚ ସେଇ ବେଶଭୁଷା, ସେଇ ସୁବାସିତ ଧୂମକୁଣ୍ଡଳୀ ଆଉ ଚମହାଡ଼ର ସମ୍ମୋହନ ତଳେ ଏମାନେ କେଡ଼େ କ୍ଷୁଦ୍ର, କେତେ ଅଳ୍ପ ଏମାନଙ୍କ ଆତିଥ୍ୟଭୂମି, କେଡ଼େ ସଂକୁଚିତ ଏମାନଙ୍କ ଆରାଧନା ? ଅପରର ଅନୁକରଣ କରି ଅପରର ଆଖିରେ ସମ୍ମାନିତ ଭଳି ପରିଚୟ ପାଇବାକୁ କି ସଙ୍କୁଳ କି ବ୍ୟସ୍ତ ଏମାନଙ୍କର ଦିନଚର୍ଯ୍ୟା-!

 

କାଲିଠାରୁ ନଭେମ୍ବର ସରିଲା, ହଠାତ୍ ବରଷର ଶେଷମାସର ପହିଲାରେ ନିଜକୁ ବୁଢ଼ା ବୁଢ଼ା ଲାଗୁଚି । ବରଷଟାଯାକ ହୁଏତ ଅତି ଅସତର୍କ ଭାବରେ ଅତି ଅବିଚିତ୍ର ପଦକ୍ରମରେ ଦିନ ପରେ ଦିନ ଅତିକ୍ରାନ୍ତ ହୋଇଯାଇଚି । କୌଣସି ପ୍ରକାରର ହିସାବ ମୁଁ ରଖିପାରି ନାହିଁ । ଅଶୀବରଷର ବୁଢ଼ା ଏକାକୀ ବସି ମାଳା ଗଡ଼ାଉଥାଏ, ଯନ୍ତ୍ରବତ୍ ତାର ଆଙ୍ଗୁଠି ଅଗରେ ମାଳି ପରେ ମାଳି ଖସିଯାଉଥାଏ, ଅତି ଅଭ୍ୟସ୍ତ ମନ ସେ ବିଷୟରେ ଜ୍ଞାନ ହରାଇ ଦେଇଥାଏ । ମଝିରେ ମଝିରେ ଗୋଟାଏ ପରସ୍ତ ଶେଷ ହେଲେ ମଧ୍ୟମାଳି ଆସି ପହଞ୍ଚେ । ହଠାତ୍ ବୁଢ଼ା ମନଟା ସଚେତ୍ ହୋଇଯାଏ, ହଠାତ୍ ସେ ଆପଣାର ମନୋଧ୍ୟାନ ନେଇ ମାଳି ଭିତରର ଆରାଧ୍ୟ ଦେବତା ପାଖରେ ପହଞ୍ଚି ଯାଏ । ଆଜି ବର୍ଷଶେଷର ଏଇ ସଚେତନୀ ସ୍ମୃତି ମତେ ଟିକିଏ ଚଞ୍ଚଳ କରି ଦେଲା ପରି ଳାଗୁଚି । ଜୀବନଯାତ୍ରାର ନାନା ବିକ୍ଷିପ୍ତ ପଥ ଭିତରେ ହଠାତ୍ ଆପଣାର ସ୍ୱକୀୟ ପଥଟା ଜଳ ଜଳ ହୋଇ ଉଠୁଚି ।

 

ବିଧାତାର ପାଞ୍ଜିରେ ବୁଢ଼ା ହେବାରେ ମୋର ତିଳେମାତ୍ର ଦୁଃଖ ନାହିଁ, କେବଳ ଆପଣା ମନରେ ବୁଢ଼ା ନ ହେଲେ ହେଲା । ଦିନୁ ଦିନୁ ମୁଁ ବେଶୀ ଜାଣୁଚି, ବେଶୀ ବୁଝୁଚି, ବେଶୀ କ୍ଷଣ ଆଲୋକ ଆଡ଼କୁ ଆପଣାକୁ ଢଲାଇ ପାରୁଚି, ଏହାହିଁ ଜୀବନର ସବୁଠାରୁ ବଡ଼ ଆଶୀର୍ବାଦ, ସବୁଠାରୁ ମହତ୍ ଲାଭ ।

 

ଗତ ଚବିଶ ଘଣ୍ଟାରେ ଆମ ଜାହାଜ ହୁଏତ ପୁଣି ତିନିଶହ ମାଇଲରୁ ଅଧିକ ରାସ୍ତା ଆସିଲାଣି । ମାନଚିତ୍ରରେ ଦେଖି ପାରୁଚି ଯେ ଆମେ କ୍ରମେ ଆରବ ଓ ଆଫ୍ରିକାର ନିକଟବର୍ତ୍ତୀ ହୋଇ ଆସୁଚୁ, ଆଉ ଅଳ୍ପ କେତେଦିନରେ ଲୋହିତ ସାଗରରେ ଆମର ଜାହାଜ ପ୍ରବେଶ କରିବ । ଅବଶ୍ୟ ହୁଏତ ସେହି ସଂକୀର୍ଣ୍ଣ ଜଳନାଳୀ ଭିତରେ ମଧ୍ୟ ଆମେ ସ୍ଥଳଭାଗ ଦେଖିବାକୁ ପାଇବୁ ନାହିଁ-। ତଥାପି ଗୋଟାଏ ସାଗର ଡେଇଁ ଆମେ ଆଉ ଏକ ସାଗରରେ ପ୍ରବେଶ କରିବୁ, ଏହାହିଁ ମନକୁ ଭାରି ଆଶ୍ୱାସ ଦେବ । ଭୂମଣ୍ଡଳର ଅବିଭକ୍ତ ଜଳରାଶିର ସ୍ଥାନୀୟ ନାମକରଣ କରି ମଣିଷ ଅନେକ ସାନ୍ତ୍ୱନା ପାଇ ପାରୁଚି ।

 

କାଲିଠାରୁ ଆକାଶ ଅପେକ୍ଷାକୃତ ପରିଷ୍କାର ଅଛି । କାଲି ସଞ୍ଜବେଳେ ମନେ ହେଉଥିଲା, ଯେପରି ରାତିରେ ମେଘ ବରଷିବ,-ପୁଣି କେତେକ ବିନ୍ଦୁ ବିରାଟ ସିନ୍ଧୁରେ ମିଶିବ, କିନ୍ତୁ ସକାଳେ ଉଠି ପୂର୍ବ ଦିଗକୁ ଚାହିଁଦେଲା ମାତ୍ରକେ ଆଖି ଅତି ନିର୍ମଳ ହୋଇଗଲା । ପ୍ରାଣ ପୂରାଇ ଆଜିକାର ନିଖୁଣ ସୂର୍ଯୋଦୟ ଦେଖିବାକୁ ମିଳିଲା ।

 

ଡେକ୍ ଉପରେ ବୁଲି ବୁଲି ସମୁଦ୍ର ଉପଭୋଗ କରୁଥିବା ଜଣେ ଯାତ୍ରୀଙ୍କର ଚିତ୍କାର ଶୁଣି ଆମେ ସମସ୍ତେ ଡେକ୍ ଉପରକୁ ଦଉଡ଼ି ଯାଇଥିଲୁ । ସେ କୁଆଡ଼େ ଗୋଟିଏ ତିମି ମାଛ ଦେଖିଲେ, କିନ୍ତୁ ସମସ୍ତେ ଯାଇ ଅନେଇଲା ବେଳକୁ ତିମି ଢ଼େଉ କାଟି କେତେ ଦୂରକୁ ଚାଲି ଯାଇଥିଲା । ଭବିଷ୍ୟତରେ ଆଉ ଏକ ସୁଯୋଗର ଭରସା ରଖି ଆମେ ସମସ୍ତେ ଫେରି ଆସିଲୁ । ନିରାଟ ଜଳରେ ହଠାତ୍ ଆଉ ଏକ ଜୀବ ଦେଖିବାକୁ ସଭିଙ୍କର ମନ ଭାରି ଉତ୍ସାହିତ ହୋଇ ଉଠିଥିଲା ।

•••

 

ଆରବସାଗର

୨-୧୨-୫୦

 

କାଲି ଶୋଇବାକୁ ଗଲାବେଳେ ଶୁଣିଲି ରାତିରେ ଆମେ ଆରବ ଉପକୂଳର ଆଲୁଅ ଦେଖିବାକୁ ପାଇବା । ରାତିରେ ସେଇ ଆଶାରେ ଯେତେଥର ନିଦ ଭାଙ୍ଗିଚି, ସବୁଥର ମୁଁ ବାହାରକୁ ଆସି ଦୂରଦୂରକୁ ଅନାଇଚି, କିନ୍ତୁ କିଛି ଦେଖି ପାରିନାହିଁ । ସମସ୍ତେ କହୁଚନ୍ତି, ଆଜି କୁଆଡ଼େ ଦୁଇ ପାଖର ଉପକୂଳ ଆମର ଦୃଷ୍ଟି ଗୋଚର ହୋଇପାରିବ । ଅନୁମାନ କରି ପାରୁଚି ପ୍ରାୟ ୧୩୦୦ ମାଇଲ ଭାସି ଆସିବା ପରେ ଆମେ କ୍ରମେ କ୍ରମେ ଲୋହିତ ସାଗର ମୁହଁରେ ପହଞ୍ଚିବାକୁ ଆରମ୍ଭ କରିଚୁ ।

 

କାଲି ରାତି ପ୍ରାୟ ସାଢ଼େ ତିନିଟା ବେଳେ ଦଣ୍ଡକଲାଗି ଡେକ୍‍କୁ ଆସିଥିଲି । ସେତେବେଳେ ଶେଷ କୃଷ୍ଣପକ୍ଷର ଜହ୍ନ ଠିକ୍ ମୁଣ୍ଡ ଉପରେ । କୁଆଁତାରା ଉଠିବ ବୋଲି ପୂର୍ବ ଦିଗ୍‌ବଳୟ ବେଶ୍‌ ପ୍ରସନ୍ନ ହୋଇ ରହିଚି । ନୀଳ ସ୍ୱଚ୍ଛ ଆକାଶରେ କେବଳ କୋତୋଟି ଉଜ୍ଜଳ ନକ୍ଷତ୍ର ଛଡ଼ା ଆଉ କିଛି ଦେଖିବାକୁ ପାଇଲି ନାହିଁ । ମେଘର କୌଣସି ସଙ୍କେତ ମଧ୍ୟ ନ ଥିଲା ।

 

ରାତିରେ ଆଲୁଅ ଦେଖିବାର ଆଶାରେ କେତେ କ’ଣ ଭାବି ଯାଇଥିଲି । ଆରବ ଉପକୂଳର କେଉଁ ଅଖ୍ୟାତ ଗାଁ’ରେ ହୁଏତ କେଉଁ ଜନନୀ ଆଲୁଅ ଜାଳି ତା’ର ରୋଗିଣା ପିଲା ପାଖରେ ବସି ଥିବ । କେଉଁ ରମଣୀ ହୁଏତ ତା’ର ସ୍ୱାମୀର ଶୁଭକାମନାକୁ ଗୋଟିଏ ଦୀପରେ ଜଳାଇ ଦେଇ ପରମ ପରିତୋଷ ଲାଭ କରୁଥିବ; ସାଗରର ସେପାରିରୁ ଆସିଥିବା ମୋ’ର ନୂତନ ମନରେ ଏଇ ସବୁ ସ୍ମରଣ ବେଶ୍ ଗୋଟିଏ ମଧୁର ପରିବେଶ ସୃଷ୍ଟିକରି ଦେଇଥିଲା । ଉପକୂଳର ସଂକୀର୍ଣ୍ଣ ଶ୍ୟାମଳ ଭୂମି ପାରି ହୋଇଗଲେ ଆରବର ସୁବିସ୍ତୀର୍ଣ୍ଣ ମରୁପ୍ରାନ୍ତର, କେତେ ଅଭିଳାଷ ଓ ଉଦ୍ୟମର ମୃଗତୃଷ୍ଣା ଧରି ସେ ଯୋଜନ ଧରି ପଡ଼ି ରହିଥିବ । ଧରଣୀଧର ବିଶ୍ରାନ୍ତ ବିସ୍ମୟ ପରି । ସେଇ ଆରବ ଦେଶରେ ମକ୍କା ମଦିନା । ମଣିଷର ଆଖିରେ ଅନନ୍ତର ଦୃଷ୍ଟି ଭରି ଦେଇଥିବା ସିନାଇ ପାହାଡ଼ ସେଇଠି । ସବୁ ତୀର୍ଥକୁ ତନ୍ନ ତନ୍ନ କରି ଦେଖିବାର ସୁଯୋଗ ହୁଏତ ଏ ଜୀବନରେ ଆଉ ଯୁଟିବ ନାହିଁ; କିନ୍ତୁ ସେଇ ସବୁର ଏତେ ନିକଟରେ ଅନ୍ୟଉଦ୍ଦିଷ୍ଟ ଭାବେ ଭାସି ଯାଉଥିବା ବେଳେ ମନ ତା’ରି ଭାବନାରେ ଫଳ ଫୁଲ ଲଦି ହୋଇଥିବା ଡାଳପରି ଆପେ ଆପେ ନଇଁ ପଡ଼ିଲା-

 

ସମୁଦ୍ର ଛୁଇଁବା ଆଗରୁ ବନ୍ଧୁମାନେ ମତେ ‘ସମୁଦ୍ର ରୋଗ’ (Sea sickness) ସମ୍ବନ୍ଧରେ ସାବଧାନ କରି ଦେଇଥିଲେ । ଜାହାଜରେ ଦୂର ଦେଶକୁ ଗଲାବେଳେ କୁଆଡ଼େ ଏଇ ରୋଗରେ ପଡ଼ିବାର ଭାରି ଆଶଙ୍କା ଥାଏ । ଏଇ ରୋଗ ହେଲେ ମୁଣ୍ଡ ଭାରି ଲାଗେ, ବାନ୍ତି ହୁଏ, ଠିଆ ହେଲେ ମୁଣ୍ଡ ବୁଲାଏ । ସବୁବେଳେ ବିଛଣାରେ ପଡ଼ିରହି ସମୟ ଅତି ଦୁର୍ବହ ହୋଇପଡ଼େ । ଜାହାଜ ଛୁଇଁ ଦେଖଲି ଅନେକ ଯାତ୍ରୀ ‘ସମୁଦ୍ର ରୋଗ’ର ପ୍ରତିଷେଧକ ବଟୀ ସାଙ୍ଗରେ ଆଣିଚନ୍ତି । ୟା’ ଭିତରେ କେତେ ଜଣ ମଧ୍ୟ ରୋଗରେ ପଡ଼ିଲେଣି, ବାନ୍ତି କଲେଣି; କିନ୍ତୁ ମତେ କାହିଁକି ଏ ପର୍ଯ୍ୟନ୍ତ କିଛି ଖରାପ ଲାଗିନାହିଁ । ସମୁଦ୍ରକୁ ଯହୁଁ ଯହୁଁ ବେଶୀ ଦେଖୁଚି, ତା’ର ଚିରନ୍ତନ ବିଚିତ୍ର ବ୍ୟାପ୍ତିର ଯେତିକି ଅଧିକ ପ୍ରଶସ୍ତ କ୍ଷେତ୍ରରେ ନିଜକୁ ହାଲୁକା ଲାଗୁଚି, ସେତିକି ସେତିକି ଆଗର ନାନା ପ୍ରକାରର ମୁଣ୍ଡବ୍ୟଥା ଭଲ ହୋଇ ଯାଉଚି । କେତେ ସ୍ଥାନରୁ ନନା ପ୍ରସଙ୍ଗରେ ଏକାଧିକବାର ଆଘାତ ଖାଇ ଯେଉଁ ପରାସ କ୍ରମେ ମୋର କପାଳରେ ଚେର ମଡ଼ାଇ ଦେଇଥିଲା, ସେଇ ପରାସ ଯେପରି ଆଜି କାହାର କୋମଳ ସ୍ପର୍ଶରେ କୁଆଡ଼େ ଉଭେଇ ଯାଉଚି; କାହାର ଗୁଣି-ମନ୍ତ୍ରରେ ମନକୁ ଗ୍ରାସି ରହିଥିବା ସବୁ ଡାଆଣୀ ପଛରେ ପଡ଼ି ଯାଇଛନ୍ତି । ମୁଁ କେବଳ ଜଳରାଶି ଉପରେ ଆଗକୁ ଆଗକୁ ଚାଲିଛି ।

 

ଆଜି ବଡ଼ିସକାଳେ ଅନେକ ଦୂରରେ ଗୋଟାଏ ଜାହାଜ ଦେଖିଲି । ସୂର୍ଯ୍ୟ ଉଠିଲା ବେଳକୁ ତାହା ଆଖି ପଆନ୍ତାକୁ ଆସି ଯାଇଥିଲା । ବେଶ୍ ଛୋଟିଆ ଜାହାଜଟି, ଧୂସର ଧୂଆଁରେ ଆକାଶ ଉପରେ ଆପଣା ଯାତ୍ରର ସଙ୍କେତ ପଥ କାଟି ଦେଇ ସେ ଅନେକ ଦୂରରେ ଚାଲି ଯାଉଥିଲା । ଚାରିଦିନ ପରେ ହଠାତ୍ ଏକ ଦର୍ଶନୀୟ ଦ୍ରବ୍ୟ ଦେଖିବାକୁ ଜାହାଜର ଅନେକ ଯାତ୍ରୀ ଡେକ୍ ଉପରେ ଆସିଥିଲେ । ଉତ୍ତର ଦିକ୍‍ସୀମାର କଡ଼େ କଡ଼େ ଜାହାଜଟି ଯେଉଆଡ଼ୁ ପ୍ରଥମେ ଦେଖା ଦେଇଥିଲା; ତା’ର ବିପରୀତ ଆଡ଼େ ଅଦୃଶ୍ୟ ହୋଇଗଲା ।

 

ଜାହାଜ ଚାଲିବା ସଙ୍ଗେ ସଙ୍ଗେ ଜାହାଜର ପ୍ରଥମ ଶ୍ରେଣୀ ଯାତ୍ରୀର ମିଜାଜକୁ ଗରମ କରି ରଖିବାକୁ ଯେଉଁସବୁ କାର୍ଯ୍ୟକଳାପ ଅତ୍ୟାବଶ୍ୟକ, ସେ ସବୁ ମଧ୍ୟ ନିଖୁଣ ବିଧିରେ ଚାଲିଛି । ବମ୍ବେ ନା କଲିକତା କୋଉଠି ଭାରତ ଓ ବିଲାତ ମଧ୍ୟରେ କ୍ରିକେଟ୍ ଖେଳ ଚାଲିଛି, ରେଡ଼ିଓ ସାହାଯ୍ୟରେ ତା’ର ଖବରଗୁଡ଼ାକ ଆମ ବୈଠକ ଘରେ ଘାଉ ଘାଉ ହୋଇ ଅଜାଡ଼ି ହୋଇପଡ଼ୁଛି । ମୋ’ ଠାରୁ ଅଳ୍ପ ଦୂରରେ ଆଉ ଗୋଟାଏ ଟେବୁଲ ପଞ୍ଝାଏ ଚେସ୍ ଖେଳରେ ଲାଗିଛନ୍ତି । ସକାଳ ନ’ଟାରୁ ପ୍ରାତଃକାଳୀନ ଉପାହାର ସାରି ସମସ୍ତେ ଆପଣାକୁ ସସ୍ପୃହ କରି ରଖିବାକୁ ବେଶ୍ ତତ୍ପର ହୋଇ ପଡ଼ିଚନ୍ତି । ରାତି ନଅଟା ବେଳେ ନାନା ଖେଳର ବ୍ୟବସ୍ଥା କରିବା ଲାଗି ଗୋଟାଏ ଖେଳ-କମିଟି ଗଢ଼ା ଯାଇଚି । ତେଣୁ ସବୁଦିନେ ଖେଳ ନାମରେ ଭଳି ଭଳି ତାମସା ଦେଖିବାର ବେଶ ସୁଯୋଗ ମିଳୁଚି । ଯାତ୍ରୀମାନେ ଯେପରି ମୈାଳିକ ଆରାମମାନ ଉପଭୋଗ କରିବା ସଙ୍ଗେ ସଙ୍ଗେ ଖେଳ ଖେଳି ପାରିବେ, ମନକୁ ଦଉଡ଼ାଇ ପାରିବେ, ସେଥପ୍ରତି ଦୃଷ୍ଟିରଖି ବଡ଼ଲୋକଙ୍କର ବୈଠକୀ ଖେଳମାନଙ୍କର ଆୟେଜନ କରାଯାଇଚି । ଅର୍ଥାତ୍ ରୁଚି ଅନୁସାରେ ସିଗାରେଟ୍‍ ବା ଚୁରୁଟ ଖିଆ ଚାଲିଥିବ, ମଝିରେ ମଝିରେ ଇଂରାଜୀ ଶୁଦ୍ଧ ମଦ ପରିବେଷଣ କରି ପ୍ୟାଣ୍ଟ୍‌ ପିନ୍ଧା ସେବକ (Steward) ଖଣ୍ଡିଆ ଇଂରାଜୀରେ ସମ୍ମାନ ଦେଖାଇ ଯାଉଥିବ, ଏଣେ ଖେଳ ଚାଲିଥିବ; ପଇସା ବାଜି ରହି ପକେଟ ପୂରୁଥିବ, ପୁଣି ଖାଲି ହେଉଥିବ । ମନର ଆମୋଦ-ଲାଳସା କ୍ରମେ ଘନ ହୋଇ ଆସି ଆଖିରେ ନିଦର ନିଶା ଘାରିବା ପର୍ଯ୍ୟନ୍ତ ମଜଲିସ୍ ବସି ପାରିବ ।

 

କାଲି ସନ୍ଧ୍ୟାବେଳେ ଘୋଷଣା କରାଗଲା ଯେ, ରାତିରେ ଘୋଡାଦଉଡ଼ (Horse Race) ହେବ । ଶୁଣି ପ୍ରଥମେ ମୁଁ ଅବାକ୍ ହୋଇଗଲି । ଏଡ଼େ ଟିକିଏ ଜାହାଜ, ପାଗ ଟିକିଏ ଖରାପ ହେଲେ କାଗଜର ଡଙ୍ଗା ପରି ଏପାଖ ସେପାଖ ହେଉଚି, ୟା’ ଉପରେ ପୁଣି ଘୋଡ଼ା ଦୌଡ଼ ହେବ କିପରି ? ଦଉଡ଼ିବାକୁ ଘୋଡ଼ା ବି ଆସିବେ କୋଉଠୁ ? କିନ୍ତୁ ଆପେ ଏଡ଼େ ମଫସଲି ବୋଲି କ’ଣ ମୁଁ ଜାଣିଥିଲି ? ରାତି ଖାଇବା ଶେଷ ହେବା ପରେ ପରେ ସନ୍ଦେହୀ ମନ ନେଇ ମୁଁ ବୈଠକଖାନାକୁ ଗଲି । ଦେଖିଲି ବେଶ୍ ଚମତ୍କାର କାଠ-ଘୋଡ଼ା କେତୋଟି ସଜାଇ ରଖାଯାଇଚି । ସିଧା ହୋଇ ଗୋଟିଏ ଅଳ୍ପଓସାରିଆ ଲମ୍ବା ଗାଲିଚା ପଡ଼ିଚି । ଗାଲିଚା ଉପରେ ଚାଳିଶି ପର୍ଯ୍ୟନ୍ତ ନମ୍ବର ଲେଖାଯାଇଚି । ଖେଳିବା ବାବୁମାନେ ଆପଣାର ଗୋଟିଏ ଗୋଟିଏ ଘୋଡ଼ା ଆଦରି ନେବେ । ସମସ୍ତେ ଦଶ ପଚିଶି କରି ଟଙ୍କା ଜମା ରଖିବେ । ତା’ପରେ ଗୋଟି ପଡ଼ିବ ଓ ପଶା ପାଲିର ସାର ଚଳିଲା ପରି ଘୋଡ଼ାମାନେ ଚାଲିବେ । ଯାହା ଘୋଡ଼ା ଆଗ ଯାଇ ମୁଣ୍ଡ ସଂଖ୍ୟା ପାରି ହୋଇ ପାରିବ, ତ’ରି ପକେଟକୁ ସବୁ ଟଙ୍କା ଯିବ । ପୁଣି ଆଉ ବହରେ ଖେଳ ହବ ।

 

ଜଣେ ବନ୍ଧୁ ସବୁ ଜାଣିଥିବା ପରି ମୁଖଭଙ୍ଗୀକରି ମତେ ଖେଳର ମର୍ମଟା ବୁଝାଇ ଦେଲେ । ବନ୍ଧୁଙ୍କ ପାଖରେ କୃତଜ୍ଞ ହେବାକୁହିଁ ପଡ଼ିଲା । ଆପେ ନ ଖେଳିବ ପଛକେ, ସବୁ ବିଷୟରେ ଜ୍ଞାନ ଥିବା ଦରକାର–ମୋର ଅଜ୍ଞତାକୁ ପରିହାସ କରିବା ସଙ୍ଗେ ସଙ୍ଗେ ତାଙ୍କର ମୁଖଭାବ ମତେ ଯେପରି ଏଇ କଥା ବତାଇ ଦେଇଥିଲା । ହଠାତ୍ ଏକ ନୂତନ ସଭାକୁ ଆସିଥିବା ଜଣେ ଶିଶୁ Wrip van winkle ପରି ମୁଁ ଜଳକା ହୋଇ କେବଳ ଭାବୁଥିଲି । ପୃଥିବୀରେ କେତେ ପ୍ରକାର ପଙ୍କ ଅଛି, କେତେ ପ୍ରକାରର ଦୁର୍ଗନ୍ଧ ଅଛି, ଏହିସବୁ କଥା ଜାଣିବାର ଭଲମନ୍ଦ ବିଷୟରେ ମୋର ଆଧୁନିକ ପୋଷାକୀ ମନଟା ବ୍ୟସ୍ତ ହୋଇ ପଡ଼ିଥିଲା ।

 

ଖେଳ କମିଟୀ ତରଫରୁ ତାସ୍, ଚେସ୍, କ୍ୟାରମ୍, ଟେନିସ୍ ପ୍ରଭୃତିର ପ୍ରତିଯୋଗିତା କାଲିଆଡ଼କୁ ଆରମ୍ଭ ହେବ । ସବୁଥିରେ ପଇସାର ବାଜି ରହିଚି । ଅନେକ ପଇସା ହାରିବେ, ଜଣେ ଦୁଇଜଣ ଭାଗ୍ୟବାନ ପଇସା ପାଇବେ । ଖେଳର ନିର୍ମଳ ଆନନ୍ଦ ସହିତ କେଉଁ ପେଚା ଯେ ଲକ୍ଷ୍ମୀଙ୍କର ଅନଧିକୃତ ପ୍ରବେଶ କରାଇଲା, ତାହା କେବଳ ସେହି ଭଗବାନମାନଙ୍କୁ ଜଣା, ଯେଉଁମାନେ ପ୍ରାୟ ଚାରିଶହ ବର୍ଷ ହେଲା ସଂସାରରେ ସୁନା ରୂପାର ବିଜୟ-କାଣ୍ଡ ଭିଆଇ ଆସୁଚନ୍ତି । ମନକୁ କଉତୁକିଆ କରି ଭାବିଲି, ପୁଳାଏ ତେନ୍ତୁଳିମଞ୍ଜି ଓ ଗୋଟାଏ କାଞ୍ଜିଆପଟା ଆଣି ଏଠି ପଇସାର ବାଜି ଲଗାଇଥିଲେ ନିଶ୍ଚୟ ମୁଁ ଏ ସମାଜରେ ବଡ଼ ପ୍ରିୟ ହୋଇ ପାରିଥାନ୍ତି । ହୁଏତ ନିରୋଳା ଗାଉଁଲୀ ଜିନିଷ ବୋଲି ଏଠି ଏହାର ଅଧିକ ଆଦର ହୋଇଥାନ୍ତା; ସବୁ ଗାଉଁଲୀ ଜିନିଷକୁ ଭଲ ବୋଲି ଆବୋରି ଧରିବାର ଯେଉଁ ନିଶା କେତେକ ପଇସାବାଲା କଳା-ପସନ୍ଦୀଙ୍କ ମନକୁ ଆଜି ଘାରି ରଖିଚି, ସେଇ ନିଶା ବୋଧହୁଏ ଏଠି ଭାରି କାମ ଦେଇଥାନ୍ତା ।

 

ସବୁ ପ୍ରକାର କାର୍ଯ୍ୟକଳାପର ଏଠି ପଇସା ସାଧାରଣ ଗୁଣନୀୟକ ହୋଇ ରହିଚି, ପଇସା ଛଡ଼ା କେହି ଯେପରି କୌଣସି ବିନୋଦର କଳ୍ପନା ସୁଦ୍ଧା କରି ପାରି ନ ଥାନ୍ତେ । ସବୁଠାରୁ ମଜା ଲାଗୁଚି, ପଇସା-କେନ୍ଦିତ ଜୀବନ-ବିନୋଦରେ କୌଣସି ପ୍ରକାର ଦ୍ୱିଧା ନ ରଖି ପୁରୁଷ ସହିତ ନାରୀ ମଧ୍ୟ ସମ୍ମଳିତ ହୋଇ ପାରୁଚି । ନାରୀର ଏ ରୂପଟା ଇଂରାଜୀ ଚଳଚ୍ଚିତ୍ର ଓ ଇଂରାଜୀ ଉପନ୍ୟାସ ଛଡ଼ା ଆଉ କେଉଁଠି ଦେଖି ନ ଥିଲି । ଆମ ବୈଠକଖାନାରେ ପାର୍ବତୀଙ୍କର ଏକ ସୁନ୍ଦର ପିତ୍ତଲ ମୂର୍ତ୍ତି ରହିଚି । କେବଳ ପଇସା ଦେଇ କିଣା ହୋଇଥିବା ଏକ କଳାସାମଗ୍ରୀ ଛଡ଼ା ହୁଏତ ଏ ଜାହାଜରେ ତାହାର ଅନ୍ୟ କୌଣସି ମୂଲ୍ୟ ନାହିଁ । ସରଳ ସ୍ୱାଭାବିକ ଜୀବନର Suggestion ଦେଉଥିବା ଶିଳ୍ପୀ ଶ୍ରୀ ସୁଧୀର ଖାସ୍ତଗିରଙ୍କର ଦୁଇଟା ଛବି ମଧ୍ୟ ଅପମାନିତ ହୋଇ ପଡ଼ିଚି ।

 

ଭାରତବର୍ଷ ଆଜି ପଶ୍ଚିମର ସମସ୍ତ ଅଭିଜ୍ଞତା ପାଇବାକୁ ହୁଏତ ଭାରି ବ୍ୟାକୁଳ ହୋଇ ପଡ଼ିଚି । ସକଳ ପ୍ରକାର ଅନୁକୂଳକ୍ଷେ ଦେଶ ଓ ଦେଶବାସୀଙ୍କୁ ଯୋଗାଇ ଦେବାରେ ଏ ସ୍ୱଦେଶୀ ଯଖମାନେ ଭାରି ତତ୍ପର ହୋଇ ପଡ଼ିଚନ୍ତି । ଜୀବନର ସମସ୍ତ କ୍ଷେତ୍ରକୁ ଆପଣାର ରାହୁଗ୍ରାସରେ ସମ୍ମୋହିତ କରିବାକୁ ହୁଏତ ଆଉ ବେଶୀ ଡେରୀ ଲାଗିବ ନାହିଁ । ଜାଣେନା, ଦେଶର ଏଇ ତତ୍ପରତାର ସତ୍ୟରୂପ ଚିହ୍ନାଇ କେବେ ଏହି Upton Sinclair ଙ୍କର ଆବିର୍ଭାବ ହେବ ? ଅତି ଅସମ୍ମାନିତ ଉପାୟରେ ଆପଣାର ମଣ୍ଡନ-ଲାଳସାକୁ ଅନୁଗୃହୀତ କରିଥିବା ଦୌପଦୀର ସଦ୍‍ବିଚାର କରିବାକୁ ବୋଧହୁଏ କେଉଁ ଦ୍ରଷ୍ଟାର ମନୋରାଜ୍ୟରେ ନିଷ୍ଠୁର ଦୁଃଶାସନ ସଜ ହୋଇ ବସିଲାଣି ।

 

ଜାହାଜ ଓ ଜାହାଜର ଆଚରିତ ଜୀବନ ସଙ୍ଗେ ସଙ୍ଗେ ସମୁଦ୍ରର ଗର୍ଜନ ଅବାରିତ ଭାବରେ ଲାଗି ରହିବ । ମଧ୍ୟ ଦିନର ସୂର୍ଯ୍ୟାଲୋକ ଦ୍ୱାରା ଜଳ ବକ୍ଷରେ ପତିତ ହୋଇଥିବା ରୂପେଲୀ ଆୟତନ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣକୁ ଏକାଠି ମିଳାଇ ଦେଇଚି ।

•••

 

ଏଡ଼େନ୍‌ ଉପସାଗର

୩-୧୨-୫୦

 

କାଲି ଖାଇବା ଶେଷ ହେବା ସଙ୍ଗେ ସଙ୍ଗେ ଶୋଇ ପଡ଼ିଥିଲି । ଆଜି ବଡ଼ି ସକାଳୁ ଉଠି ସ୍ଥଳ ଦେଖିବି ବୋଲି । ଭାରି ଶୁଣାଯାଉଥିଲା ଯେ ସକାଳ ଛଅଟାବେଳେ ଆମର ଏଡ଼େନ୍‍ ବନ୍ଦର ଅତିକ୍ରମ କରି ଚାଲିଯିବ । ପୋର୍ଟସୟଦ ପର୍ଯ୍ୟନ୍ତ ଅନ୍ୟ କୋଉଠି ଆମେ ଅଟକିବୁ ନାହିଁ, ତେଣୁ ଡେରିରେ ଉଠିଲେ କାଳେ ଏଡେନ୍‍ ଦେଖିବାର ସୁଯୋଗ ଚାଲି ଯାଇଥିବ, ଏଇ ଆଶଙ୍କାରେ ଭୋର ଚାରିଟା ବେଳୁ ଯାଇ ଡେକ୍ ଉପରେ ଠିଆ ହୋଇଥିଲି ।

 

ମୁଣ୍ଡ ଉପରେ କୃଷ୍ଣା ତିଥିର ଅଧା ଜହ୍ନ ଭାରି ସୁନ୍ଦର ଦିଶୁଥିଲା । ସକାଳୁ ପୁଣି ଶୂନ୍ୟ ମଣ୍ଡଳରେ ନିରୁଦ୍ଦେଶ୍ୟ ଯାତ୍ରା ଆରମ୍ଭ କରିବେ ବୋଲି ମେଘର ଶୁଭ୍ର ବୋଇତ ଗୁଡ଼ିକ ଅତି ନୀରବରେ ଠିକ୍ ଚକ୍ରବାଳ ଉପରେ ବିଶ୍ରାମ ନେଉଥିଲେ । ଅଳ୍ପ କେତୋଟି ତାରା ଉର୍ଦ୍ଧ୍ୱଦେଶର ନୀଳପଟ ଉପରେ ବିକ୍ଷିପ୍ତ ହୋଇ ଜଳୁଥିଲେ । ଉତ୍ତର ଦିଗରେ ହଠାତ୍ ଆଲୁଅ ଦେଖାଗଲା । କିନ୍ତୁ ତାହା ଯେ ସ୍ଥଳଭାଗର ଆଲୁଅ ନୁହେଁ, ଏ କଥା ଜାଣିବାକୁ ବେଶୀ ଡେରି ଲାଗିଲା ନାହିଁ । ସିନ୍ଧିଆ କମ୍ପାନୀର ଅନ୍ୟତମ ଜାହାଜ ‘ଜଳଜବାହର’ ଭାରତମୁହାଁ ହୋଇ ଫେରୁଥିଲା ।

 

କ୍ରମେ ଜହ୍ନ ଫିକା ପଡ଼ି ଆସିଲା । ନିଦ ଭାଙ୍ଗିଲା ପରି ମେଘସବୁ ରକ୍ତିମ ଛଟାରେ ପ୍ରାଣ ପାଇ ଉଠିଲେ । ନିଃସୀମ ସିନ୍ଧୁ ଉପରେ ହଠାତ୍ ପ୍ରତ୍ୟୁଷର ସ୍ପନ୍ଦନ ଖେଳିଗଲା । ଧରଣୀର ନବଜନ୍ମକୁ ନମସ୍କାର କରି ମୁଁ ପୁଣି ଉତ୍ତର ଦିଗକୁ ଅନାଇଲି । ବେଶ୍‍ ସ୍ପଷ୍ଟକରି ଦୁଇଟି ପର୍ବତ ଦେଖିପାରିଲି । କିନ୍ତୁ ସେ ତଥାପି ଅନେକ ଦୂରରେ, ଠିକ୍ ଅଙ୍କା ହୋଇଥିବା ଛବିର ପର୍ବତ ପରି ମନେ ହେଉଥିଲା । ସମୁଦ୍ର ଓ ଆକାଶର ନୀଳିମାକୁ ସ୍ୱତନ୍ତ୍ର କରି ଚିହ୍ନାଇ ଦେଉଥିବା ଏହି ଶୈଳୀଶୃଙ୍ଗର ଧୂସର ଶିରୀ ଭାରି ବିଚିତ୍ର ଲାଗିଲା । ଗଛପତ୍ର ପ୍ରଭୃତି ଅନ୍ୟ କିଛି ଠାଣ କରି ଦେଖିବା ଏତେ ଦୂରରୁ କିପରି ସମ୍ଭବ ହୁଅନ୍ତା । ଅନୁମାନରୁ ଜଣା ପଡ଼ିଲା ଯେ ଆମ ଆଡ଼ର ପର୍ବତଠାରୁ ଏହାର ଗଠନ ସୌନ୍ଦର୍ଯ୍ୟ ଟିକିଏ ସ୍ୱତନ୍ତ୍ର ଧରଣର । ପାଣି ଉପରୁ ତୀଖ ହୋଇ ଶୃଙ୍ଗଗୁଡ଼ିକ ଉପରକୁ ଉଠି ଯାଇଚି । ପର୍ବତର ଉପରିଭାଗ ଅପେକ୍ଷାକୃତ ଅଧିକ ଦନ୍ତୁରିତ । ହିମାଳୟ-ପରିବାର ତୁଳନାରେ ବୋଧହୁଏ ଏଗୁଡ଼ିକର ବୟସ ଟିକିଏ ବେଶୀ ।

 

କାଲି ଉପରଓଳି ଠାରୁ ଆମେ ଏଡ଼େନ୍‌ ଉପସାଗରରେ ପ୍ରବେଶ କରିଚୁ । ଏଡ଼େନ୍‌ ବମ୍ବେ ସହର ଠାରୁ ୧୬୬୦ ମାଇଲ ।

 

ଏଡ଼େନ୍‌ ଦେଖିବାର ଭାରି ଶରଧା ଥିଲା । ଆମ ଜାହାଜ ସେଠି ବିଶେଷ କରି ରହିବ ନାହିଁ ବୋଲି ଜାଣିଥିଲେ ମଧ୍ୟ ଭାବିଥିଲି ଯେ ଆମେ ସମୁଦ୍ର ଭିତରୁ ସହର ଓ ପୋତାଶ୍ରୟର ଏକ ମୋଟାମୋଟି ଦୃଶ୍ୟ ଦେଖି ପାରିବା । କିନ୍ତୁ କାହିଁ ? ସ୍ୱର୍ଗରୁ ଖସି ପଡ଼ିଥିଲା ପରି ଛଡ଼ା ଛଡ଼ା ହୋଇ ଦୁଇଟି ପର୍ବତ, ଚାରି ପାଖରେ ସେଇ ଜଳରାଶି, କୌଣସି ଆଡ଼ୁ କୌଣସି ପ୍ରକାଶ ବିଶେଷ ନଜରରେ ଆସୁନାହିଁ । ଆଗରୁ ଏଡ଼େନ୍‌ ଦେଖିଥିବା ଜଣେ ବୟସ୍କ ବନ୍ଧୁ କହିଲେ ଯେ ସେଇ ଦୁଇଟି ପର୍ବତ ମଝିରେ ହିଁ ଏଡ଼େନ୍‌ ପୋତାଶ୍ରୟକୁ ଯିବାର ପଥ ପଡ଼ିଚି । ଆମେ ପୋତାଶ୍ରୟର ଅନେକ ଦୂରରେ ଚାଲି ଯାଉଚୁ । ଦେଖି ପାରିଲି, ଆଉ ଗୋଟିଏ ବଡ଼ ଜାହାଜ ଦୁଇ ପର୍ବତର ମଝିରେ ବାଟ କାଟି ସେଇଆଡକୁ ଯାଉଥିଲା । ତାହାହେଲେ ଏଡ଼େନ୍‌ ବନ୍ଦରକୁ ଦୂରରୁ ମଧ୍ୟ ଦେଖି ହେଲା ନାହିଁ । ମନକୁ ବୁଝାଇ ପୁଣି ଦୂର ଦୂରକୁ ଅନାଇଲି ।

 

ସକାଳୁ ସାଗରର ନିଦ ଭାଙ୍ଗିଚି । ଏଇ ଅଳ୍ପ କେତେ ଘଣ୍ଟା ଭିତରେ ଆମେ ଅନେକ ଜହାଜ ଦେଖିଲୁଣି । ଛୋଟ ବଡ଼ ନାନା ଆକାରର ବାଷ୍ପୀୟ ତରଣୀର ଯାତାୟତ ଯେପରି ଏଡ଼େନ୍‌ ଉପସାଗରକୁ ବେଶ ସବେଗ କରି ରଖିଚି । ପାଞ୍ଚଦିନ କାଳ କେବଳ ଜଳରାଶି ଉପରେ ବିରକ୍ତିକର-ବିହାର କଲାପରେ ଆଜି ଭାରି ଭଲ ଲାଗୁଚି । ଅବାରିତ ଜଳଯାତ୍ରା କେବଳ ଏକରସର ଚିତ୍ରଣ କରିଥିବା ଅପରିପୂର୍ଣ୍ଣ ନାଟକ ପରି । ପ୍ରତ୍ୟେକ ଦୃଶ୍ୟରେ କେବଳ ହସାଇ ବା କନ୍ଦାଇ ନାଟ୍ୟକାରମାନେ ଯେ ଦର୍ଶକ ଆଗରେ କେତେଦୂର ହସ୍ୟାସ୍ପଦ ହୁଅନ୍ତି, ସେକଥା ସମସ୍ତେ ଜାଣିଥିବେ । ରାମାୟଣର କବି ଏହି ମନୋବୈଜ୍ଞାନିକ ସତ୍ୟଟି ଭଲକରି ଜାଣିଥିଲେ । ତେଣୁ କେବଳ ସୀତାବିଳାପ ବ କେବଳ ରାକ୍ଷସ ସଂହାରଣରେ ଆପଣାର ମହା-କାବ୍ୟକୁ ମାରିଦେବାର ପଣ୍ଡଶ୍ରମ କରି ନ ଥିଲେ ।

 

ଆରବସାଗରର ମାନଚିତ୍ର ବଦଳରେ ଜହାଜର ବିଜ୍ଞାପନବୋର୍ଡ଼ରେ ଏଡ଼େନ୍‌ ଉପସାଗର ଓ ଲୋହିସାଗର ମାନଚିତ୍ର ଟଙ୍ଗା ହୋଇ ସାରିଲାଣି । ସେଇଥିରୁ ମିଳୁଥିବା ସୂଚନାରୁ ଜାଣୁଚି ଆମେ ବର୍ତ୍ତମାନ ବାବ୍-ଏଲ୍-ମଣ୍ଡବ ପ୍ରଣାଳୀ ଅତିକ୍ରମ କରୁଚୁ । ଆଉ ଅଳ୍ପ କେତେ ଘଣ୍ଟା ଗଲେ ପେରିମ୍ ବୋଲି ଗୋଟିଏ ଛୋଟିଆ ଦ୍ୱୀପ ପଡ଼ିବ । ସେଇଠୁ ସୁଏଜ କେନାଲ ପର୍ଯ୍ୟନ୍ତ ପୁଣି ୧୨୧୦ ମାଇଲ ଯିବାକୁ ହେବ । ଏହାକୁ ଆମ ଜଳଯାତ୍ରାର ଦ୍ୱିତୀୟ ପର୍ବ କୁହାଯାଇପାରେ । ଅନୁମାନ କରୁଚି ସମସ୍ତ ଲୋହିତ ସାଗରର ଦୈର୍ଘ୍ୟ ପାରିହୋଇ ଯିବାକୁ ପ୍ରାୟ ତିନିଦିନରୁ ଅଧିକ ସମୟ ଲାଗିବ ।

 

ଲେଖୁ ଲେଖୁ ସମୟ ସାଢ଼େ ଦଶଟା ହୋଇଗଲାଣି । ନିର୍ମଳ ଆକାଶରୁ ନୀଳ-ଜଳବିସ୍ତାର ଉପରେ ସୂର୍ଯ୍ୟାଲୋକ ଅଜାଡ଼ି ହୋଇ ପଡ଼ୁଚି । କିରଣରଙ୍ଗର ପ୍ରତିଫଳନ ବହନ କରି ବିଛୁରିତ ତରଙ୍ଗମାନ ଜାହାଜର ଚତୁର୍ଦ୍ଦିଗକୁ ବ୍ୟାପି ଯାଇଚି । ଆମେ ଉତ୍ତର ଉପକୂଳର ଅତି ସମୀପବର୍ତ୍ତୀ ହୋଇ ଗତି କରୁଚୁ । ଏଡ଼େନ୍‌ର ଦ୍ୱାରପାଳ ହୋଇ ଛିଡ଼ା ହୋଇଥିବା ସେଇ ଦୁଇଟା ପାହାଡ଼ କୁଆଡ଼େ ଅଦୃଶ୍ୟ ହୋଇ ରହିଲେଣି । କିନ୍ତୁ ପର୍ବତ ଦେଖା ଏ ପର୍ଯ୍ୟନ୍ତ ସରିନାହିଁ । ଭଲ କରି ଅନାଇଁଲେ ଦକ୍ଷିଣ ଆରବର ସ୍ଥଳଭାଗ ବେଶ୍ ଦୃଷ୍ଟି ଗୋଚର ହେଉଚି । ଦିଗ୍‌ବିସ୍ତାରର ମଧ୍ୟଭାଗରେ ଆଉ ଏକ ବିରାଟ ପର୍ବତ ମୁକୁଟ ପରି ମୁଣ୍ଡ ଟେକି ରହିଚି । ଖୁବ୍ ସମ୍ଭବ ଲଙ୍ଗଳା ପାହାଡ଼ଟାଏ, ମଧ୍ୟଦିନର ସ୍ପଷ୍ଟ କିରଣ ପଡ଼ି ତାର ବିସ୍ତାରିତ ଦେହର ଢାଲୁ-ଢିପଗୁଡ଼ାକ ବେଶ୍ ବାରି ହୋଇ ପଡ଼ୁଚି । ସେଇଠୁ ବୋଧହୁଏ ୟେମେନ୍‌ର ମରୁ ପ୍ରଦେଶ ଆରମ୍ଭ ହୋଇଚି । ଜଳରାଶି ସହିତ ସମାନ ସମତଳରେ ସମୁଦ୍ର କୂଳରୁ ବାଲିଶଯ୍ୟା ବିସ୍ତାରିତ ହୋଇଯାଇଚି । ନୀଳ ଜଳ ଓ ସ୍ୱଚ୍ଛ କିରଣର ମିଳିତ ପ୍ରତିଫଳନରେ ମରୁପ୍ରାନ୍ତରଟି ବେଳେ ବେଳେ ମର୍ମର ଶଯ୍ୟାର ଭ୍ରନ୍ତି ଦେଇ ଯାଉଚି ।

 

ଲେଖିବା ସଙ୍ଗେ ସଙ୍ଗେ ରାସ୍ତା ସରି ସରି ଯାଉଚି । ଦେଖୁଥିବା ଦୃଶ୍ୟପଟ ପଛକୁ ପଡ଼ି ଯାଉଚି, ଅଦେଖାର ଆଭାସ କ୍ରମେ ସ୍ପଷ୍ଟତର ହୋଇ ଆସୁଚି । ମରୁଭୂମି ଆଉ ସଠିକ୍ ଭାବରେ ବାରି ହେଉନାହିଁ । ଅଥଚ ଉତ୍ତର ଉପକୂଳର ଅଧିକ ଭୂମି କ୍ରମେ ଦୃଷ୍ଟିଗୋଚର ହେଲାଣି । ଏକାଧିକ ଶୈଳଶ୍ରେଣୀ ସମାନ୍ତର ଭାବରେ ଦଣ୍ଡାୟମାନ ରହି ବେଶ୍ ଏକ ପ୍ରକାର ସ୍ପଷ୍ଟ-ଅସ୍ପଷ୍ଟ ଗୋଚରଭୂମି ବିସ୍ତାରକରି ରଖିଚି । ସେଇଆଡ଼ୁ ଉଡ଼ି ଆସୁଥିବା କଳା କଳା ଚଢ଼େଇ ମାନେ ମଧ୍ୟ ବେଳେ ବେଳେ ଆମ ଦୃଷ୍ଟିପଥରେ ବୈଚିତ୍ର ସୃଷ୍ଟି କରୁଛନ୍ତି । ଜାହାଜ ଦେଖିବା କ୍ରମେ ବଢ଼ିଚାଲିଚି । ଅଳ୍ପ ସମୟ ଆଗରୁ ଗୋଟାଏ ଗୋଟାଏ ଜାହାଜ ପଶ୍ଚିମ ଦିଗରେ ହଠାତ୍ ଦେଖା ଦେଇ ପୁଣି ଯେ କୁଆଡ଼େ ଉଭେଇଗଲା କିଛି ଜାଣି ପାରିଲି ନାହିଁ ।

 

ଦକ୍ଷିଣ ଦିଗରେ ଆଫ୍ରିକା,–କିନ୍ତୁ ଏପର୍ଯ୍ୟନ୍ତ ଉପକୂଳ ଆମର ଦୃଷ୍ଟିସୀମା ଭିତରକୁ ଆସିନାହିଁ । ଆମେ ସେହି ତାମସୀ ଭୂମିର ଅନେକ ଦୂରରେ ଚାଲି ଯାଉଚୁ । ସିଆଡ଼କୁ ନିରୀଖି ଦେଖିବାର ଅନେକ ଅଧ୍ୟବସାୟ କଲିଣି କୋଉଠି ଗୋଟାଏ ପାହାଡ଼ର ଇଷତ୍ ସଙ୍କେତ ପାଇବି ବୋଲି, କିନ୍ତୁ ଏପର୍ଯ୍ୟନ୍ତ ହାବୁଡ଼େ ପଡ଼ିନାହିଁ । କେବଳ ମଝିରେ ମଝିରେ ପାଳଟଣା ବଡ଼ ବଡ଼ ଡଙ୍ଗା ସେଇଆଡ଼ୁ ଭାଷିଆସି ବିପରୀତ ଦିଗରେ ଅଦୃଶ୍ୟ ହୋଇ ଯାଉଚି । ଉଦ୍‍ବେଳିତ ତରଙ୍ଗ ଉପରେ ସେଇ ଛୋଟିଆ ସଂସାରର ଉବୁଡ଼ୁବୁ ହଠାତ୍ ମନ ଭିତରେ କେତେ କଣ ମାୟାବାଦୀ ଦର୍ଶନର ଅବତାରଣା କରିଦେଇ ଯାଉଚି । କିନ୍ତୁ ମନ ସକାଳଠାରୁ ନିରାଟ ଦର୍ଶନର କୁହୁଡ଼ି-କୁତୁହଳ ଛାଡ଼ି କବି ଚିତ୍ତର ତୁଙ୍ଗ କ୍ଷେତ୍ରରେ ବିଚରଣ କରୁଚି । ବର୍ତ୍ତମାନ ସବୁ ସୁନ୍ଦର ଦେଖାଯାଉଚି, ସବୁ ଭଲ ଲାଗୁଚି । ସମସ୍ତ ଅନ୍ତର ବିବର୍ତ୍ତ-ବଳୟର ଅତୀତ ଏକ ଅପୂର୍ବ ଲୀଳାଙ୍ଗନରେ ଲୀଳାୟିତ ହୋଇ ବୁଲୁଚି । ତେଣେ କୋରିଆରେ ପରମାଣୁ-ଦୁନ୍ଦୁଭି ବାଜିବ ବୋଲି ଗଣତନ୍ତ୍ରର ଭେକଧାରୀମାନେ ଢୋଲ ଭିଡ଼ି ବସିଲେଣି, ଅଥଚ ରେଡ଼ିଓର ସଂକ୍ଷେପସୂତ୍ର ସତ୍ତ୍ୱେ ସେପାରି କଳାପୃଥିବୀର ସ୍ମରଣ ଆଜିର ଶୁଭ ସକାଳରେ ମନକୁ ବ୍ୟାକୁଳ କରି ପାରୁନାହିଁ ।

 

ଜୀବନରେ କେତେ ପର୍ବତ ଦେଖିଚି, ପର୍ବତ ପଥରେ ଚାଲି ଚାଲି ବେଳେ ବେଳେ ଅତି ବିରକ୍ତ ହୋଇ ପଡ଼ିଚି । ଅଥଚ ଆଜି ଯୋଜନେ ଦୂରର କୋତୋଟି ଅନତିଉଚ୍ଚ ପର୍ବତକୁ ଟିକିନିଖି କରି ଉଖାଡ଼ି ଚାହିଁବାରେ ଭାରି ଭଲ ଲାଗୁଚି । ଯୋଉଠି ଯାହାର ଅଭାବ ଯେତେ ବେଶୀ ସେଇଠି ସେ ମନ ଭିତରେ ଆପଣାର ଭାବକୁ ସେତିକି ଘନିଷ୍ଠ ଭାବରେ ପ୍ରତିଷ୍ଠିତ କରିପାରେ । ପାଞ୍ଚଦିନ ପାଞ୍ଚରାତି ଆଖି କିଛି ଦେଖି ନ ଥିଲା, କୌଣସି ପ୍ରକାରର ବସ୍ତୁ ଉପରେ ଅଟକି ଯିବାର ଆନନ୍ଦ ଥରେ ସୁଦ୍ଧା ଯୁଟି ନ ଥିଲା । ସେଥିଲାଗି ଦୂରରେ ବାଷ୍ପ ଉଦ୍‌ଗାରି ଚାଲିଯାଉଥିବା କୌଣସି ଜାହାଜ ବା ଢେଉ ଉପରେ ଢେଉ ଭାଙ୍ଗି ମାଛ ଶିକାର କରୁଥିବା ପକ୍ଷୀଟିଏ ଦେଖିଲେ ଯେପରି କେତେକଣ ଦେଖିବାର ଆଶ୍ୱସ୍ତି ମିଳୁଥିଲା । ଆଜି ସକାଳଠାରୁ ଆମର ଯାତ୍ରାପଥର ପ୍ରକୃତି ବଦଳିଚି । ଅବାରିତ ଜଳରାଶିର ମାପ କରିବାକୁ ଆଜି ଅନ୍ତତଃ ଗୋଟାଏ ପାଖରେ କିଞ୍ଚିତ ସ୍ଥଳ ପ୍ରଦେଶର ଦାର୍ଶନ ମିଳିଚି, ତେଣୁ ସେତିକି ପାଉ ପାଉ ତାହାରି ପାଇଁ ଉପାସୀ ହୋଇ ଅପେକ୍ଷା କରିଥିବା ମନର ଆଗ୍ରହ ଆଜି ସହସ୍ର ରଜ୍ଜୁ ପଥରେ ଆପଣାକୁ ହୁଗୁଳା କରି ଛାଡ଼ି ଦେଇଚି ।

 

ୟୁରୋପରେ କଷ୍ଟ ପାଇବି ନାହିଁ ବୋଲି ଦେଶରୁ ଆସିଲା ବେଳେ ଯଥାଶକ୍ତି ଶୀତ ବସନରେ ସଜ ହୋଇ ଆସିଥିଲି । ଅବଶ୍ୟ ଏପର୍ଯ୍ୟନ୍ତ ଆମେ ୟୁରୋପରେ ଭୁଇଁ ଛୁଇଁନାହୁଁ । ତଥାପି ଓଡ଼ିଶାର ପ୍ରାୟ ସମାନ ଅକ୍ଷାଂଶରେ ଗତି କରୁଥିଲେ ମଧ୍ୟ ଶୀତ ଯେପରି କ୍ରମେ କମି କମି ଯାଉଚି ଅନୁକୂଳ କଲାଦିନ ଶୀତର ପ୍ରକୋପରେ ଦେହ କମ୍ପି ଯାଉଥିଲା, କିନ୍ତୁ ଏବେ ରାତିରେ ଖୋଲା ଦେହରେ ନ ଶୋଇଲେ ନିଦ ମାଡ଼ୁନାହିଁ । ଜାହାଜର ଯାତ୍ରୀମାନେ ଭଳି ଭଳି ଓ ପରସ୍ତ ପରସ୍ତ ପୋଷାକ ଲଗାଇବାରେ କୌଣସି ତ୍ରୁଟି କରୁନାହାନ୍ତି; ପ୍ରତିଦିନ ଖାଇବାଘର ଓ ବୈଠକଖାନାରେ ଆଖି ଦେଖିବା ଭଳି ପୋଷାକମାନ ଦେଖିବାକୁ ମିଳୁଚି । ଆଜି ରବିବାର ଖ୍ରୀଷ୍ଟୀୟ ପ୍ରାର୍ଥନା ଦିନ ଏଗାରଟାବେଳେ ହୋଇଥିଲେ ମଧ୍ୟ ଯଥୋଚିତ ପରିଚ୍ଛଦରେ ଆପଣାର ମେଦମୟ ପିଣ୍ଡକୁ (Flesh) ଘୋଡ଼ାଇବାର ପ୍ରଯତ୍ନ ସମସ୍ତେ କରିଥିଲେ । ଆବଶ୍ୟକତା ଅନୁଭବ ନ କଲାଯାଏ ମୁଁ କୌଣସି ଅଧିକା ପୋଷାକ ବାହାର କରିବି ନାହିଁ ବୋଲି ଜିଦ୍ ଧରି ବସିଚି । ସନ୍ଧ୍ୟାବେଳେ ଗରମ ହେତୁ ଝାଳ ବୋହୁଥିବା ବେଳେ କୋଟ୍ ପ୍ୟାଣ୍ଟ ଗୁଡ଼ାଇ ହେବାରେ ଯେ ଏତେ ପୁଲକ କାହିଁକି, ମୁଁ ତାହାର ମର୍ମ ବୁଝି ପାରୁନାହିଁ । ଶୀତ ଦେଶର ପରିପାଟୀକୁ ଗରମ ଦେଶରେ ମଣାଇବାର ଅପଚେଷ୍ଟା କରିବା କେବଳ ଅନୁକରଣ କରିବାର ଏକ ଅବୁଝା ପ୍ରବୃତ୍ତି (Instinct) ଛଡ଼ା କଣ ହୋଇପାରେ ।

 

ନାନା ମନ ଓ ନାନା ଅନୁରକ୍ତିର ଏକ ଯାତ୍ରୀଦଳ ନେଇ ତଥାପି ଜଳପଥର ଯାତ୍ରା ଚାଲିଛି, ଠିକ୍ ନାନା ଆକୃତି ଓ ପ୍ରକୃତିର ସ୍ଥଳଭାଗକୁ ଏହି ଅବିଭକ୍ତ ଜଳଭଣ୍ଡାର ଏକତ୍ର କରିଦେଲାପରି ।

•••

 

ଲୋହିତ ସାଗର

୪-୧୨-୫୦

 

କାଲି ଦିନବେଳଟା ଖାଲି ସ୍ଥଳଭାଗ ଦେଖି ଦେଖି ଗଲା । ଅନେକ ଦିନ ପରେ କାହାକୁ ପାଇଥିଲା ପରି ଜାହାଜର ଏପାଖ ସେପାଖ ଦଉଡ଼ି ବୁଲିବାରେ କାଲି ମୋଟେ କ୍ଳାନ୍ତି ଅନୁଭବ କରି ନଥିଲି । ଲଙ୍ଗଳା ପର୍ବତ-ଧାଡ଼ି ଛଡ଼ା ଅବଶ୍ୟ ବିଶେଷ କିଛି ଦେଖିବାର ବସ୍ତୁ ନ ଥିଲା । ତଥାପି ପଛକୁ ପଛ ଲାଗି ରହିଥିବା ସେହି ଅସ୍ପଷ୍ଟ ନୀଳ ଦୁର୍ଗ-ପ୍ରାଚୀରର ପ୍ରତ୍ୟେକ ଭାଙ୍ଗ ପ୍ରତ୍ୟେକ ବାଙ୍କକୁ ନିରୀଖି ଦେଖିବା ଲାଗି ଏତେ ଧୈର୍ଯ୍ୟ କିପରି ଆସିଲା କେଜାଣି ?

 

ହୁଏତ ମୋର ମନ ଆଉ ପ୍ରାକୃତିକ ପରିପାର୍ଶ୍ୱ ସବୁ ପାହାଡ଼ଦେଖାକୁ ଏତେ ସୁନ୍ଦର ଓ ଏତେ ରସାଳ କରି ଦେଇଥିଲା । ଏ ପାଖରେ ଆଫ୍ରିକା, ସେ ପାଖରେ ଏସିଆ, ମଝିରେ ମହାସମୁଦ୍ର । ସଭ୍ୟ ମଣିଷର ମାନଚିତ୍ର ବାହାରିବା ପୂର୍ବରୁ ହୁଏତ ଏ ପାଖର ମଣିଷ ସେ ପାଖର ମହାଦେଶ ସମ୍ବନ୍ଧରେ ଆଦୌ ଉତ୍ସାହିତ ବା ଆଗ୍ରହାନ୍ୱିତ ହୋଇ ନ ଥିଲା । ଦୁଇ ପାଖର ମରୁଭୂମି ପରସ୍ପରର ଖୁବ୍ କମ୍ ଖବର ରଖିଥିଲେ । ପ୍ରତିକୂଳ ପବନରେ ଅତି ଆକସ୍ମିକ ଦୁର୍ଘଟିତ ଭାବରେ ନିଜର ପାଲ ଡଙ୍ଗା ଏ ପାଖକୁ ଭାସି ନ ଆସିଲେ ହୁଏତ ସେପାଖର କୌଣସି ଅଧିବାସୀ ଏପାଖର ସ୍ଥଳଭାଗ ଛୁଇଁବାର ଅଭିଳାଷ ରଖୁ ନ ଥିଲା ।

 

ଦୁଇ ପାଖରେ ଦୁଇଟା ମହାଦେଶ–ପ୍ରତ୍ୟେକର ବିଚିତ୍ର ଇତିହାସ ଓ ଐତିହ୍ୟ ରହିଚି । ବାଟଲୋଭୀ ବାଟୋଇ ମୁଁ ଆଜି ଦୁହିଙ୍କ ମଝିରେ ଥିବା ଜଳ ସମୁଦ୍ରରେ ଭାସି ଭାସି ଯାଉଚି । ମୋର ଦୃଷ୍ଟି ଓ ଜିଜ୍ଞାସା ଯେପରି ଦୁଇ ମହାଦେଶକୁ ଏକ ଅଦୃଶ୍ୟ ଯୋଜକ ଦ୍ୱାରା ସଂଯୁକ୍ତ କରି ଦେଉଚି । ଭୂପୃଷ୍ଠକୁ ନାନା ଭାଗରେ ବିଭକ୍ତ କରି ରାଜ୍ୟ ଶାସନ କରୁଥିବା ଏ ଯୁଗର ମାଳିକମାନଙ୍କର ସବୁ ମସୁଧାକୁ ଅସ୍ୱୀକାର କରି ଯେପରି ମୋର ଆପଣା ମନର ଚଢ଼େଇ ଏପାଖ ସେପାଖକୁ ଗୋଟିଏ ନୀଡ଼ର ମମତାରେ ବାନ୍ଧି ଦଉଚି । ସେଥିଲାଗି ଦୁଇ ପାଖର ପ୍ରତ୍ୟେକ ସ୍ଥଳ ସଂଙ୍କେତ ପ୍ରତ୍ୟେକ ଶୈଳଶିଖର ମତେ ଆଜି ଏତେ ସୁନ୍ଦର ଦିଶୁଚି । ବାର ବାର ତାକୁଇ ଖୋଜି ଦେଖିବାକୁ ଆଜି ମତେ ଏତେ ଭଲ ଲାଗୁଚି । ଜାହାଜର ଗତି ସଙ୍ଗେ ସଙ୍ଗେ ପଛରେ ପଡ଼ି ରହିଥିବା କେତେ କେତେ ପାହାଡ଼ ଖୋଲରେ ଯେପରି ମୁଁ କେତେ ଶ୍ରଦ୍ଧାର ସଞ୍ଚୟ ରଖି ଦେଇ ପାରୁଚି ।

 

କାଲି ଠିକ୍ ମଧ୍ୟାହ୍ନ ଆହାର ପରେ ପରେ ଆମେ ପେରିମ୍ ଦ୍ୱୀପ ପାଖରେ ପହଞ୍ଚିଲୁ । ଦ୍ୱୀପ ପ୍ରାୟ ୨-୩ ମାଇଲ ଲମ୍ବ ଅରଓସାରିଆ ପଥର ଟାପୁ ଖଣ୍ଡେ-ଗଛପତ୍ର ବା ଖେତବାଡ଼ିର ଚିହ୍ନବର୍ଣ୍ଣ ନାହିଁ । ଦ୍ୱୀପର ଗୋଟାଏ ପାଖରେ ବତୀଘର (light House), ରାତିରେ ଆସୁଥିବା ପଥିକ ତରଣୀକୁ ମାର୍ଗର ନିର୍ଦ୍ଦେଶ ଦେବା ଲାଗି । ପାଣି କୂଳକୁ ଲାଗି ଅଳ୍ପ କୋତୋଟି ଜନ-ବସତି ଅତି ଦୂରରେ ଥିବାରୁ ସ୍ପଷ୍ଟ ରୂପରେଖ କିଛି ବାରି ହେଲା ନାହିଁ । ଅନ୍ତତଃ ଏଠିକା ଲୋକଙ୍କର ବାସ ନିର୍ମାଣ ପ୍ରଣାଳୀ ଭଲ କରି ଜାଣିବି ବୋଲି ଯେତେ ନିରୀଖି ଅନାଇଲେ ମଧ୍ୟ ଭଲକରି କିଛି ଦେଖିପାରିଲି ନାହିଁ । କ୍ରମେ ଆମର ଜହାଜ ଦ୍ୱୀପଟିକୁ ଅତିକ୍ରମ କରି ଚାଲି ଆସିଲା । କିଛି ସମୟ ପରେ ସମସ୍ତ ଦ୍ୱୀପଟି ପ୍ରଧାନ ସ୍ଥଳଭାଗର ଶୈଳ-ପଟ ସହିତ ମିଶିଗଲା । ଅଗତ୍ୟା ସେଇଆଡ଼ୁ ଆଖି ଫେରାଇ ଆଣିଲି ।

 

ଏଣେ ଦକ୍ଷିଣ ଉପକୂଳ ବେଶ୍ ପାଖକୁ ଆସିଲାଣି । ଆଫ୍ରିକା ମହାଦେଶର ଅଧିକରୁ ଅଧିକ ପର୍ବତ କ୍ରମେ ଦୃଷ୍ଟିପଥକୁ ଆସୁଚି । ଏ ପାଖରେ ୟେମେନ୍ ଶୁଷ୍କ ଭୂମିର ନଗ୍ନ ଶୈଳଶ୍ରେଣୀ ମଧ୍ୟ ସେହିପରି ଲାଗି ରହିଚି । ଏମିତି କାଲି ସାରା ଦିନ କଟିଲା । ଦୁଇପାଖର ବେଢ଼ା ମଧ୍ୟରେ ଆପଣାର ତରଣୀ ଅତି ସଂବୃତ ଭାବରେ ଚାଲିବାକୁ ଲାଗିଲା ।

 

ସନ୍ଧ୍ୟାବେଳକୁ ଜାହାଜର ବାମ ପର୍ଶ୍ୱରେ ସୂର୍ଯ୍ୟ ବୁଡ଼ିଗଲା । ଆଜିଯାଏ ଅଳ୍ପ ବହୁତ ସମ୍ମୁଖ ଦିଗରେ ସୂର୍ଯ୍ୟାସ୍ତ ଦେଖିଥିଲି । ୟା’ ଭିତରେ ଆମର ଗତିପଥର ଦିଗ ବଦଳି ସାରିଲାଣି । ବର୍ତ୍ତମାନ ଆମର ଜହାଜ ଉତ୍ତର-ପଶ୍ଚିମ ଦିଗକୁ ଯାଉଚି, ଲୋହିତ ସାଗର ଅତିକ୍ରମ କରି ସୁଏଜ କେନାଲରେ ପହଞ୍ଚିବ ବୋଲି ।

 

କାଲି ସଞ୍ଜ ପରେ ଭାରି ଭଲ ଲାଗିଲା । ହଠାତ୍ ଶୀତଳ ପବନର ଆଘାତରେ ଆମର ଜାହାଜ ଏପାଖ ସେପାଖ ଦୋହଳିବାକୁ ଲାଗିଲା; ତଳେ ତରଙ୍ଗର ପ୍ରକୃତି ମଧ୍ୟ ଅଧିକ ତତ୍ପର ଓ ଚଞ୍ଚଳ ହୋଇ ଉଠିଲା । ଜାହାଜର ପ୍ରାୟ ସବୁ ଯାତ୍ରୀ ଡେକ୍ ଉପରକୁ ଆସି ସନ୍ଧ୍ୟା-ପବନର ଏହି ମଧୁର ଉଚ୍ଚାଟତା ଉପଭୋଗ କରୁଥିଲେ । ବେଳେ ବେଳେ ନାଲି ଆଉ ଧଳା ଆଲୁଅ ଜଳାଇ ଛୋଟ ଛୋଟ କେତେ ଜାହାଜ ବାଟ କଟାଇ ଚାଲି ଯାଉଥିଲେ । ରାତି ଦଶଟା ବେଳକୁ ଆଫ୍ରିକା ଉପକୂଳରେ ଥିବା ଗୋଟିଏ ବତୀଘରର ଉଜ୍ଜଳ ଆଲୋକ ଅନେକ ସମୟ ପର୍ଯ୍ୟନ୍ତ ସମସ୍ତଙ୍କର ଦୃଷ୍ଟି ଆକୃଷ୍ଟ କରି ରଖିଥିଲା ।

 

ଆଜି ସକାଳୁ ବେଶ୍ ଗରମ ଲାଗୁଚି । ସକାଳ ପରେ ପରେ ସୂର୍ଯ୍ୟତାପ ଅପେକ୍ଷାକୃତ ଅଧିକ ପ୍ରଖର ହୋଇ ପଡ଼ିଚି । ଦୁଇ ପାଖରେ ସ୍ଥଳଭାଗର କୌଣସି ଚିହ୍ନ ବର୍ଣ୍ଣ ଦେଖାଯାଉ ନାହିଁ । ଲୋହିତ ସାଗରର ମଝିନାଳୀରେ ଆମର ଜାହାଜ ଯାତ୍ରାପଥରେ ଭାସି ଚାଲିଚି ।

 

ପୁଣି ଜଳରାଶିର କ୍ରମାଗତ ବୈଚିତ୍ରହୀନତା ମତେ ମଣିଷ ଆଡ଼କୁ ଦଉଡ଼ାଇ ଆଣୁଚି । ତପ୍ତ ପୂର୍ବାହ୍ନର ସୂର୍ଯ୍ୟ କିରଣରେ ଜଳୁଥିବା ଏହି ଜଳ ସମତଳ ମଣିଷ ସମାଜର ତାପ ଓ ଦହନ ବିଷୟରେ ଏକ ଯନ୍ତ୍ରଣାଦାୟକ ସ୍ମୃତି ଦେଇ ଯାଉଚି ।

 

ଏଠି ଆମେ ଏତେଗୁଡ଼ିଏ ମଣିଷ ଅତି ପାଖ ପାଖ ହୋଇ ଅଛୁ । ଦିନମାନର ଏକାଧିକ ଉପଲକ୍ଷରେ ଆମେ ପରସ୍ପର ଏକତ୍ର ହେଉଚୁ; ଆମେ ସମସ୍ତେ ଗୋଟିଏ ଦେଶରୁ ଆସୁଚୁ, ହୁଏତ ଅଳ୍ପ କେତେ ବରଷର ବିଦେଶବସତି ପରେ ଆମ ଭିତରୁ ଅଧିକାଂଶ ସେଇ ଗୋଟାଏ ଦେଶକୁ ଫେରିଯିବେ । ତାକୁଇ ଆପଣାର ଦେଶ ବୋଲି ଗର୍ବ ଅନୁଭବ କରିବେ । ତଥାପି ଆମେ ଏକ ଅପର ଠାରୁ କେତେ ଦୂରରେ ରହିଚୁ ! କେବଳ ନାନାପ୍ରକାର ବେଶଭୂଷା ଓ କୃତିମ କଥା ଦ୍ୱାରା ଓ ଆପଣାର ଅସ୍ତିତ୍ୱ ଦ୍ୱାରା ପରସ୍ପରକୁ ସନ୍ତାପିତ କରିବା ଯେପରି ଏଠାକାର ସବୁଠାରୁ ବଡ଼ କାଇଦା ହୋଇଯାଇଚି । କଥାରେ ବାଟୁଳି ବାଜୁ ନାହିଁ, ଶରୀର ମଣ୍ଡନରେ ଦାଗ ଲାଗୁ ନାହିଁ । ପଇସା ଖରଚ କରିବାରେ ଓ ପ୍ରତ୍ୟେକ ଗ୍ଳାସ ମଦ ପିଇବା ସଙ୍ଗେ ସଙ୍ଗେ ସେବକକୁ ଅଧିକରୁ ଅଧିକ ବକ୍‍ସିସ୍‍ ଦେବାର ଉଦାରତାରେ କାହାରି ଊଣା ହେଉନାହିଁ । ଅଥଚ ତଥାପି କେତେ ବ୍ୟବଧାନ ରହୁଚି । ସମସ୍ତେ ଆପଣା ମନରେ ଗହନ ଗଭୀରରେ କେତେ ସରିତଧାରରେ ବହୁଥିବେ । ଆପଣାର ବ୍ୟକ୍ତିଗତ ଜୀବନରେ ସମସ୍ତେ କେତେ କେତେ ସ୍ନେହ ଓ ଶ୍ରଦ୍ଧାର ଗ୍ରହଣ ଓ ନିବେଦନ-ସ୍ୱପ୍ନରେ ସରସ ହୋଇ ରହୁଥିବେ । ଅଥଚ ପରସ୍ପର ସହିତ ଏକତ୍ର ହୋଇ ରହିଲାବେଳେ ଏମାନେ ଯେପରି ଆପଣା ଜୀବନର ଲୋମ-ମୂଳ ଚମଠାରୁ ଅଧିକ ଗଭୀରକୁ ପାଇ ପାରୁ ନାହନ୍ତି ।

 

ଏଠିକାର କାରବାର ଭିତରେ ବୁଡ଼ି ରହିଥିବା ପର୍ଯ୍ୟନ୍ତ, ଏଠାକାର ଟେବୁଲରେ କଣ୍ଟାଚାମଚ ଧରି ଅନ୍ନମୟ କୋଷର ଆପ୍ୟାୟନ କରୁଥିଲା ପର୍ଯ୍ୟନ୍ତ ଭାରତରେ ତେଣେ କେଉଁଠି ଦୁର୍ଭିକ୍ଷ ଲାଗିଚି ବୋଲି ଆଦୌ ମନେ ହେଉ ନାହିଁ । ଅବଶ୍ୟ ଭାରତରେ ଦୁର୍ଭିକ୍ଷ ଲାଗିବାଟା କିଛି ନୂଆ କଥା ନୁହେଁ । ପ୍ରତ୍ୟେକ ବର୍ଷ, ପ୍ରତ୍ୟେକ ପ୍ରଦେଶରେ ସେଠି ଦୁର୍ଭିକ୍ଷ ଲାଗି ରହିଛି । ଆମେ ସମସ୍ତେ ଲକ୍ଷ୍ମୀଙ୍କର ଅନୁଗ୍ରହରୁ ଅଧଉପାସରେ କିଛି କିଛି ବରଷ ମରିବାକୁ ବାଧ୍ୟ ହେଉଛୁ । ଏପରି ଦୃଷ୍ଟିରୁ ଦେଖିଲେ ଭାରତରେ ଦୁର୍ଭିକ୍ଷ ଥିଲା, ଚିରଦିନ ରହିବ ।

 

କିନ୍ତୁ ମୁଁ ଚିରନ୍ତନ ଦୁର୍ଭିକ୍ଷ କଥା କହୁନାହିଁ । ସେହିପରି ଅବସ୍ଥା ତ ଆମର ଦେହଘଷା ହୋଇଗଲାଣି ଓ ତାକୁ ଆମେ ଏକ ଆବଶ୍ୟକ ଅମଙ୍ଗଳ (Necessary Evil) ବୋଲି କୋଉଦିନୁ ଗ୍ରହଣ କରିସାରିଚୁ । ତାହା ଛଡ଼ା ଏବେ ବିହାରରେ ଦୁର୍ଭିକ୍ଷ ଲାଗିଚି । ଅଧିକରୁ ଅଧିକ ଲୋକ ସେଠି ଉପାସରେ ମରୁଚନ୍ତି ବୋଲି ରେଡ଼ିଓରେ ଖବର ଆସୁଚି, ତୁହାକୁ ତୁହା ଖାଦ୍ୟମନ୍ତ୍ରୀ ମାନଙ୍କର ସଭା ବସୁଚି, ଅତି ଶୋଚନୀୟ ଅବସ୍ଥା ସତ୍ତ୍ୱେ ଦେଶବାସୀଙ୍କ ମନରେ ଅବସ୍ଥା ସୁଧୁରି ଯିବାର ଆଶା ଭରି ରଖିବା ଲାଗି ।

 

ବିହାରରେ ମରୁଥିବା ଲୋକମାନେ ଉପାସରେ ମରୁଚନ୍ତି କି ଅନ୍ୟାନ୍ୟ ନାନାପ୍ରକାର ରୋଗରେ ମରୁଚନ୍ତି, ସେ ବିଷୟରେ ଅନେକ ଦିନ ଧୀର ଓ ଅଧୀର ଆଲୋଚନା ସମାଲୋଚନା ପରେ ବିହାରରେ ଦୁର୍ଭିକ୍ଷ ଲାଗିଚି ବୋଲି ଏବେ ଘୋଷଣା କରାଯାଇଚି । ଅବଶ୍ୟ ତା’ ଦ୍ୱାରା କଲିକତା ବା ବମ୍ବେ ସହରର ହୋଟେଲବାଲା ମାନେ ଆଦୌ ଅସୁବିଧା ଭୋଗ କରିନାହାନ୍ତି । ଆମ ଜାହାଜରେ ମଧ୍ୟ କୌଣସି ପ୍ରକାର ଅଶୁଭ ସୂଚନାର ଆଞ୍ଚ ବାଜି ନାହିଁ । ଆମେ ସମସ୍ତେ ସେଇ ଦେଶରୁ ଆସିଚୁ, ସେଇ ଦେଶର ପଇସା ଖରଚ କରି ଶହ ଶହ ଟଙ୍କାର ଜଳଯାତ୍ରା କରୁଚୁ । ସେଇ ଦେଶର ଜାତୀୟସଙ୍ଗୀତର ବାଦ୍ୟ-ଅନୁଷ୍ଠାନରେ ଛ’ଦିନ ତଳେ ଆମର ଜାହାଜ ଅନୁକୂଳ କରି ବାହାରି ଥିଲା । କିନ୍ତୁ ୟା’ରି ଭିତରେ ସେଇ ଦେଶ ବିଷୟରେ ସକଳ ପ୍ରକାର ଭାବନା ଆମେ ଆରବ-ସାଗରରେ ଜଳାଞ୍ଜଳି ଦେଇ ଆସିଚୁ । ଯହୁଁ ଯହୁଁ ସୁଏଜ କେନାଲ ନିକଟ ହେଉଚି ତହୁଁ ତହୁଁ ଆମର ମନ-ଧ୍ୟାନ କେନାଲ-ପାରିର ଆଳସ୍ୟବିଳାସରେ ଉତ୍ତେଜିତ ହୋଇ ଉଠୁଚି, ଯେପରି କେନାଲ ଡେଇଁଲା ବେଳକୁ ଆମେ ଗୋଟା ସୁଦ୍ଧା ସେଇ ପାଖର ହୋଇ ଯାଇଥିବା ଭାରତର ଧନ ସମ୍ପଦ, ଭାରତର ମନ-ପ୍ରାଣକୁ ଅଧିକ ଶସ୍ତାରେ ଶୋଷି ନେବାକୁ ଯେଉଁ ନାଳ ଖୋଳା ଯାଇଥିଲା, ସେଇ ନାଳ ଡେଇଁ ଆପଣାର ପୈତୃକତ୍ୱ ବିକାଇ ଦେବାରେ ଆମେ ଏତେ ଉତ୍ସାହ କାହାଠାରୁ ପାଉଚୁ ।

 

ଋଷିଆ ଦେଶରେ ଦିନେ ବିପ୍ଳବ ପରେ ସ୍ୱାଧୀନତା ଆସିଥିଲା । ଅବଶ୍ୟ ଆମେ ସେ ଦେଶର ଲୋକଙ୍କ ଠାରୁ ଟିକିଏ ଶସ୍ତାରେ ସ୍ୱାଧୀନତା ପାଇଚୁ । ବିପ୍ଳବ ପରେ ପରେ ବିପ୍ଳବୀ ଦଳର ସମସ୍ତେ ଖାଲି ଗୋଡ଼ରେ ଚାଲିବେ, ଖିଅର ହେବେ ନାହିଁ ଓ ଅତି ସାଧାରଣ ରୀ ତିର ଆହାର କରିବେ, ତତ୍କାଳୀନ ଜଣେ ବିପ୍ଳବୀ ନେତା ଏହି ପ୍ରସ୍ତାବ ଆଣିଥିଲେ । ଋଷିଆର ସେତେବେଳେ ଭୟଙ୍କର ଦୁର୍ଦ୍ଦିନ, ସର୍ବସାଧାରଣଙ୍କ ଲାଗି ଆବଶ୍ୟକ-ସାମଗ୍ରୀସମ୍ପନ୍ନ ଜୀବନ ଯାତ୍ରା ସମ୍ଭବ ନ ହେଲା ପର୍ଯ୍ୟନ୍ତ ବିପ୍ଳବୀମାନେ ନିଜର ଜୀବନଭ୍ୟାସକୁ ସରଳ କରି ରଖନ୍ତୁ । ଏହାହିଁ ତାଙ୍କର ଉଦ୍ଦେଶ୍ୟ ଥିଲା ।

 

ଦରିଦ୍ର ଭାରତର ସାରଶସ୍ୟ ପରି ଆମେ ବିଦେଶକୁ ଯାଉଚୁ ଦକ୍ଷତର ହୋଇ ଦେଶକୁ ଫେରି ଆସବୁ । ଆମେ କୁଆଡ଼େ ନୂଆ ଭାରତର ନିର୍ମାଣ କରିବୁ । ବିନା ରକ୍ତପାତରେ କୁଆଡ଼େ ଭାରତରେ ଆମରି ଦ୍ୱାରା ସବୁଠାରୁ ବଡ଼ ବିପ୍ଳବ ସଂଘଟିତ ହେବ । ମଝି ପଥର ନୌକାରେ ବସି ହଠାତ୍ ଗୋଟାଏ ଅଶୁଭ ସଂଶୟରେ ଯେପରି ମୁଁ ଭରସା ହରାଇ ପକାଉଚି ।

•••

 

ଲୋହିତ-ସାଗର

୫-୧୨-୫୦

 

କାଲି ଯୋଉଠି ଶେଷ କରିଥିଲି, ଭାବନାଗୁଡ଼ାକ ସେଇଠି ଅଧା ରହିଗଲା ପରି ଲାଗୁଚି-। ବାର ବାର ସେଇ କଥା ମୋତେ ଟିକିଏ ଉଦବେଳିତ କରି ରଖିଚି ।

 

କଟକ ସହର ପିଲା ଦିନରୁ ଚିହ୍ନା ସହର । ଅତି ଅଳ୍ପ ବୟସରୁ ତା’ର ପ୍ରତି ଗଳି ସହିତ ମୋର ପରିଚୟ ହୋଇଚି । ମୁନିସିପାଲଟିର ମଇଳା ଗାଡ଼ିଠାରୁ ଆରମ୍ଭ କରି ହାଡ଼ିସାହୀର ବୁଲା କୁକୁର ସମସ୍ତଙ୍କୁ ମୁଁ ଚିହ୍ନିଚି । ରାସ୍ତା କଡ଼ର ମଇଳା ନର୍ଦ୍ଦମାର ଗନ୍ଧରେ ଅନେକବାର ନାକରେ ଲୁଗା ଦେଇଚି, ନିପଟ ଦି’ଦିପହରର ନାଲି ଧୂଳିରେ ଅନେକଥର ନିଶ୍ୱାସ ରୁଦ୍ଧ ହୋଇ ଯାଇଚି । ବାଟରେ ଚାଲିଗଲା ବେଳେ ପ୍ରତ୍ୟେକ ରିକ୍‌ସାବାଲା, ଜୋତା ପାଲିସ କରିବାକୁ ସଜ ହୋଇ ବାହାରିଥିବା ପ୍ରତ୍ୟେକ ପିଲା ଓ ବାଉଁଶପାତିଆର ତଲେଇ ବୁଣୁଥିବା ପ୍ରତ୍ୟେକ ତେଲଙ୍ଗା ପରବାର ମୋ ଆଖିରେ ପଡ଼ିଚନ୍ତି । ତାଙ୍କର କଥା ସମସ୍ତ ଦେଶ ଓ ଜାତିର ପ୍ରଧାନ କଥା ହୋଇ ମୋତେ ଭାରି ବ୍ୟସ୍ତ କରି ପକାଇଚି; ଦେଶର ଗ୍ଳାନି ଓ ଦେଶର ମଳିନତା ବାର ବାର ମୋର ଶିକ୍ଷିତ ଚିନ୍ତାକୁ ଶଙ୍କିତ କରି ରଖିଚି ।

 

କିନ୍ତୁ ସେହି କଟକର ଅଣଓସାରିଆ ରାସ୍ତାରେ ନୂଆ ମଡ଼େଲର ମଟର ଗାଡ଼ିରେ ଗଲାବେଳେ ଅଭିଜ୍ଞତା କିପରି ବଦଳି ଯାଏ ଜାଣ ? ସେତେବେଳେ ଆଖି ଥାଏ ଇଂରାଜୀ ଖବର କାଗଜରେ ଲେଖା ହୋଇଥିବା ଆମେରିକାର ଶାନ୍ତି-ଉଦ୍ୟମ ଉପରେ । ମନ ଭାସୁଥାଏ ଓଡ଼ିଶାର ଜଙ୍ଗଲ ତାଡ଼ି ଗୋଟାଏ ଲୁହା ବା ଲୁଗା କାରଖାନା ବସାଇବାର ଚିତ୍ର-ସରିତରେ । ସେତିକିବେଳେ ଓଡ଼ିଶାର ଅତୀତ ବିଗତ ମହାରଜା ରାଜାଙ୍କର ପ୍ରେତଗୁଡ଼ାକୁ ଆପଣା ଧମନୀରେ ନଚାଇବାରେ ମନ ଭାରି ଗୌରବ ପାଏ; ଭଙ୍ଗା ବାରବାଟୀ ଉପରେ ନୂଆ ପତାକା ଦେଖି ସେତିକିବେଳେ କବିତା ଉଛୁଳେ । କଟକର ନର୍ଦ୍ଦମା, ନାଳି ଧୂଳି, ଷ୍ଟେସନର ନାଲି କନା ପିନ୍ଧା କୁଲି, ବିଡ଼ି ଖାଉଥିବା ରିକ୍‌ସାବାଳା, ସମସ୍ତେ ଭାରି ସୁନ୍ଦର ଦିଶନ୍ତି; ନିର୍ଲିପ୍ତ ନିରାସକ୍ତ ମନ କାଚକାନ୍ଥଦିଆ ମଟରଗାଡ଼ି ଭିତରେ ଆବଦ୍ଧ ରହି ନିଜ ଲାଗି ବେଶ୍ ଏକ ଦେଖା- ସୁନ୍ଦର ସଂସାର ତିଆରି କରିନିଏ । ମନ ଭାରି ଆଶ୍ୱାସନା ପାଏ । ଏହିପରି ଏକ ସଂସାର ଭିତରେ ଅଜ୍ଞାନ ସୁକୁମାର ଶାବକ ପରି ଭୁଲି ରହିବାକୁ ।

 

ପିଲାଦିନୁ ଯିଏ ଜୀବନର ସବୁ ଆରାମ ପାଇଚି, ଇଚ୍ଛାନୁସାରେ ଯାହା ସାମନାରେ ଯାବତୀୟ ବିଳାସ-କ୍ଷେତ୍ର ପ୍ରସ୍ତୁତ କରି ରଖା ଯାଇଚି, ତାର ଜୀବନ ଦେଖା କେବଳ ଏଇ ମଟରଗାଡ଼ି ଭିତରେ କଟକ ଦେଖା ପରି । ଟକିଏ ଆଖି ଭେଦାଇ ଦେଖିଲେ ଯେ ଯୁଗର ନିଷ୍ଠୁର ସତ୍ୟଗୁଡ଼ାକ ସ୍ପଷ୍ଟ ଦୃଷ୍ଟିଗୋଚର ହୋଇ ପାରିବ, ଏ କଥା ମଟରଗାଡ଼ିର ମଣିଷ କଳ୍ପନା ହିଁ, କରିପାରେ ନାହିଁ । ଆପଣାର ସଜ୍ଜିତ ସଂସାରକୁ ସେ ଆହୁରି ସଜାଏ, ଇଂଲଣ୍ଡ ଓ ଆମେରିକାର ସଜ୍ଜାରୀତିକୁ ସେ ଅତି ଅଧ୍ୟବସାୟ ସହିତ ଦୋରସ୍ତ କରିନିଏ; ଅଥଚ ଘର ପାଖର ଗ୍ଳାନି ତା’ର ଆଖରେ ପଡ଼େ ନାହିଁ । ଘର ପାଖରେ ହୁଏତ ମଣିଷ ମରେ, ଅଥଚ ସେ ସେଥିରେ ତିଳେ ହେଲେ ବିଚଳିତ ହୁଏ ନାହିଁ । ମଟର ଗାଡ଼ିରେ ବସିବାର ସାମର୍ଥ୍ୟ ଥାଉ ବ ନ ଥାଉ, ବର୍ତ୍ତମାନର ଶିକ୍ଷା ଆମର ମନକୁ ଏହି ମଟରଗାଡ଼ିର ମନ ଭଳି ତିଆରି କରିଦେଉଚି । ଆମ ଦେଶରେ କେତେ ଦୁଃଖ ପୂରି ରହିଛି, ଅଥଚ ଗୋଟାଏ ପ୍ରକାର ଶୀତଳ ସ୍ପଟିକବତ୍ (Glassy) ପରିତୋଷ ଆମର ସକଳ ଆଗ୍ରହକୁ ଅତି ଦନ୍ଥରା କରି ପକାଇଚି । ରଙ୍କୁଣୀ ଘରେ କେବଳ ସର ଖାଇ ବଢ଼ିଥିବା ସୁନାପୁଅ ଆମେସବୁ ବିଦେଶ ଯାଉଚୁ ଆହୁରି ସର ଖାଇବାର ରାସ୍ତା ସୁଗମ କରିବାକୁ, ବିଦେଶୀ ଡିଗ୍ରୀର ଅନୁମତି-ପତ୍ର ଆଣି ଦେଶର ଅଳ୍ପ–ସଞ୍ଚୟର ଅବାଧ ଅପଚୟ କରିବାକୁ । ତେଣୁ ବିହାର ବା ଆଉ କେଉଁଠି ଭାତ ଅଭାବରୁ ମଣିଷ ମରୁଥିଲାବେଳେ, ଏଠି ଜାହାଜ ଉପରେ ଆମେ ଯେ ହୁଇସ୍କି ସେବନ କରି ଇଂରାଜୀ ପ୍ରଣୟ ଫାନ୍ଦିବାର ଗୀତ ଅଭ୍ୟାସ କରୁଥିବୁ, ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ?

 

ଅନନ୍ତ ବିସ୍ତୃତ ଅମିତ-ବୈଚିତ୍ର ଏଇ ସମୁଦ୍ର ଉପରୁ ଦୃଷ୍ଟି ଫେରାଇ ଜହାଜ ଉପରର ବିସ୍ମୃତ ଜନ ସଭାକୁ ଆସିବା ମାତ୍ରକେ କେବଳ ଆପଣା ଦେଶ ଓ ଆପଣା ଭବିଷ୍ୟତ ବିଷୟରେ ଅତି ନିର୍ମମ ସତ କଥା ଗୁଡ଼ାକ ମନକୁ ବିଦ୍ରୋହୀ କରି ପକାଉଚି । ହୁଏତ ବିଶୁଦ୍ଧ ସାହିତ୍ୟିକମାନେ ନିରାଟ ବାସ୍ତବର ଏତେ ଦୁର୍ଗନ୍ଧ ସହିବାକୁ ଭାରି ଆପତ୍ତି ଉଠାଇବେ । ବିଶ୍ୱସାହିତ୍ୟରେ Belles Letters ର ଐତିହାସିକ ବାଚ୍ୟାର୍ଥ ଘାଣ୍ଟି ସେମାନେ ଅନେକ ବଳିଷ୍ଠ ଯୁକ୍ତି ଦେଖାଇବେ । ସେମାନଙ୍କର ସମସ୍ତ ପ୍ରତିବାଦକୁ ମୁଁ ଯଥେଷ୍ଟ ସମ୍ମାନ ଦେଉଚି । ସାହିତ୍ୟ ଆଖିରେ ସବୁ ସୁନ୍ଦର, ସେକଥା ମୁଁ ନିଶ୍ଚୟ ମାନିବି । କିନ୍ତୁ ଅନେକ ସମୟରେ ବାହାରର ସଜ୍ଜିତ ସୌନ୍ଦର୍ଯ୍ୟକୁ ଯେ ଅସଲ ସୌନ୍ଦର୍ଯ୍ୟ ବୋଲି ମାନି ନେଇ ଚତୁର ସାହିତ୍ୟିକ ଭଳି ନିଶ୍ଚିନ୍ତ ହୋଇ ବସିଯାଏ, ମୋର ସେଇଠି ଆପତ୍ତି । ଏ ଯୁଗର ସାହିତ୍ୟରେ ଏହି ସଜ୍ଜିତ ସୌନ୍ଦର୍ଯ୍ୟର ରଙ୍ଗମଞ୍ଚ ସଜାଇବାରେ ଭାରି ଉତ୍ସାହ ଦେଖା ଦେଇଚି । ଆମ କବିତା ଓ ଆମ ଉପନ୍ୟାସର ନାୟକ-ନାୟିକା ଓ ତା’ର ଆନୁଷାଙ୍ଗିକ ପାର୍କ, କ୍ଳବ୍‍ ଓ ବୈଠକଖାନା କେବଳ ଏ ଯୁଗର ସଜ୍ଜିତ ସୌନ୍ଦର୍ଯ୍ୟର ପ୍ରତିରୂପ । ସେହି ଉପରେ ଉପରେ ଭାସି କୌଣସି ସାହିତ୍ୟିକ ସଚ୍ଚା ସୌନ୍ଦର୍ଯ୍ୟର ଆସ୍ୱାଦ ଲାଭ କରିପାରିବ ନାହିଁ । ଅସଲ କାମ୍ୟ ବସ୍ତୁକୁ ଆମେ ଅର୍ଥନୈତିକ ଓ ସାମାଜିକ ଅନେକ ରକମର ମଇଳା ଗଦା ତଳେ ପୋତି ପକାଇଲୁଣି । ସବୁରି ଭିତରର ସୁନ୍ଦର ଆତ୍ମା କୋଉ ପଛରେ ପଡ଼ି ରହିଲାଣି ।

 

ନୂଆ ସାହିତ୍ୟ ଓ ନୂଆ ପୃଥିବୀ ଗଢ଼ିବାକୁ ପଣ କରିଥିବା ସବୁ ଲେଖକଙ୍କୁ ଆଜି ଏଇ ଆବର୍ଜନା ଗଦା ତଳୁ ମରି ଯାଇଥିବା ମର୍ମ ସୌନ୍ଦର୍ଯ୍ୟକୁ ବାହାର କରିବାକୁ ହେବ । ସେଥିଲାଗି ଅତି ଧୈର୍ଯ୍ୟ ସହକାରେ ସକଳ ପ୍ରକାର ଛଦ୍ମବେଶକୁ ଅତି ସ୍ପଷ୍ଟ କରି ପଦାରେ ପକାଇବାକୁ ହେବ । କେବଳ ଏହିପରି ଏକ Purgation ବା ବହିଃକରଣ ପରେ ଆମେ ଏ ସଂସାରରେ ସଚ୍ଚା ସୌନ୍ଦର୍ଯ୍ୟ କରି ପାରିବ ।

 

ଅନେକ ହୁଏତ ସତ୍ୟ, ଶିବ, ସୁନ୍ଦର ପ୍ରଭୃତି ବଡ଼ ବଡ଼ କଥାର ଚର୍ଚ୍ଚା କରିବାକୁ ବସିବେ-। ସେମାନେ କହିବେ ସୌନ୍ଦର୍ଯ୍ୟର ଉପଲବଧିରେ ଉଚିତ ଅନୁଚିତର ବା ନ୍ୟାଯ୍ୟ ଅନ୍ୟାଯ୍ୟର କୌଣସି ସ୍ଥାନ ନାହିଁ । ବିଲାତରୁ ଜନ୍ମଲାଭ କରି ସବୁ ଦେଶର ଆଧୁନିକ ମାନଙ୍କର ଅତି ପ୍ରିୟ ହୋଇଥିବା ଏହି ସାହିତ୍ୟିକ ମତବାଦ ଆଜି ପରାନ୍ନଭୋଜି ପଳାୟନପନ୍ଥୀମାନଙ୍କର ସବୁଠାରୁ ବଡ଼ ଯୁକ୍ତି ହୋଇ ପଡ଼ିଚି । ଏ ଯୁଗର ଉପାସୀ ଭିକାରିକୁ ଧକ୍‍କା ଦେଇ ବାହାର କରି ଦେଇ ସଭ୍ୟ ମଣିଷ କୁକୁର ବିଲେଇଙ୍କୁ ମାଂସ ଖୁଆଇ କମିଜ ପିନ୍ଧାଇ ଜାଣିଲାଣି । ମଣିଷଠାରୁ ମନୁଷ୍ୟତର ବସ୍ତୁ ଆଡକୁ ସତେ ଅବା ସଭ୍ୟ ମନର ସକଳ ଶ୍ରଦ୍ଧା ନିର୍ଯ୍ୟାସିତ ହୋଇ ଆସୁଚି । ଏଠି ସାହିତ୍ୟ ଆପଣାର ପଥ ହୁଡ଼ିଚି ବୋଲି ମୁଁ କହିବି । ମଣିଷ ହିଁ ମଣିଷର ଶ୍ରଦ୍ଧା ନିବେଦନ ଓ ସୌନ୍ଦର୍ଯ୍ୟ-ସାଧନାର ପ୍ରଥମ ବସ୍ତୁ ହୋଇ ରହିଥାନ୍ତା, ଏଇ ସତର୍କ କଥାକୁ ବାରବାର କହି ଯୁଗର ସ୍ୱାସ୍ଥ୍ୟ ଫେରାଇ ଆଣିବାକୁ ସାହିତ୍ୟର ଆଜି ମଧ୍ୟ ଅନେକ କର୍ତ୍ତବ୍ୟ ବାକି ରହିଛି ।

 

ଚତୁର୍ଦ୍ଦିଗରେ ନିର୍ଜନ ବନାନୀ ସୃଷ୍ଟିକ୍ଷରଣର ବୀଣା ବଜାଇ ଚାଲିଚି, ଆକାଶ ଓ ଭୁବନର ସକଳ ଭବନରେ ସୃଷ୍ଟିର ପରମ ପ୍ରଶାନ୍ତି ବିରାଜମାନ କରୁଚି, ହଠାତ୍ ବ୍ୟାଧ ସେଇଠି ସବୁ ଛନ୍ଦରେ ବ୍ୟାଘାତ ଆଣି ଦେଲା, ଦୁଇଟି ସୁଖୀ ବିହଙ୍ଗର ଜୀବନର ଅଶୁଭ ଘଟାଇ ସେ ସମସ୍ତ ସୃଷ୍ଟିକୁ ବ୍ୟାକୁଳ କରି ପକାଇଲା । କ୍ଷଣକେ ସବୁ ଗୋଳମାଳ ହୋଇଗଲା, ସ୍ୱର ସହିତ ସ୍ୱର ବାନ୍ଧି ରଖିଥିବା ବୀଣାର ତାର ହଠାତ୍ ଛିଡ଼ିଗଲା, ସୃଷ୍ଟିଯାତ୍ରର ନୂପୁରଧ୍ୱନି ଯେପରି ହଠାତ୍ ଏହି ଅପ୍ରାକୃତିକତା ପାଖରେ ସ୍ଥଗିତ ହୋଇ ରହିଲା । ସେଇଠି ଆଦିକବିର ପ୍ରଥମ ମନ୍ତ୍ରଧ୍ୱନୀ ଆକାଶ ଭରି ମନ୍ଦ୍ରିତ ହୋଇ ଉଠିଲା । ବ୍ୟଥିତ ବିହଙ୍ଗ ପ୍ରାଣ ସହିତ ସକଳ କବିର ପ୍ରାଣ ଯେପରି କ୍ଷଣକେ ସମବ୍ୟଥୀ ହୋଇ ଉଠିଲା । ହୁଏତ ଆଜିଯାଏ ବି ବ୍ୟାଧର ଶର ସଜାଡ଼ିବା ବନ୍ଦ ହୋଇନାହିଁ । ଆଜି ମଧ୍ୟ କୌଣସି ନା କୌଣସି ସ୍ଥାନରେ ଜୀବନ-ବିହଙ୍ଗ ଆର୍ତ୍ତନାଦ କରି ଉଠୁଚି, ସେଇଥିଲାଗି ଆଜି ମଧ୍ୟ କବିର ପ୍ରତିବାଦ, କବିର ବିଦ୍ରୋହ ଥମି ଯାଇନାହିଁ । ସେହି ଆଦିକବିର ଅପୂର୍ଣ୍ଣ ମନସାଧନାକୁ ନାନା ମୂର୍ତ୍ତି ଦେଇ ବାର ବାର କବିର ଜନ୍ମଲାଭ ହେବ, ସୃଷ୍ଟି ସମ୍ପଦକୁ ପୁଣି ସେହି ଆଦିଛନ୍ଦର ବ୍ୟାପ୍ତି ଭିତରେ ପରିସ୍ଥାପିତ କରିହେଲା ପର୍ଯ୍ୟନ୍ତ । ସେହି ପରିପୂର୍ଣ୍ଣ ବାସରରେ ସାହିତ୍ୟ ପରିପୂର୍ଣ୍ଣ ହୋଇଯିବ, ସତ୍ୟ ଶିବ ଓ ସୁନ୍ଦରର ଆରାଧନ-ସଙ୍ଗୀତ ସେହିଦିନ ମଧୂର ଐକ୍ୟତାନରେ ଧ୍ୱନିତ ହୋଇ ଉଠିବ ।

 

ପବନର ସ୍ପନ୍ଦନ ଓ ସମୁଦ୍ରର କମ୍ପନ ଭିତରେ ଏତେ ପ୍ରାଣ ଏତେ ଆନନ୍ଦ ଭରି ରହିଛି, କେଉଁ ଜନନୀର ସ୍ୱପ୍ନରସ ଗ୍ରହଣ କରି ଆମରି ଧୂଳିରେ ଫୁଲ ଫୁଟୁଚି, ଅଥଚ ମଣିଷ କାହିଁକି ଏତେ ଅପମାନିତ ଏତେ ବିସ୍ମୃତ ହୋଇ ପଡ଼ି ରହିଥିବ, କାହିକି ସେ ଆପଣାର ସକଳ କଳୁଷକୁ ପୋଛି ଦେଇ ସୃଷ୍ଟିର ଆନନ୍ଦ ସହିତ ସମ୍ମିଳିତ ହୋଇ ନ ପାରିବ ? ହୁଏତ ଏହାର ଉତ୍ତର ଖୋଜିବାରେ କବିରହିଁ ସବୁଠାରୁ ବେଶୀ ଦାୟୀତ୍ୱ ରହିଚି ।

 

ଲୋହିତ ସାଗରର ବକ୍ଷ ଉପରେ ମନ ଭାସି ଭାସି ଚାଲିଚି । ଗତ ସପ୍ତାହ ମଧ୍ୟରେ କାଲିଭଳି କେବେ ସାଗରର ବିଚିତ୍ର ରୂପକୁ ଏତେ ଭଲ କରି ଦେଖି ନ ଥିଲି । କାଲି ସଞ୍ଜ ବେଳେ ହଠାତ୍ ପବନ ଅତି ଥିର ହୋଇଗଲା, ତରଙ୍ଗର ସମସ୍ତ ବେଗ ଜଳବାୟୁର ଗଭୀର ତଳ ଦେଶରେ ପ୍ରସୁପ୍ତ ହୋଇ ରହିଲା, ନିଷ୍ପଦ ନୀଳ କାର ଖଣ୍ଡ ପରି ସମୁଦ୍ର ଶାନ୍ତ ହୋଇଗଲା । ସୂର୍ଯ୍ୟାସ୍ତରେ ମଧ୍ୟ କୌଣସି ପ୍ରକାର ରଙ୍ଗ-ବିଳାସ ତାରା ଫୁଟି ଉଠିଲା, ସେହି ଫୁଲରେ କେଶ ବାନ୍ଧିଥିବା ଆକାଶର ନବବଧୂ ଯେପରି ସାଗରର ଦର୍ପଣରେ ଗଭା ସଜାଡ଼ି ବସିଲା ।

 

ଆଜି ସକାଳେ ଉଠିଲା ବେଳକୁ ଦେଖିଲି ସବୁ ବଦଳି ଯାଇଚି । କେତେ ଯୁଗରୁ ସଞ୍ଚିତ ହୋଇ ରହିଥିବା କେତେ ପବନ ଯେପରି ହଠାତ୍ ଛୁଟି ପାଇ ସାଗର ବକ୍ଷକୁବ୍ୟସ୍ତକୁ କରି ପକାଇଚି-। ତରଙ୍ଗ ଗୁଡ଼ାକ କାଲିକାର ସ୍ଥବିରତା ପରେ ପୁଣି ପିଳା ହୋଇ ଉଠିଚନ୍ତି, ଦୂର ଦୂରକୁ ଶୁଭ୍ରଚୂଡ଼ା ଦେହ ପ୍ରସାରି ଦେଇ କେତେ ତରଙ୍ଗ ଉଠୁଚି–କେତେ ଭାଙ୍ଗି ଯାଉଚି । ସବୁରି ମଝିରେ ଆମର ଜାହାଜ କେଉଁ ବିଧାତାର ନିୟନ୍ତ୍ରିତ ତରଣୀ ପରି ଦୋଦୁଲ୍ୟମାନ ହୋଇ ଚାଲିଚି, ବାଳ-ସମୁଦ୍ରରେ ଜୀବନର ସୃଷ୍ଟି- ସ୍ୱପ୍ନ ପରି ।

 

ବମ୍ବେ ଛାଡ଼ିବା ଠିକ୍ ସପ୍ତାହେ ହୋଇଗଲା । ସମୁଦ୍ରରୋଗର ଗୋଟାଏ ଛୁଞ୍ଚିଫୋଡ଼ା ମଧ୍ୟ ଏପର୍ଯ୍ୟନ୍ତ ଅନୁଭବ କରିନାହିଁ । ଓଲଟି କ୍ରମେ କ୍ରମେ ଆପଣାର ସମସ୍ତ କାମନା ଓ ଭାବନା ଯେପରି ସମୁଦ୍ର ସହିତ ଅଧିକରୁ ଅଧିକ ସଖ୍ୟ ସ୍ଥାପନ କରି ଚାଲିଛି । ବିକ୍ଷିପ୍ତ ଜୀବନକ୍ଷେତ୍ରର ସକଳ ନଦୀ ଯେପରି ଆଜି ଏହି ଏକ ସମୁଦ୍ରରେ ଏକତ୍ରିତ ହୋଇ ପୂର୍ଣ୍ଣ ରୂପ ହୋଇ ଯାଉଛନ୍ତି ।

•••

 

୦୬-୧୨-୫୦

 

କୌଣସି ଭୂତତ୍ତ୍ୱ-ସମନ୍ଧୀ କାରଣରୁ ପୃଥିବୀର ପୃଷ୍ଠ ସଙ୍କୁଚିତ ହୋଇଯାଏ ଓ ଦୁଇ ଉଚ୍ଚ ଭୂଭାଗ ମଧ୍ୟବର୍ତ୍ତୀ ସ୍ଥାନ ଏକ ଅଣଓସାରିଆ ଗର୍ତ୍ତରେ ପରିଣତ ହୁଏ; ସେହି ଗର୍ତ୍ତ ଜଳପୂର୍ଣ୍ଣ ହୋଇ ଏକ ଛୋଟଆ ଜଳଭାଗର ସୃଷ୍ଟି କରେ । ଲୋହିତ-ସାଗରର ଜନ୍ମ ଇତିହାସ ଏହିପରି ବୋଲି ଭୂଗୋଳରେ ପଢ଼ିଥିଲି । ସମଗ୍ର ଜଳରାଶିର ଅନୁପାତରେ ଏଡ଼େ ଟିକିଏ ନାଳୀ ପରି ଲୋହିତ ସାଗରର ପ୍ରକୃତି ଏତେ ବିଚିତ୍ର ବୋଲି କିଏ ଜାଣିଥିଲା ? ପ୍ରତ୍ୟେକ ଦିନ ଆମର ଜାହାଜ ପ୍ରାୟ ଚାରି ଡିଗ୍ରୀ ଅକ୍ଷାଂଶ ଉତ୍ତରକୁ ଉଠି ଉଠି ଯାଉଚି । ତେଣୁ ବିଷୁବରେଖା ଠାରୁ ଦୂରତ୍ୱର ପରିବର୍ତ୍ତନ ସଙ୍ଗେ ସଙ୍ଗେ ପାଣି ପବନର ପ୍ରକୃତି ପରିବର୍ତ୍ତିତ ହେଉଚି । କାଲିଠାରୁ ବେଶ୍ ଥଣ୍ଡା ଲାଗିଲାଣି, ଆହୁରି ଉପରକୁ ଯାଇ ଭୂମଧ୍ୟ ସାଗରରେ ପ୍ରବେଶ କଲେ କେତେ ଥଣ୍ଡା ସହିବାକୁ ପଡ଼ିବ, ସେଥିଲାଗି ମନେ ମନେ ସତର୍କ ହୋଇ ସାରିଲିଣି । ଆମର ଜାହାଜ ବର୍ତ୍ତମାନ ଦୁଇ ବିଭିନ୍ନ ପ୍ରକାରର ପାଗ କଟିବନ୍ଧ (Climatic Belt) ମଝିରେ ଗତି କରୁଚି ।

 

କାଲି ସକାଳଠାରୁ ଝଡ଼ ବୋହିବାରେ ଲାଗିଚି । ଆମର ଜାହାଜ ସେହି ଝଡ଼ର ପ୍ରତିକୂଳ-ପଥ କାଟି କାଟି ଚାଲି ଯାଉଚି । ଚତୁର୍ଦ୍ଦିଗର ବିକ୍ଷୁବ୍‍ଧ ସମୁଦ୍ର ମନକୁ କେଉଁ ତୋଫାନ-ତରୀରେ ନେଇ ବସାଇ ଦେଲା ପରି ମନେ ହେଉଚି । ଏଠି ଯେପରି ମନ କ୍ଷଣେ ହେଲେ ବସି ରହିପାରୁ ନାହିଁ, ଯେପରି ଖାସ୍ ଆମରି ଜାହାଜ ଲାଗି ଉଦ୍ଦିଷ୍ଟ କେଉଁ ସାଗରୀୟ ସ୍ରୋତରେ ଭାସିଯାଇ ମନ କେତେ ଆଡ଼ର କେତେ ଚିନ୍ତା ଅଚିହ୍ନା ପାହାଡ଼ ପର୍ବତ ଓ ବନ ଗହନର ସାକ୍ଷାତ କରି ବୁଲୁଚି ।

 

ଆଜି ସକାଳର ସୂର୍ଯ୍ୟାଭିସାର ଅନେକ ଦିନ ପରେ ମତେ ପୂର୍ଣ୍ଣ ପରିତୃପ୍ତି ଦେଇ ପାରିଲା । ସେତେବେଳକୁ ଶେଷ ରାତିର ଅନ୍ଧାରରେ ତରଙ୍ଗର ଗର୍ଜନ ଛଡ଼ା ଆଉ କିଛି ବାରି ହେଉନାହିଁ । ଶେଷ ପହରର ବଙ୍କା ଜହ୍ନ କ୍ଷଣକ ଆଗରୁ ଅସ୍ତ ହୋଇ ଯାଇଚି । କୋଠରୀର ଖୋଲା ଝରକା ବାଟେ ପୂର୍ବ ଦୀଗକୁ ଅନାଇ ଦେଖିଲି । ଉଦ୍ୟଗିରିର ସିନ୍ଦୁର-ରେଖା ଦେଖି ମନର ସକଳ ଆଳସ୍ୟ ହଠାତ୍ ଚେଇଁ ଉଠିଲା । ଜଳ ଓ ଆକାଶର ମିଳନ-ସୀମାରେ ଏତେ ନିଖୁଣ ନିପୁଣ ଭାବରେ ନାଲି ମୁରୁଜର ସଳଖ ରେଖା ସଜାଇ ଦେଲା କିଏ ? ଉଷାଗରମର ନୀରବତା ଭିତରେ କେଉଁ ପ୍ରସନ୍ନ ଜନ୍ମର ସଚନା ଯେପରି ସେହି ରକ୍ତିମତାର ତୀରେ ତୀରେ ଏକ ସମୁଦ୍ର ମନ୍ତ୍ର ଧ୍ୱନୀତ କରି ରଖିଥିଲା । ଯେପରି କେଉଁ ଶୁଭ ଲଗ୍ନର ଚିହ୍ନା ଚଢ଼େଇସବୁ ସେହି ମନ୍ତ୍ରପୂତ ଆରକ୍ତ ବେଳାରେ ଏକ ମହାଗମନର ଶୁଭ ବାର୍ତ୍ତା ବିଞ୍ଚି ଦେଇ ଚାଲି ଯାଉଥିଲେ । ସକାଳର ସମସ୍ତ ପ୍ରସ୍ତୁତିକୁ ଧନ୍ୟ କରି ସୂର୍ଯ୍ୟ ଉଠିଲା । ବେଦମନ୍ତ୍ରରେ କୁହାଯାଉଥିବା ସେହି ପୂର୍ଣ୍ଣ ପ୍ରସ୍ଫୁଟିତ ଜବାକୁସୁମ ପରି ଦିନାରମ୍ଭର ଏହି ଉତ୍ସବୋପଚାରରେ ନିଜର ସତ୍ୟରୂପକୁ ଏତେ ଶୁଭତର କରି କେବେ ଦେଖି ନ ଥିଲି ।

 

ସୁଏଜ କେନାଲ ନିକଟ ହୋଇ ଆସୁଚି- ପଅରିଦିନ ବଡ଼ି ସକାଳୁ ଆମେ ସେହି ଖାଡ଼ିରେ ପ୍ରବେଶ କରିବୁ ବୋଲି ଜାହାଜର କପ୍ତାନ କହୁଚନ୍ତି, ସେଇଦିନ ସନ୍ଧ୍ୟାବେଳେ ପୋର୍ଟସୟଦ ବନ୍ଦରରେ ଆମର ଜାହାଜ କେତେ ଘଣ୍ଟା ଲାଗି ଅଟକିବ । ହୁଏତ ଅନ୍ୟାନ୍ୟ ସ୍ଥାନୀୟ କୌଣସି କଟକଣା ନଥିଲେ ଆମେ ପାଖରେ ଯାଇ ଟିକିଏ ବୁଲି ଆସି-ପରିବୁ ।

 

ଆଠଦିନ ପରେ ଜାହାଜର ସମସ୍ତେ ଆଜି ଚିଠି ଲେଖିବାରେ ଲଗି ପଡ଼ିଛନ୍ତି । ଆଜି ସନ୍ଧ୍ୟା ପାଞ୍ଚଟା ପୂର୍ବରୁ ସବୁ ଚିଠି ଜାହାଜର ଅଫିସରେ ଦେବାକୁ ପଡ଼ିବ । ଅଫିସ ସେସବୁ ଚିଠି ପଠାଇବାର ବ୍ୟବସ୍ଥା କରିଦେବ ବୋଲି ସକାଳେ ଘୋଷଣା କରାଯାଇଚି । ଆଠଦିନ ହେଲା ସମୁଦ୍ରର ଦର୍ପଣରେ କେବଳ ଆପଣାକୁ ସ୍ପଷ୍ଟରୁ ସ୍ପଷ୍ଟତର କରି ଦେଖବା ହିଁ ସବୁଠାରୁ ବଡ଼ କାମ ଥିଲା । ହଠାତ୍ ଆଜି ସକାଳୁ ସମସ୍ତେ ଟିକିଏ ଚଞ୍ଚଳ ହୋଇ ଉଠଚନ୍ତି, ମନ ଟିକିଏ ଅଧିକ ସତୃଷ୍ଣ ହୋଇ ଉଠିଚି, ଆପଣାର ଆତ୍ମୀୟ ସ୍ୱଜନଙ୍କର ସ୍ମରଣରେ କାହା ମନ କେତେ ଦୂର ଦୂର ଦେଶ ଓ ଦୂର ଦୂର ଦିନରେ ଉଡ଼ି ବୁଲୁଚି । ଚିଠିରେ ଶୁଭ ଖବରର ପ୍ରତିଲିପି ଲେଖୁ ଲେଖୁ ସବୁରି ମନ ଆଜି ଏଡ଼େ ବଡ଼ ସାଗରର ବ୍ୟବଧାନ ଉପରେ ଇଚ୍ଛାମତ ସେତୁ ବାନ୍ଧି ଦେଇ ଚାଲି ଯାଉଚି ।

 

ତିନି ଦିନ ପରେ ବାଆଁ ପାଖରେ ପୁଣି ସ୍ଥଳଭାଗ ଦେଖିବାକୁ ମିଳିଲା । ମୁଁ ତ ଦୂରରୁ ଦୁଇଟି ଦ୍ୱୀପକୁ ଦୁଇଟି ଜାହାଜ ବୋଲି ଭ୍ରମ କରି ପକାଇଥିଲି । ପାଣି ଉପରେ ଦୁଇଟି ଅନୁଚ୍ଚ ପାତ୍ର ଭାସୁଥିଲା ପରି ଦୁଇଟିଯାକ ଦ୍ୱୀପ ପାଖ ପାଖ ହୋଇ ରହିଚି । ଦୁଇଟିର ଏକତ୍ର ନାମକରଣ ହୋଇଚି, ଭ୍ରାତୃଦ୍ୱୀପ (Brother Islands) । ଗୋଟିଏ ବଡ଼,ଆରଟି ବେଶ୍ ଛୋଟ । ବଡ଼ଟିର ମଝିରେ ବତୀଘର ଅଛି । ରାତି ହୋଇଥିଲେ ହୁଏତ କେବଳ ବତୀଘରର ଆଲୁଅ ଛଡ଼ା ଆମେ ଆଉ କିଛି ଜାଣି ପାରି ନଥାନ୍ତୁ । ଜନଶୂନ୍ୟ ପରିତ୍ୟକ୍ତ-ପ୍ରାୟ ଏହି ସଂକୀର୍ଣ୍ଣ ଦ୍ୱୀପକୁ ଚିହ୍ନିବା ଲାଗି ରାତି-ଅନ୍ଧାରରେ ଆଉ କି ସୂଚନା ମିଳିଥାନ୍ତା ? ଭାରି ଭଲ ଲାଗିଲା ଦ୍ୱୀପ ଦୁଇଟିକୁ ଦେଖି । ଜଳପଥର ଆବିଷ୍କାର କଲାବେଲେ କେଉଁ ନାବିକ ଦୁଇ ଭୂମିଖଣ୍ଡ ମଧ୍ୟରେ ଭ୍ରାତୃତ୍ୱର ସମ୍ବନ୍ଧ ଲଗାଇ ଦେଇଚନ୍ତି ବୋଲି ବୋଧହୁଏ ଟିକିଏ ଅଧିକ ଶ୍ରଦ୍ଧା ଅନୁଭବ କଲି ।

 

ବମ୍ବେ ଠାରୁ ଲିଭଲପୁଲ ପର୍ଯ୍ୟନ୍ତ ଦୀର୍ଘ ପଥରେ ଆମ ଜାହାଜର ପ୍ରଥମ ଠାବଜାଗା ହେଉଚି ପୋର୍ଟସୟଦ । ଜାହାଜ ଉପରେ ନାନା ଭଲ ମନ୍ଦର ଘନିଷ୍ଠତା ଗଢ଼ି ଉଠିଥିବା ଆମର ସଂସାରରେ ସେଇଠି ପ୍ରଥମେ ଅଦଳ ବଦଳ ହେବ । ଦୁଇଜଣ ବନ୍ଧୁ ସେଇ ବନ୍ଦରରେ ଓହ୍ଲାଇ ଯିବେ । ହୁଏତ ଆଉ କେହି ନୂଆ ଯାତ୍ରୀ ସେମାନଙ୍କର ସ୍ଥାନ ପୂରଣ କରିବାକୁ ଆସିବେ ।

 

ଲେଖୁ ଲେଖୁ ହଠାତ୍ ପଶ୍ଚିମ ଉପକୂଳରେ ପାହାଡ଼ ଦେଖିବାକୁ ପାଇଲିଣି । ଅନେକ ଦୂରର କୁହୁଡ଼ି-କୁଢ଼ ପରି ସେଗୁଡ଼ିକ ଦିଗ୍‍ଦୁର୍ଗର ପ୍ରାଚୀର ହୋଇ ଠିଆ ହୋଇ ରହିଚି । ଗତ ଦିନର ପ୍ରତିକୂଳ ପବନର ଆଘାତ କାଟି କାଟି ଆମ ଜାହାଜ ୩୩୦ ମାଇଲ ଆସି ପାରିଚି । ମାନଚିତ୍ରରୁ ଦେଖିପାରୁଚି ଯେ ଆମେ ସୁଏଜ ଉପସାଗରର ଅତି ନିକଟବର୍ତ୍ତୀ ହୋଇ ଆସୁଚୁ । ହୁଏତ ସନ୍ଧ୍ୟା ପୂର୍ବରୁ ଦୁଇ ପାଖର ସ୍ଥଳଭାଗ ବେଶ୍ ଦୃଷ୍ଟି ଗୋଚର ହେବ । ଆଜିକାର ସୂର୍ଯ୍ୟାସ୍ତ ମଧ୍ୟ ଜଳ-ସ୍ଥଳର ମିଳିତ ପଟ ଉପରେ ବେଶ୍ ରମଣୀୟ ହେବ ବୋଲି ଆଶା କରୁଚି ।

 

ଜାହାଜ ଉପରେ ଚାଲିଥିବା ସଉକୀ କ୍ଳବ୍-ଜୀବନ ବିଷୟରେ ଲେଖୁ ଲେଖୁ କାଲି ମନଟା ଯେ କେତେ କୁଆଡ଼େ ଲଢ଼େଇ ଗଲା, ଆପେ ତା’ର ଠାବ ଠିକଣା ରଖିପାରିଲି ନାହିଁ । କିନ୍ତୁ ତଥାପି ସେଇସବୁ ଭାବନାର ଖର ପବନ ଏପର୍ଯ୍ୟନ୍ତ କେଉଁ ବ୍ୟଥିତର ନିଶ୍ୱାସ ପରି ମାନସାକାଶକୁ ବଡ଼ ତପ୍ତ କରି ରଖିଚି । ନାନାପ୍ରକାରର ଜଟିଳତା ଓ ପ୍ରଲୁବ୍ଧତାରେ ସ୍ୱାଭାବିକ ଜୀବନର କ୍ଷେତ୍ରକୁ ଆମେ ଦୂଷିତ କରି ପକାଇଲୁଣି, ପ୍ରତ୍ୟେକ ଉପଲକ୍ଷ୍ୟ ଓ ଅନୁଷ୍ଠାନ ତଳେ ଯେପରି କେତେ ପାପ ଓ ଅବିଚାରର ଖତଗଦା ଜୀବନ-ପତ୍ତନର ସ୍ତମ୍ଭଗୁଡ଼ାକୁ ଖତରା କରିଦେବାକୁ ଆରମ୍ଭ କଲାଣି । ତଥାପି ଜାଣିସିଆଣିଆ ହୋଇ ଆମେ ସାହିତ୍ୟ-ବୈଠକର କ୍ଷଣିକ କ୍ଷେତ୍ରରେ ଶୁଦ୍ଧ ସାହିତ୍ୟ ଦାବୀ କରିବାକୁ ଯିବୁ କିପରି ? ଯେଉଠିଁ ଯେତେ ଜାଗାରେ ଆଜି ଫୁଲମାନ ଓ ଚିତା ଚନ୍ଦନର ଆଡ଼ମ୍ବରରେ ସାହିତ୍ୟ ଓ ସଂସ୍କୃତିର ଖଟି ବସୁଚି, ସବୁରି ପଛରେ ଏ ଯୁଗର ଅନ୍ୟାୟ ଓ ଅମଣିଷତାର ଇତିହାସ ଲୁକ୍କାୟିତ ହୋଇ ରହିଚି । ଯିଏ ଶ୍ରଦ୍ଧାର ସହିତ ସାହିତ୍ୟ ଲେଖିବାକୁ ଯିବ, ଯିଏ ବାଣୀର ଅର୍ଚ୍ଚନା ଦ୍ୱାରା ସକଳ ବିଶ୍ୱ-ସୃଷ୍ଟିକୁ ଅନ୍ତର ଭିତରକୁ ଆବାହନ କରି ଆଣିବାର ଆକାଂକ୍ଷା ରଖିବ, ମଣିଷ ଓ ମଣିଷର ଅତୁଳ ସ୍ୱପ୍ନକୁ କ୍ଷୁର୍ଣ୍ଣ କରି ରଖିଥିବା ଏ ଯୁଗର ଧୂର୍ତ୍ତ ଆବରଣମାନ କଦାପି ତା’ର ଆଖି ଏଡ଼ାଇପାରିବ ନାହିଁ । କୋଟି କୋଟି ଅଭିଯୋଗର ଅଧକୁହୁଲା ନିଆଁକୁ ଉଖାରି ଏଯୁଗର କବି ଓ ଲେଖକଙ୍କୁ ଆପଣା ଚିନ୍ତାରେ ଅଗ୍ନି ସଂଯୋଗ କରିବାକୁ ପଡ଼ିବ । ତେବେ ଯାଇ ସେ ତା’ର ଯୁଗକୁ ତା’ର ପାଠକକୁ ଶୁଦ୍ଧ ଅପ୍ରଚ୍ଛନ୍ନ ଦୃଷ୍ଟି ଦାନ କରି ପାରିବ, ତେବେ ଯାଇ ସେ ସବୁ ପ୍ରକାର ଖତଗଦାକୁ ସାର ପରି ବ୍ୟବହାର କରି ଅସଲ ସଂସ୍କୃତିର ପଦ୍ମ ଫୁଟାଇ ପାରିବ ।

 

ଯିଏ ଫାନ୍ଦରେ ପଡ଼େ, କେବଳ ସେଇ ଫାନ୍ଦର ଶିକାର ହୁଏ ନାହିଁ । ଯିଏ ଫାନ୍ଦ ବସାଏ, ସେ ମଧ୍ୟ ବଡ଼ ଅଜ୍ଞ ଭାବରେ ଆପଣା ରଚିଲା ଫାନ୍ଦ ଭିତରେ ଅଟକି ରହେ । ଯେଉଁ ପୂର୍ଣ୍ଣଭୋଜି ଆହୁରି ଉଦର ପୂରାଇବାର କଳ୍ପିତ ଖିଆଲରେ ଅପର ଲାଗି ନାନା ବାଧାର ଫାନ୍ଦ ସୃଷ୍ଟି କରିଛି, ତାହାରି ଦୁର୍ଭାଗ୍ୟକୁ ସେ ନିଜେ ମଧ୍ୟ ଛନ୍ଦି ହୋଇ ପଡ଼ିଚି । ଅପରକୁ ବଞ୍ଚିତ କରି ରଖିବା ସଙ୍ଗେ ସଙ୍ଗେ ସେ ଆପେ ମଧ୍ୟ ପୂର୍ଣ୍ଣ ଜୀବନର ସ୍ୱାଦ ପାଇବାକୁ ବଞ୍ଚିତ ହୋଇଚି । ଭାରତବର୍ଷ ବର୍ତ୍ତମାନ ଏହି ଅଭିଶାପର ଆବର୍ତ୍ତ ଭିତରେ ପଡ଼ିଚି ।

 

ଭାରତରୁ ଯେଉଁ ଛାତ୍ରମାନେ ଦରିଆ ଡେଇଁ ବିଦେଶକୁ ପାଠ ପଢ଼ି ଯାଉଚନ୍ତି, ସେମାନେ କୁଆଡ଼େ ଆପଣାର ଚଳନ-ସ୍ୱଭାବ ଦ୍ୱାରା ନିଜକୁ ଓ ଦେଶର ସମ୍ମାନ ତଳେ ପକାଇ ଦେଉଚନ୍ତି ବୋଲି ପଣ୍ଡିତ ନେହେରୁ ଏବେ ଗୋଟାଏ ସଭାରେ କହିଥିଲେ । ଏ ପର୍ଯ୍ୟନ୍ତ କେବଳ ଯୋଗ୍ୟତାର ପ୍ରମାଣ ଦେଖାଇ ଉଚ୍ଚଶିକ୍ଷା ଲାଭ କରିବାକୁ ଅନୁଗ୍ରହ ପାଇବା ଭାରତୀୟ ଛାତ୍ରର ସୌଭାଗ୍ୟରେ ଯୁଟି ନାହିଁ । କିଏ ସୁପାରିଶରେ ଯାଉଚି, କିଏ କେତେ ଧୈର୍ଯ୍ୟ ସହକାରେ କେତେ ସିଡ଼ି ସାଉଁଲାଇ ଯାଉଚି, କୋଉ ଭାଗ୍ୟଦେବୀ ପୁତ୍ର କୁବେର-ପୁତ୍ର ହୋଇଥିବାରୁ ଯାଉଚି । ପଇସା ଖର୍ଚ୍ଚ କରିପାରୁଚନ୍ତି ବୋଲି ନିଶ୍ଚୟ ବେଶୀ ଛାତ୍ର ଯାଉଚନ୍ତି । ପିଲାଦିନରୁ ସେମାନଙ୍କ ଲାଗି ପଇସା ଖର୍ଚ୍ଚ ଓ ବଦ୍‍ଖର୍ଚ୍ଚ କରିବାରେ ବାପମାଆ କୌଣସି ପ୍ରକାର କାର୍ପଣ୍ୟ କରିନାହାନ୍ତି, ଏ ଦେଶର ଲକ୍ଷ ଲକ୍ଷ ପିଲାଙ୍କ ଭିତରେ କେବଳ ସେହିମାନଙ୍କର ଧାଈ ରହିବାଠାରୁ ଜୋତା ମୋଜା ପିନ୍ଧିବା ପର୍ଯ୍ୟନ୍ତ ସବୁ ଆୟୋଜନ ଜୀବନରେ ସମ୍ଭବ ହୋଇଚି, ସେଇମାନେ ବାଜେ ଖରଚ କରିବାର ସୁବିଧା ପାଇଚନ୍ତି, ବୟସ ନ ହେଉଣୁ ରସିକ ଓ ପ୍ରେମିକ ହେବାର ସୁରୁଚିସମ୍ମନ୍ନ ପରିପାଟୀ ଶିଖିଚନ୍ତି କେବଳ ସେଇମାନେ । ସେଇମାନେ ଆଜି ନୂଆ ଭାରତର ଛାତ୍ର ହୋଇ ବିଦେଶକୁ ଯାଉଚନ୍ତି । ବିଲାତ ବା ଆମେରିକାର ସମାଜକୁ କେବଳ କୋର୍ଟ, ପ୍ୟାଣ୍ଟ, ଟାଇ, ଲଞ୍ଚ, ଡିନର, କ୍ଳବ ଓ କାବାରେ (Cabarret) ବୋଲି ସେମାନେ ଜାଣିଚନ୍ତି, ଇଂରେଜୀ ଉପନ୍ୟାସ ପଢ଼ି ନାରୀ ପାଖରେ ପ୍ରଦର୍ଶନୀୟ କାଇଦାମାନ ଅଭ୍ୟାସ କରିଚନ୍ତି । ତେଣୁ ଜାହାଜରେ ଗଲାବେଳେ ହୁଏତ ସେମାନଙ୍କର ଆଖି ଭିତରେ ସେହିଭଳି ସମାଜ ଦେଖିବାର ତୃଷ୍ଣା ଭାସି ଭାସି ଯାଉଚି । ଭାରତର ଗୋଟାଏ ପୁଅ ଏଠି ହୁଇସ୍କି ପିଉଥିବା ବେଳେ ହୁଏତ ଆଉ କେତେ କେତେ ପୁଅ ଯେ ଟିପଚିହ୍ନ ଦେଇ କାଳିମାଟି କାରଖାନାରୁ ପଘାର ଆଣୁଚନ୍ତି, ଏକଥା ମଥାକୁ ବୁଝାଇ କହିବ କିଏ; ଯିଏ ଯେମିତି କ୍ଷେତ୍ର ପାଇଚି, ସିଏ ସେମିତି ହୋଇଚି । ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ବେଳେ ଶୁକରୀତି-ଆୟତ୍ତ ପାଠ ଲାଗି ପଗଡ଼ି ବାନ୍ଧିଚି ବୋଲି ପିଲା ଦିନରୁ ପୋଷଣ କରି ଆସିଥିବା ଗେହ୍ଳା ମିଜାଜକୁ ସେ ଛାଡ଼ି ପାରିବ କିପରି ?

•••

 

୭-୧୨-୫୦

 

କାଲି ଦିନଯାକ ସାଗର ମଝିରେ କଟାଇ ବେଳ ବୁଡ଼ିଲା ବେଳକୁ ଆମେ ସୁଏଜ ଉପସାଗରର ମୁହଁରେ ଆସି ପହଞ୍ଚିଲୁ । ସେତେବେଳକୁ ସୂର୍ଯ୍ୟ ଅସ୍ତ-ଉତ୍ସବର ଆୟୋଜନ କରୁଥାଏ, ଅନେକ ଦୂରରେ ମିଶର ଉପକୂଳର ଟାଙ୍ଗରା ପାହାଡ଼ଗୁଡ଼ିକ ଠିଆ ହୋଇ ରହିଥାନ୍ତି । ସାମନାରେ ସିନାଇ ପର୍ବତଶ୍ରେଣୀ, ଉଚ୍ଚା ପ୍ରାୟ ୮୦୦୦ ଫୁଟ । ଧୀରେ ଧୀରେ ଆମର ଜାହାଜ ଉପସାଗର ଭିତରେ ପ୍ରବେଶ କଲା ।

 

ପ୍ରାୟ ଦୁଇ ହଜାର ବର୍ଷ ତଳେ ଏଇ ସଂସାରରେ ଏକ ସନ୍ନ୍ୟାସୀକୁ ସତ୍ୟର ସାକ୍ଷାତ କରାଇଥିବା ସେଇ ସିନାଇ ପାହାଡ଼ । ମନ ତାହାରି ସ୍ମୃତି ସହିତ ଇତିହାସର ସେହି ଉର୍ବର ଯୁଗକୁ ଉଡ଼ି ଚାଲିଗଲା, ଯେତେବେଳେ ଜଗତର ଆବଶ୍ୟକତା ଅନୁସାରେ ଯୁଗର ନୂତନ ସଂସ୍ଥାପନ କରିବାକୁ ନୂତନ ଅବତାର ଲାଗି ଆଦୌ ବିଳମ୍ବ ହେଉ ନ ଥିଲା । ସେଇ କାଳର ଆରବ-ଦେଶ ପରି ଆଜିର ପୃଥିବୀ ଅତି ଜର୍ଜର, ଅତି ଦୈନ୍ୟଗ୍ରସ୍ତ ହୋଇ ପଡ଼ିଚି, ଶୁଷ୍କ କଣ୍ଠରେ ସକଳ ନରନାରୀ ଆଜି କେଉଁ ତ୍ରାଣକର୍ତ୍ତାର ଉଦାର ପାନାଧାର ଲାଗି ସେହି କରୁଣାକର ଓହ୍ଲାଇ ଆସିବେ ନାହିଁ ।

 

ରାତିରେ ଭାରି ଶୀଘ୍ର ବିଛଣା ଧରିଥିଲି । ରାତିରେ ହୁଏତ କେତେ ଜାହାଜ ଆମେ ଅତିକ୍ରମ କରିଥିବୁ, ହୁଏତ ପାଣି ମଝିରେ କୌଣସି ପଥର ଟାପୁ ଉପରେ ଠିଆ ହୋଇ ରହିଥିବା ବତୀଘର ଆମକୁ ରାସ୍ତା ଦେଖାଇ ନେଇଥିବ, ଦୁଇ କୂଳର ପର୍ବତଶ୍ରେଣୀ ରାତି ଅନ୍ଧାରର ମାଦକିତ ମଞ୍ଚ ଉପରେ ମନ ସକାଶେ ହୁଏତ ନାନା ଖିଆଲର ସଙ୍କେତ ସଜାଡ଼ି ରଖିଥିବେ ।

 

ସକାଳ ନ ହେଉଣୁ ଉଠି ଦେଖିଲି, ପୂର୍ବ ଦିଗର ପର୍ବତ ଉପରେ ଉଦୟର ରକ୍ତରେଖା ସୂଚିତ ହୋଇ ସାରିଲାଣି । ଚାରିଆଡ଼େ ସବୁ ଥିର ହୋଇ ଅନାଇ ରହିଚି; ସୁଏଜ କେନାଲର ମୁହଁକୁ ଆସି ଆମର ଜାହାଜ ମଧ୍ୟ ଥିର ହୋଇ ଠିଆ ହୋଇଚି । କ୍ରମେ କ୍ରମେ ଫରଚା ହୋଇ ଆସିଲା, କ୍ରମେ କ୍ରମେ ସୁଏଜ ବନ୍ଦର ଓ ପୋତାଶ୍ରୟ ସ୍ପଷ୍ଟ ନଜରକୁ ଆସିଲା । ଆମ ଜାହାଜର ଆଗକୁ ଓ ପଛକୁ ଆହୁରି କେତେ ଜାହାଜ ମଧ୍ୟ ଆମରି ପରି ଅପେକ୍ଷା କରି ଠିଆ ହୋଇ ରହିଥିଲେ । କେତେ ରକମର ଜାହାଜ ଏକାବେଳେ ଏକା ଜାଗାରେ ଦେଖି ମନଟା ବେଶ୍ ସତେଜ ହୋଇ ଉଠିଲା । ମାଲବାହୀ, ତେଲବାହୀ ଓ ଯାତ୍ରୀବାହୀ ଜାହାଜମାନ ସୁଏଜ ନାଳ ଭିତରେ ପଶିବାକୁ ସଜ ହେଉଥିଲେ । ଗୋଟାଏ ସୈନ୍ୟବାହୀ ଯୁଦ୍ଧ ଜାହାଜ ମଧ୍ୟ ଆମ ଆଗରେ ଠିଆ ହୋଇଥିଲା, ବୋଧହୁଏ କୋରିଆର ରଣକ୍ଷେତ୍ରରେ ସୈନ୍ୟ ଓ ସେନା-ସରଞ୍ଜାମମାନ ଓହ୍ଲାଇ ପୁଣି ବୋଝାଇ ହୋଇ ଆସିବାକୁ ଜାହାଜଟି ଦେଶକୁ ଫେରି ଯାଇଥିଲା ।

 

ସୁଏଜ କେନାଲ ବଡ଼ ଅଣଓସାରିଆ । ଏକାବେଳେ ଅନେକ ଜାହାଜ ଏ ପାଖ ସେପାଖରୁ ଆସି ପାରିବା ସହଜ ନୁହେଁ ବୋଲି ନିର୍ଦ୍ଦିଷ୍ଟ ସମୟ ଅନୁସାରେ ଗୋଟିଏ ପାଖରୁ ଜାହାଜ ଛଡ଼ା ହୁଏ । ତେଣୁ ସେହି ନିର୍ଦ୍ଦିଷ୍ଟ ସମୟରେ କେନାଲ ମୁହଁରେ ପହଞ୍ଚି ନ ପାରିଲେ ବନ୍ଦରରେ ଅଯଥା ଅନେକ ବେଳଯାଏ ପଡ଼ି ରହିବାକୁ ହୁଏ । ଆଗପଛ ହୋଇ ଉଚିତ ସମୟ ପୂର୍ବରୁ ଯେତୋଟି ଜାହାଜ ବନ୍ଦରରେ ପହଞ୍ଚେ, ସେ ସଭିଙ୍କୁ ସେହିପରି ଆଗପଛ ହୋଇ ଗୋଟିଏ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼େ । ଆଠଟାବେଳେ କେନାଲ ଭିତରକୁ ଯିବାକୁ ଅନୁମତି ପାଇବାର ପ୍ରଥମ ସମୟ । ଆମେ ସକାଳ ପାଞ୍ଚଟାବେଳକୁ ଆସି ବନ୍ଦରରେ ପହଞ୍ଚି ଯାଇଚୁ । ଯୁଦ୍ଧ ଯାହାଜ ଲାଗି କଟକଣା କୋହଳ କରାଯାଇଚି । ଯଥା ସମ୍ଭବ ଶୀଘ୍ର ଏହା ବନ୍ଦର ମଧ୍ୟରେ ପ୍ରବେଶ କରି ପାରିବ, କେନାଲରୁ ମଧ୍ୟ ବାହାରି ପାରିବ । ଆମ ସଙ୍ଗରେ ପହଞ୍ଚିଥିବା ଯୁଦ୍ଧ ଜାହାଜଟି କେନାଲ ଭିତରକୁ ଯିବା ଲାଗି ସର୍ବ ପ୍ରଥମେ ଅନୁମତି ପାଇଲା ।

 

ଆଠଟାବେଳେ ଆମର ଜାହାଜ ଚାଲିବାକୁ ଆରମ୍ଭ କଲା । ଆଗ ଓ ପଛରେ ଥିବା ସମସ୍ତ-ଜାହାଜ ଆପଣା ଆପଣା ଦେଶରେ ପତାକା ଉଡ଼ାଇଲେ । ସକାଳର ସୂର୍ଯ୍ୟ କିରଣରୁ ସେତେବେଳ ଯାଏଁ ରକ୍ତିମତା ଯାଇ ନ ଥାଏ । ପାଗ୍ ବେଶ୍ ଥଣ୍ଡା ଲାଗୁଥାଏ । ମାଳ ମାଳ ହୋଇ ଚଢ଼େଇ ପାଣି ଉପରେ ଭାସିଥାନ୍ତି । ଇଚ୍ଛାମତେ ଉଡ଼ି ଯାଉଥାନ୍ତି, ପୁଣି କ୍ଷଣକେ ଆସି ପାଣି ଉପରେ ପଡ଼ୁଥାନ୍ତି । ନାନା ଆାକାରର ଛୋଟ ବଡ଼ ନୌକାରେ ପୋତାଶ୍ରୟ ହଠାତ୍ ଅତି ତତ୍ପର ହୋଇ ଉଠିଥିଲା ପରି ଲାଗୁଥାଏ । କେନାଲର ଫାଟକ ପାରିହେବା ବେଳେ ଗୋଟାଏ ନୂଆ ଦେଶରେ ପ୍ରବେଶ କଲାପରି ଲାଗୁଥାଏ ।

 

ଗୋଟାଏ ଦୃଷ୍ଟିରୁ ଆମେ ପ୍ରକୃତରେ ନୂଆ ଦେଶରେ ପ୍ରବେଶ କରିଚୁ ବୋଲି କହିଲେ ମୋଟେ ଭୁଲ୍‍ ହେବନାହିଁ । ନଅଦିନ ଭିତରେ କେବେହେଲେ ଏତେ ପାଖରେ ଉପକୂଳ ଓ ଜନବସତି ଦେଖିବାର ସୁଯୋଗ ଘଟି ନ ଥିଲା । ବାହାର ଜଗତ ସମ୍ବନ୍ଧରେ ମନର ସକଳ ଆଗ୍ରହ କ୍ରମେ ଶୋଇ ପଡ଼ିଥିଲା ପରି ଲାଗୁଥିଲା । କେବଳ ଜାହାଜର ନିର୍ଦ୍ଦିଷ୍ଟ ସମୟ ଅନୁସାରେ ଖାଇବା ଓ ପୋଷାକ ପିନ୍ଧିବା ଛଡ଼ା ଆମେ ଅଳସୁଆ ହୋଇ ରହିଥିଲୁ । ବର୍ତ୍ତମାନ ପ୍ରାୟ ୧୬୦ ମାଇଲ ଯାଏ ଆମେ ଦୁଇ ପାଖରେ ସ୍ଥଳଭାଗ ଦେଖିବାକୁ ପାଇବୁ ।

 

ସୁଏଜ ବନ୍ଦରର ଠିକ୍‌ ପ୍ରବେଶ- ମୁହଁରେ ବେଶ୍ ଉଚ୍ଚ ପାହାଡ଼ଟିଏ, ସକାଳର ଆଲୁଅରେ ଦକ୍ଷିଣ ଦିଗକୁ ଶୁଭ୍ରାଭ କରି ରଖିଥାଏ । ସୁଏଜ ବନ୍ଦରର ଅଞ୍ଚଳରେ ହିଁ ଗଛ ପତର ସହିତ ପ୍ରଥମ ସାକ୍ଷାତ୍ ହେଲା । କାଲି ସ୍ପେନ୍‍ଦେଶୀ ଜଣେ ବନ୍ଧୁ ସତର୍କ କରି ଦେଇଥିଲେ ଯେ ପୋର୍ଟସୟଦ ପର୍ଯ୍ୟନ୍ତ ପ୍ରଧାନତଃ ଶୁଖିଲା ବାଲି ଛଡ଼ା କେନାଲର ଦୁଇ ପାଖରେ ଆମେ ବେଶୀ କିଛି ଦେଖିବାକୁ ପାଇବୁ ନହିଁ । ବନ୍ଦରରୁ ଅଗଭୀର ଜଳ ଉପରେ ସହର ପର୍ଯ୍ୟନ୍ତ ବନ୍ଧ ପଡ଼ିଛି । ଦୂରରୁ ଖାଲି କୋଠାଘର ଛଡ଼ା ଆଉ କିଛି ଦେଖି ହେଲା ନାହିଁ । କିନ୍ତୁ ଗଛ ପତରରେ ସହର ଚାରିପାଖ କେତେ ଛବିଳ ହୋଇ ଉଠିଚି । ଦୀର୍ଘ ଦିନ ଧରି ସମୁଦ୍ର ଉପରେ ଭାସୁଥିବା ଆମର ଶୁଖିଲା ମନର ପଠା ଉପରେ ସତେ ଯେପରି ଶ୍ୟାମଳ ଦୁବ କଅଁଳି ଉଠିଲା । ରାସ୍ତାର ଦୁଇ ପାଖରେ ଝାଉଁ ଗଛ, ବେଶ୍ କିଛି ଦୂରଯାଏ ତାଳ ଓ ଖଜୁରୀ ଗଛର ଛତ୍ରଗୁଡ଼ିକ ଦିଗର ଶୂନ୍ୟକୁ ପୂରାଇ ରଖିଚି ।

 

ଜାହାଜ କେନାଲ ଭିତରେ ପଶିଗଲାଣି । ଭାରି ଅଣଓସାରିଆ ନାଳଟିର ଦୁଇ ପାଖରେ ପ୍ରାୟ ସମାନ ପ୍ରକାରର ପ୍ରକୃତି ଦିଗନ୍ତ ପ୍ରସାରି ରହଛି । ଡାହାଣ ପାଖରେ ପାଲେଷ୍ଟାଇନ. ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଦେଶ । ଆାଜି ପ୍ରଥମ କରି ମରୁଭୂମି ଦେଖିଲି । ନାଲି ପାଖରୁ ସରୁ ବାଲିର ପଠା ଦିକ୍‌ସୀମା ପର୍ଯ୍ୟନ୍ତ ଲମ୍ବି ରହିଚି । ମଝିରେ ମଝିରେ ପାହାଡ଼ର ଭ୍ରମ ଆଣି ଦେଉଥିବା ଅତ୍ୟୁଚ୍ଚ ବାଲିସ୍ତୁପ ଛଡ଼ା ଆମର ଡାହାଣ ପାଖରେ କୌଣସି ବୈଚିତ୍ର ଆଖିରେ ପଡ଼ୁନାହିଁ ।

 

ବାଁ ପାଖରେ ମଧ୍ୟ ସେଇ ମରୁଭୂମି, କିନ୍ତୁ ଆଖପାଖରେ ଛୋଟବଡ଼ ମରୂଦ୍ୟାନ ଏ ପାଖଟିକୁ ବେଶ୍ ସରସ ସୁନ୍ଦର କରି ରଖିଚି । ନାଳ କୂଳରେ ମକ୍କା ଓ ଯଅ କ୍ଷେତ, ଛୋଟିଆ ଛୋଟିଆ ଘର । ଆଖ ପାଖରେ ମୋଟା-ପତର-ଥିବା ଛୋଟ ଛୋଟ କଣ୍ଟାବୁଦା, ତାଳ ଆଉ ଖଜୁରୀ ଗଛର ବଣ । ମେଣ୍ଢା, ଛେଳି ଓ ଘୋଡ଼ା ବେଶ୍ ଆଖିରେ ପଡ଼ିଲେଣି, ଚାରି ପାଞ୍ଚଟା ଧଳା ଓ ବାଦାମୀ ରଙ୍ଗର ଓଟ ମଧ୍ୟ ଆମେ ଦେଖିଲୁଣି । ବସତି ଗୁଡ଼ିକର ବସତି ସଂଖ୍ୟା ଆଦୌ ଗହଳ ନୁହେଁ । କିଏ ଖାରିଆ ଜମିକୁ ଚାଷ ଉପଯୋଗୀ କରିବାରେ ଲାଗିଚି ତ କିଏ ଆପଣାର ଛୋଟିଆ ଡଙ୍ଗାଟିରେ ଜାଲ ପକାଇ ମାଛ ଧରି ବୁଲୁଛି । ବାଲି ପଠା ଉପରେ କେନାଲରୁ ପାଣି ମଡ଼ାଇ ଲୁଣ ଅମଳ କରିବା ମଧ୍ୟ ଏଠାକାର ଆଉ ଏକ ବ୍ୟବସାୟ । ମଣିଷର ବାସ ଲାଗି ଅନୁପଯୁକ୍ତ ଏଇ ଅଞ୍ଚଳରେ ଜୀବନଧାରଣ କରିବାକୁ ଯେ ଅତି କଠିନ ଉଦ୍ୟମ କରିବାକୁ ପଡ଼ୁଥିବ, ସେ କଥା ସହଜରେ ଜଣାଯାଉଚି ।

 

ଦୁଇ ପାଖରେ ବାଲି, ମଝିରେ କେନାଲ । କେନାଲ ଦୁଇ ପାଖରେ ଛୋଟ ବଡ଼ ଉଦ୍ଭିତର ଶ୍ୟାମଳ ରେଖା ।

 

ଭାରତବର୍ଷର ଗୋଟାଏ ଅତି ମର୍ମନ୍ତୁଦ ଖବର ସକାଳପହରରୁ ଦୁଇ ପାଖରୁ ମରୁଦ୍ୟାନ ଉପରେ ବୁଲୁଥିବା ବେଦୁଇନ ମନକୁ ପୁଣି ଘରମୁହାଁ କରିନେଲା । ଖବର ଆସିଚି ଶୀ ଅରବିନ୍ଦ ଦେହତ୍ୟାଗ କରିଚନ୍ତି । ତାଙ୍କର ଲେଖା ଖୁବ୍ କମ୍ ବହି ମୁଁ ପଢ଼ିଚି, ତାଙ୍କର ଚେଲା ବୋଲାଉଥିବା କେତେକ ବନ୍ଧୁ ଓ ଗୁରୁ ଜନଙ୍କର ପ୍ରବଳ ସ୍ୱପଥ-ପ୍ରଚାର ପ୍ରବଣତା ଅନେକ ସମୟରେ ମୋତେ ଭାରି ବିରକ୍ତ କରିଦେଇଚି । ସେମାନଙ୍କ ଯୁକ୍ତିଗୁଡ଼ାକ କେବଳ ଆପଣାର ବୁଦ୍ଧି କୁଟିଳ ବକ୍ର-ପଥ ଦ୍ୱାରା ସାଧାରଣ ଲୋକଙ୍କୁ ଚମକୃତ କରି ଦେବାରେ ଭାରି ଆଗ୍ରହ ପ୍ରକାଶ କରିଚି । ଅଥଚ ସେ ସବୁ ସତ୍ତ୍ୱେ ଭାରତବର୍ଷ ଆଜି ଜଣେ ଦୀର୍ଘଦୃଷ୍ଟି ସମ୍ପନ୍ନ ସାଧକ ହରାଇ ବସିଲା, ଏହା ସମୟ ସ୍ୱୀକାର କରିବେ ।

 

ଆଜି ଭାରତବର୍ଷ ଅତି ଦୁର୍ଦ୍ଦିନ ମଧ୍ୟ ଦେଇ ଯାଉଚି । ଯୁଗ ଯୁଗ ଧରି ସମୃଦ୍ଧ ହୋଇ ଆସିଥିବା ଏଇ ଦେଶର ଧର୍ମ ଆଜି ଆଧୁନିକ ସଭ୍ୟତାର କାଠଗଡ଼ାରେ ଠିଆ ହୋଇଚି; ଦେଶ ଓ ଜାତିକୁ ଏହି ଧର୍ମ ଯଥାର୍ଥ ନେତୃତ୍ୱ ଦେଇ ପାରିବ କି ନାହିଁ, ହୁଏତ ଶେଷଥର ଲାଗି ଏବେ ତାହାରି ବିଚାର ବସିଚି । ଆଜି ସ୍ଥିତି ଓ ବିଲୟର ମଝି ପଥରେ ଭାରତକୁ ଆପଣା ମତଲବକୁ ପରିଷ୍କାର କରି ଘୋଷଣା କରି ଦେବାକୁ ହେବ । ଧର୍ମ ନାମରେ ଏ ଜାତି ଅନେକ ସହି ସାରିଲାଣି, ଧର୍ମ ନାନା ନିକୃଷ୍ଟ ସଂସ୍କରଣକୁ ନେତାମାନେ ରାଜନୀତିର ବିପଣିରେ ବିକି ଖାଉଥିବା ବେଳେ, ଭାରତର ଏକ ନିଭୃତ ଆଶ୍ରମରେ ଯେ ଜଣେ ସଚ୍ଚା ଧର୍ମପୁତ୍ର ଆପଣାର ତଥା ଆପଣା ଯୁଗର ଉଦ୍ଧାର-ପଥ ଖୋଜିବାରେ ମଗ୍ନ ହୋଇ ରହିଥିଲା, ଏହାହିଁ ବାରବାର ଦେଶର ଅବସନ୍ନ ହତାଶ ମନରେ ଯଥେଷ୍ଟ ଆଶ୍ୱାସନା ଦେଇ ଯାଉଥିଲା । ହୁଏତ ସେ ସାଧନାପୀଠରୁ ଦିନେ ଭାରତ ଲାଗି ସବୁଠାରୁ ବଳିଷ୍ଠ ନିର୍ଦ୍ଦେଶ ମିଳିବ ବୋଲି ଅନେକ ଆଶା କରି ବସିଥିଲେ । ଭାରତର ତୋପ, ବାରୁଦ, ଗୁଳି କିଛି ନାହିଁ । ଏପର୍ଯ୍ୟନ୍ତ ସେ ରୋଗରେ ମରୁଚି । ଧର୍ମ ହିଁ ତାର ଏକମାତ୍ର ପଥ, ଯେଉଁ ଦିଗରେ କି ଜଗତର ସଭିଙ୍କର ଦୃଷ୍ଟି ଆକୃଷ୍ଟ କଳାଭଳି ସେ କିଛି କହି ପାରିବ । ଦେଶର ସେହି ରାଜପଥରୁ ଜଣେ ସୁଯୋଗ୍ୟ ଗୁରୁ ଅପସାରିତ ହୋଇଯିବା ଆମ ପଥରେ କମ୍ ଦୁର୍ଭାଗ୍ୟର କଥା ନୁହେଁ ।

•••

 

୮-୧୨-୫୦

 

କାଲି ଦିନ ବାରଟାବେଳେ ହଠାତ୍ ମଝି ରାସ୍ତାରେ ଆମ ଜାହାଜ ଅଟକି ରହିଲା । କପ୍ତାନ କହିଲେ ପୋର୍ଟସୟଦ ଆଡ଼ୁ ଆସୁଥିବା ଗୋଟାଏ ଜାହାଜ ବାଟରେ କୌଣସି କାରଣରୁ ଅଟକି ଯାଇଚି; ଖରାପ ଇଞ୍ଜିନକୁ ସଜାଡ଼ି ପୁଣି ତାକୁ ଚାଲୁ କରିବାକୁ ପଡ଼ିବ ।

 

ଆଗ ଗତିକ୍ରମ ଅନୁସାରେ ଆମେ ରାତି ପ୍ରାୟ ସାତଟା ଆଠଟା ବେଳକୁ ପୋର୍ଟସୟଦରେ ପହଞ୍ଚି ଥାଆନ୍ତୁ । ଅନ୍ତତଃ କେତେ ଘଣ୍ଟା ଲାଗି ଜାହାଜରୁ ଛୁଟି ପାଇ ସହର ବୁଲି ଆସିବାର ସୁଯୋଗ ମିଳିବ ବୋଲି ଆମେ ଭାରି ସଜବାଜ ହୋଇ ବସିଥିଲୁ । କିନ୍ତୁ ହଠାତ୍ ଏହି ଆକସ୍ମିକ ବାଧା ଆସି ପହଞ୍ଚିବା ଫଳରେ ଚାରିଟା ବେଳଯାଏଁ ଆମକୁ ଏଇଠି ପଡ଼ି ରହିବାକୁ ହେବ-

 

ମାନଚିତ୍ରରୁ ଜାଣି ପାରିଲି, ଆମେ ଗୋଟିଏ ହ୍ରଦ ଭିତରେ ଅଟକିଚୁ । ଚାରିଆଡ଼େ ଜଳରାଶି, ତା’ରି ଭିତରେ ସୁଏଜ ନାଳ ଆପଣାକୁ ବିଲୁପ୍ତ କରି ଦେଇଚି । ମିଶର ଉପକୂଳରେ ଧାଡ଼ି ଧାଡ଼ି କୃଷ୍ଣ ଶ୍ୟାମଳ ତରୁସୌଷ୍ଠବ ମୃଗତୃଷ୍ଣା ପରି ଆମର ଧାବାମାନ ମନମୃଗକୁ ଦଉଡ଼ାଇ ନେଉଚି ।

 

ଚାରିଟା ବାଜିଲା, ଜାହାଜ ଗତି କରିବା ସଙ୍ଗେ ସଙ୍ଗେ ତଳର ତରଙ୍ଗ ଚଞ୍ଚଳ ହୋଇ ପଡ଼ିଲା । ତହିଁ ସଙ୍ଗେ ସଙ୍ଗେ ଆମର ମନ ମଧ୍ୟ ଚଞ୍ଚଳ ହୋଇ ପଡ଼ିଲା । ଅଳ୍ପ ସମୟ ମଧ୍ୟରେ ପ୍ରାୟ ସମସ୍ତେ ଡେକ୍ ଉପରକୁ ଆସିଗଲେ । ଆମ ଆଗେ ଆଗେ ସେହି ସୈନ୍ୟବାହି ଜାହାଜଟା ଯାଉଥାଏ । ତାର ନାଁ ହେଉଚି Empress of Australia ଅତିକାୟ ଜଳ-ତରୀଟିର ଓଜନ ପ୍ରାୟ ୨୮,୦୦୦ ଟନ ବୋଲି ଶୁଣିଲି । ତା’ ତୁଳନାରେ ଆମ ଜାହାଜ କେଡ଼େ ଛୋଟ, ଓଜନ ମାତ୍ର ୮୫୦୦ ଟନ । ତଥାପି ଯାତ୍ରିବାହୀ ଯାହାଜ ବୋଲି ଆମର ‘ଜଳ-ଆଜାଦ’ ଦ୍ୱିତୀୟରେ ଗତି କରିବାର ଅନୁମତି ପାଇଲା । ଏଇ ଚାରିଘଣ୍ଟା ମଧ୍ୟରେ ନାନା ଦେଶୀ ନାନା ଭେକୀ ପ୍ରାୟ କୋଡ଼ିଏ ସରିକି ଜାହାଜ ଜମା ହୋଇ ଯାଇଥିଲେ, ସେମାନେ ଗୋଟିକ ପରେ ଗୋଟିଏ ଆମରି ପଛରେ ଧାଡ଼ି କରି ଚାଲିବାକୁ ଲାଗିଲେ ।

ଦୁଇ ପାଖରେ ବାଲି ବନ୍ଧ–ମଝିରେ ସୁଏଜ କେନାଲର ସଂକୀର୍ଣ୍ଣ ଜଳପଥ । ପଥରର ପାତଳା ଗାନ୍ଥିନୀ ଦ୍ୱାରା ଅଟକାଇ ରଖାଯାଇଚି । ଏ ଅଞ୍ଚଳରେ ମୋଟେ ବର୍ଷା ନାହିଁ କହିଲେ ଚଳିବ । ତା’ ନ ହୋଇଥିଲେ ଦୁଇ ପାଖର ବାଲି ଭୁଷୁଡ଼ି ପଡ଼ି ନାଳଟିକୁ ତଥାପି ସୁରକ୍ଷିତ କରି ରଖିବାକୁ ଯଥାସମ୍ଭବ ବ୍ୟବସ୍ଥା କରିଚନ୍ତି । ଯେଉଁଠି ବାଲି ଜମୁଚି, ସଙ୍ଗେ ସଙ୍ଗେ ଯନ୍ତ୍ର ଦ୍ୱାରା ସେହି ସ୍ଥାନରୁ ବାଲି କାଢ଼ି ଉପରକୁ ଫିଙ୍ଗି ଦିଆଯାଉଚି । ଏପରି କି କାଳେ ନାଳରେ ବଡ଼ ଢ଼େଉ ଉଠି ଦୁଇପାଖ ଗାନ୍ଥିନୀର କୌଣସି ପ୍ରକାରେ ଅନିଷ୍ଠ କରିବ, ସେଥିଲାଗି କେନାଲ ଭିତରେ ପ୍ରତ୍ୟେକ ଜାହାଜ ଲାଗି କେନାଲ କର୍ତ୍ତୃପକ୍ଷଙ୍କ ତରଫରୁ ଚାଳକ ଓ ସହାୟକ, କର୍ମଚାରୀ ମୁତୟନ କରାଯାଇଚି । ସେଇମାନେ ଏକ ନିର୍ଦ୍ଦିଷ୍ଟ ବେଗରେ ଜାହାଜକୁ ଚଲାଇ ନେଇଯିବେ । ଆମ ଜାହାଜ ବର୍ତ୍ତମାନ ସେଇମାନଙ୍କ କର୍ତ୍ତୃତ୍ୱରେ ରହିଚି ।

ଆଗରୁ ସୁଏଜ କେନାଲ କଥା ଭୂଗୋଳ ବହିରେ ପଢ଼ିଥିଲି । ଏହି ସଂକୀର୍ଣ୍ଣ ସ୍ଥଳଭାଗରେ ନାଳଟିଏ ଖୋଳିବା ଦ୍ୱାରା ଇଉରୋପ ଓ ଦକ୍ଷିଣ-ପୂର୍ବ ଏସିଆ ପରସ୍ପର କେତେ ନିକଟକୁ ଆସି ପାରିଚନ୍ତି, ଏହି କଥା ଭାବି ଆଗରୁ ଭାରି ଚମକୃତ ହୋଇଥିଲି । ସାହସୀ ନାବିକ ଭାସ୍କୋ-ଡ଼ା-ଗାମାଙ୍କର ଦୀର୍ଘାବର୍ତ୍ତ ଜଳପଥ ଆବିଷ୍କାର ପରେ ସୁଏଜ କେନାଲର ଖନନ ବୋଧହୁଏ ଜଳପଥର ଇତିହାସରେ ସବୁଠାରୁ ବଳୀ ବଡ଼ ଘଟଣା । ପ୍ରାୟ ଅଶୀ ବରଷ ତଳେ ସୁଏଜ ଯୋଜକରେ ଏକ ଖାଇ ଖୋଳି ଭୂମଧ୍ୟସାରରୁ ଲୋହିତସାଗରକୁ ବାଟ ଫିଟାଇବାର ଉଜ୍ଜଳ ଭବିଷ୍ୟତ ସମ୍ବନ୍ଧରେ ଜର୍ମାନୀର ଖ୍ୟାତ କବି ଗୋଟେ ମଧ୍ୟ ଅତି ବଡ଼ ଆଶା ପୂରଣ କରିଥିଲେ । ସାହସୀ ଓ ଶିକ୍ଷିତ ମାନବର ଏହି ବଡ଼ କୀର୍ତ୍ତି ଦେଖିବାକୁ ହୁଏତ ସେ ବଞ୍ଚି ରହି ପାରିବେ ନାହିଁ ବୋଲି ଦୁଃଖିତ ମଧ୍ୟ ହୋଇଥିଲେ ।

ମଣିଷର ସାହସ ଓ ଶିକ୍ଷା ସଙ୍ଗେ ସଙ୍ଗେ ତା’ର ଯାନ୍ତ୍ରିକ ଶକ୍ତି ବଢ଼ିବା ପରେ ପରେ ମହାକବିଙ୍କର ଇପତ୍ସିତ ସ୍ୱପ୍ନ ଆଜି ସଫଳ ହୋଇଚି । ଭାରତ ଓ ଅଷ୍ଟ୍ରେଲିଆ ସହିତ ୟୁରୋପର ବାଣିଜ୍ୟ ଓ ଦେଣନେଣ ବଢ଼ିଚି, ସୁଦୂର ପ୍ରାଚ୍ୟଖଣ୍ଡରେ ସତ୍ୱର ଯୁଦ୍ଧ କ୍ଷେତ୍ର ସୃଷ୍ଟି କରିବାରେ ମଧ୍ୟ ସୁଏଜ ନାଳର ଭାରି ମହତ୍ତ୍ୱପୂର୍ଣ୍ଣ ହାତ ରହିଚି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଚି, ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶର ରାଜନୀତିକୁ ପ୍ରଭାବିତ କରୁଥିବା ମୂଳଧନ ଚାଳିତ ବ୍ୟକ୍ତିଗତ ସମ୍ପତ୍ତି ହୋଇ ରହିଚି । ପାନାମା ବିଷୟରେ ସବୁ ସତକଥା ଅବଶ୍ୟ ମୁଁ କହି ପାରିବି ନାହିଁ । ସୁଏଜ କେନାଳରେ ଥରେ ଏ ପାଖରୁ ସେପାଖ ଗଲେ ପ୍ରତ୍ୟେକ ଜାହାଜକୁ ହଜାର ହଜାର ଟଙ୍କା ମାହାସୁଲ ଦେବାକୁ ପଡ଼େ । ଆମ ଜାହାଜ କାଲି ପ୍ରାୟ ୩୫୦୦୦ ଟଙ୍କା ମାହାସୁଲ ଗଣିଦେଇ ଆସିଲା । ଜଣେ ବନ୍ଧୁ ମତ ପ୍ରକାଶ କଲେ ଯେ ପୃଥିବୀର ସବୁଦେଶ ମିଳି ସୁଏଜ କେନାଲର ସବୁ ବ୍ୟବସ୍ଥା କରୁଥାନ୍ତେ, ତା’ହେଲେ ବ୍ୟକ୍ତିଗତ ବ୍ୟବସାୟୀଙ୍କ ହାତକୁ ଏତେ ଗୁଡ଼ାଏ ଟଙ୍କା ଚାଲି ଯାଉ ନ ଥାନ୍ତା, ଏଣେ ନାଳଟିକୁ ସବୁ ଦେଶ ଆପଣାର ବୋଲି ଭାବି ଗୌରବ ଅନୁଭବ କରୁଥାନ୍ତେ । କିନ୍ତୁ ଏଗୁଡ଼ାକ ଏକାବେଳକେ ଦୋସାରା ପୋଥିର ପାଠ, ସେଇ ପାଠ ଅନୁସାରେ ହୁଏତ ପାନାମା, ଜିବ୍ରାଲଟ୍ର, ସିଙ୍ଗାପୁର ଓ ହଂକଂ ପ୍ରଭୃତି ଦେଶଙ୍କର କର୍ତ୍ତୃତ୍ୱ ଥାନ୍ତା, ହୁଏତ ଆଜିକାର ପୃଥିବୀଠାରୁ ସେପରି ଏକ ପୃଥିବୀର ବ୍ୟବସ୍ଥା ବିଲକୁଲ ଭିନ୍ନ ଧରଣର ହୋଇଥାନ୍ତା ।
 

ସୁଏଜ କେନାଲ ପଶ୍ଚିମ ଓ ପୂର୍ବ ମଧ୍ୟରେ ଅନେକ ପରିମାଣରେ ମିଳନ ଘଟାଇ ପାରିଚି । ଏହା ଫଳରେ ବମ୍ବେର ତୂଳା ଓ ଅଷ୍ଟ୍ରେଲିଆର ପଶମ ଅତି ଶୀଘ୍ର ଇଂଲିଶ ପ୍ରଣାଳୀରେ ପହଞ୍ଚି ପାରୁଚି, ତେଣୁ ଆସୁଥିବା କଳକବଜା ଓ ମନୋହର ସାମଗ୍ରୀମାନ ଅତିଶୀଘ୍ର (Sterling) ହୋଇ ଘରକୁ ଫେରିଯାଇ ପାରୁଚି । ମହାକବି ଗେଟେ ଆଜି ପୃଥିବୀକୁ ଆସିଲେ ଏହିପ୍ରକାର ମିଳନରେ କେତେଦୂର ପରିତୋଷ ହୋଇପାରିଥାନ୍ତେ, ଏହାର ଉତ୍ତର ସହଜରେ ଦେଇ ହେଉନାହିଁ-

ଜାହାଜ ହ୍ରଦ ଛାଡ଼ି ପୁଣି ଅଣଓସାରିଆ ନାଳରେ ପ୍ରବେଶ କଲା । ଶୀତଦିନର ସୂର୍ଯ୍ୟ ବିଦାୟ ଲାଗି ବଡ଼ ତତ୍ପର ହୋଇ ଉଠିଲା । ମରୁଭୂମିର ଧୂସର ପଟ ଉପରେ ଅସ୍ତ-ଉତ୍ସବଟିକୁ ଯଥାସାଧ୍ୟ ସୁଦୃଶ୍ୟ କରିଦେବାକୁ ମେଘାଭରଣର କୌଣସି ଅଭାବ ହେଲା ନାହିଁ । କଳା, ଧଳା, ନାଲି ଓ ସବୁଜ ମିଶାଇ ଏକ ବହୁବର୍ଣ୍ଣ ଶୋଭାରେ ପଶ୍ଚିମ ଦିଗବଳୟ ଉପରେ ସତେ ଅବା ସୁନ୍ଦର ମରୁଦ୍ୟାନଟିଏ ଜୀବନ ପାଇ ଉଠିଲା । ସୂର୍ଯ୍ୟ ବୁଡ଼ିଯିବାର ଅନେକ ସମୟ ପରେ ମଧ୍ୟ ସମସ୍ତ ବର୍ଣ୍ଣଛଟା ସେହିପରି ସଜୀବ ଭାବରେ ଅବଲେପିତ ହୋଇ ରହିଥିଲା । କେନାଲ କୂଳରେ ସଙ୍ଗେ ସଙ୍ଗେ ଧାଡ଼ି ଧାଡ଼ି ଆଲୁଅ ଜଳି ଉଠିଲା । ଆଖି ଅସ୍ତଗିରିର ଶିଖର ଉପରୁ ଆହୁରି ଉପରକୁ ଉଠି ଉଆଁସ ନିଶିର ନକ୍ଷତ୍ର-ବିଳାସରେ ଆପଣାର ବାସନା ମେଣ୍ଟାଇବାକୁ ଲାଗିଲା ।

ମିଶର ଦେଶ ଛାଡ଼ି ଏପାଖ ଡେକ୍‍କୁ ଆସିଲି, ଏପାଖ ଦେଶର ଠାବ ଠିକଣା କରିବାକୁ-। ଏପାଖରେ ସବୁ ଅନ୍ଧାର, ଅବାରିତ ଭାବରେ ଦୃଷ୍ଟି ପଥକୁ କେବଳ ପରସ୍ତ ପରସ୍ତ କରି ଆବୃତ କରି ଦେଉଚି । ଅନେକ ଦୂରକୁ ଅନାଇ ଗୋଟିଏ ହେଲେ ଆଲୁଅ ଦେଖି ପାରିଲି ନାହିଁ । ବିସ୍ତୀର୍ଣ୍ଣ ସେଇ ମରୁଭୂମି ଉପରେ ପଥ ହରାଇ ହଠାତ୍ ସମସ୍ତ ମନ ଅତି ଏକାକୀ ହୋଇ ପଡ଼ିଗଲା-। ଉପରେ ସବୁ ତାରାକୁ ମଣ୍ଡଳ ଭିତରେ ଧରି ସନ୍ଧ୍ୟାତାରା ଉଜ୍ଜଳ ହୋଇ ଗରୁଡ଼ପକ୍ଷୀର ଡେଣା ଦୁଇଟା ଯେପରି ମତେ ସେଇ ନକ୍ଷତ୍ରଲୋକକୁ ଉତ୍ତୋଳିତ କରି ନେଇ ଯାଉଚି; ମୋରି ଜୀବନ-ବିନ୍ଦୁକୁ ଏକ ଅଦୃଶ୍ୟ ସୂତ୍ରଦ୍ୱାରା ସେହି ଊର୍ଦ୍ଧ୍ୱଲୋକ ସହିତ ସଂଯୁକ୍ତ କରି ଦେଉଚି ।

ସେ ଅନେକ ହଜାର ବରଷ ଆଗକାର କଥା । ସେତେବେଳେ ମଧ୍ୟ ପୂର୍ଣ୍ଣ ପ୍ରାଚୁର୍ଯ୍ୟରେ ପ୍ରକୃତି ଆପଣାକୁ ଭୂପୃଷ୍ଠର ଏଇ ସିକତା ଉପରେ ବିସ୍ତାରି ରଖିଥିଲା । ସେତେବେଳେ ମଧ୍ୟ ଶୂନ୍ୟର ସବୁ ବିସ୍ମୟକୁ ଏକଠୁଳ କରି ଏହିପରି ସନ୍ଧ୍ୟାତାରା ଜଳି ଉଠୁଥିଲା । ଆଉ ତାହାରି ମନ୍ତ୍ରବର୍ଷଣର ଅନ୍ଧାର ତଳେ ମରୁବାସୀ ମଣିଷ ଆପଣାକୁ ଖୋଜି ବୁଲୁଥିଲା । କଠିନ ଜୀବନ-ନିର୍ବାହ ପଥରେ ଦିନମାନ ଓଟ ପିଠିରେ ବୁଲିଥିବା ଭ୍ରାମ୍ୟମାଣ ତାର ସବୁ ଭାବନା ଉପରେ ସନ୍ଧ୍ୟାତାରାର ସବୁ ଶାନ୍ତିରସ ଅଜାଡ଼ି ହୋଇ ପଡ଼ୁଥିଲା । ଏହି ତାରାପଥରେ ସେ କେତେ ସୌରମଣ୍ଡଳ ପାରି ହୋଇ ବିଶ୍ୱ ବିଧାତାର କାରିଗରୀ ଦେଖି ବାହାରି ଯାଉଥିଲା । ନିସ୍ତବ୍‌ଧ ଶୂନ୍ୟ ଉପରେ ସଂଖ୍ୟାହୀନ କେତେ ତାରା, ଅଥଚ ସମସ୍ତେ ନିର୍ଭୁଲ ଭାବରେ ଆପଣା ପଥରେ ଚାଲିଛନ୍ତି-। ଟିକିଏ ହେଲେ ଏପାଖ ସେପାଖ ହେଉନାହିଁ । ସତେ ଅବା କେଉଁ ଗାଣିତିକ ଚିରଦିନ ଲାଗି ଅଙ୍କ କଷି ଥୋଇ ଦେଇଚି; ବିଭିନ୍ନ ସଂଖ୍ୟାର ଚଳନ୍ତି ବିଗ୍ରହ ପରି ଏହି ନକ୍ଷତ୍ରଗୁଡ଼ାକ ସେଇ ଧାରପାତର ନିୟମ ମାନି ଚାଲିଛନ୍ତି । ଏହି ଅପୂର୍ବ କଳ୍ପନାର ଅଭିଜ୍ଞତା ମଣିଷର ଚିନ୍ତାକ୍ଷେତ୍ରକୁ ଅନେକ ଦୂରକୁ ପ୍ରସାରିତ କରିନେଲା, ଏହି ମରୁଭୂମିରେ ହିଁ ଗଣିତ ଓ ଜ୍ୟୋତିଷ ବିଦ୍ୟାର ପ୍ରଥମ ଜନ୍ମ ସମ୍ଭବ ହୋଇ ପାରିଲା ।

ଏହି ବିସ୍ତୀର୍ଣ୍ଣ ମରୁଭୂମିକୁ ଧନ୍ୟ କରିଥିବା ସେ ଯୁଗର ସିଦ୍ଧବିଦ୍ୟ ସମ୍ରାଟ ହମୁରାବି (Hammurabi) ଓ ଖ୍ୟାତ ଅଖ୍ୟାତ ଆହୁରି ଅନେକ ଜିଜ୍ଞାସୁପ୍ରବୀରଙ୍କ ଉଦ୍ଦେଶ୍ୟରେ ମୋର ତୀର୍ଥପଥିକ ମନ ପ୍ରଣତ ହୋଇ ପଡ଼ିଲା ।

ନାଳ କୂଳେ କୂଳେ ସୁଏଜ ବନ୍ଦରଠାରୁ ପୋର୍ଟସୟଦ ପର୍ଯ୍ୟନ୍ତି ରେଲରାସ୍ତା ପଡ଼ିଚି । ମଝିରେ ମଝିରେ ମରୁଦ୍ୟାନମାନଙ୍କରେ ଷ୍ଟେସନ ହୋଇଚି । ରାତି ଅନ୍ଧାରରେ ଆଲୋକମାଳାର ଚଳତସମ୍ଭାର ଦେଖାଇ ଦୁଇ ତିନିଟା ଗାଡ଼ି ଚାଲିଗଲାଣି । ମରୁଉଦ୍ୟାନ ଗୁଡ଼ିକ ବିଜୁଳି ଆଲୁଅର ପ୍ରାଚୁର୍ଯ୍ୟରେ ଭାରି ଶୋଭାମୟ ଦିଶୁଚି, କେନାଲ ଭିତରେ ଆମେ କେତେ ଜାହାଜ ଅତିକ୍ରମ କରି ଯାଉଚୁ, ସମସ୍ତେ ନିୟମ ମାନି ଆମର ଯାତ୍ରୀ ଜାହାଜଟିକୁ ବାଟ ଛାଡ଼ି ଦେଉଛନ୍ତି । ପ୍ରତ୍ୟେକଟିକୁ ଅତିକ୍ରମ କଲାବେଳେ ସେଥିରେ ଥିବା ବନ୍ଧୁମାନଙ୍କ ସହତି ଆମର ବିନିମୟ ଚାଲିଚି । ହାତ ଦୋହଲାଇ ମନଖୋଲା ଉଲ୍ଲସିତ ଚିତ୍କାର କରି କ୍ଷଣକ ଲାଗି ମଝି ବାଟର ଲହି ଭେଟ ଭାରି ମଧୁର ହୋଇ ଉଠୁଚି ।

ସୁଏଜ କେନାଲର ମହତ୍ତ୍ୱ ଜାଣି ଏହାରି କୂଳରେ ଅନେକ ସୈନ୍ୟ ଛାଉଣୀ ରଖା ଯାଇଚି । ହୁଏତ ଏହି ସୁଏଜ କେନାଲକୁ ସୁରକ୍ଷିତ କରି ରଖିବାର ଆବଶ୍ୟକତା ଦୃଷ୍ଟିରୁ ଏପର୍ଯ୍ୟନ୍ତି ଇଂଲଣ୍ଡ ମିଶର ଦେଶରେ ଆଧିପତ୍ୟ ରଖିବାର ମାୟା ଛାଡ଼ିପାରି ନାହିଁ । ନାନା ପ୍ରକାର ସନ୍ଧି ଓ ଚୁକ୍ତିପତ୍ର ଦ୍ୱାରା ତା’ର ଚେର ଏଇ ବାଲିଭୂଇଁରେ ଏପର୍ଯ୍ୟନ୍ତି ମିଶରର ଗଭୀର ତଳକୁ କାମୁଡ଼ି ରହିଚି-। ସ୍ଥଳସେନା ଅପେକ୍ଷା ଆକାଶବାହିନୀର ଛାଉଣୀ ବେଶୀ ଦେଖିବାକୁ ମିଳିଲା । ଦିକ୍‌ଶେଷ ପର୍ଯ୍ୟନ୍ତ ଲମ୍ବି ରହିଥିବା ବାଲି-ସମତଳ ଉପରେ ଏହି ଛାଉଣୀ ଗୁଡ଼ିକର ଏକ କୃତ୍ରିମ ସଂସାର ଗଢ଼ିଉଠିଚି । ଖାଇବା ପିଇବାର ସରଞ୍ଜାମ ହୁଏତ ଆମଦାନୀ ହୋଇ ଦୂର କୂଳେ କୂଳେ ପିଚୁ ରାସ୍ତା ପଡ଼ିଚି, ଦିନମାନ ମଟରଗାଡ଼ିର ଶବ୍ଦରେ ଆଖପାଖରେ ଝାଉଁବଣ ମୁଖରିତ ହୋଇ ରହିଚି ।

ଆତ୍ମରକ୍ଷା କରିବା ଭୟରେ ଏ ଯୁଗର ଶଙ୍କାଳୁ ଲୋଭୀ ମଣିଷ ନିର୍ଜନ ବାଲିକୁଦକୁ ମଧ୍ୟ ପ୍ରାଣପଣେ କାମୁଡ଼ି ଧରି ରଖିବାର ଚେଷ୍ଟା କରିବାରେ କିଛି ବାକୀ ରଖିନାହିଁ । ବାରମ୍ବାର ଯୁଦ୍ଧର ଆଘାତ ଖାଇ ଯୁଦ୍ଧ ଛଡ଼ା ସେ ଆଉ କିଛି ଦେଖିପାରୁ ନାହିଁ ।

ଜାହାଜରେ ଶୁଣିବାକୁ ପାଇଲି ଯେ ମିଶର ଦେଶରେ ଥିବା ଇଂରେଜମାନେ ସ୍ଥାନୀୟ ବାସୀନ୍ଦାଙ୍କୁ ଭାରି ଡରନ୍ତି । ସେଥିଲାଗି ମଟର ଛଡ଼ା ରାତି ହେଲେ ସେମାନେ ପଦାକୁ ବାହାରନ୍ତି ନାହିଁ । ନେପାଳରେ ଏହିପରି ଅଜବ କଥା ଦେଖିବାକୁ ମିଳିଥିଲା । ସେଠି ରାଣା ସମଶେରମାନେ ମାଇଲ୍‍ ମାଇଲ୍‍ ଲମ୍ବା ଉଚ୍ଚ ପାଚେରୀଘେରା ହତା ଭିତରେ ମାଛ ପୋଖରୀ, ସିନେମା ଘର, ଖେଳ ପଡ଼ିଆ ଓ ଶିକାର କରିବା ଲାଗି ଜଙ୍ଗଲ ବରାଦମତେ ବ୍ୟବସ୍ଥିତ ହୋଇ ରହିଥାଏ । ଆମେରିକାରୁ ରପ୍ତାନୀ ହୋଇ ରଜ୍ଜୁପଥରେ ସେମାନଙ୍କ ଲାଗି ସଉକୀ ପ୍ରସାଧନର ସରଞ୍ଜାମ ଆସେ, କେବଳ ଆମେରିକା ବା ବିଲାତରୁ କିଣା ହୋଇଥିବା ମଟରଗାଡ଼ିରେ ସେମାନେ କାଠମାଣ୍ଡୁର କେବଳ ପ୍ରଧାନ ରାସ୍ତାରେ ବୁଲି ବାହାରନ୍ତି । ଦଶ ଟଙ୍କା, ପନ୍ଦର ଟଙ୍କାରେ କୋଉଠି ଦରୱାନ ବା କୋଉଠି ସାଧାରଣ ସୈନ୍ୟ ଭାବରେ ପେଟ ପାଳୁଥିବା ଗୁର୍ଖାର ଭୟ ରାଣୀମାନଙ୍କୁ ନିଃଶଙ୍କ ଭାବରେ ବାଟ ଚଲାଇ ଦିଏ ନାହିଁ ।

 

ଏଠି ମଧ୍ୟ ଠିକ୍ ସେହି କଥା । ଇଜିପଟ୍‌ ବା ମିଶର ଦେଶର ପତାକା ଭିତରେ ବର୍ଷ ବର୍ଷ ଥରି ବ୍ରିଟିଶ ପତାକା ସୂଚିତ ହୋଇ ରହିଥିଲା । ମିଶର ଦେଶର ସବୁ ବଡ଼ ବଡ଼ ବ୍ୟବସାୟୀ ହୁଏତ ଏପର୍ଯ୍ୟନ୍ତ ଶ୍ୱେତକାୟମାନଙ୍କର ନିୟନ୍ତ୍ରଣରେ ଚାଲୁଚି, ବିଦେଶୀ ମୂଳଧନରେ ଚାଲୁଥିବା ବ୍ୟବସାୟର ପ୍ରସାର ସହିତ ମିଶରର ଆଧୁନିକ ସହର ସଂଖ୍ୟା ବଢ଼ିବାରେ ଲାଗିଛି । ବିଗତ-ଶାସକର ଇଚ୍ଛାନୁସାରେ ମିଶରର ବାଲିପ୍ରାନ୍ତର ଯୁଦ୍ଧ ପ୍ରାନ୍ତରରେ ପରିଣତ ହୋଇପାରୁଚି । ବିଦେଶୀବାବୁ ପାଖରେ ଲଘୁଜନୋଚିତ କୌଣସି କାମ ଆଦରି ଜୀବନ ବଞ୍ଚିବା ଛଡ଼ା ଅଧିକାଂଶ ମିଶରବାସୀ ହୁଏତ ଜୀବନରେ କୌଣସି ଉଚ୍ଚତର ଆକାଂକ୍ଷାର କଳ୍ପନା ମଧ୍ୟ କରିପାରି ନାହିଁ । ତେବେ ଅଜ୍ଞ ଦାରିଦ୍ର୍ୟ ମଳିନ ଅଧିବାସୀପ୍ରତି ବିଦେଶୀର ଏ ଅବାଞ୍ଛିତ ଭୟ କାହିଁକି ?

 

କାଲି ମିଶର ସମାଜର ସର୍ବନିମ୍ନ ଆର୍ଥିକ ଓ ସାମାଜିକ ମାନରେ ରହିଥିବା କେତେ ଜଣଙ୍କୁ ଦେଖିବାର ସୁଯୋଗ ମିଳିଥିଲା । ଖାଲି ଗୋଡ଼ରେ ଅଧା ପ୍ୟାଣ୍ଟ ଓ ଗେଞ୍ଜି ପିନ୍ଧି ସେମାନେ କଳା ବଲବଲ ହୋଇ ବନ୍ଦରର କାରଖାନାମାନଙ୍କରେ କାମ କରନ୍ତି । ପ୍ରବଳ ଶୀତରୁ ରକ୍ଷା ପାଇବାକୁ ବେକରୁ ପାଦ ଯାଏଁ ଗୋଟିଏ ପ୍ରକାର ଲମ୍ବା ପୋଷାକ ପିନ୍ଧନ୍ତି । ଅତି ଅବିନ୍ୟସ୍ତ ଭାବରେ ମୁଣ୍ଡରେ ଗୋଡ଼ା ହୋଇଥିବା ପଗଡ଼ି ଛଡ଼ା ସେମାନେ ଆଉ ବେଶୀ କିଛି ବିଳାସର ସୁଯୋଗ ପାଆନ୍ତି ନାହିଁ । ଯତ୍ କିଞ୍ଚିତ କୃଷିକାର୍ଯ୍ୟ କରି ଖାଦ୍ୟ ଯୋଗାଡ଼ କରୁଥିବା ସ୍ଥାନୀୟ ଚାଷୀକୁ ପଦେ ପଦେ ପ୍ରତିକୂଳ ପ୍ରକୃତିର ସମ୍ମୁଖୀନ ହେବାକୁ ପଡ଼େ । କେନାଲ କଡ଼ରେ ଥିବା ନିମ୍ନତଳ ଭୂମିକୁ ଚାଷ କରି, ତାକୁ ବାଲି ଝଡ଼ର ଦୌରାତ୍ମରୁ ରକ୍ଷା କରିବାର ପ୍ରାଣପଣ ଫନ୍ଦି ଫିକର କରି ସେ ଯେଉଁ ବାଜରା ବା ଜବ ଗଣ୍ଡାକ ପାଏ, ସେଥିରେ ତା’ର ସଂସାର ଭାର କେତେଦୂର ଉଶ୍ୱାସ ହୋଇପାରେ, ତାହା ଭଗବାନଙ୍କୁ ଜଣା । ତଥାପି ତାକୁ ଏଡ଼େ ଡର କାହିଁକି ?

 

Darwinଙ୍କର Survival of the fittest Testament ନୀତିକୁ ନବତର Testament ବୋଲି ମାନିଥିବା ସଭ୍ୟ ବଣିକମାନେ ଭାଗ୍ୟ ଖୋଜି ଖୋଜି ଯେତେବେଳେ ଏହି ଅମଡ଼ା ଦେଶରେ ପ୍ରଥମେ ପହଞ୍ଚିଲେ, ସେତେବେଳେ ହୁଏତ ମିଶରବାସୀ ଆହୁରି ଅନୁନ୍ନତ ଥିଲା-। ଆପଣା ଗ୍ରାମ ସୀମା ସେପାଖରେ ଥିବା ପୃଥିବୀ ସମ୍ବନ୍ଧରେ ତା’ର ଜ୍ଞାନ ଅତି ସୀମିତ ଥିଲା-। ତା’ର ଗାଁ ପାଖରେ ସେ କଦାପି କାଇରୋ ବା ପୋର୍ଟସୟଦର କଳ୍ପନା କରି ନ ଥିଲା । ସିଦ୍ଧିବତୀ ଧରୀ ଆସିଥିବା ନବାଗତମାନେ ବିନା ଆୟାସରେ ସେମାନଙ୍କର ଶାସକ ହୋଇ ବସିଲେ । ସେଇମାନଙ୍କ ସେବା ଆଦାୟ କରି ଜୀବନର ଶ୍ରମସାପେକ୍ଷ ଆବଶ୍ୟକତାମାନ ସହଜରେ ମେଣ୍ଟାଇ ନେଲେ । ନୂଆ ଦେଶକୁ ଆସି ଜୀବନ ଯୁଦ୍ଧରେ ଜିତି ପାରିଚନ୍ତି ବୋଲି ସେମାନେ ଜାତି ହିସାବରେ ବେଶ୍ ଗୌରବ ଅନୁଭବ କଲେ । ତାଙ୍କରି ଜାତିର ମୋହରରେ ଏ ଦେଶର ଭାଗ୍ୟ ଚଲିଲା । ତାଙ୍କରି ଫରମାସ ଅନୁସାରେ ବନ୍ଦର, ସହର, ପାର୍କ ଓ ପଡ଼ିଆ ତିଆରି ହେବାଲାଗି ମିଶରବାସୀ ବାଲି ଖେତକୁ ଚଷିବାର କପାଳ ଆଦରି ରହିଲା । ଯେଉଁମାନେ ସହରରେ ରହିଲେ, ସେମାନେ ମାଲିକର ହାଉଦା ଳଗାଇ ସେବକ ହେଲେ । ସାହେବ ଓ ମେମ୍‌ଙ୍କର କଥା ବୁଝିବାକୁ ଖଣ୍ଡିଆ ଇଂରାଜୀ କହି ଶିଖିଲେ । ମାଲିକଙ୍କ ପଛେ ପଛେ ମିସନାରୀ ପାଦ୍ରୀ ଆସି ଦେଶୀ ପାପୀମାନଙ୍କୁ ମୋକ୍ଷ କରିବାର ପ୍ରବଳ ସହାନୁଭବିତା ଦ୍ୱାରା ଅସଲ ମାଡ଼ର ପରାସ ହରଣ କରିନେଲେ । ମଣିଷମାନଙ୍କ ସମେତ ଆଫ୍ରିକା ଗୋଟାଏ ବଡ଼ ଚିଡ଼ିଆ ଖାନାରେ ପରିଣତ ହେଲା । ମିଶରବାସୀ ମଣିଷ, ଭୂଭାଗର ଏକ ନିର୍ଦ୍ଦିଷ୍ଟ ଖଣ୍ଡରେ ସମ୍ମାନିତ ମଣିଷର ସଂସାର ଗଢ଼ିବାର ଅଧିକାର ସେମାନଙ୍କର ଅଛି; ଭୂଖଣ୍ଡ ବିଜୟରେ ବାହାରିଥିବା ବିଜ୍ଞାନସ୍ପର୍ଦ୍ଧିତ ସେହି ବିଦେଶୀ ସେକଥା କ୍ଷଣେମାତ୍ର ଭବି ପାରି ନ ଥିଲା । ଫଳତଃ ବିଦେଶୀ ଚିରଦିନ ବିଦେଶୀ ହୋଇ ରହିଲା । ଦେଶୀ ଚିରଦିନ ଦେଶୀ ହୋଇ ରହିଲା । ଭାଗ୍ୟର ଛକାପଞ୍ଛା ଖେଳରେ ଜିତିଥିବା ଓ ହାରିଥିବା ଉଭୟ ପକ୍ଷ ଭବିଷ୍ୟତ ଉତ୍‌ଥାନ ଓ ବିପର୍ଯୟର ଭୟରେ ଚିରଦିନ ଶଙ୍କିତ ହୋଇ ରହିଲେ । କିନ୍ତୁ ସବୁପ୍ରକାର ଅନୁକୂଳତାରେ ନିମଜ୍ଜିତ ହୋଇ ରହିଥିବା ଶାସକର ସହସ୍ର ସତର୍କତା ସତ୍ତ୍ୱେ ଇତିହାସର ଚକ ଓଲଟିଗଲା । ମିଶରବାସୀ ଆପଣାର ଦୁଃଖ ଓ ଦୁଃଖ-ସମୁଦାୟର ନିଦାନକୁ କ୍ରମେ ବୁଝି ପାରିଲା । ଏକ ଜାତି, ଏକ ଦେଶ ହିସାବରେ ଆପଣାର ସତକଥା କହିବାର ପ୍ରଚଣ୍ଡ ଆକାଂକ୍ଷା ତା’ର ସବୁ ଆଳସ୍ୟ ହରାଇ ନେଲା । ନିର୍ଜୀବ ହୋଇ ପଡ଼ି ରହିଥିବା ଲୁହାଖଣ୍ଡକ ଛୁରୀ ହୋଇ ଚେଇଁ ଉଠିଲା । ମିଶର ବର୍ତ୍ତମାନ ସେଇ ନିଦ ଭାଙ୍ଗିବାର ଯୁଗ ଭିତର ଦେଇ ଯାଉଚି-

 

ମିଶରର ନିଦ ଭାଙ୍ଗିଲାଣି । ସେଥିଲାଗି ଏପର୍ଯନ୍ତ ତା’ରି ଘରେ ଶାସକର ପରିଚୟ ଦେଇ ଆସିଥିବା ଅପରିଚିତର ଅନ୍ତର କ୍ରମେ କ୍ରସ୍ତ ହୋଇପଡ଼ିଲାଣି । ହୁଏତ ସେଇ ତ୍ରାସରେ ଗଳଗ୍ରସ୍ତ ହୋଇ ତାକୁ ଦିନେ ଏ ଭୂଇଁ- ଛାଡ଼ିବାକୁ ପଡ଼ିବ । କିନ୍ତୁ ଏ ଦେଶରେ ସ୍ଥାୟୀ ବାସିନ୍ଦା ହୋଇ ରହିବାର ତଥାପି ଏକ ବାଟ ରହିଛି । ମଟର ଆଉ କୋଠାଘର ଛାଡ଼ି ବିଦେଶୀ ଆଜି ଆପଣାର ଭାଗ୍ୟକୁ ସ୍ଥାନୀୟ nativeର ଭାଗ୍ୟରେ ମିଶାଇ ଦେଉ । ସ୍ନେହ ଓ ଶ୍ରଦ୍ଧାପରବଶ ଏକାତ୍ମରେ ସେ ମିଶରର କଳା ମଣିଷକୁ ନିଜ ପରି ଶିକ୍ଷିତ ଓ ସୁସ୍ଥ କରିବାର ସଂକଳ୍ପ ନେଇ ବାହାରି ପଡ଼ୁ । ତେବେ ହୁଏତ ଇତିହାସର ଅବଶ୍ୟମ୍ଭାବୀ ଗତି ବଦଳି ଯିବ, ହୁଏତ ଏଇ ମିଶର ଭୂଇଁରେ ଏଇ ପୃଥିବୀର ଅନେକ ବଡ଼ ବଡ଼ ସମସ୍ୟାର ସମାଧାନ ହୋଇଯିବ । କଳା ଓ ଧଳା ଉଭୟ ଜାତି ଏକାଠି ସୁଖସଂସାରର ବସତି ଜଢ଼ିବା ଲାଗି ମିଶର ଦେଶରେ କଦାପି ଭୂମିର ଅଭାବ ହେବନାହିଁ ।

 

ରାତିରେ ଜାହାଜର ପ୍ରାୟ ପ୍ରତ୍ୟେକ ଯାତ୍ରୀ ଚେଇଁ ରହିଥିଲେ ଅଧ ରାତିରେ ପୋର୍ଟସୟଦ ବନ୍ଦରକୁ ସମ୍ଭାଷଣ ଜଣାଇବେ ବୋଲି । ଆପଣା ଆପଣାର ଶୀତ ବସ୍ତ୍ର ପିନ୍ଧି ଆମେ ସମସ୍ତେ ନାନାପ୍ରକାର ସରସ ବିନୋଦରେ ସମୟ କଟାଇ ଦେଉଥିଲୁ । ଗୋଟିଏ ପରେ ଗୋଟିଏ ମରୁଦ୍ୟାନ ଅତିକ୍ରମ କଲାବେଳେ ଆମର ଉତ୍ସାହ ଯେପରି କୂଳ ଡେଇଁ ଉଲ୍ଲାସି ଉଠୁଥିଲା । ନିବିଡ଼ ଅନ୍ଧାର ଭିତରେ ଦୂରର ବିଜୁଳିବତୀଗୁଡ଼ିକ ଭାରି ସୁନ୍ଦର ଦିଶୁଥିଲା ।

 

ପୋର୍ଟସୟଦର ପୋତାଶ୍ରୟରେ ପହଞ୍ଚିଲା ବେଳକୁ ରାତି ଅଧକରୁ ବଳି ଗଲାଣି । ଚାରିଆଡ଼େ ସବୁ ଶୂନଶାନ୍ । କେବଳ ବିଜୁଳୀବତୀ ଗୁଡ଼ାକ ଆମର ଜାହାଜକୁ ବନ୍ଦାଇ ନେଉଚନ୍ତି । ପୋତାଶ୍ରୟ ଭିତରେ ନାନା ଦେଶର ଜାହାଜ ଭର୍ତ୍ତି ହୋଇଚି । ଏଇଠି ସୁଏଜ କେନାଲ କମ୍ପାନୀର କର୍ତ୍ତୃତ୍ୱ ସରିଲା । ବିଧିମତେ ଆମ ଜାହାଜର କପ୍ତାନ ପୁଣି ଆପଣାର କାର୍ଯ୍ୟଭାର ଗ୍ରହଣ କଲେ । ଆର ଦିନ ସକାଳ ଆଠଟା ପର୍ଯ୍ୟନ୍ତ ଆମକୁ ଏଇଠି ପଡ଼ି ରହିବାକୁ ହେବ । ତେଣୁ ଅନ୍ତତଃ ସକାଳେ ଘଣ୍ଟାଏ ଦୁଇଘଣ୍ଟା ବାହାରକୁ ଯାଇ ସହର ଛୁଇଁ ଆସିବାକୁ ଆମେ ସମସ୍ତେ ଭାବିଥିଲୁ । ମିଶର ସରକାରଙ୍କର ଡ଼ାକ୍ତର ଆମ ଜାହାଜକୁ ଆସିଲେ । ତାଙ୍କରି କଟକଣା ଅନୁସାରେ କପ୍ତାନ ଘୋଷଣା କରିଦେଲେ ଯେ, କାହାରିକୁ ଜାହାଜରୁ ଓହ୍ଲାଇବାକୁ ଅନୁମତ ମିଳିବ ନାହିଁ । ପୋର୍ଟସୟଦରୁ କାଇରୋ ପର୍ଯ୍ୟନ୍ତ ରେଲ ରାସ୍ତା ପଡ଼ିଚି, ଦୂରତା ପ୍ରାୟ ୧୨୦ ମାଇଲ । କାଇରୋର ଅନତି ଦୂରରେ ପ୍ରାଗୈତିହାସିକ ଯୁଗର ପ୍ରକାଣ୍ଡ ପୀରାମିଡ୍–ସେଇଠି ଜଗତର ସକଳ ଶିକ୍ଷାକୁ ଆପଣା ପ୍ରଶ୍ନରେ ବିକଳ କରି ରଖିଥିବା ସିଂହିନୀ-ନାରୀ (Sphinx)ର ପ୍ରସ୍ତର ମୂର୍ତ୍ତି । ଏତେ ପାଖରେ ଗଲାବେଳେ ଏସବୁକୁ ନ ଦେଖି ଯିବାକୁ ଆମେ ବାଧ୍ୟ ହେଲୁ ବୋଲି ବଡ଼ ଦୁଃଖ ଲାଗୁଚି । ହୁଏତ ଜୀବନରେ ଆଉ ଏସବୁ ଦେଖିବାର ସମୟ ଓ ସାମର୍ଥ୍ୟ ହାତ ପାଖକୁ ଆସିବ ନାହିଁ ।

 

Unknown

ଲୋହିତସାଗରରେ ଆସୁଥିବାବେଳେ ହଠାତ୍ ଦିନେ ଯାଇ ଖବର ପହଞ୍ଚିଲା ଯେ, ଟମାସ୍ କୁକ୍ କମ୍ପାନୀ ଯାତ୍ରୀମାନଙ୍କୁ କାଇରୋ ଓ ପିରାମିଡ଼ ଦେଖାଇବାର ଏକ ବ୍ୟବସ୍ଥା କରିଦେବାକୁ ରାଜି ଅଛନ୍ତି ! ପୁରୀ, ଭୁବନେଶ୍ୱର ଦେଖାଇବାକୁ ଆମ ଓଡ଼ିଶାରେ ପଣ୍ଡା ଅଛନ୍ତି । ସେହିପରି ଯେଉଁମାନେ ନାନା ସଂକ୍ରାନ୍ତରେ ଦୂରଦୂରକୁ ଯାଆନ୍ତି, ସେମାନଙ୍କ ଲାଗି ଯାତ୍ରା-ସମ୍ବନ୍ଧୀ ସକଳ ସୁବିଧା କରାଇ ଦେବାକୁ ପଥିକ ବନ୍ଧୁ ଅନୁଷ୍ଠାନମାନ ରହିଛି । ଟମାସ୍ କୁକ୍ କମ୍ପାନୀ ସେହିପରି ଗୋଟିଏ ଅନୁଷ୍ଠାନ । ପୃଥିବୀର ସବୁ ବଡ଼ ବଡ଼ ଜାଗାରେ ଏମାନଙ୍କର ଶାଖା ରହିଛି । ପ୍ରତ୍ୟେକ ଟିକେଟରୁ କିଛି କିଛି କମିଶନ ପାଇ ଏହି କମ୍ପାନୀ ଅନେକ ପଇସା ରୋଜଗାର କରେ । ଆଧୁନିକ ଜଗତରେ ଅର୍ଥୋପାର୍ଜନର ପଥ ଅତି ପ୍ରଶସ୍ତ ।

 

ଟମାସ୍ କୁକ୍‌ଠାରୁ ଏହିପରି ଗୋଟାଏ ପ୍ରଲୋଭନ ପାଇ ଆମେ ସମସ୍ତେ ଆଶାନ୍ୱିତ ହୋଇପଡ଼ିଥିଲୁ । କାର୍ଯ୍ୟକ୍ରମ ଥିଲା ଯେ ଯାତ୍ରୀମାନେ ସୁଏଜ ବନ୍ଦରରୁ ଓହ୍ଲାଇ ରେଳରେ କାଇରୋ ଯିବେ ।

 

ସେହି ହୋଟେଲରେ ସେମାନଙ୍କର ଖାଇବା ଓ ରହିବା ବ୍ୟବସ୍ଥା କରାଯିବ । କାଇରୋ ଠାରୁ ମୋଟର ଯୋଗେ ପିରାମୀଡ଼ ଦେଖିବାକୁ ଯିବେ । ସବୁ ଦେଖା ସରିଲେ ପୁଶି ରେଳ ଗାଡ଼ିରେ ପୋର୍ଟସୟଦ ଆସି ଜାହାଜ ଧରିବେ । ମୋଟର ଏଥିଲାଗି ପ୍ରାୟ ୨୪ ଘଣ୍ଟା ସମୟ ବାହାରେ ରହିବାକୁ ପଡ଼ିବ ଓ ପ୍ରାୟ ୨୫୦ ମାଇଲ ରେଳ ବା ମଟରରେ ଯିବାକୁ ପଡ଼ିବ । ଏହି ସୁଯୋଗ ଗ୍ରହଣ କରିବାକୁ ହେଲେ, ଜଣପିଛା ୮ ପାଉଣ୍ଡ ଅର୍ଥାତ ପ୍ରାୟ ୧୧୦ ଟଙ୍କା ଦେବାକୁ ପଡ଼ିବ । ଖର୍ଚ୍ଚ ଦେଖି ସମସ୍ତେ ଶଙ୍କିଗଲେ । ଏଇଟା ସଫା ଯେ, ଏହି ସୁବିଧା ଦେଇ କମ୍ପାନୀ ପ୍ରତ୍ୟେକ ଯାତ୍ରୀଠାରୁ ପ୍ରାୟ ୪୦ ଟଙ୍କା ଲାଭ ଉଠାଇବାର ପାଞ୍ଚ କରିଥିଲା । ଅର୍ଥଲାଭର ଗତିପଥ ସବୁବେଳେ ଏହିପରି, ଏହାର ଯୁକ୍ତିଯୁକ୍ତତା ଖୋଜିବା ଅବାନ୍ତ ମାତ୍ର । କମ୍ପାନୀ ତ ଆମକୁ ଯିବାକୁ ବାଧ୍ୟ କରୁ ନ ଥିଲେ, ତାଙ୍କରି ଦରଦାମରେ ରାଜି ହୋଇ ଯିଏ ଯିବାକୁ ଚାହିଁବ, କେବଳ ତାହାରି ବ୍ୟବସ୍ଥା ସେମାନେ କରି ଦେବେ । ଯିବା ନ ଯିବା ପୂରାପୂରି ଆମ ଖୁସି ଉପରେ ନିର୍ଭର କରୁଥିଲା-। ଅବଶ୍ୟ ଯିବାର ସୁଯୋଗ ପାଇଥିଲେ ଆମେ ସମସ୍ତେ ଭାରି ଖୁସି ହୋଇଥାନ୍ତୁ; କିନ୍ତୁ ସାମର୍ଥ୍ୟ ପାଇଲା ନାହିଁ ବୋଲି ସମସ୍ତେ ଲୋଭ ସମ୍ବରଣ କରିବାକୁ ବାଧ୍ୟ ହେଲେ ।

•••

 

ଭୂମଧ୍ୟ ସାଗର

୯-୧୨-୫୦

 

କାଲି ସକାଳ ଆଠଟା ବେଳେ ‘ଜଳ-ଆଜାଦ’ ପୋତାଶ୍ରୟ ଛାଡ଼ିଲା । ପୋର୍ଟସୟଦ୍‍ ସହରର ଏକ ସମଗ୍ର ଦୃଶ୍ୟ କେବଳ ଦୂରରୁ ଦେଖିବାର ସୁଯୋଗ ପାଇଥିଲି । ଜାହାଜ ସୁଏଜ କେନାଲ ଛାଡ଼ି ଭୂମଧ୍ୟସାଗର ଭିତରକୁ କଣ ଭାଙ୍ଗି ବୁଲି ଆସିଲା ବେଳକୁ ସହର ଆଡ଼ଟା ଭାରି ଚମତ୍କାର ଦେଖାଗଲା । ନାନା ଦେଶର ନାନା ବିଦେଶୀଙ୍କର ଯାତାୟତରେ ଜାଗା ଏ, ବିଶେଷତଃ ସୁଏଜ୍‍ କେନାଲର ମୁହଁ ଉପରେ ଥିବାରୁ ଏଠି ବେଶ୍ ସହରଟିଏ ଗଢ଼ି ଉଠିଛି । କେତେ କୋଠା ମାଳ ମାଳ ହୋଇ ଠିଆ ହୋଇଛି; କେତେ ଭାଷାରେ କେତେ ଦେଶୀ ବ୍ୟବସାୟର ବିଜ୍ଞାପନ-ପଟଗୁଡ଼ିକ ଦୂରକୁ ଭାରି ବଡ଼ ବଡ଼ ଦିଶୁଛି । ଚାରିଆଡ଼ୁ ଏହିସବୁ ଅନଧିକାର ପ୍ରବେଶ ଫଳରେ ମିଶରବାସୀ ଏଇ ସହରରେ କୁଆଡ଼େ ବୁଡ଼ି ହଜି ଯାଇଛି ।
 

ଜାହାଜ ଯେତିକି ଦୂର ଦୂରକୁ ଛାଡ଼ି ଆସୁଥାଏ, ପୋର୍ଟସୟଦ ସେତିକି ସେତିକି ମନୋରମ ଲାଗୁଥାଏ । ବେଶ୍ ଗତ କେତେ ଦିନ ଧରି ଅଧା ସ୍ଥଳ ଓ ଅଧା ଜଳରେ ଆମ ଯାତ୍ରାପଥଟି ଅତି ବିଚିତ୍ର ହୋଇ ଉଠିଥିଲା । ସାଗରର ତରଙ୍ଗ-ଲୀଳା ସହିତ ସ୍ଥଳଭାଗର ବିଚତ୍ରିତ ଶୋଭା ଆମକୁ ବେଶ୍ ନବୀନ କରି ରଖିଥିଲା । ସେଇ ଚିତ୍ରପଥର ଶେଷ ମୁଣ୍ଡରେ ପୋର୍ଟସୟଦ ପରେ ହୁଏତ ପୁଣି ସପ୍ତାହେ ପର୍ଯ୍ୟନ୍ତ ଆମକୁ କେବଳ ଭୂମଧ୍ୟ ସାଗରର ନୀଳଲହରୀ ଉପରେ ବିଚରଣ କରିବାକୁ ପଡ଼ିବ ।

 

ଆଫ୍ରିକାର ସ୍ଥଳସଙ୍କେତ କ୍ରମେ ଅଦୃଶ୍ୟ ହୋଇଗଲା । ସ୍ଥଳଭାଗରେ ଆମକୁ ସଜାଗ କରି ରଖିଥିବା ସକଳପ୍ରକାର ସାକ୍ଷାତ୍‍କାରର ଉତ୍ତେଜନା ମନ ଭିତରେ କେବଳ ଏକ ମଧୁମୟ ସ୍ମୃତି ପରି କ୍ରମେ ଶାନ୍ତ ହୋଇ ପଡ଼ିଲା । ପୁଣି ଚତୁର୍ଦ୍ଦିଗରେ କେବଳ ସେହି ସମ୍ପଦକୁବେର ସୃଷ୍ଟିମାଲିକର ନୀଳ ଜଳଭଣ୍ଡାର । ଚତୁର୍ଦ୍ଦିଗରେ କେବଳ ଚଞ୍ଚଳ ପବନ ସାଗରବକ୍ଷରେ ଢେଉ ଉଠାଇ ନାଚି ନାଚି ବୁଲୁଚି । ସମୁଦ୍ରର ପ୍ରଶାନ୍ତି ଉପରେ ପବନର ସବେଗତା, ସ୍ତୂପୀକୃତ-ଚେତନାରୂପୀ କେଉଁ ନୀଳ ବିଭୂତିବିଲେପିତ ଶାୟିତ ଶିବ ଉପରେ ସତେ ଅବା ତରୁଣ-ପବନ-ଚରଣା ଶକ୍ତିରୂପଣୀର ସୃଜନନୃତ୍ୟ ଚାଲିଛି । କ୍ଷଣକେ ଜଳପୃଷ୍ଠରେ ଶୁଭ୍ର ଫେଣର ଶତକୋଟି ଶିଳ୍ପ ଉକୁଟି ଉଠି କ୍ଷଣକେ ପୁଣି କୁଆଡ଼େ ଲୀନ ହୋଇ ଯାଉଚି । ଯେପରି ଗୋଟାଏ ଗୋଟାଏ ନିଃଶ୍ୱାସରେ ସବୁ ପ୍ରକାଶିତ କରି ପୁଣି ଗୋଟାଏ ପ୍ରଶ୍ୱାସରେ କିଏ ସବୁ ରୂପାୟନକୁ ଆପଣା ଗର୍ଭକୁ ଟାଣି ନେଉଚି ।

 

ସାଗର ଉପରେ ସମସ୍ତ ସୃଷ୍ଟି ପଦ୍ଧତିରେ ଏଇ ପ୍ରତିକୃତି ଦେଖୁ ଦେଖୁ ମୁଁ ପଶ୍ଚିମ ଦିଗକୁ ଭାସି ଯାଉଥିଲି । ବର୍ତ୍ତମାନ ଲକ୍ଷ୍ୟ ଅନେକ ଦୂର–ଜିବ୍ରାଲ୍‌ଟର ପୋର୍ଟସୟଦ ଠାରୁ ୧୯୦୧ ମାଇଲ ବାଟ ।

 

କାଲି ରାତିଯାଏ ପ୍ରାୟ ସମସ୍ତେ ଅଳ୍ପ ସମସ୍ତେ ଅଳ୍ପ ବହୁତେ ଅନିଦ୍ରା ହୋଇଛନ୍ତି । ବିଶେଷକରି ଜାହାଜର କର୍ମଚାରୀ ଓ କପ୍ତାନଙ୍କ ଆଖି ବୋଧହୁଏ ଭାଷା ପଡ଼ିନାହିଁ । ମିଶର ସରକାରଙ୍କର ତରଫରୁ ଜାହାଜ ତନଖିବାକୁ ଆସିଥିବା ଲୋକମାନେ କୁଆଡ଼େ ସେମାନଙ୍କୁ ଅଯଥା ନାନା ଧନ୍ଦାରେ ପକାଇ ବ୍ୟସ୍ତ କରିଛନ୍ତି । ପୋର୍ଟସୟଦଠି ଆମ ଭିତରୁ ଚାରି ପାଞ୍ଚଜଣଙ୍କର ଓହ୍ଲାଇ ଯିବାର ଥିଲା । ଏମାନେ ବମ୍ବେରୁ ଆଣିଥିବା ମଳ-ପରୀକ୍ଷାଗାର ସାର୍ଟିଫିକେଟ୍‍ ମିଶର ଡ଼ାକ୍ତରଙ୍କର ମଞ୍ଚୁରୀ ପାଇଲା ନାହିଁ । ଅଗତ୍ୟା ରାତି ତୃତୀୟ ପ୍ରହରରେ ଆମର ବନ୍ଧୁମାନଙ୍କୁ ସିଧା ଡାକ୍ତରଖାନା ଯିବାକୁ ହେଲା । ସନ୍ତୋଷଜନକ ଭାବରେ ସକଳ ସ୍ୱାସ୍ଥ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେ ହୁଏତ ଚାରି ପାଞ୍ଚଦିନ ପରେ ସେମାନେ ସେଠୁ ଛାଡ଼ ପାଇବେ । ନୂଆ ଦେଶରେ ଶୀତଦିନ ରାତିରେ ହଠାତ୍ ଏପରି ବ୍ୟବହାର ପାଇଲେ ମନ କଣ ହୋଇ ଯାଉଥିବ, ତାହା କେବଳ ଅନୁଭବୀ ହିଁ ଜାଣି ପାରିବ ।

 

ସକାଳୁ ସମସ୍ତେ ଗଡ଼ପଡ଼ ହୋଇ ଆଳସ୍ୟ ଭାଙ୍ଗୁଛନ୍ତି, ଅନେକଙ୍କର ଆଖି ନାଲି ପଡ଼ି ଯାଇଚି, ସତେ ଅବା କାଲି ରାତିରେ ରୋଶନୀ ପଡ଼ିଆରୁ ସମସ୍ତେ ଅତି ସଦ୍ୟ ଲେଉଟିଚନ୍ତି । ନିଜେ କପ୍ତାନ ବୈଠକଖାନାର ଗୋଟାଏ କୁଶନ୍-ଚୌକିରେ ଆସି ପଡ଼ିଯାଇଛନ୍ତି । ବିଶ୍ରାନ୍ତିସୂଚକ ହାଇ ମାରୁ ମାରୁ ତାଙ୍କୁ କେତେବେଳେ ଯେ ନିଦ ଲାଗିଯାଇଛି, ତାହା ସେ ଆପେ ଜାଣିପାରିନାହାଁନ୍ତି ।

 

ବାଟରେ ବାର ବାର ଅଟକ ରହି ଗତ ଚବିଶଘଣ୍ଟା ଭିତରେ ଆମେ ମୋଟେ ୫୩ ମାଇଲ ଆସିଛୁ, ଚବିଶଘଣ୍ଟା ବାଟ ଚାଲିଥିଲେ ବୋଧହୁଏ ଯେ କେହି ଆମକୁ ଟପି ଚାଲି ଆସିଥାନ୍ତା । ଯାହାହେଉ ନାନା ପ୍ରକାର କଟକଣାରେ ହାତ ଗୋଡ଼ ବାନ୍ଧି ଅତି ଅଳସ ଗତିରେ କାଟିଥିବା ସମସ୍ତ ରାସ୍ତା ଆମକୁ ପାର୍ଶ୍ୱସ୍ଥ ସ୍ଥଳଭାଗ ଓ ତଦୁପରିସ୍ଥ ଜୀବନଚିତ୍ର ଦେଖିବାକୁ ଅନେକ ଅଧିକ ସମୟ ଦେଇଛି, ଏତିକି ବଡ଼ ସାନ୍ତ୍ୱନାର କଥା । ସୁଏଜ ଓ ପୋର୍ଟସୟଦ ଠାରେ ଆମର ଜାହାଜ ପଡ଼ି ରହିଥିବା ବେଳେ ଇଜିପଟ୍ ବେପାରୀଙ୍କର ପାଟିତୁଣ୍ଡ ଏପର୍ଯ୍ୟନ୍ତ ମୋ କାନରେ ବାଜୁଚି । ଆମ ଜାହାଜର ପହଞ୍ଚିବା ସମୟ ସେମାନଙ୍କୁ ଆଗରୁ ଜଣାଥିଲା ପରି ଆମେ ପୋତାଶ୍ରୟରେ ଆସି ଠିଆ ହୋଇଚୁ କି ନାହିଁ ଅତି ଛୋଟିଆ ଛୋଟିଆ ପାଲଡଙ୍ଗା ନେଇ ସେମାନେ ଆମ ପାଖକୁ ଛୁଟି ଆସିଲେ । ଡଙ୍ଗାଟିରେ ବୋଝାଇ ହୋଇଥିବା ହାଡ଼ ଓ ଚମଡ଼ାର ସୌଖିନ ସାମଗ୍ରୀଗୁଡ଼ିକ ମେଲାଇ ଦେଇ ଖଣ୍ଡିଆ ଇଂରେଜୀ କଥାରେ ସେମାନେ ଜାହାଜର ଯାତ୍ରୀମାନଙ୍କୁ ପ୍ରଲୃବ୍‌ଧ କରିବାରେ ଲାଗି ପଡ଼ିଲେ । ଚମଡ଼ା ତିଆରି ସୁନ୍ଦର ଛୋଟ ବଡ଼ ଥଳୀ ଏଇ ଅଞ୍ଚଳର ବିଶେଷତ୍ୱ । ଥଳୀଗୁଡ଼ିକ ଉପରେ ମରୁଜୀବନର ନାନା ଚିତ୍ର କଟାଯାଇଛି, ବିଲାତ ବା ଗୃହାଭିମୁଖୀ (ପାରସ୍ୟ ଭାଷାରେ ବିଲାତ ଶବ୍ଦଟିର ମୂଳ ଅର୍ଥ ହେଉଛି ଗୃହ) ଯାତ୍ରୀମାନଙ୍କ ଲାଗି ଏସବୁ କମ୍ ଆକର୍ଷଣର ବସ୍ତୁ ହୋଇନାହିଁ । କଳାବିତ୍ ମନର ପଇସା ଏହାଦ୍ୱାରା ନିଶ୍ଚୟ ସାର୍ଥକ ହେଉଚି । ବିଲାତର କୌଣସି ଧୂମାୟିତ ବଡ଼ ସହରରେ ଆପରା ବୈଠକଖାନାରେ ବସି ସେ ଆଫ୍ରିକାର ମରୁଦ୍ୟାନ, ଭାରତବର୍ଷର ମନ୍ଦିର ଓ ମକବରା ଏବଂ ଦେଶର ପାଗୋଡ଼ା ସହିତ ଏକତ୍ର ସଙ୍ଗଲାଭ କରି ପାରୁଚି ।

 

ଜାହାଜ ଦୂରକୁ ଦୂରକୁ ଭାସି ଆସିବା ସଙ୍ଗେ ସଙ୍ଗେ ଆଫ୍ରିକାର ସକଳ ଘଟରୁ ମନର ଦେଖଣାହାରୀ ବିଦା ହୋଇ ଚାଲି ଆସୁଚି । ବିଶ୍ୱ ଦର୍ଶନର ଏହି ଅବିଚ୍ଛିନ୍ନ Continuity ମତେ ଯେପରି କ୍ଷେତ୍ରରୁ କ୍ଷେତ୍ରାନ୍ତରକୁ ଦଉଡ଼ାଇ ନେଇ ଯାଉଚି । ଗୋଟାଏ ତୀର୍ଥରେ ମନ ପୁରୁଣା ନ ହେଉଣୁ ଆହୁରି ଗୋଟାଏ ନୂତନ ତୀର୍ଥ ଆସି ମୋ ଗଛର ସବୁ ହଳଦିଆ ପତରକୁ ଝରାଇ ଦେଇ ଚାଲି ଯାଉଚି । ଜୀବନଟାଯାକ କେବଳ ଏଇ ନବୀନ ତୀର୍ଥ ଲାଗି ନବୀନତର ହେବାର ଆୟୋଜନ ଓ ସମ୍ମୋହନରେ ପୂରି ରହି ନାହିଁ କି ? ସବୁବେଳେ ଯେପରି କେଉଁ ସୁବିଜ୍ଞ ଶିଶୁ ସାଥୀ ମଣିଷ ଶିଶୁ ଲାଗି ଭଳି ଭଳି ରୂପ, ରଙ୍ଗ ଓ ଗନ୍ଧକୁ ଭଳି ଭଳି ରସାୟନରେ ମନ ଲୋଭା କରି ଗଢ଼ି ଦେଇଚି, ଆଉ ମଣିଷ ଭିତରର ବାଇଆ ପିଲାଟା ତା’ରି ପଛରେ ଗୋଡ଼ାଇଚି, କଣ ପାଉଚି ତା’ର ହିସାବ ରଖିବାକୁ ବେଳ ନାହିଁ । ଏହିପରି ଦିନ, ମାସ, ବରଷ ଚାଲି ଯାଉଚି, ଶରୀରର ଚମ ଓ କେଶ ନାନାପ୍ରକାର ସତର୍କ ଲକ୍ଷଣରେ ତାକୁ ଅଟକାଇ ରଖିବାକୁ ଚେଷ୍ଟା କରୁଛି, କିନ୍ତୁ ଆପଣା ଆଖିରେ ନିତ୍ୟ-ନବ ନବ ଛବିଳ ବିଭବ ଦେଖୁଥିବା ନିତ୍ୟ ଯୌବନ ଓ ନିତ୍ୟ ଫଗୁଣର ଫାଲଗୁନୀ ତା’ର ଅସମାପ୍ତ ଯାତ୍ରାରେ ବଞ୍ଚି ବଞ୍ଚି ଅମର ହୋଇ ଚାଲିଚି ।

 

ଚାରିପାଖରେ ସ୍ଥଳଭାଗ, ମଝିରେ ଏଇ ଭୂମଧ୍ୟସାଗର । ସୃଷ୍ଟିର ସକାଳଠାରୁ ଏପର୍ଯ୍ୟନ୍ତ ସଭ୍ୟତାର ସମସ୍ତ ଦୃଶ୍ୟ ଅଭିନୀତ ହୋଇଚି ଏହି ସାଗରର କୌଣସି ନା କୌଣସି ତଟଭୂମି ଉପରେ । ପ୍ୟାଲେଷ୍ଟାଇନ, ସିରିଆ, ତୁରଷ୍କ, କ୍ରୀଟ୍, ଗ୍ରୀସ୍, ଇଟାଲି, ଫ୍ରାନସ ଓ ସ୍ପେନ; ପୁଣି ଏପାଖରେ ମିଶର ଓ ମରକ୍‍କୋ । ସବୁ ଯୁଗ ଓ ସବୁ ସ୍ଥଳର ତୀର୍ଥ ଜଳରେ ବିନ୍ଦୁ ବିନ୍ଦୁ ହୋଇ ଭରି ଉଠିଥିବା ଏହି ସାଗର ବକ୍ଷରେ ସତେ ଯେପରି ସକଳ ଚିତ୍ତ ପୂତ ପରିପ୍ଳୁତ ହୋଇ ଉଠୁଚି । ମୋ ଦେଶ ଭାରତବର୍ଷ ଏଠାରୁ ଅନେକ ଦୂରରେ । କୋଉ ନାଳୀରେ କେତେ ଅନୁତାପ ଓ ଓଜନରେ ଭାରତ ଓ ଭୂମଧ୍ୟସାଗରୀୟ ସଭ୍ୟତା ମଧ୍ୟରେ ସେ ଯୁଗରେ ଗ୍ରହଣ ସମ୍ପ୍ରଦାନ ସମ୍ଭବ ହୋଇଥିଲା, ତାହା ଗବେଷକମାନେ ହୁଏତ କହି ପାରିବେ । ସେ ସବୁ ପାଠ-ନିକୁଟା ମଧ୍ୟରେ ମୁଁ ବର୍ତ୍ତମାନ ପଶିବାକୁ ତିଆରି ନୁହେଁ । ଭାରତଭୂମିର ମହାଜୀବନ–ମନ୍ତ୍ରର ଦୃଷ୍ଟିପୂତ ଝଙ୍କାର ସହିତ ଐକତାନ ରଖି ଗ୍ରୀସ ଓ କ୍ରୀଟରେ ମଧ୍ୟ ମନ୍ତ୍ର ଉଚ୍ଚାରିତ ହୋଇ ଉଠିଥିଲା, ପ୍ରାୟ ସମାନ ମର୍ମରେ ଦୁଇ ଜାଗାର ପ୍ରତିଭା ଏକାଭଳି ସ୍ୱପ୍ନ ଦେଖିଥିଲା, ଜଳ ଓ ସ୍ଥଳ ଡେଇଁବାରେ କୌଣସି ଆଶ୍ରୟ ଓ ସାଧନ ନ ଥିଲେ ମଧ୍ୟ ସାଧନା-ଭୂମିରେ ଦୁଇ ଦେଶ ସେହି ଏକ ନୀଡ଼ରେ ବିଶ୍ୱ ଲାଗି ଆଧାର ଗଢ଼ି ପାରିଥିଲା । ମୋ ଲାଗି ଏହା ହିଁ ଯଥେଷ୍ଟ, ଏହାହିଁ ସବୁଠାରୁ ବଳି ବଡ଼ ଗୌରବର କଥା । ବିଭିନ୍ନ ଲିପିରେ ଓ ବିଭିନ୍ନ ଭାଷାରେ ଦୁଇ ଡାଳ ହୋଇ ଫୁଲ ଫୁଟାଇଥିବା ସେହି ଗୋଟିଏ ମନ ଆଜି ଯେପରି ସେହିମାନଙ୍କର ବଂଶଧର; ଶତ ଶାସ୍ତ୍ର ଓ ଶତଧାରା ବିଦ୍ୟାର ଅନୁଶୀଳନ ସତ୍ତ୍ୱେ ବିଶ୍ୱଜଗତର ଯେଉଁ ପ୍ରଶ୍ନଗୁଡ଼ାକ ଏପର୍ଯ୍ୟନ୍ତ ଅସମାହିତ ହୋଇ ରହିଚି, ସେଇ ଯୁଗର ପ୍ରେରଣାସ୍ତ୍ରରେ ତୂଣୀର ପୂର୍ଣ୍ଣ କରିଥିବା ମୁଁ ଆଜି ସେଇ ପ୍ରଶ୍ନ ପଛରେ ଧାଇଁଛି । ଧରଣୀରେ ଧରା ସ୍ୱର୍ଗ ଗଢ଼ିବାର ସେହି ଯୁଗର ସ୍ୱପ୍ନ ଆଜି ମତେ ବି ସଜାଗ ସଯୌବନ କରି ରଖିଚି; ସବୁ ସ୍ୱାର୍ଥପର ଅପଦେବତାର ସକଳ ଷଡଯନ୍ତ୍ରକୁ ଅସ୍ୱୀକାର କରି ସବୁ ସୁଖ ଓ ସବୁ ଶୁଭର ଅଗ୍ନି ଆଭରଣ କରି ଆଣିବା ଲାଗି ସେହି କାଳର ପଥିକ ପ୍ରୋମ୍‌ଥିଅସ ପରି ମୁଁ ବି ପାଗଭିଡ଼ି ବାହାରିଚି । ହୁଏତ ସେଇଥିଲାଗି ଆଜିର ଏଇ ସାଗରଜଳ ଉପରେ ସେଇ ଯୁଗର ଏକ ଜୀବନ କଣା ମୁଁ ପୁଣି ପୂର୍ଣ୍ଣବୟବ ହୋଇ ଭାଷି ହୋଇ ଉଠି ପାରିଛି । ତିନି ଯୁଗକୁ ଧନ୍ୟ କରି ମଣିଷ ଜନ୍ମଲାଭ କରି ଚାଲିଚି ।

 

ଏ ପାଖରେ ଗ୍ରୀସ୍, ସେପାଖରେ ନୀଳ ନଦୀର ଉର୍ବର ସମତଳ ଉପତ୍ୟକା । କ୍ରୀଟ ଦ୍ୱୀପର ସୋପାନ ଚଢ଼ି ଅନେକ ବର୍ଷ ତଳେ ଏକ ବିରାଟ ସଭ୍ୟତା ଏ ପାଖରୁ ସେ ପାଖକୁ ଆପଣାକୁ ପ୍ରସାରି ଦେଇଥିଲା । ତା’ ପରେ ଦିନେ ସମ୍ରାଟ ଆଲେକ୍‍ଜାଣ୍ଡରଙ୍କ ସହିତ ସଭ୍ୟତା ମଧ୍ୟ ଦିଗଦର୍ଶନ କରି ବାହାରିଲା । ପ୍ରବଳ ଗ୍ରୀକ୍ ବୀରଙ୍କର ଅଭିଯାନ ପଛେ ପଛେ ମାନବର ସମ୍ପର୍କ-ସମ୍ପଦ ବିବାଦ ନେଇ ଏହି ସଭ୍ୟତା ସବୁ ଦେଶରେ ପ୍ରବେଶ କଲା । ଏହାର ଶହେବର୍ଷ ପରେ ହୁଏତ ଦିଗ୍‍ବିଜୟୀ ଆଲେକଜାଣ୍ଡରଙ୍କର ନାମ ନିଶ୍ଚିହ୍ନ ହୋଇଗଲା, କିନ୍ତୁ ସଭ୍ୟତା ଅମର ହୋଇ ରହିଲା । ହୁଏତ ଆମ ଜାହାଜ ବର୍ତ୍ତମାନ ସେହି ପ୍ରଖ୍ୟାତ ଯୁଗର ବିଦ୍ୟାପୀଠ ଆଲେକଜାଣ୍ଡ୍ରିଆର ଅତି ନିକଟରେ ଯାଉଛି । ସେହି ବିରାଟ ଗ୍ରନ୍ଥାଳୟ ଓ ତାକୁଇ ଆବୋରି ସପ୍ରତିଭ ହୋଇ ରହିଥିବା ପଣ୍ଡିତ ସମ୍ରାଟ ଟଲେମୀ ଆଜି ମନରେ ଜଳ ଜଳ ହୋଇ ଦିଶୁଚନ୍ତି ।

 

ସେତେବେଳେ ମଣିଷର ଭୂଗୋଳ-ଜ୍ଞାନ ଅତି ଅପ୍ରଶସ୍ତ ଥିଲା, ସାଗର ଓ ଉପସାଗର ଦ୍ୱାରା ସେତେବେଳେ ମଣିଷ ଭୂଖଣ୍ଡକୁ ଅଳଗା ଅଳଗା କରିଦେଇ ନ ଥିଲା । ଯେ କୌଣସି ନୂତନ ଯାଗାକୁ ଯାଇ ନୂତନ ମଣିଷ ଅତି ସହଜରେ ସେହି ଦେଶକୁ ଆପଣାର ନିଜର କରି ପାରୁଥିଲା । ଗ୍ରୀସର ଜ୍ଞାନୀ ମିଶର ଦେଶରେ ଖୁବ୍ ସ୍ୱାଭାବିକ ଭାବରେ ଆପଣା ଜ୍ଞାନର ପ୍ରସାର କରି ପାରୁଥିଲା-। ଆଜିକାର ଅତି ବେଶୀ ଜାଣିବାର ଯୁଗରେ କୋଉଠି କି ବିଷକିଳା ପୋତା ହେଲା କେଜାଣି, ମଣିଷର ସେହି ସହଜ-ମିଳନ-ରୀତି କ୍ରମେ ମରି ମରି ଗଲା । ଆକାଶର ତାରା ଓ ଭୂଖଣ୍ଡର ରେଖା ସେ ଯୁଗରେ ଯେଉଁ ଦୁଇ ଦେଶର ଶ୍ରେଷ୍ଠ ମନକୁ ଏକତ୍ର କରି ପାରିଥିଲା, ଆଜି ସେହି ଦୁଇ ଦେଶ ମଧ୍ୟରେ କେତେ ଅନ୍ତର, କେତେ ବିଦ୍ୱେଷ ବଦ୍ଧ ବସି ରହିଲାଣି ? ଗୋରା କଳା, ସଭ୍ୟ ଅସଭ୍ୟ ଓ ପାପୀ ପାଗାନ (Pagan) ର ନାନା ପ୍ରକାର ତାରତମ୍ୟରେ ଆମେ ମନେ ମନେ କେତେ ବିଭିନ୍ନ ହୋଇ ପଡ଼ିଚୁ ? ତଥାପି ସେଇଦିନର ବୁଢ଼ା ଏଇ ଭୂମଧ୍ୟସାଗର ଦୁଇ ଉପକୂଳର ନାତି-ଅଣନାତିଙ୍କୁ ନଚାଇ ନଚାଇ ଚାଲିଚି ।

•••

 

ଭୂମଧ୍ୟସାଗର

୧୦-୧୨-୫୦

 

ହଠାତ୍‌ ସାଗର-ଯାତ୍ରାଟା ସରି ସରି ଆସିବା ପରି ମନେ ହେଉଚି । ବମ୍ବେରୁ ବାହାରିବା ଦିନ ମନେ ମନେ ଟକିଏ ଚିନ୍ତିତ ହେଉଥିଲି ଯେ ଜାହାଜ ଉପରେ ମତେ ଦୀର୍ଘ ତନି ସପ୍ତାହ କଟାଇବାକୁ ହେବ । ଅପେକ୍ଷାକୃତ ଅଳ୍ପ ଦିନରେ ଲଣ୍ଡନରେ ପହଞ୍ଚିବା ଭଳି ଆଉ କୌଣସି ଜାହଜରେ ଜାଗାଟିଏ ପାଇଥିଲେ ବୋଧହୁଏ ମୁ ସେତେବେଳେ ଖୁସି ହୋଇଥାନ୍ତି ।

 

କିନ୍ତୁ ଏଇ ବିସ୍ତାରିତ ନୀଳିମା ଭିତରେ ଏତେ ବୈଚିତ୍ର, ଏତେ ମଧୁରିମା ଅଛି ବୋଲି କ’ଣ ମୁ୍ଁ ଜାଣିଥିଲି ? ଗତ ଦୁଇ ସପ୍ତାହ ଭିତରେ ସତେ ଅବା ସେ ମତେ ଅତି ଆପଣାର କରି ନେଇଚି, ଅତି ସନ୍ତର୍ପଣରେ ଦେଉଳକୁ ଯାଉଥିବା ପଥିକ ଯେପରି ପଥରେ ଅଟକି ଯିବାକୁ ଭାରି ପ୍ରଲୁବ୍‌ଧ ହୋଇ ପଡ଼ିଚି । ଏପରି ପ୍ରଲୋଭନକୁ ହୃଦୟରେ ସ୍ଥାନ ଦେବା, ଅଧିକନ୍ତୁ ତାକୁ ନେଇ କବିତ୍ୱ କରିବା କେତେଦୂର ଯୁକ୍ତିଯୁକ୍ତ, ସେକଥା ହୁଏତ ହିତାହିତ-ବାଦୀମାନେ ଭାବି ଚିନ୍ତି ନିର୍ଣ୍ଣୟ କରିବେ ।

 

ଆଉ ସପ୍ତାହେ ଗଲେ ‘ଜଳ-ଆଜାଦ’ ଲିଭରପୁଲ ବନ୍ଦରରେ ପହଞ୍ଚିବ । ବିସ୍ତୃତ ଜଳରାଶି ଉପରେ ଆଜାଦ ହୋଇ ବିଚରଣ କରିବାର ଏଇ ବିଳାସ ସେଦିନଠାରୁ ବନ୍ଦ ହୋଇଯିବ-। ସକଳ ଅନ୍ତର ଭରି ଗୋଟାଏ ନାବିକ ମନ ଯେପରି ଏଇ ବିଦାୟ ଭାବନାରେ ଟିକିଏ ବ୍ୟଥିତ ହୋଇ ପଡ଼ିଚି । ଜାହାଜର ସହଯାତ୍ରୀମାନେ ଏଇ ଅବିରାମ ଯାତ୍ରାରେ ଅତି ବିରକ୍ତ ହୋଇ ପଡ଼ିଲେଣି । ଆଗକୁ ଆଗକୁ ଆହୁରି ଥଣ୍ଡା ପଡ଼ିବ, ସମୁଦ୍ର ଆହୁରି ପ୍ରଚଣ୍ଡ ହୋଇ ଜାହାଜକୁ ଅଧିକ ଟଳମଳ କରିବ, ଏହିପରି ନାନା ଆଶଙ୍କାରେ ଅନେକେ ବେଳେ ବେଳେ ପ୍ରମାଦ ଗଣୁଚନ୍ତି, ନିଜକୁ ବୋଧ ଦେବାକୁ ଯାଇ ଅନ୍ୟକୁ ସେ ବିଷୟରେ ସାବଧାନ କରି ଦେଉଚନ୍ତି । କିନ୍ତୁ ମୋର ଚଗଲା ମନ ଏପର୍ଯ୍ୟନ୍ତ ଆରାମ ଓ ସତର୍କତାର ନୀଡ଼କୁ ଲେଉଟି ଆସି ପାରିନାହିଁ । ଢେଉ ଯେତିକି ପ୍ରବଳ ବେଗରେ ଉପରକୁ ହାତ ବଢ଼ାଇଚି, ସେତିକି ଉପରକୁ ଯେପରି ମୁଁ ପାହାଚ ତିଆରି କରି ଯାଉଚି । କାହା ପାଖରେ ପହଞ୍ଚିବାର ଆକାଂକ୍ଷାରେ ବିକ୍ଷୁବ୍‌ଧ ହୋଇ ପଡ଼ୁଥିବା ଏଇ ତରଙ୍ଗମାଳା ପରି ମୁଁ ଯେପରି କେଉଁ ଅଦୃଶ୍ୟ ଶୂନ୍ୟରେ ଉଡ଼ି ବୁଲିବା ଲାଗି ଆପଣାର ଏକ ଠାବ ଖୋଜିବାକୁ ଧାଇଁ ବୁଲୁଚି ।

 

ଇଂରେଜ କବିମାନଙ୍କର ସମୁଦ୍ର-ସଙ୍ଗୀତ ମାନ ପଢ଼ିଚି । Conradଙ୍କର ସକଳ କଳ୍ପନା ଆଜି ମୋ’ରି ଚିତ୍ତଭୂମିରେ ଛୋଟ ଛୋଟ ଚାରାଗଛ ପରି ଅଙ୍କୁରିତ ହୋଇ ଉଠିଚି । ସେଇ ସମୁଦ୍ରଯାତ୍ରାର ବିଚିତ୍ର ଜୀବନକୁ କେନ୍ଦ୍ର କରି ସେ କେତେ ଗପ କେତେ ଉପନ୍ୟାସ ଲେଖି ନାହାନ୍ତି-? ପାଠାଗାରର ଛାତ୍ରପକ୍ଷରେ ହୁଏତ ଏହି ଏକାଧାର ରୂପେ ଚିତ୍ରଣ ଟିକିଏ ବିରକ୍ତ କରି ମନେ ହୋଇପାରେ । କିନ୍ତୁ ଯିଏ ସେହି କବିର ପିପାସୀ ଆଖି ନେଇ ସମୁଦ୍ର ଉପରେ ବୁଲିଚି, ଯିଏ ଏଇ ତରଙ୍ଗ ସହିତ ତାଳେ ତାଳେ ନାଚି ବୁଲିବାର ବଢ଼ି ଅବସନ୍ନ ହୋଇ ପଡ଼ିବ ନାହିଁ ।

 

ଗୋଟିଏ ଦୃଷ୍ଟିର ଦେଖିଲେ Joseph Conrad ବିଶ୍ୱ ସାହିତ୍ୟ ଲାଗି ଏକ ଅକ୍ଷୂର୍ଣ୍ଣ ଦାନ ଦେଇ ଯାଇଛନ୍ତି । ଭୂପ୍ରକୃତିର ଏଇ ସମୁଦ୍ରବସନ ରୂପ ବିଷୟରେ ଏତେ ବର୍ଣ୍ଣନା ଆମେ ଅନ୍ୟ କେଉଁଠି ପାଇଥାନ୍ତୁ କି ନାହିଁ, ତାହା ଅତି ସନ୍ଦେହଜନକ । ଅତୁଳ ଧୈର୍ଯ୍ୟ ସହକାରେ ସେ ସଂସାରରେ ଯେଉଁଟିକୁ ସବୁଠାରୁ ବେଶୀ ଭଲ ପାଇଥିଲେ ଓ ବୁଝି ପାରିଥିଲେ, ତା’ରି ବିଷୟରେ ତାଙ୍କର ସକଳ ଭାବନା ଓ ଅନୁଭୂତି ସେ ଲିପିବଦ୍ଧ କରି ଯାଇଚନ୍ତି । ହୁଏତ ସାହିତ୍ୟ କ୍ଷେତ୍ରକୁ ସର୍ବାଙ୍ଗ ସୁନ୍ଦର କରିବାକୁ ଏହିପରି ଏକନିଷ୍ଠ ଅଧ୍ୟବସାୟ ଲୋଡ଼ା । ହୁଏତ Conradଙ୍କ ବ୍ୟତୀତ ତାଙ୍କରି ବିଶେଷ କ୍ଷେତ୍ରଟି ଏପର୍ଯ୍ୟନ୍ତ ଅପୂରଣୀୟ ହୋଇଥାନ୍ତା । ଏ ଯୁଗର ସାହିତ୍ୟ ବୌଦ୍ଧିକ ମାର୍ଗ ଧରିଚି, ତେଣୁ ବର୍ଣ୍ଣିତ ଭୂମି ଉପରେ ସଂସାରର ଆଳୁ, ସାରୁ, ମଦନ ଓ ମହାଦେବ ସମସ୍ତଙ୍କୁ ଆଣି ଭର୍ତ୍ତି ନ କଲା ପର୍ଯ୍ୟନ୍ତ କବି ସନ୍ତୁଷ୍ଟ ହୋଇପାରୁନାହିଁ । ମିଶର ଦେଶର ପୀରାମିଡ଼ ଓ ପରଖ ଘରର ପ୍ରୋଟୋପ୍ଳାଜମ୍ କୁ ଆଣି ନ ଥୋଇଲା ପର୍ଯ୍ୟନ୍ତି କବି ଆଖିରେ ପ୍ରିୟାର ବର୍ଣ୍ଣନା ସତେ ଅବା ପରିପୂର୍ଣ୍ଣ ହୋଇ ପାରୁନାହିଁ, କିନ୍ତୁ ଫଳତଃ ଅନ୍ୟ ଦେଶରେ ଆଧୁନିକ ସାହିତ୍ୟ ଅଚିହ୍ନା ନାନା ଦାନା ପଡ଼ି ରନ୍ଧା ହୋଇଥିବା ଏକ ଗୁରୁପାଗ ଖେଚେଡ଼ିରେ ପରିଣତି ହୋଇଚି । ସାହିତ୍ୟର ଅର୍ଥ ଟିକକ ପାଇବା ଲାଗି ବିଚରା ପାଠକକୁ ଇଂରେଜୀ ବିଶ୍ୱକୋଷ ଘାଣ୍ଟି ଦେଖିବାକୁ ପଡ଼ୁଚି । ସକଳ ପ୍ରକାର ଧୈର୍ଯ୍ୟଶୀଳ ସନ୍ଧାନ ପରେ ଯେତେବେଳେ ସେ ସବୁ ଶବ୍ଦର ଅର୍ଥ ବୁଝିପାରୁଛି, ସେତେବେଳେ ରସ ଗ୍ରହଣ କରିବାକୁ ସକଳ ଆଗ୍ରହ ତା’ର ଚାଲି ଯାଉଚି, ଏତେ ପରିଶ୍ରମ କେବଳ ପଣ୍ଡଶ୍ରମରେ ପରିଣିତ ହେଉଚି ।

 

ସବୁ ଜାଣିବାର ଏହି ଆତ୍ମମନ୍ୟ ବିକ୍ରମ ନେଇ ଆପଣାର ଦରପଢ଼ା ବିଦ୍ୟାରେ ସାହିତ୍ୟ ଗଢ଼ିବା ଅପେକ୍ଷା ଆପଣାର ମନୋବିଚରଣର ନିଦ୍ଧିଷ୍ଟ କ୍ଷେତ୍ରଟି ବୁଝି ସେଇ କ୍ଷେତ୍ରର ସକଳ ରତ୍ନକୁ ସୁଚାରୁରୂପେ ଚିହ୍ନାଇ ଦେଉଥିଲେ ହୁଏତ ସାହିତ୍ୟ ଲେଖକମାନେ ସାହିତ୍ୟ ପ୍ରତି ଓ ନିଜ ପ୍ରତି ଅଧିକ ନ୍ୟାୟ ବିଚାର କରି ଥାଆନ୍ତେ । Conrad ନିଜର କ୍ଷେତ୍ରକୁ ଭଲକରି ବୁଝିଥିଲେ । ବାର ବାର ସେଇ କ୍ଷେତ୍ର ଉପରେ ବିଚିତ୍ର ସାହିତ୍ୟ ଗଢ଼ି ଥୋଇବାରେ ତାଙ୍କର ଆଗ୍ରହ ଯେକୌଣସି ସମାଲୋଚନାକୁ ନିଶ୍ଚୟ ବିସ୍ମିତ କରି ଦେବ । ଗୋଲେଇଘାଣ୍ଟି ଅନେକ କଥା କହି ବାହୁସ୍ପୋଟ ମାରିବା ଅପେକ୍ଷା ସୁନ୍ଦର କରି ଗୋଟାଏ କଥା କହି ସେ ସାହିତ୍ୟର ଇତିହାସରେ ଆପଣାର ସୁଯୋଗ୍ୟ ସ୍ଥାନ ଅଧିକାର କରି ପାରିଥିଲେ ।

 

କଥାଟା କହୁ କହୁ ଅତିରିକ୍ତ ଲମ୍ବା ହୋଇଗଲାଣି । Conard ସମ୍ବନ୍ଧରେ ଅନେକ କଟୁ ସମାଲୋଚନା ଶୁଣିଥିଲି; କିନ୍ତୁ ଏଇଥର ସାଗର ଉପରକୁ ଆସି ତାଙ୍କ କୀର୍ତ୍ତିର ସେଇ ଏକକ ସୌନ୍ଦର୍ଯ୍ୟ ବୁଝିପାରିଲି । ସେଥିଲାଗି ଆଜି ତାଙ୍କୁଇ ନେଇ ମୋର ଭାବନାଗୁଡ଼ିକ ଚତୁର୍ଦ୍ଦିଗକୁ ପ୍ରଲମ୍ବିତ ହୋଇ ଯାଉଚି, ସାଗରର ପୂର୍ଣ୍ଣମାଧୁରୀଟିକୁ ଆପଣାର କରିନେବାକୁ ତାଙ୍କରି ସାହିତ୍ୟ ଯେପରି ଆଜି ମୋର ସବୁଠାରୁ ବଡ଼ passport ହୋଇଚି । ସମୁଦ୍ରକୁ ଭଲ ପାଇଥିବା ସେଇ ପ୍ରତିଭାକୁ ଆଜି ତାଙ୍କରି ପରିଚିତ ଉପରୁ ଅନ୍ତରର ପ୍ରଣତି ଜଣାଉଚି ।

 

କାଲି ଶନିବାର ରାତିରେ ଆମ ଜାହାଜର ପ୍ରଥମ ଶ୍ରେଣୀ ଯାତ୍ରୀମାନେ ନୃତ୍ୟାନୁଷ୍ଠାନର କାର୍ଯ୍ୟକ୍ରମ ରଖିଥିଲେ । ନୂଆ ନୂଆ ଇଂରାଜି ଶିଖିଲା ବେଳେ ପିଲାଦିନେ ଗୋଟାଏ ଇଂରେଜୀ କଥା ଶୁଣିଥିଲି, ଯାହାର ଅର୍ଥ ହେଉଚି ଶନିବାର ରାତିଟାକୁ ଅବଶ୍ୟ ଆନନ୍ଦ ବିନୋଦରେ କଟାଇବାକୁ ହେବ । ଆମ ସ୍କୁଲ ରବିବାର ଛୁଟି ହେଉଥିଲା, ସେଇଥିଲାଗି ଶନିବାର ରାତିଟା ଟିକିଏ ଅଳସ ମଉଜରେ କଟାଇବା ମୋଟେ ମନ୍ଦ ନୁହେଁ; ସେତେବେଳେ ଏତିକି ଛଡ଼ା ମୋର ପିଲାମଦ କଥାଟିର ଅଧିକ ଅର୍ଥ କରି ପାରି ନ ଥିଲା । ଆମ ଜାହାଜରେ ଦୁଇଟା ଶନିବାର କଟି ଗଲାଣି, ଦୁଇଦିନଯାକ ଯେପରି କୌଣସି ନିୟମ ମାନିବା ପରି ରାତିରେ ନୃତ୍ୟାନୁଷ୍ଠାନ ହୋଇଚି । ଜାହାଜ ଛାଡ଼ିବା ପୂର୍ବରୁ ଆଉ ଥରେ ମଧ୍ୟ ଏହି ନାଚ ଅନୁଷ୍ଠିତ ହେବ ।

 

ଶାନ୍ତିନିକେତନର ପାଣିପବନରେ ପାଞ୍ଚ ବରଷ ବଢ଼ି ଆସିଚି, ଜୀବନର ସବୁଠାରୁ ଅଧିକ ଫଳ-ପୁଷ୍ପମୟ ବୟସକୁ ଏପରି ଏକ ସ୍ଥାନରେ କଟାଇ ପାରିଚି ବୋଲି ମୁଁ ଚିରଦିନ ଗୌରବ ଅନୁଭବ କରିଥିବି । ଭାରତୀୟ ନୃତ୍ୟକଳାର ଅନୁଶୀଳନ କ୍ଷେତ୍ରହିସାବରେ ଶାନ୍ତିକେତନର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ତା’ଠାରୁ ଆହୁରି ବଡ଼ କଥା ହେଉଚି ଯେ, ପୃଥିବୀରେ ଯେଉଁଠି ଯେତେପ୍ରକାର ନୃତ୍ୟକଳା ଏ ପର୍ଯ୍ୟନ୍ତ ଲୋକଗୋଚରକୁ ଆସିଛି, ଶାନ୍ତିନିକେତନ ସକଳକୁ ଆପଣା ଭିତରକୁ ଅଭ୍ୟର୍ଥନା କରି ଆଣିଚି । ଜାତି, ଧର୍ମ ଓ ପାତ୍ରର ନିର୍ବିଶେଷରେ ସୃଷ୍ଟିର ନଟରାଜ ସହିତ ଯେଉଁଠି ମଣିଷଶିଳ୍ପୀର ମନ ଓ ଅବୟବରେ ସ୍ପନ୍ଦନରେ ଜାଗି ଉଠିଚି, ଶାନ୍ତିନିକେତନ ସେ ସମସ୍ତଙ୍କୁ ଅତି ଆଗ୍ରହର ସହିତ ଜାଣିବାକୁ ଆପଣାର ସବୁଠାରୁ ବଡ଼ ପଥ ବୋଲି ଗ୍ରହଣ କରି ନେଇଚି ।

 

ସେଇ ଜାଗାରେ ମଣିଷ ହୋଇ ଆସିଥିବା ଗୋଟାଏ ଲୋକର ନିଶ୍ଚୟ ନୃତ୍ୟ ସମ୍ବନ୍ଧରେ ଅନ୍ତତଃ ମୌଳିକ ଧାରଣା ଅଛି ବୋଲି ଧରିନେଲେ ଖୁବ୍ ଭଲ ହେବ ନାହିଁ । କେବଳ ସେଇଠି ପାଞ୍ଚବରଷ କଟାଇଥିବାର ଅଧିକାର ବଳରେ ନୃତ୍ୟ ବିଷୟରେ ମୁଁ ପଦେ କଥା କହିବି, ହୁଏତ ତା’ ପରେ ଆମ ଜାହାଜରେ ଚାଲୁଥିବା ଶନିବାର ରାତିର ନୃତ୍ୟ ବିଷୟରେ ଆମେ ଠିକ୍ ଠିକ୍ ବିଚାର କରିପାରିବା ।

 

ସକଳ ସୃଷ୍ଟି ଆବୋରି ପରମ କର୍ତ୍ତାର ନୃତ୍ୟ-ଲୀଳା ଚାଲିଚି, ଚେତନାର ଅନନ୍ତ-ପ୍ରସାରୀ ସାଗର ଭୂମିଟି ଉପରେ ନଟରାଜର ନୃତ୍ୟ ଚାଲିଛି; ସୃଷ୍ଟି, ସ୍ଥିତି ଆଉ ପ୍ରଳୟ ଏଇ ନୃତ୍ୟର ତିନୋଟି ଭାଙ୍ଗ ମାତ୍ର । ସେଇ ନୃତ୍ୟର ନିୟମରେ ବିଶ୍ୱଭୁବନରେ ସମସ୍ତ ଆତଯାତ, ନିୟନ୍ତ୍ରିତ ହେଉଚି, ବ୍ୟଷ୍ଟି ଓ ସମଷ୍ଟି ସବୁରି ଭିତରେ ସେଇ ନୃତ୍ୟର ସ୍ପନ୍ଦନ ସତତ ସବେଗ ହୋଇ ରହିଚି ।

 

ନାନା କାରଣ ଓ ନାନା ଉପଲକ୍ଷରେ ଆମେ ସୃଷ୍ଟି-ସୂତ୍ରରୁ ଆପଣାକୁ ଛିନ୍ନ କରିନେଉ, ନଟରାଜର ନୃତ୍ୟଲୀଳା ବିଷୟରେ ବିସ୍ମୃତ ହୋଇପଡ଼ୁ । ସେତେବେଳେ ଆମର ସ୍ୱାର୍ଥ ଶୋଚନ-ସଙ୍କୁଳ ଏକାକୀ ସଂସାରରେ ନାନା ପ୍ରକାର ଦୁଃଖ, ଯନ୍ତ୍ରଣା ଓ ଅନିଶ୍ଚତତାର ଅପଭାବନାରେ ଆମେ ଆଶଙ୍କିତ ହୋଇ ଉଠୁ । ବିନ୍ଦୁ ଯଦି ସିନ୍ଧୁର ପୁତ୍ରତ୍ୱ ଭୂଲିଯିବ, ତେବେ ନିଶ୍ଚିହ୍ନ ଶୂନ୍ୟରେ ପ୍ରତିକୂଳ ପବନ ସହିତ ସଂଗ୍ରାମ କରବା ହିଁ ତା’ ଜୀବନର ଏକମାତ୍ର କାର୍ଯ୍ୟ ହେବ । ବିଶ୍ୱ-ସୂତ୍ରରୁ ବିଚ୍ୟୁତ ହୋଇ ଆମର ଦଶା ସେହିପରି ହୋଇପଡ଼େ, ହଠାତ୍ କେଉଁ ଶତ୍ରୁର ଦୁର୍ଗ ଭିତରେ ପଶିଥିଲା ପରି ନାନା ଦୁଶ୍ଚିନ୍ତାରେ ଆମ ଜୀବନର ନିର୍ଭରତା ହଜିଯାଏ ।

 

ମଣିଷକୁ ତାର ବିଚ୍ୟୁତ ସଂଗ୍ରାମମୟ ଜୀବନ-ଶ୍ରମରୁ ବିଶ୍ୱଛନ୍ଦ ଶାନ୍ତିଭିତରକୁ ଫେରାଇ ଆଣିବା ଲାଗି (ନୃତବିଦ୍ୟା ଓ ଚିତ୍ରବିଦ୍ୟା ପ୍ରଭୃତି କଳାର ସୃଷ୍ଟି) ଆମେ ସମସ୍ତେ ଗୋଟିଏ ନଟରାଜର ତାଳେ ତାଳେ ବଞ୍ଚି ଚାଲିଚୁ । ଆମର ସୁଖ ଦୁଃଖ, ସ୍ମରଣ ବିସ୍ମରଣରେ କେବଳ ତାହାରି ବୋଲମାନ ନାନା ରୂପେ ନାଚି ନାଚି ଚାଲିଚି । ଅସଲ ଓ ଶ୍ରେଷ୍ଠ ନୃତ୍ୟ ଆମକୁ ଏହି ବିରାଟ ଓ ନିଶ୍ଚୟ ଭିତରକୁ ଫେରାଇ ଆଣେ, ନିଜକୁ ସେଇ ନଟରାଜର ନୂପୁରରେ ଗୋଟିଏ ମାତ୍ର ଘୁଙ୍ଗୁର ପରି କରିଦେଇ ଆମେ ସତେ ଅବା ମହାଜୀବନର ଆସ୍ୱାଦ ଲାଭ କରୁ ।

 

ନୃତ୍ୟର ଆରମ୍ଭ ହୁଏ ଦେବତା-ମନ୍ଦିରରୁ । ସବୁ ଧର୍ମର ଇତିହାସରେ ନୃତ୍ୟର ଏକ ଗରିମାମୟ ସ୍ଥାନ ଅଛି । ଭାରତୀୟ ନାଟ୍ୟଶାସ୍ତ୍ରରେ ମୋକ୍ଷ ହିଁ ନୃତ୍ୟକଳାର ଚରମ ଆସ୍ପାଦ ବୋଲି ଘୋଷଣା କରାଯାଇଛି ।

 

କାଲି ଜାହାଜ ଉପରେ ଯେଉଁ ନୃତ୍ୟ ହେଲା, ବାରବାଟୀ କିଲ୍ଲାରେ ଥରେ ସେହିପରି ନୃତ୍ୟ ଦେଖିଥିଲି । ଚଉଦ ବର୍ଷ ତଳର କଥା । ସେଦିନ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇଥବାରୁ ବଡ଼ ବଡ଼ ସାହେବ ଓ ଅସାହେବ କର୍ମଚାରୀମାନେ ଏଇ ନୃତ୍ୟର ଅନୁଷ୍ଠାନ କରିଥିଲେ । ଅତି ଆଗ୍ରହରେ ଆମେ ପିଲାଏ ବାଣମରା ଦେଖିଯାଇ ଏହି ନୃତ୍ୟର ଚଟଣୀ ମଧ୍ୟ ଚାଖି ଆସିଲୁ ।

 

ମନ୍ଦ ନୁହେଁ, ନାନା ଧନ୍ଦା ଓ ବ୍ୟସ୍ତତାରେ ବିତିଥିବା ଗୋଟାଏ ସପ୍ତାହ ପରେ ଗୋଟାଏ ରାତିର ଏଇ ଭେସରା ଆନନ୍ଦ ନାଚିଲାବାଲା ମାନଙ୍କୁ ମନ୍ଦ ଲାଗୁ ନ ଥିବ । ଶିଖିବା ଅତି ସହଜ; ଭଲ ପୋଷାକ ପତ୍ର ଲଗାଇ ଜଣକୁ ରାଜି କରାଇ ବହିରେ ଲେଖା ହୋଇଥିବା ଗୋଟାଏ ଗତରେ କ୍ରମାଗତ ଅଙ୍ଗ ପ୍ରତ୍ୟଙ୍ଗ ଦୋହଲାଇ ପାରିଲେ ହେଲା । ନାଚ ସଙ୍ଗେ ସଙ୍ଗେ ହୁଇଷ୍କି ପିଆଯାଇ ପାରିବ, ତଦ୍ଦ୍ୱାରା ଅନୁଷ୍ଠାନର ରସଭଙ୍ଗ ହେବାର କୌଣସି ଭୟ ନାହିଁ । ଆଜି ସକାଳେ ଶୁଣିଲି, କାଲି ରାତି ବାରଟାଯାଏ ଏଇ ପାଲା ଚାଲିଥିଲା, ଭୋଗବଣ୍ଟା ଅର୍ଥାତ୍ ଅନୁକ୍ରମିକ ମଧୁରାଳାପ ସରୁ ସରୁ କୁଆଡ଼େ ରାତି ତିନିଟା ବାଜିଗଲା ।

•••

 

ମାଲଟା ପ୍ରଣାଳୀ

୧୧-୧୨-୫୦

 

ଶନିବାର ରାତିରେ ନାଚ ହେଲା, ରବିବାର ସକାଳେ ସମବେତ ଖ୍ରୀଷ୍ଟିୟାନ ପ୍ରାର୍ଥନା ଅନୁଷ୍ଠିତ ହେଲା । ନାଚ ଲାଗି କଳା ମଚ ମଚ ପୋଷାକ ପିନ୍ଧି ଯେଉଁମାନେ ସଜବାଜ ହୋଇ ଆସିଥିଲେ, ସେଇମାନେ ପୁଣି କୋଟ ଆଉ ଟାଇ ବାନ୍ଧି ପ୍ରାର୍ଥନା ଲାଗି ପ୍ରସ୍ତୁତ ହୋଇ ଆସିଲେ । ଗୋଟାଏ ଜୀବନର ପହର ପହରକେ ଏଇ ଅତି ଓ ଅତି ବିଚିତ୍ର ସୌଖିନ ସମାଜରେ ସମ୍ଭବ ହେଉଚି ।

 

କିଏ କାହା ସହିତ ନାଚିଲା, କିଏ ବେଶୀ ସଂଖ୍ୟକ ଲୋକଙ୍କ ସହିତ ନାଚିବାର ସୌଭାଗ୍ୟ ଲାଭ କରିଥିଲା । ରାତି ସାଢ଼େ ତିନିଟା ପର୍ଯ୍ୟନ୍ତ କିପରି ମଜାଗପ ଲାଗିଲା, ଗୋଟାଏ ହୁଇସ୍କି ବୋତଲ ନିଲାମ ଡକା ହୋଇ ମିଳିଥିବା କେତେ ପାଉଣ୍ଡ ମୁଦ୍ରା କିପରି ନାବିକ ସହାୟ-ସମିତିକୁ ଦାନ କରାଗଲା, ସକାଳର ବନ୍ଧୁମିଳନ କାଲି କେବଳ ଏଇ ଗପରେ ସରଗରମ ହୋଇ ଉଠିଥିଲା । ସକାଳକୁ ଅଧେ ଲୋକଙ୍କର ନିଦ ଭାଙ୍ଗି ନ ଥିଲା ନଅଟା ପର୍ଯ୍ୟନ୍ତ । ଯେଉଁମାନେ ନାଚି, ଖେଳି, ମଦ ପିଇ ରାତି ତିନିଟା ଯାଏ ନିଶାଚର ହୋଇ ବସିବାକୁ ଭଲ ପାଆନ୍ତି, ସକାଳ ନଅଟା ଯାଏ ନ ଶୋଇଲେ ସେମାନଙ୍କ ଚଳିବ କିପରି ? ଜୀବନର ବୈଚିତ୍ରକୁ ସବୁଠାରୁ କଡ଼ା ଆଉ ସବୁଠାରୁ ମିଠା କରି ଚାଖିବାର ସୁଯୋଗ ଏଇ ଜାହାଜରେ ମିଳିଲା ।

 

ଯେଉଁ ଘରେ ନାଚ, ଘୋଡ଼ା ଦୌଡ଼ ଓ ନାନାପ୍ରକାର ଖେଳର ଛଳନା ମଧ୍ୟରେ ନିତି ରାତିରେ ଜୁଆଖେଳ ହୁଏ, ସେହି ଘରେ ରବିବାର ପ୍ରାର୍ଥନା ହେଲା । କୋଡ଼ାଇ କେନାଲରେ ଏହି ଅଭିଜ୍ଞତା ମୋର ଅନେକ ହୋଇଚି, ରାମଗିରି ଗଲା ବେଳେ ପଥପ୍ରାନ୍ତର ଗୋଟିଏ ଛୋଟିଆ ଗାଆଁରେ ଆମ ସମାଜର Samaritan ମାନଙ୍କର ପ୍ରାର୍ଥନାରେ ମଧ୍ୟ ଯୋଗ ଦେଇଚି । ତେଣୁ ଅନ୍ୟାନ୍ୟ ଖ୍ରୀଷ୍ଟିୟାନ ବନ୍ଧୁମାନଙ୍କ ପରି ଗୋଟାଏ ନୂଆ ଜିନିଷ ଦେଖିବାର କୌତୁହଳ ନେଇ ମୁଁ ପ୍ରାର୍ଥନାକୁ ଆସି ନ ଥିଲି । ଯାହାକୁ ଆଶ୍ରା କରି ସଂସାରର ଏତେ ଲୋକ ବିଶ୍ୱାସର ସହିତ ଆପଣାର ଧର୍ମ କ୍ଷୁଧା ମେଣ୍ଟାଇ ପାରୁଚନ୍ତି, ଯେଉଁ ଧର୍ମ ପଛରେ ଏଡେ ବଡ଼ ଜଣେ ମାନବ-ପୁତ୍ରଙ୍କର ମହାଦାନ ନିହତ ରହିଚି, ସେଇ ଧର୍ମର ସମବେତ ପ୍ରାର୍ଥନାରେ ସବିନୟ ଆତ୍ମ-ନିବେଦନ ସହିତ ଆପଣାକୁ ପ୍ରଣତ କରି ଦେବାକୁ ହେବ, ମୋର ଧର୍ମ-ଜୀବନ ମତେ ଏଇକଥା ଭଲକରି ଶିଖାଇଚି । ଭାରତବର୍ଷରେ ଏହିପରି ଏକ ଉଦାରତା ଅତି ସ୍ୱାଭାବିକ ଭାବରେ ସବୁ ଯୁଗରେ ପ୍ରଚାରିତ ଓ ଆଚରିତ ହୋଇ ଆସିଚି ।

 

ପ୍ରାର୍ଥନାର ଭଲ ମନ୍ଦ ବିଷୟରେ କିଛି ନ କହିବାହିଁ ଭଲ । ଜାହାଜରେ ଆମ ସହିତ ଆକସ୍ମିକ ଭାବରେ ମିଳିଥିବା ଜଣେ ପାଦ୍ରୀ କଣ କହିଲେ, ତାକୁ ମୁଁ ଏତେ ଗୁରୁତ୍ୱ ଦେବି କାହିଁକି ? ମୋ ସମ୍ମୁଖରେ ଯୀଶୁଖ୍ରୀଷ୍ଟଙ୍କର ବିରାଟ ଜୀବନ କାହାଣୀ ରହିଚି, ମହତ୍ତ୍ୱମୟ ଧର୍ମଗ୍ରନ୍ଥ ବାଇବେଲ ରହିଚି, ଯୀଶୁଙ୍କୁ ନୌକା କରି ଅଶେଷ ଆଶୀର୍ବାଦର କଲ୍ୟାଣମୟ ତଟରେ ପହଞ୍ଚିବାର ସାଧନା କରିଥିବା ଇଉରୋପର ଏକାଧିକ ସନ୍ନ୍ୟାସୀ ଓ ଧର୍ମ ପୁରୁଷଙ୍କର ମହାନ୍ ଭକ୍ତିମାନ ରହିଚି । ଏସବୁ ଅମୂଲ୍ୟ ସମ୍ପଦ ଥାଉ ଥାଉ ଆପଣା ଧର୍ମାଭିମାନରେ ଧର୍ମ-ଦୃଷ୍ଟିକୁ ସମ୍ମୁଗ୍‍ଧ କରି ରଖିଥିବା ଜଣଙ୍କର କଥା ମତେ ବିଚଳିତ କରିବ କାହିଁକି ?

 

ଇଉରୋପ ଓ ଆମେରିକାରେ ଆଜି ସେଇ ଗୋଟାଏ ଧର୍ମର ଆୟତନ ମଧ୍ୟରେ ଅନେକାନେକ ବିଭେଦ ରହିଛି । ସେଇ ଭୂଖଣ୍ଡର ଧର୍ମ-ବିଦ୍ୱେଷର ଇତିହାସ ଅନ୍ୟାନ୍ୟ ଯେକୌଣସି କ୍ଷେତ୍ରର ଇତିହାସ ପରି କେତେ ମଣିଷଙ୍କୁ ମାରିଚି, କେତେ କେତେ ମଣିଷଙ୍କୁ ଜଳନ୍ତା ନିଆଁରେ ପକାଇଚି, ବର୍ତ୍ତମାନ ମଧ୍ୟ ସେ ବିଦ୍ୱେଷର ବହ୍ନି ଲିଭି ନାହିଁ । ଇଉରୋପ ଆଉ ଆମେରିକାର ଆଜି ବଡ଼ ଦୁର୍ଦ୍ଦିନ, ସତେ ଅବା ସେଇ ଭୂମିରେ ପ୍ରତିପାଳିତ ହୋଇ ଆସିଥିବା, ସେଇ ଲୋକଙ୍କ ପଇସାରେ ବଞ୍ଚି ଆସିଥିବା ଧର୍ମ ଲାଗି ଏକ ବଡ଼ ପରୀକ୍ଷାର ସମୟ ଆସିଚି । ଆଜି ହୁଏତ ଡଲାର ଆଉ ପରମାଣୁ ବୋମାର ଜୟ ହେବ, ନ ହେଲେ ଅସଲ ଖ୍ରୀଷ୍ଟିୟାନ ଧର୍ମ ସେମାନଙ୍କୁ ଆସନ୍ନ ବିପଦର ମୁହଁରୁ ବଞ୍ଚାଇ ରଖିବ । ଦୁଃଖ ହୁଏ, ଏଇ ସଙ୍କଟ ସମୟରେ ଘର ଛାଡ଼ି ଏପରିକି ଘରଆଡ଼କୁ ଜଳକା ମୁହଁ କରି ଧର୍ମାନୁଚାରୀ ପାଦ୍ରୀମାନେ ସମୁଦ୍ର ଡେଇଁ ସମ୍ରାଜ୍ୟ ବିସ୍ତାର କରିବାକୁ ବେଶୀ ବ୍ୟସ୍ତ ହୋଇ ପଡ଼ୁଚନ୍ତି ।

 

ଆଫ୍ରିକା, ଅଷ୍ଟ୍ରେଲିଆ ଓ ଭାରତବର୍ଷରେ ସେମାନଙ୍କର କାର୍ଯକଳାପର ଦୁଃଖପୂର୍ଣ୍ଣ ସ୍ମୃତି ଏପର୍ଯ୍ୟନ୍ତ ପୁରୁଣା ହୋଇନାହିଁ । ଗହନ ଜଙ୍ଗଲକୁ ଧର୍ମର ଆଲୋକ ବହନ କରି ନେବାର ପ୍ରଚାର କରି ସେମାନେ କିପରି କେବଳ ଆପଣା ଅଭିମାନର କୁହୁଡ଼ିବାଣରେ ପୃଥିବୀଟାକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରିଥିଲେ, କେତେ କେତେ ଗ୍ରନ୍ଥରେ ତାର ବିବରଣ ସଂରକ୍ଷିତ ହୋଇ ରହିଚି । ଏବେ ମଧ୍ୟ ସେମାନେ ଆପଣାର ଧର୍ମକୁ ଜବରଦସ୍ତି ମଡ଼ାଇବାର ଅବିଶ୍ୱାସ ଛାଡ଼ି ନାହାନ୍ତି । ସୁଖର କଥା, ସେମାନଙ୍କୁ ବଳ ଦେବାକୁ ବର୍ତ୍ତମାନ, ରାଜନୈତିକ ସାମ୍ରାଜ୍ୟର ଛାଇ ଘୋଡ଼ାଇ ରଖିନାହିଁ ।

 

ଏତେଜଣ ଭାରତୀୟ କାଲି ସମସ୍ତ ସନ୍ତର୍ପଣ ସହିତ ଖ୍ରୀଷ୍ଟିୟାନ ପ୍ରାର୍ଥନାରେ ଯୋଗ ଦେଇ ପାରିଲେ, ଭାରତୀୟ ସଂସ୍କୃତିରେ ଏହାହିଁ ସବୁଠାରୁ ବଡ଼ ଗୌରବ । ଇତର ଧର୍ମ ପଥକୁ ସମାନ ସମ୍ମାନ ଦେଖାଇ ତା’ର ପ୍ରାର୍ଥନା ମନ୍ଦିରରେ କେତେ ଜଣ ଖ୍ରୀଷ୍ଟିୟାନ ସମବେତ ହୋଇ ପାରିଥାନ୍ତେ, ସେହି ବିଷୟରେ ମୋର ଅନେକ ସଂଶୟ ରହି ଯାଉଚି । ମୂଳରେ ସେଇ ଉଦାରତା ଥିଲେ ବିଦେଶର ବ୍ୟବସ୍ଥିତ ଧର୍ମସଂସ୍ଥାନମାନ ଭାଙ୍ଗିରୁଜି ତାହାରି ଉପରେ ଗୀର୍ଜାଘର ତିଆରି କରିବାରେ ଯୀଶୁଙ୍କ ନାମରେ ହେଉଥିବା ଧର୍ମ-ଅଭିଯାନ ଏତେ ପ୍ରବଳ ବ୍ୟଗ୍ରତା ଦେଖାଇ ନ ଥାନ୍ତା-

 

ସବୁଠାରେ ଚେଲା ଗୁରୁଙ୍କ ବଳି ଯାଉଚି । ଗୁରୁର ସତ୍ୟରୂପରୁ ଇତର ଲୋକଙ୍କୁ ବଞ୍ଚିତ କରିବାର ଅଭିମାନରେ ମୋହର ମେଘଜାଲ ସୃଷ୍ଟି କରି ସେ ଆପଣାକୁ ମଧ୍ୟ ବଞ୍ଚିତ କରି ରଖିଚି । ଖାଲି ଖ୍ରୀଷ୍ଟିୟାନ ଧର୍ମ କାହିଁକି, ପୃଥିବୀର ସବୁ ଧର୍ମକୁ ବର୍ତ୍ତମାନ ଏଇ ଦୁର୍ଦ୍ଦଶା ଗ୍ରାସି ରହିଚି । ହୁଏତ ପ୍ରଧାନତଃ ସେଇଥିଲାଗି ଆମର ବିପନ୍ନ ଯୁଗ ଧର୍ମର ଏକ ବଳିଷ୍ଠ ନେତୃତ୍ୱ ଲାଗି ଚାହିଁ ବସିଥିଲେ ମଧ୍ୟ ଜଗତର ସବୁ ଧର୍ମପଥ ବୀର୍ଯ୍ୟହୀନ ହୋଇ ପଡ଼ିଚି, ପରମାଣୁ ବୋମା ବା ପଇସା ଆଗରେ ସେ ଅସ୍ତିହୀନ ବିକଲାଙ୍ଗ ହୋଇ ପଡ଼ି ରହିଚି । ଜୀବନ କ୍ଷେତ୍ରରୁ ଧର୍ମ ଅନେକ ଦୂରକୁ ଅପସରି ଗଲାଣି, ସମାଜର ନିରାମିଷ ଲୋକ ହିସାବରେ ଜଗତର ଧର୍ମ ପ୍ରତିନିଧିମାନଙ୍କୁ ସକଳ ସ୍ୱାତନ୍ତ୍ର୍ୟ ଦିଆ ଯାଇଥିଲେ ମଧ୍ୟ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଧୂର୍ତ୍ତ ନୀତିର ମୁଦ୍ରାରେ ଆଜି ସବୁ କାରବାର ଚାଲିଚି ।

 

ତଥାପି ସ୍ୱୀକାର କରିବାକୁ ହେବ ଯେ ଧର୍ମର ଏକ ଶକ୍ତିଶାଳୀ ନେତୃତ୍ୱ ବୋଧହୁଏ ଆଜିପରି କେବେ ଏତେ ବେଶୀ ଅତ୍ୟାବଶକ ହୋଇ ପଡ଼ି ନ ଥିଲା । ରାଜନୀତିର ଖିଆଲରେ ହଠାତ୍ ଗଢ଼ା ହୋଇଥିବା ବିଶ୍ୱ-ରାଷ୍ଟ୍ରସଂଘରୁ କ୍ରମେ ସବୁରୀ ବିଶ୍ୱାସ ତୁଟି ଯାଉଚି । ଛକାପଞ୍ଝା ଖେଳରେ ଟଣାଟଣି ହୋଇ ସେହି ସଭାର ନିସ୍ତବ୍ଧ ମଣ୍ଡଳ ଭିତରେ ସତେ ଅବା କେଉଁ ସମର- ଭୂମିର ବାଇଦ ବାଜିବା ଲାଗି ସମସ୍ତେ ସାମର୍ଥ୍ୟ ଅନୁଯାୟୀ ଅପେକ୍ଷା କରି ରହିଚନ୍ତି । ରାଜନୀତି ହାତରେ ସବୁ ସମର୍ପି ଦେଇ ଆମର ମଣିଷପଣିଆ ମଧ୍ୟ କ୍ରମେ ଭେଜାଲ ହେବାକୁ ବସିଲାଣି । ନାମ ଓ ରୂପର ଅଭିମାନ ଛାଡ଼ି ଧର୍ମର ଅସଲ ମର୍ମକୁ ଜୀବନରେ ଅଭ୍ୟାସ କରୁଥିବା ଅନେକ ମହାନ୍ ବ୍ୟକ୍ତି ବର୍ତ୍ତମାନ ମଧ୍ୟ ଏ ସଂସାରରେ ଅଛନ୍ତି । ସେହିମାନଙ୍କର ଉଦାର ଦୃଷ୍ଟିରେ ହିଁ ସବୁ ଧର୍ମ ଏପର୍ଯ୍ୟନ୍ତ ବଞ୍ଚି ରହିଚି । ହୁଏତ ସେହିମାନଙ୍କ ଦଳ ଭିତରେ ଅନେକ ବଡ଼ ପଣ୍ଡିତ; ବୈଜ୍ଞାନିକ ଓ ଲେଖକ ରହିଚନ୍ତି । ଯୁଗର ସକଳ ପ୍ରତିକୂଳତା ସ୍ୱତ୍ତ୍ୱେ ଖାରା ସଂସ୍କୃତି ଓ ଖାରା ଧର୍ମକୁ ବଞ୍ଚାଇ ରଖିବାକୁ ସେଇମାନେ ଆଜି ଏକତ୍ର ହୁଅନ୍ତୁ, ସେଇମାନେ ଆଜି ଜୀବନର ଦୁର୍ଜୟତା ଘୋଷଣା କରି ଅନ୍ୟ ସକଳ ପ୍ରକାର ବିନାଶମୁଖୀ ଯାତ୍ରାର ଛଦ୍ମବେଶ ଖୋଲି ଦିଅନ୍ତୁ । ଜଗତରେ ବର୍ତ୍ତମାନ ସେଇ ମଣିଷବଳର ଦଳ ଦରକାର ଯେଉଁମାନେ ସବୁ ଧର୍ମକୁ ଏକାଠି ମିଳାଇ ଦେଇ ପାରିବେ, ସକଳ କପଟତା ଓ ଧୂର୍ତ୍ତତା ବିରୁଦ୍ଧରେ ସମାଜକୁ ଦୃଢ଼ଭାବରେ ସତର୍କ କରିଦେଇ ଯେଉଁମାନେ ଇତିହାସର ସକଳ ଧର୍ମଦ୍ରଷ୍ଟାଙ୍କର ଆକାଂକ୍ଷା ପୂର୍ଣ୍ଣ କରିଦେଇ ପାରିବେ । ହୁଏତ ସତ୍ୟ ଓ ଶ୍ରେଷ୍ଠ ଧନର ବିଜୟ ହେବ, ନ ହେଲେ କଳୁଷିତ ପୃଥିବୀର ଏହି କାରାଗାରରେ ସବୁ ସଚ୍ଚୋଟ ମଣିଷ ଆପଣାର ସଚ୍ଚୋଟ କଥା କହି ଫାସୀ କାଠରେ ଝୁଲିବେ । ସକ୍ରେଟିସ ଓ ଯୀଶୁ ଖ୍ରୀଷ୍ଟଙ୍କର ଧର୍ମ ସଂସ୍ଥାପନ-ପଥ କେବଳ ଏହିପରି ଏକ ନିର୍ଭୀକ ଅଭିଯାନ ଜାରୀ ରହି ପାରିବ ।

 

ମାଲ୍‌ଟା ଆଉ ସିସିଲି ଦ୍ୱୀପ ମଧ୍ୟରେ ଛୋଟିଆ ଏଇ ପ୍ରଣାଳୀଟି ଅଥଚ ଜାହାଜ ଉପରୁ ଦୁଇପାଖରେ ଥିବା ସ୍ଥଳଭାଗର କୌଣସି ପତ୍ତା ମିଳୁନାହିଁ । ଖାଲି ଆଜି ସକାଳେ ସାତଟାବେଳେ ବାଁ ପାଖରେ ମାଲ୍‍ଟା ଦ୍ୱୀପର ଏକ ଅନାମଧେୟ ପର୍ବତ ଦୃଷ୍ଟିଗୋଚର ହୋଇଥିଲା । ସିସିଲି ଦ୍ୱୀପର ବିଖ୍ୟାତ ଏଟନା ପର୍ବତ ବେଶ୍ କେଇବର୍ଷ ହେଲା ସୁପ୍ତ ହୋଇ ରହିଥିଲା । ହଠାତ୍ ଏବେ ପୁଣି ଗାଆଁଗଣ୍ଡା ପୋତି ହୋଇ ପଡ଼ୁଛି । ଆମେ ଭାବିଥିଲୁ, ଏତେ ଦୂରରୁ ଆଗ୍ନେୟଗିରିକୁ ଦେଖିବାକୁ ନ ପାଇଲେ ମଧ୍ୟ ଅନ୍ତତଃ ଅଗ୍ନ୍ୟୁତ୍ପାତର ଉଜ୍ଜଳ ଧାସ ଆକାଶରେ ଦେଖିବାକୁ ମିଳିବ । କାଲି ରାତିର ଶେଷ ପହରରେ ଅନେକବାର ଝରକାବାଟେ ପଦାକୁ ଅନାଇଥିଲି, କିନ୍ତୁ କିଛି ଅନ୍ଦାଜ କରିପାରି ନ ଥିଲି । ଉତ୍ତର-ଦିଗଭରି କେବଳ ମେଘ ଘୋଟି ରହିଥିଲା ।

 

ସକାଳୁ ନଅଟା ବେଳେ ଅସରାଏ ବର୍ଷା ହୋଇଗଲା । କାଲି ରାତିରେ ଖାଇବା ପରେ ମଧ୍ୟ ଆମେ ବର୍ଷାର ଟପ ଟପ ଶବ୍ଦ ଶୁଣିଥିଲୁ । ସମୁଦ୍ର ଉପରେ ବର୍ଷାର ପ୍ରଚଣ୍ଡତା ସହଜରେ ଧରାପଡ଼େ ନାହିଁ । କିନ୍ତୁ ସୃଷ୍ଟି-ଚକ୍ରର ଆବର୍ତ୍ତନ ଲୀଳା ଏଇଠି ହଠାତ୍ ମନେ ପଡ଼ିଯାଏ । ପୂର୍ଣ୍ଣରୁ ପୂର୍ଣ୍ଣ ଯାଇ ଯେପରି କେବଳ ସେହି ପୂର୍ଣ୍ଣକୁ ପୂର୍ଣ୍ଣ କରିବାରେ ଲାଗିଚି ।

 

ଭାରି ଥଣ୍ଡା ପଡ଼ିଲାଣି । ଆମେ ପ୍ରାୟ ୩୫ ଡ଼ିଗ୍ରୀ ଉପରକୁ ଉଠି ଗଲୁଣି । ଆହୁରି ଶୀତ ଲାଗି ମନକୁ ପ୍ରସ୍ତୁତ କରି ରଖିବାକୁ ହେବ । ଶୀତ ପାଗର ପ୍ରକୋପକୁ ଡରି ଆଉ ବେଶୀ ପଦାକୁ ବାହାରୁ ନାହାନ୍ତି ।

 

ପରଦିନ ଠାରୁ ଭୂମଧ୍ୟସାଗର ବାତୁଳ ପିଲାଟିଏ ପରି ଦୋହଲିବାରେ ଲାଗିଛି । ପ୍ରଚଣ୍ଡ ପବନରେ ସମୁଦ୍ରଗାତ୍ର ହୁ ହୁ ହୋଇ ଫୁଲି ଉଠି ପୁଣି ପର ମୁହୂର୍ତ୍ତରେ କୋଉ ରସାତଳକୁ ଚାଲିଯାଉଚି । ତାରି ଭିତରେ ଆମରି ଛୋଟିଆ ଜାହାଜଟି ମଧ୍ୟ ତଳଉପର ହୋଇ ଦୋହଲୁଚି, କୋଠରୀର ଛାତ କ୍ଷଣ କ୍ଷଣକେ କଟ କଟ ହୋଇ ଉଠୁଚି । ଠିଆ ହେଲେ ମନେ ହେଉଚି ଯେପରି କିଏ ଆପଣାକୁ ଶୂନ୍ୟ ଉଠାଇନେଇ ପୁଣି ତଳେ ପକାଇଦେଇ ଯାଇଛି । ଦିନକର ଏଇ ବିଚଳିତ ଜଳଯାତ୍ରା ଫଳରେ ଜାହାଜର ଅନେକ ବନ୍ଧୁ ଅସୁସ୍ଥ ହୋଇ ପଡ଼ିଲେଣି । ଅନେକ ବାନ୍ତି କରିବାକୁ ଆରମ୍ଭ କଲେଣି, ଅନେକ ଖାଇବା ବନ୍ଦ କରି ଦେଲେଣି । ଖୁସିରେ ବିଦେଶକୁ ଯାଉଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ି ସେମାନଙ୍କର ସବୁ ମୁଖ ନଷ୍ଟ ହୋଇ ଯାଇଛି । ଏପର୍ଯ୍ୟନ୍ତ ସୁସ୍ଥ ଥିବା ବନ୍ଧୁମାନେ ମଧ୍ୟ ଅସୁସ୍ଥ ହେବା ଭୟରେ ଟିକିଏ ବିମର୍ଷ ହୋଇ ପଡ଼ିଛନ୍ତି । ଆଉ ସାତଦିନରେ କିପରି ଜାହାଜ ଛାଡ଼ିବେ, ଏଇ କଥା ଭାବି ଭାବି କେତେକ ଅସ୍ଥିର ହୋଇ ଉଠିଲେଣି ।

•••

 

ଭୂମଧ୍ୟସାଗର

୧୨-୦୫-୫୦

 

କାଲି ଦିନକ ଭିତରେ ହୁଏତ ପୁଣି ତିନିଶହ ମାଇଲ ଭାସି ଆସିଲୁଣି । କାଲି ଦୁଇପାଖରେ ମାଲ୍‍ଟା ଓ ସିସିଲି ଦ୍ୱୀପକୁ ରଖି ସେଇ ଅଗଭୀର ସମୁଦ୍ରରେ ଯାଉ ଯାଉ ଭାବୁଥିଲି, ଯେପରି ସ୍ଥଳଭାଗ ଉପରେ ହିଁ ମୁଁ ଗତି କରୁଚି । ଆଜି ସେସବୁ କୁଆଡ଼େ ପଛରେ ପଡ଼ି ରହିଲାଣି । ଦିନ ପ୍ରାୟ ପାଞ୍ଚଟା ବେଳେ ପାଣ୍ଟିଲାରିଆ ବୋଲି ଆଉ ଖଣ୍ଡେ ଟାପୁ ମଧ୍ୟ ଘଡ଼ିଏ ଦୃଷ୍ଟିପଥକୁ ଆସି ପୁଣି ଘଡ଼ିକେ ଅଦୃଶ୍ୟ ହୋଇଗଲା । ରାତି ପ୍ରାୟ ୯ଘଣ୍ଟା ସମୟରେ ବନ ଅନ୍ତରୀପର ବତୀଘର ଆପଣାକୁ ଅତି ଦୂରରୁ ସୂଚାଇ ଦେଉଥିଲା । ଟିଉନିସିଆ ଉପକୂଳର ଅତି ପାଖରେ ବର୍ତ୍ତମାନ ଆମେ ଗତି କରୁଛୁ । ପ୍ରାୟ ଜିବ୍ରଲଟର ପର୍ଯ୍ୟନ୍ତ ଏଇ ଦକ୍ଷିଣ ପାଖରେ ଯିବାକୁ ହେବ । ଉତ୍ତର ଦିଗର ଉପକୂଳ ଅନେକ ଯୋଜନ ଦୂରକୁ ଚାଲିଗଲାଣି ।

 

ଦକ୍ଷିଣ ଆକାଶରେ ମେଘ ଜମିଚି, ତେଣୁ ବିଜେଟା ସହରରୁ କୌଣସି ଆଭାସ ମଧ୍ୟ ମିଳୁ ନାହିଁ । ସାତ ବରଷ ତଳେ ଏଇଠି ଦୁଇ ବିଦେଶୀ ବଳ କଷାକଷି ହୋଇଥିଲେ । ବିଜେଟା, ଟିଉନିସିଆ, ଟ୍ରିପଲି, ବେଂଘାଜୀ ସବୁ ଗୋଟି ଗୋଟି କରି ଏପର୍ଯ୍ୟନ୍ତ ମନେ ଅଛି । କେବଳ ନଗ୍ନ ଶୈଳ ଶିଖରରେ କିଣଚକ୍ର-ଗରିଷ୍ଠ ହୋଇ ରଖିଥିବା ଏହି ଶୁଷ୍କ ପ୍ରାନ୍ତରର ସିକତା-ଧବଳ ମୁଖ ସେଇ କେତେଟା ଦିନ ଯେପରି ମଣିଷ ରକ୍ତରେ ଓ ବାରୁଦର ନିଆଁରେ ଲାଲ ଉଦ୍ଭାସିତ ହୋଇ ଉଠୁଥିଲା । ଆନ୍ତର୍ଜାତିକ ରାଜନୀତି ବା ଯୁଦ୍ଧନୀତିରେ ଏଇ ଗୋଟାକ ସବୁଠାରୁ ଆଶ୍ଚର୍ଯ୍ୟ ଲାଗେ । କାହାରି ସହିତ ବାଦ ଲଗାଇବା ତ ଦୂରର କଥା, କାହାରି ସହିତ ସମପରି ହେବାର କୌଣସି ଦମ୍ଭ ଯିଏ କେବେ ପୋଷଣ କରିନାହିଁ, ଆପଣାର ଓଟ ଆଉ ଓଟ ପକ୍ଷୀକୁ ଭରସା କରି ଯିଏ ଯେ କୌଣସିମତେ ଚିରଦିନ ସନ୍ତୁଷ୍ଟ ହୋଇ ରହିଚି, ତା’ରି ଦେଶରେ ବାହାରର ଦୁଇ ଶତ୍ରୁଙ୍କର ଯୁଦ୍ଧ ହେବ । ତାହାରି ଘର ଭାଙ୍ଗିବ, ତା’ରି ପିଲା ପରିବାର ମରିବେ, ତା’ରି ଦେଶ ଅପରର ଇଚ୍ଛା ଅନୁସାରେ ପକ୍ଷ ଓ ବିପକ୍ଷର ହାତକୁ ଯାଉଥିବ । ଟିଉନିସିଆ କୌଣସି ଦିନ କୌଣସି ପ୍ରକାର ନାଜୀବାଦ ବା ଖ୍ରୀଷ୍ଟିୟାନବାଦ (ଗତ ମହାଯୁଦ୍ଧକୁ ସେତେବେଳେ ରାଜନୀତି ବିରୁଦ୍ଧରେ ଖ୍ରୀଷ୍ଟିୟାନ ନୀତିର ଯୁଦ୍ଧ ବୋଲି ଅନେକ ଚିନ୍ତାଶୀଳ ବ୍ୟକ୍ତି ସ୍ୱୀକାର କରିଥିଲେ ।) ର କଳା ବା ଧଳାକୁ ଆଶା କରି ନ ଥିଲା । ଭୂଖଣ୍ଡର ଦେଶଦେଶାନ୍ତର ଉପରେ କୁକୁର ପରି ଲୋଲୁପ ଜିହ୍ୱା ଲେହନ କରି ସେ କୌଣସି ସାମାଜ୍ର୍ୟ ବା ଧର୍ମ-ରାଜ୍ୟର ଲକ୍ଷ୍ମୀବନ୍ତ ସ୍ୱପ୍ନ ଦେଖି ନ ଥିଲା । ଓଲଟି ନୂଆ ବିଜ୍ଞାନ ଓ ନୂଆ ଶିକ୍ଷାର ସରଞ୍ଜାମ ନେଇ ଦିନେ ତା’ରି ଉପରେ ଆକ୍ରମଣ ହେଲା । ତାକୁ ଅସଭ୍ୟ ବର୍ବର ବୋଲି ଚିତ୍ରଣ କରାଯାଇ ସେଇଠି ଆକ୍ରମଣକାରୀର ଉପନିବେଶ ଗଢ଼ା ହେଲା । ସେ ଦିନ ସେ ସବୁ ସହିଥିଲା । ମାଲିକ ଲାଗି ସହର ଭୂଇଁ ଛାଡ଼ିଦେଇ ସେ ଆପଣା ଛେଳି ମେଣ୍ଢା ନେଇ ଅନ୍ତରାଳକୁ ଚାଲିଗଲା । ତଥାପି ସଭ୍ୟତାର ଆସ୍ପର୍ଦ୍ଧା ତା’ରି ଏହି ବିନୀତ ପ୍ରତ୍ୟାଖ୍ୟାନ ସହି ପାରିଲା ନାହିଁ । ଅସଭ୍ୟର ଶାନ୍ତିପୂର୍ଣ୍ଣ ବସତି ଭାଙ୍ଗି କମାଣ ଖଞ୍ଜାଗଲା, ଉଡ଼ାଯାହାଜ ପଡ଼ିଆ ବସିଲା, ତା’ରି ଭୂଇଁ ଉପରେ ହାର ଜିତର ପତାକା ଉଡ଼ିଲା । ଆଟଲାଣ୍ଟିକ୍‍ ବା କାସାବ୍ଳାଙ୍କା ଚୁକ୍ତିକୁ ତା’ର କୌଣସି ପ୍ରତିନିଧି ଆସି ନ ଥିଲେ, ତେଣୁ ବୀରର ବିପଣି ତା’ର ମର୍ମାଘାତ କରି ଚାଲିବାରେ ସଂସାରରେ କୌଣସି ପ୍ରକାର ହୁଲସ୍ତୁଲ ପଡ଼ିଗଲା ନାହିଁ । ସେଇ ରାଜସିକ ଲୀଳା ଏବେ ମଧ୍ୟ ସୁରୁଖୁରୁ ହୋଇ ଚାଲିଛି । ଶିବର ସମସ୍ତ ଶିବତ୍ୱ ଅପହରଣ କରି ରାଜସିକ ଶକ୍ତି ପ୍ରଚଣ୍ଡରୁ ପ୍ରଚଣ୍ଡତର ହେବାରେ ଲାଗିଚି । ଡଲାର ଓ ଡିମୋକ୍ରାସିର ଅଭୟରେ ପ୍ରତିପାଳିତ ଲେଖକ, ବୈଜ୍ଞାନିକ ଓ ଧାର୍ମିକ ଜନମାନେ ଭୂତ ପ୍ରେତପରି ଧୂମାବତୀ ଉଗ୍ର ଶକ୍ତିକୁ ବେଶ୍ ସ୍ତୁତିପୁଷ୍ଟ କରି ରଖିଛନ୍ତି । ଏବେ ବି କେତେ ଅମଡ଼ା ଭୂଇଁରେ ଅଖ୍ୟାତ ଅଥଚ ଶାନ୍ତିପୂର୍ଣ୍ଣ ମଣିଷର ରକ୍ତ ପିଇବାକୁ ତୁହାକୁ ତୁହା ମସୁଧା ଚାଲିଚି, ବହୁ ପରିଶ୍ରମ-ଲବ୍‍ଧ ପାଶବିକ ଅସ୍ତ୍ରକୁ ସୁଦୂର କେଉଁ ଭୂମିରେ ପ୍ରୟୋଗ କରି ମଜା ଦେଖିବାକୁ ଅନେକ ଭାରି ସତୃଷ୍ଣ ହୋଇ ଉଠିଲେଣି । ହିରୋଶିମାକୁ ଡିମୋକ୍ରାସି ଶିକ୍ଷା ଦେଇ ବୋଧ ହୁଏ ବଡ଼ଲୋକର ମନ ବୋଧ ହୋଇ ନାହିଁ ।

 

କାଲିକା ଖବରରେ ଏଇ ସଂକ୍ରାନ୍ତରେ ଓଡ଼ିଶାରୁ ଗୋଟିଏ ଖବର ପାଇଲି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ସବୁ ଆସେମ୍ଳି ସଭ୍ୟ ପରମାଣୁ ବୋମାକୁ କୌଣସି ପ୍ରକାର ଅନିବାର୍ଯ୍ୟ ଅବସ୍ଥାରେ ମଧ୍ୟ ବ୍ୟବହାର ନ କରିବାକୁ ଏକ ସମ୍ମିଳିତ ଆବେଦନ କରିଚନ୍ତି । ହୁଏତ ବୋମା-ମାଲିକ ବଡ଼ଲୋକମାନଙ୍କର କଥାବାର୍ତ୍ତା ବେଳେ ସବୁପ୍ରକାର ଦମ୍ଭର ଦୁର୍ଗ ଭେଦ କରି ଏହି ଆବେଦନ ପହଞ୍ଚି ପାରିବ କି ନାହିଁ ସନ୍ଦେହ, ତଥାପି ଆସନ୍ନ ବଂଶନାଶର ଦୁନ୍ଦୁଭି ବାଜିବା ପୂର୍ବରୁ ଯେଡ଼େ କ୍ଷୀଣ ହେଲେ ମଧ୍ୟ ଆପଣାର ସ୍ପଷ୍ଟ କଥା କହି ପାରିବା ରାଜନୀତି ଚଳାଉଥିବା ନେତାମାନଙ୍କ ପକ୍ଷରେ କମ୍ ପ୍ରଶଂସାର କଥା ନୁହେଁ । ଭାରତର ସବୁ ରାଜ୍ୟରୁ ଏହାର ସ୍ପଷ୍ଟ ସମର୍ଥନ ମିଳିଲେ ପୃଥିବୀରେ ନିଶ୍ଚୟ ତା’ର ଧକ୍କା ବାଜି ପାରିବ ।

 

ଜଗତର ଏଇ ବିପନ୍ନତା ସମ୍ବନ୍ଧରେ ଆପଣାର ଚିନ୍ତାକୁ ବିପନ୍ନ କରି ଦେଲାବେଲେ ହଠାତ୍ ମୁଁ ମନେ ମନେ ଏଇ ସମୁଦ୍ରର ମର୍ମ ଭେଦ କରି ଚାଲି ଯାଉଛି । କେତେ ସଭ୍ୟ କେତେ ଅସଭ୍ୟର ବିଜ୍ଞାପନ ଓ ବିଲୋପ ସତ୍ତ୍ୱେ ସାଗର ସେହିପରି ତାର ମନ୍ଦ୍ର କଳରବରେ ମାତି ରହିଚି । ଶୁଭ୍ରଫେନର କେତେ କେତେ ଚୂଡ଼ା ତା’ରି ବକ୍ଷ ଉପରେ କ୍ଷିପ୍ର ଆବର୍ତ୍ତନରେ ଚୂର୍ଣ୍ଣ ହୋଇଗଲା ପରି ମଣିଷର କେତେ ସାମ୍ରାଜ୍ୟ ଗଢ଼ା ହୋଇ ହୁଏତ କେତେ ସାମ୍ରାଜ୍ୟ ଭାଙ୍ଗି ଗଲାଣି । କାଳେ କାଳେ ମଣିଷର କେତେ କୀର୍ତ୍ତୀ, ଅପକୀର୍ତ୍ତୀ ବୁଢ଼ା ହୋଇ ଭୁଷୁଡ଼ି ପଡ଼ିଲାଣି, ଅଥଚ ସୃଷ୍ଟି-ସ୍ୱପ୍ନର ଶିଖରୂପଟା ସତେଅବା ଏଇ ସାଗର ଉପରେ ମୂର୍ତ୍ତମନ୍ତ ହୋଇ ରହିଚି । ଆଗକାଳର ତତ୍ତ୍ୱଦ୍ରଷ୍ଟାମାନେ ସବୁ ଅବତାରର ସେପାଖର ଏକ ଅନନ୍ତ ଶିଶୁର ବର୍ଣ୍ଣନା କରିଥିଲେ । ସାଗର ବକ୍ଷରେ ମୁଁ ଆଜି ସେଇ ପ୍ରଚ୍ଛନ୍ନ ଶିଶୁର କ୍ରୀଡ଼ା ଦେଖି ପାରୁଛି । ସେ ସବୁରି ପାଖରେ, ସବୁ କାଳର ଅତୀତ ସେ । ସବୁ ଆଶଙ୍କାକୁ ପାରି ହୋଇ ତାର ଆଶା ପ୍ରସାରିତ ହୋଇ ରହିଛି । କେତେ କେତେ ଥର ସୃଷ୍ଟି କରିବାର କ୍ଷୁଧା ମେଣ୍ଟାଇ ତା’ର ଅନନ୍ତ କ୍ଷୁଧା ସତତ ଚିତ୍ତ ପ୍ରସାରି ଦେଉଛି ।

 

ସମୁଦ୍ର ଉପରେ ଆଜି ସକାଳୁ ସେଇ ଶିଶୁର ଖେଳ ରୋଳ ଚାଲିଛି । ଦିଗନ୍ତବିସ୍ତୃତ ଅନନ୍ତ ଭୂମି ଉପରେ କେତେ କେତେ ଚିତ୍ର ଆଙ୍କି ଦେଇ ସେ କେତେ ସହଜରେ ପୋଛି ଦେଇ ଯାଛଚି । ସେଇ ଗୋଟାଏ ନୀଳ ରଙ୍ଗରେ ସେ କେତେ କିସମର ବର୍ଣ୍ଣ ଉକୁଟାଇ ଚାଲିଚି । ଏଠିକି ଆସି ସବୁଟିକୁ ନିରୀକ୍ଷଣ କରି ଦେଖି ନ ଥିଲେ ଏହି ରଙ୍ଗ-ବିଳାସର କୌଣସି ଧାରଣା ହୁଏତ ମୋର ହୋଇ ନ ଥାନ୍ତା ।

 

ଆଜି ସକାଳୁ ସାଗରର ଏ କି ଅପୂର୍ବ ରୂପ ? ସମସ୍ତ ଆକାଶ ଭରି ସ୍ତର ସ୍ତର କରି ମେଘ ଘୋଟି ରହିଚି । ପୂର୍ବ ଦିଗରେ କେବଳ ଏକ ପ୍ରସନ୍ନ କିରଣାଭାସ ଛଡ଼ା ସୂର୍ଯ୍ୟର କୌଣସି ସୂଚନା ହିଁ ମିଳୁ ନାହିଁ । ଉପରେ ଆବୋରି ରହିଥିବା ଏହି ଶ୍ୟାମଳ ଛାୟା ସାଗରର ନୀଳ ଜଳକୁ ଆହୁରି ସ୍ୱଚ୍ଛ କରି ଦେଇଛି । ପଶ୍ଚିମ ଦିଗରୁ ତୋଫାନ ଆସିଲା ପରି ପବନ ଛୁଟି ଆସୁଛି, ତାହାରି ସହିତ ସାଗର ରାଜାର ସବୁ ଦଳ ବଳ ଯେପରି ତରଙ୍ଗ ଉପରେ ଘୋଡ଼ା ଦଉଡ଼ାଇ ଆସୁଛନ୍ତି । ଚାରିଆଡ଼େ କେବଳ ଏଇ ମସ୍ତ ହୋଇ ଦଉଡ଼ିବାର ଲୀଳା ଲାଗି ରହିଚି । ହଠାତ୍ ସମୁଦ୍ରର ବପୁ ଫୁଲାଇ ଦେଇ ପର୍ବତ ସମାନ ତରଙ୍ଗମାନ ଉଠୁଚି ।

 

ଏଇ ଢେଉ କାଟି ଆମେ ପଶ୍ଚିମ-ମୁହାଁ ହୋଇ ଚାଲିଚୁ । ଜାହାଜର ଆଗ ମଙ୍ଗରେ ପ୍ରତିକୂଳ-ଯାତ୍ରାର ସବୁ ଆଘାତ ଆସି ବାଜୁଚି । କେଡ଼େ ବଡ଼ ବଡ଼ ଜଳତରଙ୍ଗର ଆୟୋଜନ କ୍ଷଣକେ କୁଆଡ଼େ ଚୂନା ହୋଇ ଯାଉଚି । ଚୂନା ହେବା ସଙ୍ଗେ ସଙ୍ଗେ କେତେ ପ୍ରକାର ଫେନର ଚିତ୍ର କାଟି ସେ ପୁଣି ସାଗରରେ ମିଲାଇ ଯାଉଚି । ଢ଼େଉର ଏଇ ଉଠିବା ଓ ଭାଙ୍ଗିବାର ଶବ୍ଦରେ ଜାହାଜ ମୁଖରିତ ହୋଇ ରହିଚି ।

 

ବାତାଘାତରେ ବିକ୍ଷୁବ୍‌ଧ ହୋଇ ତରଙ୍ଗଗୁଡ଼ାକ ଆଜି ପୂର୍ବ ଦିଗକୁ ଛୁଟି ଚାଲିଚନ୍ତି । ମୁଣ୍ଡ ଉପରେ ମଧ୍ୟ ମେଘମାଳାର ନାନା ଛବି କଟା ଚାଲିଚି । ସତେ ଅବା କେହିଁ ବିରହୀର ସନ୍ଦେଶ ବହନ କରୁ କରୁ ବିହାୟସର ଏହି ଦୂତ ଆପେ ବଡ଼ ବିରହ-ବିକ୍ଷୁବ୍‌ଧ ହୋଇ ପଡ଼ିଚି, ହଠାତ୍ ଯେପରି କେତେ ଅନ୍ତରର ବ୍ୟାକୁଳତାକୁ ଏକତ୍ର କରି ଆଜିକାର ଦରଦୀ ପ୍ରକୃତି ଆପେ ବଡ଼ ବ୍ୟାକୁଳ ହୋଇ ପଡ଼ିଚି । ମନ ତାହାର ସହିତ ଶତଜିହ୍ୱା ହୋଇ ଉତ୍ତୋଳିତ ହୋଇ ଉଠୁଚି । ଶତ-ପକ୍ଷ ହୋଇ ଉଡ଼ି ବାହାରୁଚି; କେତେ ଅଦୃଶ୍ୟ ଶୈଳର ଧକ୍କାରେ ଭାଙ୍ଗିରୁଜି ସେ କ୍ଷଣକେ ମିଳାଇ ଯାଉଚି ।

 

ପ୍ରାଚୀନ ଦାର୍ଶନିକ Thales ଜଳକୁ ସବୁ ପଦାର୍ଥର ମୌଳିକ ନିଦାନ ରୂପେ କଳ୍ପନା କରିଥିଲେ । ଗ୍ରୀକ୍ ଜଳରାଶି ହୁଏତ ତାଙ୍କୁ ଜଳର ଏଇ ମହିମାମୟ ପରିଚୟ ଦେଇ ଯାଇଥିଲା । ହୁଏତ ସମ୍ମୁଖରେ ପ୍ରଶାନ୍ତ ପରିବ୍ୟାପ୍ତ ଜଳଧିର ଅନନ୍ତ ବ୍ୟାପ୍ତିରେ ମୁଗ୍ଧ ମନ୍ତ୍ରଶାନ୍ତ ହୋଇ ସେ ଏହି ଜଳ ଦେବତାକୁ ହିଁ ସୃଷ୍ଟିପ୍ରକ୍ରିୟାର ଆଧାର ବୋଲି ସ୍ତୁତି କରିଥିଲେ । କିନ୍ତୁ ଆଜି ସେଇ ପ୍ରଶାନ୍ତି ଉପରେ ମୁଁ କି ଚଞ୍ଚଳତା ଦେଖୁଚି ? କି କ୍ଷିପ୍ତ ଭ୍ରୂକ୍ଷେପହୀନ ବେଶରେ ମସ୍ତ ସାଗର ମୋର ସବୁ ଭାବନାର ଘରକରଣା ଭାଙ୍ଗିରୁଜି ଚାଲି ଯାଉଛି । ସେ ଜଳରେ ନୁହେଁ, ସେ ସ୍ଥଳରେ ନୁହେଁ କି ଅନ୍ତରିକ୍ଷରେ ନୁହେଁ । ସେ ଏ ଦୃଶ୍ୟମାନ ସୃଷ୍ଟିର କୌଣସିଥିରେ ନୁହେଁ । ଆପଣା ଅଭିମାନରେ ସ୍ପୀତ ହୋଇ ରହିଥିବା ମୋର ମନର ଏକାନ୍ତତା ମଧ୍ୟରେ ମଧ୍ୟ ତାକୁ ଧରି ରଖିବା ସମ୍ଭବ ନୁହେଁ । ସେ ଏକାଠି କୋଉଡ଼ି ନୁହେଁ । ଆହୁରି ଧାଇଁବାକୁ ହେବ ଆହୁରି ଭିତରକୁ ଭେଦିବାକୁ ହେବ, ଉତ୍ତାଳ ତରଙ୍ଗ ସହିତ ଆହୁରି ଉପରକୁ ଉଠି ବାର ବାର ଅତଳ ତଳରେ ଅବଲୁଣ୍ଠିତ ହୋଇ ପଡ଼ିବାକୁ ହେବ ।

 

ଏଇ ଜଳ, ସ୍ଥଳ ଓ ଅନ୍ତରୀକ୍ଷରେ ବେଳେ ବେଳେ ତା’ରି ଆଭାସ ପାଇଚି । ଏଇ ପୃଥିବୀର କେତେ କେତେ ଛବି ମୋତେ ତା’ରି ପଥରେ ପାହୁଣ୍ଡେ ଆଗକୁ ଦଉଡ଼ା ଇ ନେଇଚି, ତା’ରି ଦେଉଳକୁ ଗୋଟିଏ ଅଧିକା ଦୁଆର ଖୋଲି ଦେଇଚି । କେତେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତରେ ତା’ରି ସୂଚନା ମୋତେ ନିତି ତା’ରି ଆଡ଼କୁ ପ୍ରଧାବିତ କରି ରଖିଚି ।

 

ଅନ୍ତରର ଅସୀମତାରେ ଶାନ୍ତ ଚିତ୍ତରେ ବିଚରଣ କଲାବେଳେ ଅନେକ ଥର ତାକୁଇ ଅନୁଭବ କଲାପରି ମନେ ହୋଇଚି, ମୋର କପାଳ ଉପରର କେଉଁ ଅଦୃଶ୍ୟ ଅଗ୍ନି-ଗୋଳକ ଉପରେ ଯେପରି ତା’ରି ରୂପ ଝଲକି ଉଠିଚି । ଠିକ୍ ସେହିପରି ଏଇ ସାଗର ମୋତେ ତାହାରି ସୂଚନା ଦେଇ ଯାଉଚି । ପ୍ରକୃତିର ସକଳ ବାସନାକୁ ବହି ନେଇ ଯାଉଥିବା ଏହି ବୀଚି-ବୀକ୍ଷୁବ୍‍ତାର ସନ୍ଦେଶ ସହିତ ମୋର ଅକିଞ୍ଚନ ମନଟା କାହାଠାରୁ ଅଜସ୍ର ବଳ ପାଇଥିଲା ପରି ପ୍ରବଳ ବାସନାରେ ଦଉଡ଼ି ଚାଲି ଯାଉଚି ।

•••

 

ଭୂମଧ୍ୟସାଗର

୧୩-୧୨-୫୦

 

ଜାହାଜ ଯେତିକି ଆଗକୁ ଯାଉଛି, ସମୁଦ୍ରର ପ୍ରଚଣ୍ଡତା ସେତିକି ଖରତର ହୋଇ ବଢ଼ୁଚି-। ଦିନରାତି ଆମ ଜାହାଜ ଯେପରି ଶୂନ୍ୟରୁ ତଳକୁ ଓ ତଳୁ ଶୂନ୍ୟକୁ ପଡ଼ି ଉଠି ଚାଲିଚି । ପ୍ରତିକୂଳ ପବନ ଫଳରେ ତାର ଗତି ମଧ୍ୟ ଧିମେଇ ଗଲାଣି । କାଲି ଆମେ ମୋଟେ ୨୮୪ ମାଇଲ ଆସିଚୁ ଚବିଶ ଘଣ୍ଟା ମଧ୍ୟରେ । ଗୁରୁବାର ବଡ଼ିସକାଳେ ଜିବ୍ରାଲଟ୍‌ର ପହଞ୍ଚିବାର କଥା ଥିଲା । ବୋଧହୁଏ ଉପରବେଳା ତିନିଟା ପୂର୍ବରୁ ଆମେ ସେଠି ପହଞ୍ଚି ପାରିବୁ ନାହିଁ ।

 

ବେଳେ ବେଳେ ମସ୍ତିଷ୍କର ଭାବିବା ଶକ୍ତି ବନ୍ଦ ହୋଇଯାଏ, କଲମ ଚାଲିବା ସଙ୍ଗେ ସଙ୍ଗେ ଅନ୍ତର-ମଣିଷ କଥା କହିପାରେ ନାହିଁ । ସୃଷ୍ଟିର ଅଶେଷ ପ୍ରକାର ମଧ୍ୟରେ ଆପଣାକୁ ହଠାତ୍ ପଙ୍ଗୁ ଓ ମୂକ ଦେଖିବାଠାରୁ ବଳି ଦୁର୍ଭାଗ୍ୟର କଥା କଣ ହୋଇପାରେ !

 

ସବୁ ଯେପରି ଗୋଟାଏ ମୁହୂର୍ତ୍ତରେ ଧୂଳିସାତ୍‍ ହୋଇଯାଏ, ଆଖି କିଛି ଦେଖିପାରେ ନାହିଁ, କାନ କିଛି ଶୁଣି ପାରେ ନାହିଁ । ହଠାତ୍ ଶୂନ୍ୟକୋଷ ମନଟା ବଡ଼ ଅକିଞ୍ଚନ ଅପାରଗ ଭାବରେ ଥୋବରା ହୋଇ ପଡ଼ିଯାଏ । ସେତେବେଳେ ଆକାଶର କୌଣସି ଚିତ୍ର-ବିଳାସ ସାଗର ବା ସ୍ଥଳ ଭାଗର କୌଣସି ଶୋଭା ଚିତ୍ତର ଦର୍ପଣ ଉପରେ ତାର ରଙ୍ଗ ଉକୁଟାଇ ପାରେ ନାହିଁ । ମନେ ହୁଏ ସବୁ ଯେପରି ଏଇଠୁ ସରିଗଲା । ଆପଣା ଚିନ୍ତାଆକାଶର ସବୁ ଆଲୋକ ଯେପରି ସ୍ତିମିତ ହୋଇଗଲା, କକ୍ଷ ପଥର କେନ୍ଦ୍ରସ୍ୱରୁପ ହୋଇ ଆସିଥିବା ସୂର୍ଯ୍ୟ ହଠାତ୍ ଯେପରି ଶୀତଳ ହୋଇଗଲା । ସବୁ ସେତେବେଳେ ଉଜୁଡ଼ି ଗଲା ପରି ମନେ ହୁଏ । ଏପରିକି କାନ୍ଦିବା ଲାଗି ମଧ୍ୟ ଯଥେଷ୍ଟ ଅଶ୍ରୁ ଆଖି ସାଉଣ୍ଟି ଆଣିପାରେ ନାହିଁ । The candle is dead, ନିୟମିତ ସବୁ ପଥ-ଘାଟରେ ଯେଉଁ ଜ୍ୟୋତି ଟିକକ ଆଗକୁ ଯିବାକୁ ନିର୍ଦ୍ଦେଶିକା ଦେଇ ଆସୁଥିଲା, ସେ ଯେପରି କ୍ଷଣକେ କୁଆଡ଼େ ମିଳେଇ ଯାଏ ।

 

କାଲି ହଠାତ୍ ସେହିପରି ମନେ ହେଲା । ଚିତ୍ତର ସେହି ଅବିସନ୍ନ ପ୍ରେରଣାହୀନ ପ୍ରହରରେ ଜୀବନ-ଦେବତାର ଆସନ ପ୍ରାନ୍ତରେ ସବୁ ହରାଇ ଆସିଥିବା ଦୀନତମ ଜୀବ ପରି ଲୋଟି ପଡ଼ିବାକୁ ଯେପରି କୌଣସି ମନ୍ଦିର-ପଥ ଦେଖି ପାରିଲି ନାହିଁ । ଅଥଚ ସଂସାରର ସମସ୍ତ ଲୀଳା ସେହିପରି ଚାଲିଥିଲା । ସମୁଦ୍ର ନାଚି ଉଠୁଥିଲା, ଆକାଶର ବର୍ଣ୍ଣ ଉକୁଟୁଥିଲା । କେବଳ ମୁଇଁ ଯେପରି କେଉଁ ମେଘ ଜାଲ ଭିତରେ ଶୀତଳ ନିର୍ଜୀବ ହୋଇ ପଡ଼ି ରହିଥିଲି । ମଝି ରାସ୍ତାରେ ବେଳେ ବେଳେ ହଠାତ୍ ଆପଣାକୁ ଏପରି ନିଃଶେଷିତ ମନେ ହୁଏ କାହିଁକି ? କାହିଁକି ସଜାଗ ସତୃଷ୍ଣ କରି ରଖିଥିବା ଅନ୍ତର-ଦେବତା ସକଳ ଜାଗରଣ ଓ ସକଳ ତୃଷ୍ଣା ସହିତ ବେଳେ ବେଳେ ଏପରି ନିର୍ମମ ଆପଣାକୁ ଲୁଚାଇ ରଖେ ? ଜଗତରେ ଏତେ ଗତି, ଏତେ ବେଗ, ଏତେ ସ୍ରୋତର ଉତ୍ସର୍ଗ-ଉଦ୍‍ଧାବନ ଲାଗି ରହିଥିବା ବେଳେ ହଠାତ୍ ମନଟା ଗୋଟାଏ ଆବଦ୍ଧ-ଆୟତନ ମରୁ-ସାଗର ପରି ପଡ଼ି ରହେ କାହିଁକି ?

 

ମଣିଷର ପ୍ରକାଶ-ନିୟମ ଠିକ୍ ଫୁଲର ପ୍ରକାଶ-ନିୟମ ପରି । ସମୟ ଜାଣି କୋଳମ କନ୍ଦିରେ ପ୍ରକାଶେଚ୍ଛା ମର୍ମର ଉଠିଲା ପରି ଫୁଲ ଦଳ ବିସ୍ତାର କରି ଫୁଟି ଉଠେ । ତାର ଉପରେ ପ୍ରତିଫଳିତ ସୂର୍ଯ୍ୟ କିରଣ ତାକୁ ସୁନ୍ଦର କରି ଦିଏ । ପବନ ତାରି ସ୍ପର୍ଶ ନେଇ ଚତୁର୍ଦ୍ଦିଗରେ ବିକୀର୍ଣ୍ଣ କରି ଦିଏ, ଫୁଲର ଜୀବନ ପରିପୂର୍ଣ୍ଣ ହୋଇ ଉଠେ । କିନ୍ତୁ ଫୁଲ ଫୁଟି ପାରେନାହିଁ, ସୂର୍ଯ୍ୟର କିରଣ ବା ସକାଳର ପବନରେ ସେ ଆପଣାକୁ ବିସ୍ତାରିତ କରି ଦେଇ ପାରେ ନାହିଁ ।

 

ପ୍ରତ୍ୟେକ ମଣିଷର ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ସେହିପରି କସୁମ ଫୁଟିବାର ଆହ୍ୱାନ ଆସେ । ସେ ଆହ୍ୱାନ ଶୁଣିବାକୁ କେବଳ ମନକୁ ସେଇଆଡକୁ ମୁହାଇଁ ରଖିଥିଲେ ହେଲା । ଯେଉଁ ଭାଗ୍ୟଧର ସେଇ ଆହ୍ୱାନ ଶୁଣିପାରେ, ପ୍ରତ୍ୟେକ ମୁହୂର୍ତ୍ତରେ ସେ ବିକଶିତ ହୋଇଯାଏ, କ୍ଷଣ କ୍ଷଣକେ ସେ ନବ ନବ ଜନ୍ମ ଲାଭ କରେ । ପ୍ରତ୍ୟେକ ଅଭିଜ୍ଞତା ତାକୁ ନବ ନବ ଅନୁଭୂତି ଓ ନବ ନବ ବିସ୍ମୟ ଦେଇଯାଏ । ତାର ଜୀବନରେ ବାର୍ଦ୍ଧକ୍ୟ ଆସେ ନାହିଁ । ଶୁଭ୍ରକେଶ ଓ ସ୍ଖଳିତ ଚମକୁ ଅସ୍ୱୀରକାର କରି ସେ ଶ୍ରେୟର ଶ୍ରେୟତର ପଥରେ ଅଗ୍ରସର ହୁଏ ।

 

ଏହି ଆହ୍ୱାନକୁ ଯିଏ ଯେପରି ଭାବରେ ଜବାବ ଦିଏ, ତାର ଭାଗ୍ୟ ସେହିପରି ଧାତୁରେ ଗଢ଼ି ହୋଇଯାଏ । ରୂପ, ରସ, ଗନ୍ଧ ଓ ସ୍ପର୍ଶର ନାନା ପ୍ରକାଶରେ ପରମେଶ୍ୱର ପୁରୁଷକୁ ପଥ-ସଙ୍କେତ ଦେଇ ଯାଉଛନ୍ତି । ଭିତରର ଅନ୍ତରାତ୍ମା ମଧ୍ୟ ନାନା ଛଳରେ ସେହି ପୁରୁଷୋତ୍ତମର ଆହ୍ୱାନ ଆଡ଼କୁ ମନକୁ ପ୍ରସାରିତ କରି ରଖିବାର ସତର୍କବାଣୀ ଶୁଣାଉଚି । ସେ ଶୁଣୁଚି, ସେଇ ପରମ ସମ୍ପଦ ଲାଭ କରୁଚି । ଯେ ନାନା ପ୍ରକାର ମୋହଚ୍ଛନ୍ନତାର କବାଟ କିଳିଦେଇ ପରମ ସହିତ ସକଳ ସଂଯୋଗ ଛିନ୍ନ କରି ଦେଉଚି, ସିଏ ଅନ୍ଧାରରେ ପଚି ମରୁଚି, ତାର ବତୀ ଲିଭି ଯାଉଚି । ମହାକବି ଗେଟେଙ୍କ କଥାରେ କହିଲେ ଏହା ଉଦୟନ (illuminating) ଓ ମୋହାବରଣ Darkening ଉପରେହିଁ ପ୍ରତ୍ୟେକ ମଣିଷର ଭାଗ୍ୟ ନିର୍ଦ୍ଧାରିତ ହେଉଚି । ଯିଏ Daemon ଅର୍ଥାତ ଅନ୍ତର୍ବିଭୁର କଥା ଶୁଣି ଆପଣାକୁ ସମୁଚିତ ଭାବରେ ମୁକ୍ତ ରଖି ପାରୁଚି, କେବଳ ସେଇ ସ୍ୱାଭାବିକ ଭାବରେ ପ୍ରସ୍ପୁଟିତ ହୋଇ ଚାଲୁଚି ।

 

ଜୀବନର ସାଧାରଣ କ୍ରମରେ ଭୂମିଷ୍ଠ ହେବାକୁ ମନୁଷ୍ୟର କେବଳ ପ୍ରଥମ ଜନ୍ମ ବୋଲି କହିବାକୁ ହେବ । ଏହି ପ୍ରଥମ ଜନ୍ମର ଭୁମି ଉପରେ ମଣିଷକୁ ନବ ନବ ଜନ୍ମରେ ପରିପୂର୍ଣ୍ଣ ହେବାକୁ ପଡ଼ିବ । ପ୍ରଥମ ଅଙ୍କୁରର ଲବ୍ଧ ସମ୍ପଦ ଉପରେ ତାକୁ ପତ୍ର, ଫୁଲ ଓ ଫଳ-ସମ୍ଭାରରେ ବିକଶିତ ହେବାକୁ ପଡ଼ିବ । ଏହାହିଁ ଜୀବନ, ଲେଖା ହେବାର ମଞ୍ଜୁରୀ ପାଇ ଆସିଥିବା ଖାଲି କାଗଜ ଗୋଟାଏ ବନ୍ଧା ଖାତା ପରି–ଆପେ ସେଇ ଖାତାକୁ ଆପଣାର ଅନୁଭୂତି-ସିଦ୍ଧି ରଚନାରେ ସାର୍ଥକ କରିବାକୁ ହେବ ।

 

ଜଗତରେ ସବୁ ଜୀବନଯାତ୍ରା ପଛରେ ସେଇ ଖାତା-ପୂରଣ କରିବାର ସାଧନା ଚାଲିଚି, ମଧ୍ୟଯୁଗର ଅନେକ ଭକ୍ତ ସାଧକ କଥା କହି ଯାଇଚନ୍ତି । ବୀଜରୁଅଙ୍କୁର, ଅଙ୍କୁରରୁ ପତ୍ର; ପତ୍ରରୁ ଫୁଲ ଓ ଫୁଲରୁ ଫଳ- ଏହି ଅପୁର୍ବ ରୀତିରେ ପ୍ରତ୍ୟେକ କ୍ଷଣରେ ଉଦ୍ଭିତ ଜଗତରେ ଅସରନ୍ତି ଖାତା ହୋଇ ଚାଲିଚି । ବାଷ୍ପ ମେଘ ହେଉଚି, ଅନ୍ତରୀକ୍ଷର ପବନ ତାକୁ ବିନ୍ଦୁ କରି ଝରାଇ ଦେଉଚି । ପର୍ବତ, ନଈ, ନାଳ ଧନ୍ୟ କରି ପୁଣି ସେ ବିନ୍ଦୁ ସମୁଦ୍ରରେ ମିଶୁଚି, ସେଠି ମଧ୍ୟ ଆଉ ଗୋଟାଏ ରଙ୍ଗର ମଲାଟ ବନ୍ଧା ସେଇ ଖାତା ପୂରି ପୂରି ଚାଲିଚି । ମଣିଷର ଜୀବନରେ ବି ସେହି ଏକ କାହାଣୀ । ନିଜକୁ ନିଜ ଶିଶୁର ଦୁଇ ଆଖି ଭିତରେ ସମର୍ପି ଦେଇଥିବା ଜନନୀ ଶ୍ରଦ୍ଧା ସ୍ନେହ ଓ ସ୍ୱପ୍ନର ମସୀରେ ଶିଶୁର ଜୀବନଖାତାରେ କେତେ କଣ ଲେଖି ଚାଲିଚି, ଆପଣାର ସବୁ ଦେଇ କେଉଁ ଚିତ୍ତ ନିଜର ପ୍ରିୟଜନକୁ ନୂଆ ନୂଆ ରଚନାରେ ବିଳସିତ କରି ଦେଉଚି, ସବୁଠି ସବୁ ଉପଲକ୍ଷ୍ୟରେ ଦେଇ ଖାତା ପୂର୍ଣ୍ଣ ହୋଇ ଚାଲିଚି । ବଞ୍ଚି ରହିବାକୁ ହେଲେ ଆପଣାକୁ ସେଇ ଖାତାରେ ଆପଣାର ଦିନଚର୍ଯ୍ୟା ଲେଖିବାକୁ ହେବ । ପ୍ରତ୍ୟେକ କ୍ଷଣରେ ନବ ନବ ରଚନାରେ ଆପଣାକୁ ଆଗେଇ ନେବାକୁ ହେବ । ଏହାହିଁ ପ୍ରକୃତ ଜନ୍ମ, ଏହାହିଁ ଅସଲ ଦ୍ୱିଜତ୍ୱ । କବିର ରଚନା, ଶିଳ୍ପୀର ଶିଳ୍ପ, ସଙ୍ଗୀତବିଦ୍‍ର ସଙ୍ଗୀତ, କେବଳ ସେଇ ଖାତା ପୂର୍ଣ୍ଣ କରିବା ଲାଗି ମଣିଷ ଏଇ ବିଭିନ୍ନ ପଥ ସୃଷ୍ଟି କରିଚି ।

 

ବିଶ୍ୱ-ସୃଷ୍ଟିର ଶ୍ରେଷ୍ଟ ସମ୍ପଦ ମଣିଷ, ଆପଣାର ରଚନା ଓ ସୃଷ୍ଟିରେ ତାକୁ ଅଗ୍ରସର ହେବାକୁ ପଡ଼ିବ । ନାନା ଧାରା ଓ ନାନା କ୍ଷେତ୍ରରେ ଏହି ରଚନାର ତପସ୍ୟା ତାକୁ ପରମେଶ୍ୱରର ପାର୍ଶ୍ୱବର୍ତ୍ତୀ କରାଇ ଦେବ, ତାକୁ ଦ୍ୱିଜ ହେବାର ଉପବୀତ ପିନ୍ଧାଇ ଦେବ । ଏଇ ସୃଷ୍ଟି ହେଉଚି ଜୀବନର ଖାଣ୍ଟି ମାନଦଣ୍ଡ । ମଧ୍ୟ ଯୁଗର ସନ୍ଥ ରଜ୍ଜବଙ୍କର ଭାଷାରେ ‘ଯେ କିଛି ସୃଷ୍ଟି କରିନାହିଁ’ ତା’ର ଜନ୍ମ ହିଁ ହୋଇ ନାହିଁ ।

 

କାଲି ଆପଣା ଜନ୍ମର ସାର୍ଥକତା ହରାଇ ବସିବାର ଏହିପରି ଏକ ଚିତ୍ତସ୍ଥିତି ସେଇ କେତେ ମୁହୂର୍ତ୍ତ ଲାଗି ମୋତେ ବଡ଼ ବିକଳ କରି ରଖିଥିଲା । ଆପଣା ବିଚ୍ୟୁତିର ଏକ ଅନ୍ଧାର ଘରେ ପଡ଼ିରହି ଯେପରି ମୁଁ ମୁକୁଳିବାର କୌଣସି ପଥ ପାଉ ନ ଥିଲି । ମୋର ସବୁ ଧ୍ୟାନ ଓ ତପ ଏକନିଷ୍ଠ କରି ମୁଁ ଯେପରି ନିଦାଘର ତାପିତ ପ୍ରାନ୍ତର ପରି ଅପେକ୍ଷା କରି ରହିଥିଲି ।

 

ଭୂମଧ୍ୟସାଗରରେ ପଶିବାଦିନୁ ବର୍ଷା ସହିତ ବେଶ୍ ପରିଚୟ ହୋଇଗଲାଣି । ଆକାଶରେ ମେଘ-ନାଆରେ ତା’ର ସରବରାହ ଚାଲିଚି । ହଠାତ୍ ଅକାରଣରେ ଯେ କୌଣସି ସମୟରେ ଘଡ଼ିଏ ଝିପି ଝିପି ବର୍ଷା ହୋଇ ଆମକୁ ଚକିତ କରି ଯାଉଚି । ବେଳେ ବେଳେ ଆମ ଜାହାଜକୁ ଆକ୍ରମଣ କଲା ପରି ପଶ୍ଚିମ ଦିଗରୁ ପ୍ରଚଣ୍ଡ ବୃଷ୍ଟିର ରାକ୍ଷସ ମାଡ଼ି ଆସୁଚି । ହଠାତ ଜାହାଜର ଦଉଡ଼ି ଗୁଡ଼ାକ ତୋଫାନରେ ବ୍ୟତିବ୍ୟସ୍ତ ହୋଇ ଉଠୁଚି । ବରଷାଧାରାର ଚ୍ୟୁହ ଭିତରେ ସମୁଦ୍ରର ନୀଳ ବକ୍ଷ କୁଆଡ଼େ ଅଦୃଶ୍ୟ ହୋଇ ଯାଉଚି ।

 

କାଲି ଉପରବେଳା ଖାଇସାରି ଯିଏ ଯାହାର କାମ, ରଙ୍ଗରସରେ ମାତିଚୁ । ମେଘାଚ୍ଛନ୍ନ ଆକାଶରେ ସୂର୍ଯ୍ୟର ଗତିପଥ ଆଦୌବାରି ହେଉନାହିଁ । ହଠାତ୍ ଦେଖିଲି ଉତ୍ତର ଦିଗର ଅଧେ ଆକାଶ ଭରି ଏକ ନିଖୁଣ ଅର୍ଦ୍ଧବୃତ୍ତରେ ଇନ୍ଦ୍ରଧନୁ ପ୍ରତିଫଳିତ ହୋଇ ପଡ଼ିଚି । ସମୁଦ୍ର ଓ ଆକାଶର ମଧ୍ୟ ରେଖାକୁ ରଜ୍ଜୁ କରି କେଉଁ ବାଣୁଆ ସତେ ଅବା ସାତରଙ୍ଗର ଧନୁରେ ସମସ୍ତେ ଦିଗକୁ ମସ୍ତ କରି ରଖିଚି । ଏହି ଅପୂର୍ବ ଦୃଶ୍ୟ ହୁଏତ ଅନ୍ୟତ୍ର ଦେଖିବାକୁ ମିଳି ନ ଥାନ୍ତା । ଆକାଶର ସକଳ ରୂପାୟନକୁ ପୂର୍ଣ୍ଣ କରି ଦେଖିବା ଲାଗି ଯେଉଁ ବ୍ୟାପ୍ତି ଦରକାର, କେବଳ ସମୁଦ୍ର ଛଡ଼ା ସେ ବ୍ୟାପ୍ତି ଅନ୍ୟ କେଉଁଠି ମିଳିବ ? ଜାହାଜର ଅନେକ ଯାତ୍ରୀ ଇନ୍ଦ୍ରଧନୁଟିକୁ ଦେଖିବାକୁ ଡେକ୍‍ରେ ଜମା ହୋଇ ପଡ଼ିଥିଲେ । ରଙ୍ଗର ଏହି ଆତ୍ମପ୍ରକାଶ ସବୁରି ମନକୁ ଅଭିଭୂତ କରି ଦେଇଥିଲା ।

 

ଭୂମଧ୍ୟସାଗରର ସୂର୍ଯ୍ୟାସ୍ତ ମଧ୍ୟ ବିଚିତ୍ର, କେବଳ ଏହି ସାଗରର ଆତ୍ମାସ୍ୱ । ଅସ୍ତ-ଉତ୍ସବର ପ୍ରାୟ ଅଧଘଣ୍ଟାଏ ଆଗରୁ ଦିନଟାଯାକ ରକ୍ତ-ରଙ୍ଗରେ ଉଛୁଳି ଉଠିଥିଲା । ତା’ ଭିତରେ ରକ୍ତ ଗୋଲକ ସୂର୍ଯ୍ୟ କୁଆଡ଼େ ହଜିଗଲା ପରି ମନେ ହେଉଥିଲା । ସତେ ଯେପରି ସୂର୍ଯ୍ୟର ରଙ୍ଗ ବଡ଼ି ଭାଙ୍ଗି ସମସ୍ତ ଦିକ୍ ପାତ୍ରଟିରେ କିଏ ନାଲି ରଙ୍ଗ ଗୋଲାଇ ରଖି ଦେଇଚି । ତା’ରି ଭିତରେ ସୂର୍ଯ୍ୟ ଅଦୃଶ୍ୟ ହୋଇଗଲା । କିନ୍ତୁ ରାତିର ଅନ୍ଧାରରେ ପୂରାପୂରି ବୁଡ଼ିଯିବା ପର୍ଯ୍ୟନ୍ତ ଦିଗଟା ସେହିପରି ଲାଲ ହୋଇ ରହିଥିଲା । କାଲିର ସନ୍ଧ୍ୟା ମୋର ସାର୍ଥକ ହେଲା ।

 

ମେଘାଚ୍ଛନ୍ନ ଆକାଶରେ ବାତାୟନ ଖୋଲି ଶୁଳ୍କା ତିଥିର ଦ୍ୱିତୀୟା ଜହ୍ନ ତା’ରି ପଛେ ପଛେ ବାହାରି ଆସିଲା । ଅନେକ ବେଳଯାଏ ଡେକ୍ ଉପରେ ଠିଆ ହୋଇ ମୁଁ ମେଘ ଓ ଚନ୍ଦ୍ରର ଆଚ୍ଛାଦନ ଓ ଅପସାରଣ ଲୀଳା ଦେଖିଥିଲି । ବେଶ୍ ଥଣ୍ଡା ପଡ଼ିଲାଣି । ଜିବ୍ରାଲଟ୍‌ର ପରେ ଆମ ଜାହାଜ ଆହୁରି ଉତ୍ତରକୁ ଉଠିବ । ସମସ୍ତେ ବିଧିମତ ଆପଣାକୁ ଶୀତରୁ ଘୋଡ଼ାଇ ରଖୁଚନ୍ତି । ଡେକ୍ ଉପରେ ଆଉ ଭିଡ଼ ଜମୁନାହିଁ । କୃତ୍ରିମ ଉପାୟରେ ଜାହାଜର କୋଠରୀ ମାନଙ୍କରେ ତପ୍ତ ବାଷ୍ପ ପ୍ରବେଶ କରାଇବାର ବ୍ୟବସ୍ଥା କରାଗଲାଣି । ଆଉ ଛଅଦିନ ଯାଏ ଏଇ ଛୋଟ ସଂସାର ଚାଲିବ । ସାଗରଯାତ୍ରୀ କ୍ରମେ ଶେଷ ହୋଇ ଆସୁଛି ।

•••

 

ଭୂମଧ୍ୟସାଗର

୧୪-୧୨-୫୦

 

ଭୂମଧ୍ୟସାଗର ଉପରେ ପ୍ରାୟ ସାତଦିନ ଭାସି ଚାଲିବା ପରେ ହୁଏତ ଆଜି ଆମେ ଆଉ ଗୋଟାଏ ମହାସାଗରରେ ପ୍ରବେଶ କରିବୁ । ବସ୍ତୁତଃ ଭୂପୃଷ୍ଠର ଜଳଭାଗ ସବୁଠିଁ ସମାନ, ନାନା ସାଗର, ଉପସାଗର, ପ୍ରଣାଳୀ ଓ ଖାଡ଼ୀର ସଂଯୋଜକ ଦ୍ୱାରା ସେ ଆପଣାକୁ ଚତୁର୍ଦ୍ଦଗକୁ ଲମ୍ବାଇ ଦେଇଚି । ଏହାର ଅନନ୍ତ ବ୍ୟାପ୍ତିକୁ ବୁଝିବା ଲାଗି ଚିହ୍ନିବା ଲାଗି ଆମେ ତା’ର ସ୍ଥାନାନୁକ୍ରମେ ନାମକରଣ କରି ରଖିଚୁ ମାତ୍ର । ଇଏ ଖାଲି ଭୂଗୋଳର ରୀତି ନୁହେଁ, ସକଳ ବିଦ୍ୟାର ରୀତି ଏହିପରି । Universal କୁ ଏକାବେଳେକେ କଳି ରଖିବା ଲାଗି ଆମେ ଅସମର୍ଥ, ସେ ସପ୍ତମ ଇନ୍ଦ୍ରୟ ମଣିଷର ନାହିଁ । ତେଣୁ କେବଳ Particular ମଧ୍ୟ ଦେଇ ତା’ର ଅନୂଭୁତି ଲାଭ କରିବାକୁ ହେବ । ପରମାତ୍ମା ଅବାଡ଼୍‌ମନସଗୋଚର, ବାକ୍ ଓ ମନର ଅତୀତ ସେ , ତଥାପି ଇନ୍ଦ୍ରିୟଜ୍ଞେୟ ପ୍ରତ୍ୟେକ ବସ୍ତୁ ମଧ୍ୟରେ ଆପଣାର ଉତ୍‌କ୍ରାନ୍ତ ଅନୁଭୂତି ମିଶାଇ ପ୍ରତ୍ୟେକ ଆତ୍ମାରେ ପରମାତ୍ମାର ପ୍ରତ୍ୟକ୍ଷ କରିବା ହେଉଛି ସାଧାନାର ସବୁଠାରୁ ପ୍ରଶସ୍ତ ରୀତି । ଭୂତେଷୁ ଭୂତେଷୁ ବିଚିନ୍ତ୍ୟ, ଏହାହିଁ ଭାରତୀୟ ବିଦ୍ୟାର ସ୍ପଷ୍ଟ ସାରଣୀ ।

ଏହୀ ତୀତିର ଅନୁସରଣ କରି ସାଧକର କବିମନ ପୁରୁଷ ପ୍ରକୃତି, ରାମ, କୃଷ୍ଣ ଓ କାଳୀର ଉଦ୍ଭାବନ କରିଚି; ଏଇ ରୀତିର ଯୋଗଶାସ୍ତ୍ର ତ୍ରାଟକ ଠାରୁ ଆରମ୍ଭ କରି ତେଜ ଓ ବିନ୍ଦୁର ଧ୍ୟାନ ପର୍ଯ୍ୟନ୍ତ ଆପଣାର କ୍ଷେତ୍ର ପ୍ରସାରି ଦେଇଚି । ସବୁଠାରୁ ସେଇ ରୀତି ପ୍ରଚ୍ଛନ୍ନ ରହିଚି । Particular ର ଅନନ୍ତ ଭେଦି ସେଇଠି Universalର ପ୍ରତ୍ୟକ୍ଷ କରିବାକୁ ହେବ । ଏଇଥିଲାଗି ଭକ୍ତର ମନ ନଦୀ ଜଳକୁ ତୀର୍ଥ ଜଳରେ ପରିଣତ କରିଚି; ଆପଣାର ପ୍ରତ୍ୟେକ କର୍ମକୁ ଯଜ୍ଞକର୍ମରେ ପର୍ଯ୍ୟବେସିତ କରାଇଚି । ଅବିଭକ୍ତର ପରିଚୟ ଲାଭ କରିବାକୁ ହିଁ ଭାଗର ସୃଷ୍ଟି ହୋଇଚି ।

କିନ୍ତୁ ଏଇ ଶତାବ୍ଦୀରେ ଭାଗ କରିବାର ରୀତି ଅଲଗା । ମାଗଣା ପାଇଲା ପରି ଭୂପୃଷ୍ଠର ଏଇ ଜଳଭାଗକୁ ଯଥାସମ୍ଭବ ପୃଥିବୀର ବଡ଼ ବଡ଼ ଜାତି ଦଖଲ କରିଚନ୍ତି । ସ୍ଥଳଭାଗ ପରି ଜଳ ଓ ଆକାଶରେ ମଧ୍ୟ ସାମ୍ରାଜ୍ୟମାନ ତିଆରି ହୋଇଚି । ବିଦେଶୀର ଜଳଭାଗକୁ ଯିବାକୁ ହେଲେ ହୁଏତ କେତେ କଟକଣାର ଦଉଡ଼ି ଡେଇଁ ଯିବାକୁ ପଡ଼ୁଚି । କାଳର ଗତି ଅନୁସାରେ ମଣିଷର କୁଳାଚାର ବଦଳି ଯାଉଚି ।

କାଲି ରାତିଠାରୁ ସମୁଦ୍ର ଆହୁରି ପ୍ରଚଣ୍ଡ ହୋଇ ଉଠିଚି । ଅଧରାତିରେ ଆମ ଜାହାଜର ପ୍ରାୟ ସମସ୍ତଙ୍କର ନିଦ ଭାଙ୍ଗିଚି, ଏଇ ପ୍ରଚଣ୍ଡ ପ୍ରତିକୂଳତାର ବ୍ୟାଘାତ ପାଇ । କାଲିଯାଏ ଉଚ୍ଚ ଉଚ୍ଚ ଢେଉ ସହିତ ଜାହାଜ ଉଠୁଥିଲା ପଡ଼ୁଥିଲା ସତ, କିନ୍ତୁ ଆମର ଗତିରେ ବିଶେଷ ବ୍ୟାଘାତ ପହଞ୍ଚି ନ ଥିଲା । କିନ୍ତୁ ଆଜି ସକାଳୁ ସାଗରର ଏ କି ଭୟାବହ ରୂପ ଦେଖୁଚି ? ଯେପରି ପଶ୍ଚିମ ଦିକ୍‍ସୀମାରୁ କେଉଁ ଉନ୍ମତ ଦିକ୍‌ପାଳ ନୀଳ ନାଗର ଏକ ବିରାଟ ବାହିନି ପଠାଇଚି । ଆମ ଜାହାଜ ସହିତ ଜୁଝିବା ପାଇଁ । କେତେ ଦୂରରୁ ଅତିକାୟ ଦେହ ବିସ୍ତାରି ଆଣି ସେହି ନାଗଗୁଡ଼ାକ ଯେପରି ପ୍ରଚଣ୍ଡ ଗର୍ଜନରେ ଏଇ ଆଡ଼କୁ ଛୁଟି ଆସୁଚନ୍ତି, ପୁଣି ପାଣି ଭିତରେ ବୁଡ଼ିଯାଇ ଖଣ୍ଡେ ଦୂରରେ ଉଠୁଚନ୍ତି । ବେଳେବେଳେ ମନେ ହେଉଚି, କୋଉ ଅତିତ-ଯୁଗର ଯୁଦ୍ଧ ପଡ଼ିଆରେ ଯେପରି ଏକ ମତ୍ତ ମାତଙ୍ଗବାହିନୀର ଅଭିଯାନ ଚାଲିଚି । ଶୁଭ୍ର ଫେନର ମାଦକ ରସ କ୍ଷାରିତ କରି ସେମାନେ ଯେପରି ଏକା ଆଖିରେ କେଉଁ ଶତ୍ରୁ ପକ୍ଷର ବ୍ୟୁହ ଆଡକୁ ଦଉଡ଼ିବାରେ ଲାଗିଚନ୍ତି ।

କୌଣସି ପ୍ରକାର ଉପମା ଦେଇ ପ୍ରକୃତ ଦୃଶ୍ୟଟିର ଅନୁଭୂତିଟିକୁ କ୍ଷୁଣ୍ଣ କରିଦେବାକୁ ମୁଁ ଚାହେନାହିଁ । ପ୍ରକୃତିର ରୂପ ବଡ଼ ବିଚିତ୍ର, ପ୍ରତ୍ୟେକଟି ଚିତ୍ରର ଏକ ସ୍ୱାଭାବିକ ଏକକ ସୌନ୍ଦର୍ଯ୍ୟ ରହିଚି । ଏପରି ଏକ ରୁଦ୍ର ସୌନ୍ଦର୍ଯ୍ୟର କଳ୍ପନା କେବଳ ଶିବ-ଶକ୍ତିକୁ ନେଇ କରାଯାଇପାରେ । ଆଖି ଆଗରେ ପ୍ରବଳ ସମୁଦ୍ରର ଦୈତ୍ୟ ଶତଜିହ୍ୱା ବିସ୍ତାର କରି ମାଡ଼ି ଆସୁଚି, ତାରି ଗର୍ଜନରେ ଅନ୍ତରୀକ୍ଷର ଶୂନ୍ୟ ପ୍ରକମ୍ପିତ ହୋଇ ଉଠୁଚି; ସେ ସବୁର ସାମନାସାମନା ଆସି ହଠାତ୍ ମନର ସବୁ ଦମ୍ଭ ମୁହୂର୍ତ୍ତକେ ଭୁଷୁଡ଼ି ପଡ଼ିବ । ସତେ ଅବା ଯୁଗ ଏହି କ୍ଷଣି ଶେଷ ହୋଇଯିବ । ଧରଣୀର ସକଳ ନିର୍ମାଣ ସତେ ଅବା ଏଇ ମୁହୂର୍ତ୍ତରେ ଭୁଷୁଡ଼ି ପଡ଼ିବ । ସତେ ଅବା ଶେଷ ସଙ୍କେତ ରୂପୀ ବଜ୍ରନିନାଦରେ ବିସ୍ମୃତ ମନର ସବୁ ଆବେଗଗୁଡ଼ାକ ଶଙ୍କିତ ହୋଇ ଉଠୁଚନ୍ତି । ଅତି ସାହାସରେ ସବୁ ପାଲ ଓ ସବୁ ପତାକା ଉଡ଼ାଇ ଭାସିବୁଲୁଥିବା ତରଣୀରେ ହଠାତ୍ ଯେପରି ଏକ ସ୍ତବ୍‌ଧତା ଆଚ୍ଛନ୍ନ ହୋଇ ଆସୁଚି ।

ଏତେ ଭୟ ଓ କ୍ରାସରେ ଏଇ ମୁହୂର୍ତ୍ତରେ ଯିଏ ଶଙ୍କିତ କରିବାକୁ ଆସୁଚି, ପର ମୁହୂର୍ତ୍ତରେ ତା’ରି ଗ୍ରାସକୁ ଡେଇଁପଡ଼ି ମନ ଯେପରି କାହାର ଅଶେଷ ଅଭୟରେ ଉଜ୍ଜଳ ହୋଇ ଉଠୁଚି । ଏହି ଉର୍ମିନାଗିନୀର ନିର୍ମୋକ ପିନ୍ଧି ମୋର ସମସ୍ତ ଅନ୍ତର ଯେପରି ଅନ୍ଧ ହୋଇ ଛୁଟି ଯିବାକୁ ଚାହୁଚି । ଆଜିକା ସାଗରର ଏଇ ତୁମୁଳ ତୋଫାନ ଭିତରେ ମୋତେ ସମ୍ପୁର୍ଣ୍ଣ ବିବସନ କରିଦେଇ କିଏ ଯେପରି ଏକ ନୂତନ ଧର୍ମର ଦୀକ୍ଷା ଦେଇ ଯାଉଚି । ଯିଏ ସବୁ ବର୍ଜନ କରି ପାରିବ, ଯିଏ ସବୁ ଦେଇ ପାରିବ, କେବଳ ସେଇ ସବୁ ପାଇବ; ସେଇ କେବଳ ଚିରଭୋଗ୍ୟା ବସୁନ୍ଧରାର ଯୋଗ୍ୟତମ ଅଧିକାରୀ ହୋଇ ପାରିବ ।

ଆଜି ସକାଳେ ଆଠଟାବେଳେ ଗୋଟାଏ ନୂଆ ଜିନିଷ ଦେଖିବାକୁ ମିଳିଲା । ଗଲା ଯୁଦ୍ଧବେଳେ ବୁଡ଼ାଜାହାଜର ଭାରି ନିଆଁ ଶୁଣିଥିଲି, ଜର୍ମାନୀ ବୁଡ଼ାଜାହାଜର କରାମତି ପ୍ରଥମେ କିପରି ବିପକ୍ଷ ଲୋକଙ୍କୁ ତ୍ରସ୍ତ କରି ପକାଇଥିଲା, ସେ କଥା ଏବେ ମଧ୍ୟ ମନରୁ ଯାଇନାହିଁ । ତେଣୁ ଆଜି ଦୁଇଟି ବୁଡ଼ାଯାହାଜ ଦେଖିବାରେ ଭାରି ଆନନ୍ଦ ପାଇଲି । ଉପରେ କେବଳ ଆପଣାର କ୍ଷୁଦ୍ରକାୟ କୃଷ୍ଣଗାତ୍ର ଭସାଇ ରଖି ବୁଡ଼ି ବୁଡ଼ି ସେଗୁଡ଼ିକ ଜିବ୍ରାଲଟ୍‌ର ଅଭିମୁଖରେ ଯାଉଥିଲେ । ପାଣି ଭିତରେ ଲୁଚିଥିବା ପ୍ରଧାନ ଭାଗଟା ଉବୁଡ଼ୁବୁ ହୋଇ ଚାଲିଥିଲା ।

ମଣିଷର ଦିନ ସରିଆସିବା ସଙ୍ଗେ ସଙ୍ଗେ ସେଇମାନଙ୍କର ଦିନ ଆସୁଚି । ପ୍ରାକ୍-ଇତିହାସର କେଉଁ ଅଲକ୍ଷଣା ଆଗ୍ରହ ନେଇ ସଂସାରରେ ଶକ୍ତିଶାଳୀ ହୋଇ ବଞ୍ଚିବା ଲାଗି ମଣିଷ ମେସିନ୍‍କୁ ଆମନ୍ତ୍ରଣ କରି ଆଣିଥିଲା । କେଜାଣି, ଆଜି ସବୁଆଡ଼େ ସେଇ ମେସିନ୍‍ର ରାଜ୍ୟ ବିସ୍ତାରିତ ହୋଇ ଯାଇଚି । ପ୍ରକୃତିକୁ ଜୟ କରିବା ମତଲବରେ ମଣିଷ ପ୍ରୟୋଗ କରିଥିବା ବୁମେରାଙ୍ଗ ତାରି ଉପରକୁ ଲେଉଟି ଆସୁଚି । ସୃଷ୍ଟି କର୍ତ୍ତାର ସର୍ବଶ୍ରେଷ୍ଠ ସନ୍ତାନ ଭାବରେ ମଣିଷ ଦିନେ ଏଇ ପ୍ରକୃତିର ଅନ୍ତର୍ନିହିତ ଗର୍ଭରୁ ସମସ୍ତ ଶକ୍ତି ଆବିଷ୍କାର କରି ସୃଜନର ସୁଆଙ୍ଗକୁ ପୂର୍ଣ୍ଣ କରି ଦେଖାଇବାର ଉଦ୍ୟମ କରିଥିଲା । ଏଇ ସୁଆଙ୍ଗ ଲାଗି କେତେ ଭଙ୍ଗାରୁଜା ହୋଇଚି, କେତେ କାନ୍ଦ, କେତେ ହସ, କେତେ କୋଳାହଳରେ କଳ୍ପ କଟି ଯାଇଚି । ବର୍ତ୍ତମାନ ବୋଧହୁଏ ବେଳ ଗଡ଼ିଗଲାଣି; ଆପଣାକୁ ପ୍ରକାଶିତ କରିବାର ଅଭିଳାଷରେ ଯିଏ ଦିନେ ଆପଣାକୁ ବିସ୍ତାରି ଦେଇଥିଲା, ସେଇ ପୁଣି ଆଜି ସବୁ ସୃଷ୍ଟିକୁ ଆପଣା ଭିତରକୁ ଟାଣି ନେଇଯିବ । ବିଧାତାର ପ୍ରଶାଂସ ଲାଗି ମଣିଷ ହୁଏତ ପରମ ସାଧନରୂପେ ବ୍ୟବହୃତ ହେବ; ଦିନେ ତା’ରି ପ୍ରୟୋଜନ ଲାଗି ବାହାର କରିଥିବା ସବୁ ବୁଦ୍ଧି ଓ ସବୁ ବଳର ସେ ନିଜେ ଶିକାର ହେବ । ଆପଣା ହାତରେ ସବୁ ଭାଙ୍ଗିରୁଜି ସେ ଆପେ ବି ସଂହାରର ଗର୍ଭରେ ପଡ଼ିବ । ବିଧାତାର ପ୍ରଳୟ ସମ୍ପୁର୍ଣ୍ଣ ହେବ, ପୁଣି ଏକ ନବତର ସୃଷ୍ଟିର ବୀଜ ବହନ କରି ଧାତାର ତରଣୀ ପ୍ରଳୟ ଜଳ ଉପରେ ଭାସି ବୁଲିବ ।

ଦୁଇଟା ବୁଡ଼ାଜାହାଜକୁ ନିରୀଖି ଦେଖୁଥିବା ବେଳେ ସେଇ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ହେଲା । କାଲି ରାତି ଠାରୁ ଆକାଶ ଅତି ପରିଷ୍କାର ହୋଇଯାଇଚି, ଖଣ୍ଡିଏ ହେଲେ ମେଘ କୋଉଠି ଦେଖା ଯାଉନାହିଁ । ଏହିପରି ଏକ ନିର୍ମଳ ପଟ୍ଟ ଉପରେ ଆଜିର ସୂର୍ଯ୍ୟୋଦୟ ହେଲା । ମହାଭାରତ ଯୁଦ୍ଧର ଊନବିଂଶ ଦିବସରେ ଯେଉଁ ଭାଗ୍ୟବାନ ସୂର୍ଯ୍ୟୋଦୟ ଦେଖିଥିବ, ସେ ମୋ ପରି ଏତେ ଉଲ୍ଳସିତ ହୋଇ ପଡ଼ିଥିବ କି ନାହିଁ କେଜାଣି ? ସତ କଥା କହିବାକୁ ଗଲେ ବୁଡ଼ା ଜାହାଜ ଦେଖିବାର ବାହାନାରେ ବାଇନୋକୁଲର ଲଗାଇ ମୁଁ ଏଇ ସୂର୍ଯ୍ୟୋଦୟକୁ ହିଁ ବେଶୀ ନିରୀଖି ଦେଖିଥିଲି । ସଂସାରରେ ହୁଏତ ଏ ବୁଡ଼ାଜାହାଜ ଆଜି ବେଶୀ ପ୍ରଧାନ ହୋଇ ପଡ଼ିଚି, ତଥାପି ତାକୁ ଅସ୍ୱୀକାର ସଂସାରରେ ସୂର୍ଯ୍ୟ ଉଠିବା ବନ୍ଦ ହୋଇ ନାହିଁ । ସବୁପ୍ରକାର ମେସିନଗନର ଗର୍ଜନ ସତ୍ତ୍ୱେ ଜବା ଫୁଲର ପାଖୁଡ଼ା ବିଞ୍ଚି ଦେଇ ସୂର୍ଯ୍ୟର ପ୍ରସନ୍ନ ଗୋଲକ ନିତି ଆପଣାକୁ ପ୍ରତିଷ୍ଠିତ କରିଦେଇ ଯାଇଛି ।

ସମୟରେ କେତେ ପରିବର୍ତ୍ତନ ହେଲାଣି, ସେକଥା ଆଜିକାର ସୂର୍ଯ୍ୟୋଦୟ ଦେଖି ହେଜକୁ ଆସିଲା । ସୂର୍ଯ୍ୟ ଉଠୁ ଉଠୁ ଆଜିକାଲି ପ୍ରାୟ ସାଢ଼େ ଆଠଟା ବାଜୁଚି । ଆମେ ଯେତେ ଯେତେ ଉତ୍ତର ଅକ୍ଷାଂଶକୁ ଉଠୁଥିବୁ, ସମୟରେ ସେତେ ବେଶୀ ପରିବର୍ତ୍ତନ ହେଉଥିବ ।

କାଲି ରାତିରେ ରାତି ବାରଟା ପର୍ଯ୍ୟନ୍ତ ଆମ ଜାହାଜରେ ଘୋଡ଼ାଦୌଡ ହୋଇଥିଲା, ଅର୍ଥାତ କାଠ ଘୋଡ଼ାର ସାର ଚଳା ହୋଇ ଜୁଆଖେଳ ହୋଇଥିଲା । ପ୍ରଥମ ଶ୍ରେଣୀର ଯାତ୍ରୀମାନେ ଏଥିଲାଗି ଆଜି ଦ୍ୱିତୀୟ ଶ୍ରେଣୀର ଯାତ୍ରୀମାନଙ୍କୁ ନିମନ୍ତ୍ରଣ କରିଥିଲେ । ବେଶୀ ଲୋକ ଏକାଠି ଭାଗ୍ୟ ପରୀକ୍ଷା କରିବାକୁ ଆସିବାରେ ହାରାବାର ଆଶଙ୍କା ବେଶୀ ହେଲେ ମଧ୍ୟ, ଏଣେ ଜିତିବା ଲୋକର ପ୍ରାପ୍ୟ ବଢ଼ିଯିବାର ବେଶ୍ ପ୍ରଲୋଭନ ରହିଚି । ତେଣୁ ଅନ୍ୟ ଶ୍ରେଣୀର ଯାତ୍ରୀମାନଙ୍କୁ ପ୍ରିୟାପ୍ରୀତି ସୂତ୍ରରେ ଚିଟାଉ ଦେଇ ରାତ୍ରି ମିଳନରେ ଏକତ୍ର କରାଇବାରେ କ୍ଷତି କଣ ? ସକାଳୁ ଘୋଡ଼ାଦୌଡ ବିଷୟରେ ସବୁ ବିବରଣୀ ଶୁଣିଲି । ଜଣେ ଜଣେ ଭାଗ୍ୟବନ୍ତ କୁଆଡ଼େ କାଲି ଦୁଇତିନି ପାଉଣ୍ଡ ପର୍ଯ୍ୟନ୍ତ ଜିତିଛନ୍ତି । ଆମ ଦେଶର ପଇସାରେ ଏହା ଛବିଶ ସତେଇଶ ପର୍ଯ୍ୟନ୍ତ ଟଙ୍କା ହେବ, ସରକାରୀ ଦପ୍ତରୀର ଗୋଟାଏ ମାସର ଦରମା ମନ୍ଦ କ’ଣ ?

କାଲି ଦକ୍ଷିଣ ଉପକୂଳରେ ସ୍ଥଳର ସୂଚନା ପାଇଥିଲି । ବୋଧହୁଏ ଉତ୍ତର ଆଫ୍ରିକାର ଆଟ୍‍ଲାସ୍‍ ପର୍ବତମାଳା ଏପାଖରୁ ସେପାଖ ଦିଗ ମାଡ଼ି ବସିଥିଲେ । ୟା ମଧ୍ୟରେ ଆମେ ମାଲଜିରିୟା ଦେଶ ଟପି ଆସିଚୁ, ଏପାଖରେ ମରକ୍‍କୋ, ସେ ପାଖରେ ସ୍ପେନ ଜିବ୍ରାଲଟ୍‌ରକୁ ଲକ୍ଷ୍ୟ କରି ମଝିରେ ଆମର ଜାହାଜ ଚାଲିଚି, ମଧ୍ୟଯୁଗର ଧର୍ମପ୍ରବଳ ସମୟ କଥା ମନେ ପଡ଼ୁଚି । ଧର୍ମର ପତାକା ଉଡ଼ାଇ ତୁରଷ୍କ ଦେଶର ସେନା ଦିନେ ଏହି ଛୋଟ ପ୍ରଣାଳୀ ପାରି ହୋଇ ସ୍ପେନରେ ଅଟୋମାନ ସାମ୍ରାଜ୍ୟ ବସାଇଥିଲେ । ସ୍ପେନ ମଧ୍ୟ ତା’ ବେଳ ପଡ଼ିଲାବେଳେ ପ୍ରତିଶୋଧ ନେବାକୁ ଛାଡ଼ି ନ ଥିଲା । ସେତେବେଳେ ସ୍ପେନ କାଥୋଲିକ ଧର୍ମର ସେକ୍ରେଟେରୀଏଟରେ ପରିଣତ ହୋଇଥିଲା । ହାତ ପାଖରେ ବିଚାର-ଗମ୍ଭୀରା ଓ ଜେଲସବୁ ବସିଥିଲା । ସେଇ ଯୁଗରେ ସ୍ପେନ ମରକକୋବାସୀ ମୁର (Moor)ର ପ୍ରତିଶୋଧ ନେଇଥିଲା । ସହର ବଜାର, ଗାଁ, ଘାଟ ଯିଏ ଯେଉଁଠି ମୁର ପାଇଲା, ଜବରଦସ୍ତି ଧରି ସରକାରଙ୍କୁ ସମର୍ପି ଦେଲା । ଆମ କଟକର ମାଙ୍କଡ଼ମରା ଅଭିଯାନ ପରି ସ୍ପେନ ସରକାରଙ୍କର ମୁରମୁରା ନିଶ୍ଚୟ ସେଇ ସମୟର ଗେଜେଟ୍‍ରେ ଲେଖା ହୋଇ ରହିଥିବ ।

•••

 

ପର୍ଟୁଗାଲା ଉପସାରଗର

୧୫-୧୨-୫୦

 

ସକାଳୁ ଉଠୁ ଉଠୁ ଆଜିକାର ରେଡ଼ିଓ ବଡ଼ ଦୁଃଖପୂର୍ଣ୍ଣ ଖବରଟିଏ ଆଣି ଦେଲା । ସରର୍ଦ୍ଦାର ପଟେଲ ଆଉ ଇହ ଜଗତରେ ନାହାନ୍ତି ।

 

ପୁରୁଷ ପୁରୁଷକେ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ହୁଏ । ରତ୍ନସମ୍ପଦ ମନେ କରି ଯାହାକୁ ବାପ ମାଟି ତଳେ ପୋତି ରଖିଥାଏ, ପୁଅ ହୁଏତ ତାକୁଇ ନେଇ ବାଣିଜ୍ୟ କରି ବାହାରେ, ବାପ ଆଉ ପୁଅର ଏଇ ମନାନ୍ତର ସବୁ ପରିବାରରେ ରହିଚି । ବାପ ଇଚ୍ଛା କରେ, ତା’ ବୋହୂ ଗହଣାଗାଣ୍ଠି ଲଗାଇ ଦାମୀ ଶାଢ଼ୀ ପିନ୍ଧି ବଡ଼ ବଡ଼ ଘରକୁ ଭଲ ମନ୍ଦ ସଂଖୋଳି ଯିବ । ପୁଅ ନୂଆ ପାଠ ପଢ଼ି ଆପଣା ସ୍ତ୍ରୀକୁ ଜୀବନ-ଦାଣ୍ଡର ସହକର୍ମିଣୀ ହିସାବରେ ଅତି ସାଧାରଣ ବେଶରେ ଘରୁ ଗୋଡ଼ କଢ଼ାଇ ଆଣେ । ସେଇଥିଲାଗି କେତେ ବଚସା ଓ ଭର୍ତ୍ସନା ହୁଏ, ମଝିରେ ବୟସ୍କା ମାଆ କେତେ ଥର ମଧ୍ୟସ୍ଥତା କରି ବାପପୁଅଙ୍କୁ ମିଳାଇ ରଖେ ।

 

ଜାତିର ଜୀବନରେ ମଧ୍ୟ ପୁରୁଷ ପୁରୁଷ ଅନୁକ୍ରମରେ ବାପପୁଅର ଏଇ ତିକ୍ତମଧୁର ସମ୍ପର୍କ ଲାଗି ରହିଚି । ଭାରତୀୟ ଜାତୀୟ ଜାଗରଣରେ ସେଇ ପ୍ରଥମ ସକାଳରେ ଯେଉଁ ସମାଜ ଓ ଜାତିସଂସ୍କାରକମାନେ ବାହାରିଥିଲେ; ତତ୍‌କାଳୀନ କୁଳବୃଦ୍ଧମାନଙ୍କଠାରୁ ସେମାନଙ୍କୁ କେତେ ବିରୋଧ ଓ ବଚସା ସହିବାକୁ ପଡ଼ିଥିଲା । ଯୁଗର ଅତି ଆଗୁଆ ଅତି ବଡ଼ ବିଦ୍ରୋହୀ ହିସାବରେ ସେମାନେ ସମସାମୟିକ ଯୁବଶ୍ରେଣୀର ପଥକୁ କେଡ଼େ ଉତ୍ତେଜିତ କରି ଦେଉ ନ ଥିବେ ? କୋଡ଼ିଏ ତିରିଷ ବର୍ଷ ପରେ ସେଇ ଯୁବକମାନେ ବୁଢ଼ା ହେଲେ, ତାଙ୍କରି ପୁଅମାନେ ଯୁବକ ହୋଇ, କ୍ଷେତ୍ରର ମାଲିକ ହେ ଲେ, ସେଇମାନେ ଆହୁରି ପାହୁଣ୍ଡେ ଆଗକୁ ଚାଲିଗଲେ । ଆଦର୍ଶର ସବୁ ସଂଜ୍ଞା ବଦଳିଗଲା, ଅଗ୍ରଗତିର ମାନଦଣ୍ଡ ପୁରୁଣା ଗାରକୁ ଚାରିଗାର ଛାଡ଼ି ଚାଲିଗଲା । ଦିନେ ଯୁବକ ଓ ବିଦ୍ରୋହୀ ବୋଲାଉଥିବା ବୁଢ଼ାମାନେ ଆଖି ଆଗରେ ମଣିଷ ହୋଇଥିବା ପିଲାମାନଙ୍କର କ୍ଷିପ୍ର ଗତି ଓ ଉଗ୍ର ମତବାଦରେ ପ୍ରମାଦ ଗଣିଲେ । କିନ୍ତୁ ଜାତୀୟତାର ନୂଆ ଅବତାର ଆସନ ଉପରେ ସିଦ୍ଧିର ଫୁଲ ଚଢ଼ା ହେଲା, ପୁରୁଣା ହାର ମାନିଲା । ସେଇପରି ଦୁଇ ତିନିପରସ୍ତ ଅଭିନୟ ଏଇ ଭାରତରେ ହୋଇ ଗଲାଣି । ଟିକିଏ ଅଧିକ ସମଗ୍ର ଭାବରେ ଦେଖିଲେ ସାରା ପୃଥିବୀର ଇତିହାସରେ ମଧ୍ୟ ଏଇ ନିମିତ୍ତ ପରି ବ୍ୟବହାର କରି ଇତିହାସର ବିଧାତାପୁରୁଷ ଆପଣାର ଚିନ୍ତା ଓ ସ୍ୱପ୍ନକୁ ପ୍ରତିଷ୍ଠିତ କରି ଚାଲିଛି ।

 

ବ୍ରିଟିଶ ଶାସନର ଅତି-ପରିପକ୍ୱ ଓ ଅତି-ପ୍ରତାପଶାଳୀ ପର୍ଯ୍ୟାୟରେ ଜଣେ କ୍ଷୀଣକାୟ ଯୁବକ ପ୍ରଥମେ ଭାରତର ମୁଖପାତ୍ର ହୋଇ ଦେଶ ଲାଗି ପୂର୍ଣ୍ଣ ସ୍ୱାଧୀନତା ଦାବୀ କରି ବସିଥିଲା । ତାହାରି ଚୁମ୍ବକରେ ଦେଶର ସମସ୍ତ ଶକ୍ତି ଜାତିୟ ପକ୍ଷର ଶିବିର ମଧ୍ୟରେ ଏକତ୍ରିତ ହୋଇ ପାରିଥିଲା । ବିଦେଶୀ ଶାସନର ଫଳ ପାଚି ସମୟକ୍ରମେ ଝଡ଼ି ପଡ଼ିଲା । ନୂଆ ଫଳ ଫଳାଇବାର ମନ୍ତ୍ର ଦେଇଥିବା ମହାତ୍ମା ଆପଣା କାମ ସାରି ବିଦାୟ ନେଇଗଲେ । ହଠାତ ଅଜସ୍ର ପ୍ରକାରେ ବିପନ୍ନ ହୋଇ ପଡ଼ିଥିଲା ପରି ଭାରତର ପ୍ରାଣ ସନ୍ତ୍ରସ୍ତ ହୋଇ ଉଠିଲା । ସେତିକିବେଳେ ଯେଉଁମାନେ ନାବିକ ହୋଇ ଲୋକମନର ସମର୍ଥନ ପାଇ ଦେଶର ତରୀକୁ ବିପଦରୁ କଢ଼ାଇ ଭସାଇନେଲେ, ସର୍ଦ୍ଦାର ପଟେଲ ତାଙ୍କରି ଭିତରେ ଜଣେ । ଏଇ କେତେ ବର୍ଷ ହେଲା ଯେଉଁମାନଙ୍କ ମୁହଁ ଦେଇ ସାରା ଦେଶର କଥା ଘୋଷିତ ହୋଇ ପାରିଥିଲା, ସର୍ଦ୍ଦାର ପଟେଲ ସେଇ ଅଳ୍ପ କେତେ ଜଣ ପୁରୋହିତଙ୍କ ଭିତରେ ଜଣେ ।

 

ବସ୍ତୁତଃ ବଡ଼ ବଡ଼ ଲୋକଙ୍କର ଜୀବନକୁ କେବଳ ବ୍ୟକ୍ତିଗତ ଭାବରେ ବିଚାର କରି ହେବ ନାହିଁ । ଦେଶର ଇତିହାସର ଗୋଟାଏ ଗୋଟାଏ ଯୁଗର ପ୍ରତିନିଧିତ୍ୱ କରି ସେମାନେ ସେଇ ଯୁଗର ଗୋଟିଏ ଗୋଟିଏ ଦୁଆର ପରି ହୋଇଯାନ୍ତି । ସେମାନଙ୍କ ଯୁଗରେ ସେମାନେ କୀର୍ତ୍ତିର ତୁଙ୍ଗ ଶିଖରୀକୁ ଉଠନ୍ତି, ଦେଶର ସର୍ବଶ୍ରେଷ୍ଠ ସମ୍ମାନ ପାଆନ୍ତି । କିନ୍ତୁ ସେଇ ଯୁଗ ସଙ୍ଗେ ସଙ୍ଗେ ସେମାନେ ବୁଢ଼ା ହୋଇ ଯାଆନ୍ତି, ହୁଏତ ଦିନର ନୂଆ ଭାବନା ଓ ନୂଆ ପ୍ରେରଣାକୁ ଠିକ୍ ଭାବରେ ଚିହ୍ନିବା ଲାଗି ସେମାନଙ୍କ ପାଖରେ ଉଚିତ ଉପକରଣ ନ ଥାଏ । ଯୁଗର ଗତିକୁ ଚାଲୁ ରଖିବାକୁ ସେମାନଙ୍କର ଚାବି ଆଉ କାମ ଦେଇ ପାରେ ନାହିଁ । ସେମାନଙ୍କର କଥା କଳଙ୍କି ଲାଗିଗଲା ପରି ଦିଶେ । କେବଳ ଆପଣା ପିଲାଦିନର ମରହଟ୍ଟୀ କଥାମାନଙ୍କୁ ଭାରି ଗମ୍ଭୀର ଓ ଆବେଗ-ପୂର୍ଣ୍ଣ କରି କହି ଦେଶର ନୂଆ ଡେଣା ଲାଗିଥିବା ବାଣୀ ଚଢ଼େଇକୁ ସତର୍କ ଉପଦେଶ ଦେବା ଛଡ଼ା ଯେପରି ସେମାନଙ୍କର ବାଣୀ ଆଉ ଉଦ୍ଦେଶ୍ୟ ପୂର୍ଣ୍ଣ କରି ପାରେ ନାହିଁ ।

 

ଭାରତ ବର୍ତ୍ତମାନ ସେହିପରି ଗୋଟାଏ ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଚି । ଜାତୀୟ ଜୀବନଧାରାର ପଥ ବଡ଼ କୁତୁହଳ ଦ୍ୱାରା ସନ୍ଦୀପ୍ତ, ପୂରୁଣା ପ୍ରତିନିଧିର ପକ୍ୱ ଜ୍ଞାନ, ଅଭିଜ୍ଞାନ ଓ ପରୀକ୍ଷିତ କର୍ମତତ୍ପରତା ଦ୍ୱାରା ଯେତେବେଳେ ହୁଏତ ଅତି ସହଜରେ କାମ ହାସଲ ହୋଇ ପାରନ୍ତା, ସେ ଠିକ୍ ସେତିକିବେଳେ ସମୟ ଓ ଚିନ୍ତାଧାରାର କଳ ମୋଡ଼ିଦେଇ ବାଦ ଲଗାଇ ଦିଏ । ପୁରୁଣା ଆଉ ନୂଆର ଝଗଡ଼ା ଟଣାଓଟରା ଲାଗେ, ଜଣେ ଅପରକୁ ବୁଝିପାରେ ନାହିଁ । ନୂଆ ନୂଆ ପଥ ଓ ନୂଆ ନୂଆ ପରିପାର୍ଶ୍ୱରେ ଅନୁପ୍ରେରିତ ହୋଇ ନୂଆମନ ପୁରୁଣା ପିତୃକୂଳର ସିଧାସଳଖ ପଥରେ ଯିବାକୁ ରାଜି ହୁଏ ନାହିଁ, ସେ ଜାଣିଶୁଣି କୁହୁଡ଼ି ପହଁରିବାକୁ ବାତୁଳ ପରି ହୋଇ ଉଠେ । ଉପରେ ବିଧାତା ବସି ରଙ୍ଗରସ ଦେଖୁଥାଏ । ନିତି ନିତି ନୂଆ ନୂଆ ମନ ଓ ମତବାଦର ନିମିତ୍ତ ଜାରୀ ରଖି ସେ ଅନନ୍ତ କୁହୁଡ଼ି ଭିତରେ ତା’ର ସୃଷ୍ଟିକୁ ସତତ ପହଁରାଇ ନେଉଥାଏ ।

 

ଭାରତର ଏକ ଦୀର୍ଘ ଓ ବଳିଷ୍ଠ ଇତିହାସ ରହିଚି । ଜୀବନର ସବୁକ୍ଷେତ୍ରରେ ବାଟ ବତାଇ ଦେଲା ପରି ଶାସ୍ତ୍ରର ପ୍ରାଜ୍ଞବାଣୀ ଆଜି ସୁଦ୍ଧା ଜୀବନ୍ତ ଓ ବଳବତ୍ତର ରହିଚି । ଗଲାଯୁଗର ବିପନ୍ନତମ କ୍ଷଣରେ ଦେଶକୁ କୂଳରେ ଲଗାଇ ଦେଇଥିବା ପ୍ରବୁଦ୍ଧ ପିତାର ବାଟ ନାନା ସ୍ୱାର୍ଥ ଓ ଅଭିମାନର ଆବୁତି ସତ୍ତ୍ୱେ ଏବେ ସୁଦ୍ଧା ହୋଇ ଯାଇନାହିଁ । ତଥାପି ନୂଆ ଭାରତ ସେ ପଥକୁ ଅନୁସରଣ କରିବ ନାହିଁ । ପୁରୁଣାର ତପସ୍ୟାଲବ୍‍ଧ ରସରେ କେବଳ ଜୁଆ ହୋଇ ରହିବା ଯଦି ନୂଆ ଲାଗି ପ୍ରକୃଷ୍ଟ ପନ୍ଥା ହୋଇଥାନ୍ତା, ତେବେ ହୁଏତ ନୂଆର ଜନ୍ମ ହୋଇ ନ ଥିଲେ ଚଳିଥାନ୍ତା । ନୂଆ ଭାରତର ନୂଆ ମନ ବାପ ଦେଖାଇ ଦେଇଥିବା ବାଟରେ ଯିବାର ସୁନାପୁଅ ହେବାକୁ ରାଜି ନୁହେଁ । ସେତିକିରେ ସେ ସନ୍ତୁଷ୍ଟ ନୁହେଁ । ସେ ଜାଣେ, ଆପଣାର ନୂଆ ରାସ୍ତା ତିଆରି କରିବାକୁ ଗଲେ ଅନେକ ଶ୍ରମ କରିବାକୁ ପଡ଼ିବ, ଅନେକ ତ୍ୟାଗ ଓ ସାଧନା ଦ୍ୱାରା ହାତ ହାତ କରି ଅଗ୍ରସର ହେବାକୁ ପଡ଼ିବ । ସେ ଜାଣେ ଅନିଶ୍ଚିତତାର କୁହେଳି-ପଥ ତା’ର ସମ୍ମୁଖରେ ଅନିବାର୍ଯ୍ୟ ହୋଇ ରହିଚି । ଜାଣି ଶୁଣି ସେ ଆଜି ସେଇ ପଥରେ ଯିବ । ତେଣୁ ସୋମନାଥ ମନ୍ଦିରର ଜୀର୍ଣ୍ଣ ସଂସ୍କାର କରିବା ବା ସରକାରୀ କୋଠା ସାମନାରେ ପିତାମହ ଓ ପିତୃବ୍ୟମାନଙ୍କର ସୁନା ପ୍ରତିମା ଥାପିବା ଅପେକ୍ଷା ଦେଶର ସଭିଙ୍କ ଲାଗି ଅଶନ ବସନ ଓ ବସତିର ଯୋଗାଡ଼ କରିବାଲାଗି ତାର ଶପଥ କର୍କଶ ହୋଇ ଉଠିଚି । ସେଇଥିଲାଗି ପୋକଖିଆ ପୋଥିରେ ଥିବା ସଂସ୍କୃତି ଶାସ୍ତ୍ରପ୍ରତି କେବଳ ଏକ ଲୋକସକ୍ତ ଅଭିମାନ ଦ୍ୱାରା ଆକୃଷ୍ଟ ହୋଇ ପଣ୍ଡିତମାନଙ୍କୁ ପାଟବସ୍ତ୍ର ପିନ୍ଧାଇବା ଅପେକ୍ଷା ସେ ଅତି ନିର୍ମମ ହୋଇ ନିତ୍ୟ ଦିନରେ ଦୈନ୍ୟ ଓ ଦାରୁଣ ବାସ୍ତବକୁ ସାହିତ୍ୟ ମଧ୍ୟ ଦେଇ ଲୋକ ସମ୍ମୁଖକୁ ଆଣିବା ଲାଗି ଅଧିକ ତତ୍ପର ହୋଇ ଉଠିଚି ।

 

ହୁଏତ ଆଜି ଏତେ ଉତ୍ତେଜନା ଦେଖାଉଥିବା ଯୁବକ-ଭାରତର ଦଳ ମଧ୍ୟ ଦିନେ ବୁଢ଼ା ହୋଇଯିବେ, ହୁଏତ ବୁଢ଼ା ହୋଇ କେବଳ ଜୀବନ-ସ୍ମୃତି ଲେଖି ଶୁଣାଇବା ଦିନେ ସେମାନଙ୍କର ଏକମାତ୍ର ସାନ୍ତ୍ୱନା ହୋଇ ରହିବ । ହୋଇ ରହିବ । ହୁଏତ ଏଇମାନଙ୍କୁ ପୁରୁଣା ଓ ରକ୍ଷଣଶୀଳ ବୋଲି ପ୍ରତ୍ୟାଖ୍ୟାନ କରି ଏହି ମାନଙ୍କୁ ପୁଅ ଝିଅମାନେ ଆହୁରି ପାହୁଣ୍ଡେ ଆଗକୁ ଚାଲିଯିବେ ।

 

ତଥାପି ଯୁଗର ରୀତିହିଁ ଜୟଲାଭ କରିବ । ଦଳକୁ ନୂଆ ହୋଇ ପୁଣି ପୁରୁଣା ହେବେ । ଅଭିଜ୍ଞତା ଓ ଅନୁଭୂତି ପ୍ରଶସ୍ତ ହେବ । ସଙ୍ଗେ ସଙ୍ଗେ ଲକ୍ଷପଥ ମଧ୍ୟ ସେହିପରି ପ୍ରଶସ୍ତ ହୋଇ ଚାଲିବ । ବିଗତ ଯୁଗର ପ୍ରଜ୍ଞାକୁ କର୍ମଫଳ ପରି ବହନ କରି ନୂଆ ଯୁଗ ଜନ୍ମଲାଭ କରିବ । ଏହିପରି ଭାବରେ ରାଷ୍ଟ୍ର ଓ ବିଶ୍ୱର ଜୀବନ ଆପଣାକୁ ପରିପୂର୍ଣ୍ଣ କରି ଚାଲିଯିବ । ସମୟର ଆବଶ୍ୟକତା ଅନୁସାରେ ନେତା ବା ନୀତିର କଦାପି ଅଭାବ ହେବ ନାହିଁ ।

 

ବଞ୍ଚିଥିବାବେଳେ ସର୍ଦ୍ଦାର ପଟେଲ୍‌ଙ୍କୁ ଅନେକ ଏଇ ପୁରୁଣା ଦଳର ଲୋକ ବୋଲି ବିଚାରୁଥିଲେ । ଅନେକ ସମୟରେ ନୂଆମନ ସହିତ ତାଳ ରଖି ନ ପାରି ସେ ବଡ଼ ଉଗ୍ର ଓ କର୍କଶ ମଧ୍ୟ ହୋଇ ପଡ଼ୁଥିଲେ । କିନ୍ତୁ ଏଇ ମତଭାବ ବା ମନାନ୍ତର ଠିକ୍ ବାପପୁଅର ମତଭେଦ ଓ ମନାନ୍ତର ପରି । ସକଳ ଅନ୍ତର ସତ୍ତ୍ୱେ ଏ ଯୁଗର ପିତୃକୁଳରେ ସର୍ଦ୍ଦାର ପଟେଲ ଚିରଦିନ ଜଣେ ପ୍ରଧାନ ହୋଇ ରହିଥିବେ । ଏହାର ପ୍ରମାଣ ପତ୍ରରୂପେ ତାଙ୍କର ସାରା ଜୀବନର କୀର୍ତ୍ତୀକଳାପ ପଡ଼ି ରହିଚି । ଆପଣାର ନିରୋଳା ପଥରେ ଯାଇଥିଲେ, ସେ ଜଣେ ବଡ଼ ଆଡଭୋକେଟ୍ ହୋଇଥାନ୍ତେ, କୋଠା ବାଡ଼ି ତିଆରି କରିଥାଆନ୍ତେ । ଅନେକ ପଇସା ବୀମା କରିଥାଆନ୍ତେ । କିନ୍ତୁ ଦେଶର ବୃହତ୍ତର କ୍ଷେତ୍ରରେ ତାଙ୍କର ଡାକରା ପଡ଼ିଲା ମାତ୍ରକେ ତାଙ୍କର ବ୍ୟକ୍ତିଗତ ଜୀବନ ଆତ୍ମବଳୀ ଦେଇ ସଙ୍ଗେ ସଙ୍ଗେ ବାହାରି ପଡ଼ିଲା । ସେହିଦିନଠାରୁ ଦେଶରେ ଘଟିଥିବା ସକଳ ବଡ଼ ବଡ଼ ଘଟଣା ସହିତ ସେ ଜଡ଼ିତ ରହି ଆସିଛନ୍ତି । ସବୁ କାହାଣୀ ପଛରେ ତାଙ୍କର ତ୍ୟାଗ, ବୁଦ୍ଧିମତ୍ତା ଓ ସ୍ପଷ୍ଟ ଦୃଷ୍ଟିର କାହାଣୀ ପରିସ୍ପୁଟ ହୋଇ ଉଠିଚି । କେବଳ ଆପଣା କନ୍ୟାଛଡ଼ା ସେ ଆପଣା ପରିବାରର କାହାରି ସହିତ ବେଶୀ ସଂପୃକ୍ତ ନ ଥିଲେ, ତେଣୁ ଦେଶଲାଗି ସେ ଆପଣାକୁ ନିଃଶେଷିତ କରି ଦେଇ ପାରିଥିଲେ । ତାଙ୍କର ଜୀବନ ଚିତ୍ରକୁ ନିରେଖି ଦେଖିଲେ ମନେ ହୁଏ ସେଠି ବାପ ନାହିଁ, ସ୍ୱାମୀ ନାହିଁ, ସଖା ନାହିଁ, କେବଳ ଭାରତବର୍ଷର ଭାଗ୍ୟ ସହିତ ଆପଣାକୁ ବନ୍ଦାଇ ଦେଇଥିବା ଏକ ଲୌହମନର ସଂକଳ୍ପହିଁ ଅବଶେଷ ରହିଚି । ଏତ ନିର୍ଦ୍ଦିଷ୍ଟ ଓ ଅବିଚଳିତ ଭାବରେ ଦେଶର କ୍ଷେତ୍ରରେ ଆପଣାକୁ ଆଉ କେହି ଅବତୀର୍ଣ୍ଣ କରାଇ ପାରିଚନ୍ତି କି ନାହିଁ ସନ୍ଦେହ । ଜବାହର ଭାରତବର୍ଷର ହୃଦୟ; ସେଠି ହସ କାନ୍ଦ ପ୍ରୀତି ପ୍ରମାଦ ସବୁଟି ଲାଗି ଯଥେଷ୍ଟ ସ୍ଥାନ ଅଛି । ସର୍ଦ୍ଦାର ପଟେଲ ଭାରତର ଦମ୍ଭ, ଭାରତର ସାହସ । ସେଠି କୌଣସି ଭଳି ମନସ୍ପଳନ ଲାଗି ଏତେ ଟିକିଏ ସ୍ଥାନ ନାହିଁ । ସହସ୍ର ପ୍ରକାର ପ୍ରତିକୂଳତା ସତ୍ତ୍ୱେ ଯେପରି କେଉଁ ସାରଥିର ଦୃଢ଼ନିବଦ୍ଧ ଅଥଚ ପରିଚିତ ନେତ୍ରପୁତ୍ତଳୀ ଦେଶର ରଥକୁ କତ୍ରୁ ସୀମାରୁ ବାହାର କରି ନେଇ ଚାଲିଚି ।

 

ସର୍ଦ୍ଦାର ପଟେଲଙ୍କ ପରି ଅନେକ ନେତା ବର୍ତ୍ତମାନ ଏ ଦେଶ ଲାଗି ଦରକାର । ଦେଶର ଜୀବନ ବର୍ତ୍ତମାନ ଅତି ଶଙ୍କୁଳ, ଦୃଷ୍ଟି ଅତି ଅସ୍ପଷ୍ଟ, ଅତି ଦୁର୍ବଳ । ଏତିକିବେଳେ ଅଭିଜ୍ଞ ପିତାପରି ସେ ଆମକୁ ସବୁବେଳେ ଦମ୍ଭ ଦେଇ ଆସୁଥିଲେ । ସବୁବେଳେ ସେ ଅନିଶ୍ଚିତ ପଥର ପ୍ରସାଦ ବିଷୟରେ ଚେତାଇ ଦେଇ ନୂଆ ଭାରତର ଯାତ୍ରୀକୁ ସତର୍କ ଓ ଶକ୍ତିଶାଳୀ କରି ରଖିଥିଲେ । ସେଥିଲାଗି ତାଙ୍କର ଅନୁପସ୍ଥିତିରେ ଆଜି ହଠାତ୍ ନିଜର ଦମ୍ଭ, ନିଜର ସାହସ ହରାଇ ପକାଇ ଥିଲାପରି ଲାଗୁଚି, ଆପଣାକୁ ବଡ଼ ଏକୁଟିଆ ମନେ ହେଉଚି । ଭଗବାନଙ୍କଠାରେ ପ୍ରାର୍ଥନା, ତାଙ୍କରି ବ୍ୟକ୍ତିତ୍ୱ ସବୁଦିନ ଆମର ଦୃଷ୍ଟି ପଥରେ ରହି ସକଳ ପ୍ରମାଦରେ ଦମ୍ଭ ଦେଇ ଯାଉଥାଉ ।

•••

 

ପର୍ତ୍ତୁଗାଲ ଉପସାଗର

୧୬-୧୨-୫୦

 

କାଲି ସକାଳର ଦୁଃଖ ସମ୍ବାଦ ଏତେ ହଠାତ୍ ଓ ଅପ୍ରତ୍ୟାଶିତ ଭାବେ ଆସି ପହଞ୍ଚିଲା ଯେ ଲେଖିବାର ସମସ୍ତ ଉତ୍ସାହ ଓ ଆଗ୍ରହ କୁଆଡ଼େ ଚାଲିଗଲା ପରି ଲାଗିଲା । ଜୀବନର ବଡ଼ ବଡ଼ ଦୁଃଖ ସମ୍ବାଦ ଏଇପରି ଆସି ହଠାତ୍ ପହଞ୍ଚେ । ଯେତେବେଳେ ନାନା ବିସ୍ମୃତି ଭିତରେ ମନଟା ଅତି ନିଶ୍ଚିନ୍ତରେ ବିଶ୍ରାମ କରୁଥାଏ, ନିକିମା ହୋଇ ବସି କେବଳ ନିତି ଦିନର ଲାଭକ୍ଷତି ହିସାବ କରୁଥାଏ, ସେତିକିବେଳେ ବଜ୍ରାଘାତ ପରି ଗୋଟାଏ ଦୁଃସମ୍ବାଦ ଆସି ପହଞ୍ଚେ । ହଠାତ ଆପଣାକୁ ବଡ଼ ଅସହାୟ ମନେହୁଏ, ହଠାତ୍ ଏକାକୀ ଆଗକୁ ଯିବାକୁ ଯେପରି ଆଉ ସାହସ ପାଏନାହିଁ । ଆପଣାର ପାଳିତ ପଶୁସମ୍ପଦକୁ ଚାରଣଭୂମିରେ ଛାଡ଼ି ଦେଇ ଅସ୍ଥାୟୀ ତମ୍ବୁତଳେ ବିଶ୍ରାନ୍ତି ମେଣ୍ଟାଉଥିବା ପଶୁପାଳକର ବାସ ବସତି ସତେ ଅବା ଗୋଟାଏ ଝଡ଼ରେ ଉଡ଼ି ପରି ଲାଗେ ଏହିପରି ହଠାତ୍ ଅତି ଦୁଃସହଭାବରେ ଆସି ଦୁଃଖ ଭେଳା ମଣିଷକୁ ସାବଧାନ କରି ଦେଇଯାଏ । ଏଇ ସଂସାରରୁ ସବୁ ପ୍ରିୟଜନ, ଗୁରୁଜନ ଦିନେ ବିଦାୟ ନେବେ, ସକଳ ଆଶ୍ରୟ ଓ ଅବଲମ୍ବନ ଦିନେ ଆଢ଼ୁଆଳ ହୋଇଯିବେ, ତଥାପି ଜୀବନର ଏକାକୀ ପଥରେ ମହଲ୍ଲକ୍ଷର ଅଭୟ ନେଇ ଚାଲିବାକୁ ପଡ଼ିବ; ଏହା ହିଁ ସକଳ ଦୁଃଖର ଚିରନ୍ତନ ଆହ୍ୱାନ ।

 

କାଲି ଦିନଯାକ ସେହି ଦୁଃଖ ଭିତରେ ମଜ୍ଜି ରହିଥିଲି । ଯାହା ଲେଖିଥିଲି ତା ଭିତରେ ସେହି ଦୁଃଖର ଚିତ୍ରଟାହିଁ ଫୁଟି ଉଠିଥିଲା, ଜୀବନର ଦୁଃଖର ଏକ ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । କେବଳ ଦୁଃଖ ଭିତରେ ହିଁ ମନୁଷ୍ୟ ଆପଣାର ସମସ୍ତ ଅଜାଡ଼ି ଦେଇ ପାରେ, ସୁଖବେଳେ ତାହା ସମ୍ଭବ ହୋଇପାରେ ନାହିଁ । ଉପଭୋଗ କଲାବେଳେ ଉପଭୋଗ ନିଃଶେଷିତ ହୋଇଯିବାର ଆଶଙ୍କାରେ ଚିତ୍ତ ସତର୍କ ଓ ସଶଙ୍କ ରହିଥାଏ । କିନ୍ତୁ ଦୁଃଖ ଭିତରେ କେବଳ ସେ ଆପଣାକୁ ସମ୍ପୂର୍ଣ୍ଣ ଭାବରେ ନିମଜ୍ଜିତ କରିଦେଇ ପାରେ, ଶିଶୁଟି ପରି ସେ ସେହି ଦୁଃଖ-ଜୀବନର କୋଳରେ ଆପଣାକୁ ବିସ୍ମୃତ କରିଦିଏ । ସେଇ ଦୁଃଖ ଭିତରେ ବୁଡ଼ି ସେ ଆନନ୍ଦ ଲାଭ କରିବାର ପଥ ଆବିଷ୍କାର କରେ, ସକଳ ସଂଶୟର ଉତ୍ତର ସେ ସେଇଠି ପାଏ । ଦୁଃଖର ସଂଯୋଜନୀ ଦ୍ୱାରା ମଣିଷ ଜୀବନକୁ ପରତ୍ମା ଜୀବନ ସହିତ ଗଅଣ୍ଠାଇ ଦିଏ । Our sorrows wed ourselves to God. କବିଗୁରୁ ଗେଟେଙ୍କର ଏହି ସାର କଥାର ଉପଲବଧି କେବଳ ଦୁଃଖବେଳେ ହିଁ ହୋଇଥାଏ ।

 

ଜିବ୍ରାଲଟ୍‌ର କୋଉ ପଛରେ ପଡ଼ି ରହିଲାଣି, କିନ୍ତୁ ତା’ର ପ୍ରସଙ୍ଗ ଏ ପର୍ଯ୍ୟନ୍ତ ପଡ଼ିନାହିଁ । ସବୁକଥା ସଜାଡ଼ି ଧରି ଭାରି ଆଗ୍ରହରେ ଜିବ୍ରାଲଟ୍‌ର ବିଷୟରେ କିଛି ଲେଖିବି ବୋଲି ଭାବିଥିଲି । ଦିନେ ପୁରୁଣା ହୋଇ ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମନରେ ସେଇ ଆଗ୍ରହ ରହଚି । ବାର ବାର ମନ ଭିତରେ ସେଇ ଦେଖା ଜାଗାଟିର ରୂପ ପ୍ରତିଭାସିତ ହୋଇ ଚାଲିଚି; ଭାଷାରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ଯେପରି ମତେ ସେ ଛାଡ଼ିବାକୁ ନାରାଜ । ପଅରିଦିନ ତିନିଟାବେଳେ ଆମେ ଦୁଇ ପାଖରେ ସ୍ଥଳଭାଗ ଦେଖି ପାରିଲୁ, ସ୍ଥଳଭାଗ ବୋଇଲେ ପର୍ବତ ଛଡ଼ା ଆଉ କିଛି ନୁହେଁ । ଏ ପାଖରେ ସ୍ପେନର ଛୋଟ ବଡ଼ ପର୍ବତମାଳା, ସେ ପାଖରେ ଆଲଟାପ ଶ୍ରେଣୀର ଉଚ୍ଚ ଗିରିଶୃଙ୍ଗ,-ଦୁଇ ଦିଗରୁ ଦୁହେଁ ଯାଇ ଯେପରି ପଶ୍ଚିମ ଦିଗରେ ମିଶି ଯାଇଚନ୍ତି । ଜିବ୍ରାଲଟ୍‌ର ହେଉଚି ସେ ମିଳନବିନ୍ଦୁ, ସେଇଠି ଏକ ସଂକୀର୍ଣ୍ଣ ଜଳନାଳୀ ଭୁମଧ୍ୟସାଗରକୁ ବୃହତ୍ ମହାସାଗର ସହିତ ମିଲାଇ ଦେଇଚି ।

 

ମେଘର ଅନ୍ଧିସହ ଦେଇ ସେତେବେଳକୁ ଅସ୍ତଗାମୀ ସୂର୍ଯ୍ୟର କିରଣରେଖା ଆକାଶକୁ ଉଦ୍‍ଭାସିତ କରି ରଖିଚି । ମେଘକୃଷ୍ଣ ଉତ୍ତର ଦିଗବଳୟର ପର୍ବତ-ମାଳାରେ ସେଇ କିରଣର ରଙ୍ଗ ବୋଳି ହୋଇ ଯାଇଚି । ପର୍ବତର ସକଳ ଅଙ୍ଗ ସେଇ ଶୁଭ୍ର କିରଣ ସନ୍ନିଧାନରେ ସତେ ଅବା ସଦ୍ୟସ୍ନାତ ଦିକ୍‌ପାଳର ଉଜ୍ଜଳ ରୂପ ଧାରଣ କରିଚି, ହଠାତ୍ ଦୂରରେ ଜିବ୍ରାଲଟ୍‌ର ପାହାଡ଼ ଦେଖାଗଲା । ହଠାତ୍ ସମୁଦ୍ର ମଝିରେ ଉଚ୍ଚ ଅଢ଼ଙ୍ଗ ପାହାଡ଼ଟା, ଯେ କୌଣସି ପଥିକର ଦୃଷ୍ଟି ଓଟାରି ନେଇଯିବାର କିମ୍ଭୁତତାରେ ଯେପରି ସେ ଭାରି ଗୌରବ ଅନୁଭବ କରୁଚି ।

 

କ୍ରମେ କ୍ରମେ ଆମେ ଅତିକାୟର ସମୀପବର୍ତ୍ତୀ ହେବାକୁ ଲାଗିଲୁ, କ୍ରମେ କ୍ରମେ ନୂଆ ସାଗର ଓ ନୂଆ ପ୍ରକୃତି ଦୃଷ୍ଟିଗୋଚର ହେଲା । ଏ ପାଖର ଲଙ୍ଗଳା କୋଠା ଥୁଣ୍ଟା ପାହାଡ଼ର ସେ ପାଖରେ ଏଡେ ବଡ଼ ସହର ! ମାଳ ମାଳ କୋଠା ଅଧାଯାଏ ପାହାଡ଼ଟିକୁ ପୂର୍ଣ୍ଣ କରି ରଖିଚି, ଉପରକୁ ଘନ ଜଙ୍ଗଲ । ପାହାଡ଼ର ଶେଷ ଶିଖରେ ଗୋଟିଏ ଛୋଟ ଘର! ସେଠି ମଧ୍ୟ ମଣିଷ ଯାଇ ବସତି କରିଚି ।

 

ଜାହାଜ ତରଫରୁ ଘୋଷଣା କରି ଦିଆଗଲା ଯେ, ଜିବ୍ରାଲଟ୍‌ର ବନ୍ଦରରେ ଯାତ୍ରୀମାନେ ଓହ୍ଲାଇ ପାରିବେ ନାହିଁ, ଆମେ ସମସ୍ତେ ଭାରି ଆଶାକରି ପୋଷାକ ପତ୍ର ପିନ୍ଧି ସଜବାଜ ହୋଇ ରହିଥିଲୁ । ପୋର୍ଟୟଦଠାରୁ ବଞ୍ଚିତ ହୋଇ ରହିଥିବା ମନଟା ଜିବ୍ରାଲଟ୍‌ର ଲାଗି ଭାରି ସତୃଷ୍ଣ ହୋଇ ରହିଥିଲା । ପନ୍ଦରଦିନ କାଳ ସମୁଦ୍ର ଭିତରେ ଆବଦ୍ଧ ହୋଇ ରହିବାର ଅସନ୍ତୋଷଟା ମାଟି ଛୁଇଁବାର ସ୍ଥିତରେ ଆପଣାକୁ ପାସୋରି ଦେଇଥିଲା ।

 

ଦୁର୍ଭାଗ୍ୟ ଛଡ଼ା ଦୋଷ ଦେବାକୁ ଆଉ କାହାକୁ ପାଆନ୍ତୁ ? ତଥାପି ଜାହାଜ ଉପରୁ ଯେତିକି ମିଳିବ, ସେତିକି ଦୃଶ୍ୟ-ପ୍ରସାଦରୁ ଆପଣାକୁ ବଞ୍ଚିତ କରି କି ଲାଭ ? ଯାତ୍ରୀମାନେ ସମସ୍ତେ ଆସି ଡେକ୍ ଉପର ଜମା ହୋଇଥାନ୍ତି । ଅଦୂରରେ ଜିବ୍ରଲଟର ପୋତାଶ୍ରୟ: ପୋତାଶ୍ରୟ ଭିତରେ ମାଳ ମାଳ ଜାହାଜ ।

 

ଆମ ଜାହାଜରୁ ଦଶ ବାରଜଣ ଯାତ୍ରୀ ଏଇଠି ଓହ୍ଲାଇଗଲେ, ତାଙ୍କୁ ନେବାକୁ ଗୋଟିଏ ଛୋଟ ଜାହାଜ ପୋତାଶ୍ରୟରୁ ଆସିଥିଲା । ଭାରତବର୍ଷରୁ ବୋଝାଇ ହୋଇ ଆସିଥିବା ଅନେକ ମାଲ ମଧ୍ୟ ଏଇଠି ଉତୁରିଲା । ତେଣୁ ଆମେ ପ୍ରାୟ ଚାରିଘଣ୍ଟା ପର୍ଯ୍ୟନ୍ତ ଏଇଠି ପଡ଼ି ରହିଲୁ, ସହରର ଏତେ ପାଖରେ ଥାଇ ସହରଟାକୁ ଦେଖି ହେଲାନାହିଁ, ଏହିପରି ଗୋଟାଏ କ୍ଷୋଭ ନିଜର ଅଭିମାନକୁ ଖାଲି କାମୁଡ଼ି ଦେଇ ଯାଉଥାଏ । ଜିବ୍ରାଲଟ୍‌ର ପରେ ମଧ୍ୟ ପୁଣି ସ୍ପେନ୍ ଦେଶର ଉପକୂଳ ଲାଗିରହିଚି । ଖପରଘର, ରାସ୍ତା, ମଣିଷସବୁ ଦେଖା ଯାଉଥାଏ । ଅନେକ ଦିନ ପରେ ଟିକିଏ ଶ୍ୟାକଳଭୁଇଁ ଦେଖି ଭାରି ଖୁସି ଲାଗିଲା । ଝଙ୍କା ହୋଇ ରହିଥିବା ଖଜୁରୀ ଗଛଗୁଡ଼ାକ ମଧ୍ୟ ଭାରି କି ସୁନ୍ଦର ଦିଶୁଥାନ୍ତି । ନୁଖୁରା ପାହାଡ଼ ଟାଙ୍ଗରାରେ ଏଇ ଅଲରା ଗଛ; ଗଛଗୁଡ଼ିକ କି ସୁନ୍ଦର-

 

ସେ ପାଖ ଛାଡ଼ି ଆଫ୍ରିକାର ଉପକୂଳକୁ ଅନାଇଲି । ସେତେବେଳକୁ ସୂର୍ଯ୍ୟସ୍ତର ରକ୍ତିମ ବିଳାସ ନୀଳବର୍ଣ୍ଣ ପାହାଡ଼ ଉପରେ କାଳୀ-କପାଳର ସିନ୍ଦୁର କରି ଝଟକୁଛି, ଭୂମଧ୍ୟ-ସାଗରର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଚିରଦିନ ପରି ମନେ ରହିଥିବ ।

 

ଆମ ଜାହାଜ ଜିବ୍ରାଲଟ୍‌ର ଛାଡ଼ିଲାବେଳକୁ ରାତି ନଅଟା । ଜଳ ଓ ପର୍ବତର ଚିକ୍‌କଣ ବନ୍ଧୁର ଦୃଶ୍ୟପଟ ସେତେବେଳକୁ ରାତିର କୃଷ୍ଣଗର୍ଭରେ ଏକାକାର ହୋଇଗଲାଣି । ବିଜୁଳି ଆଲୁଅର ମହୋତ୍ସବରେ ସାରା ସହରଟା କେଉଁ ଅଦୃଶ୍ୟ ମଥାର ମଥାମଣି ପରି ଝଟକୁଥାଏ । ଅନ୍ଧାରରେ ବିସ୍ମୃତି ଭିତରେ କେବଳ ସେଇ ଆଲୋକର ଝଲମଲ ଯେପରି କେତେ ଜୀବନର କଥା କହି ଉଠୁଥାଏ । ଉପକୂଳର ଆଲୁଅ ଗୁଡ଼ିକ ଅନେକ ଦୂରଯାଏ ଦ୍ୱାର ପରି ଲମ୍ବି ରହିଥାଏ । ସହରଟିକୁ ପଛରେ ପକାଇ ଆମ ଜାହାଜ କ୍ରମେ ରାତ୍ରିପଥରେ ଅଦୃଶ୍ୟ ହୋଇଗଲା ।

 

ସକାଳକୁ ଉଠିଲାବେଳକୁ ପାହାଡ଼ ପର୍ବତ ଓ ପ୍ରଣାଳୀ କେତେ ପଛରେ ରହିଲାଣି । ଭୂମଧ୍ୟ-ସାଗରର ମାନଚିତ୍ର ବଦଳରେ ଆଟ୍‍ଲାଣ୍ଟିକ୍‍ର ମାନଚିତ୍ର ଟଙ୍ଗାଇ ଦିଆଗଲାଣି । ଜାହାଜ ସଙ୍ଗେ ସଙ୍ଗେ ପଲ ପଲ ଚିଲ ଉଡ଼ି ଚାଲିଛନ୍ତି । ସେଇଥିରୁ ଜଣାଯାଉଚି ଯେ ଆମେ ସ୍ଥଳଭାଗରୁ ଖୁବ୍‍ ଦୂରରେ ନାହୁଁ ।

 

ଜାହାଜରେ ଘଣ୍ଟା ନ ଥିଲେ ଖରାବେଳ କି ଗାଧୁଆବେଳ ଜାଣିବାର ଉପାୟ ନ ଥାନ୍ତା । ଚାରିଆଡ଼େ ମେଘ ଘୋଡ଼ାଇ ରହିଚି, ଗ୍ରୀଷ୍ମପ୍ରଧାନ ଦେଶର ଶୀତ ସକାଳ ପରି ମେଘ ଓ କୁହୁଡ଼ିରେ ଚତୁର୍ଦ୍ଦିଗ ବେଶ୍ ମନୋରମ ହୋଇ ଉଠିଚି । ସମସ୍ତେ ଆଜି ଭାରି ଖୁସି । ବୋଧହୁଏ ଆଜିକାର ପାଗଟା ସଭିଙ୍କୁ ବେଶ୍ ପ୍ରଫୁଲ୍ଳ କରି ରଖିଚି ।

 

ବାରଟାବେଳକୁ ପୂର୍ବଦିଗରେ ପାହାଡ଼ ଦେଖାଗଲା । ତାକୁ ଡାହାଣରେ ରଖି ଆମ ଜାହାଜ ଉତ୍ତରମୁହାଁ ହୋଇ ଚାଲିଥାଏ । ସ୍ଥଳକ୍ରମେ ଅତି ନିକଟବର୍ତ୍ତୀ ହେଲା । ବୃକ୍ଷଲତାହୀନ ପଥୁରୀଭୂମି ଉପରେ କୋତୋଟି ଘର ଓ ଗୋଟିଏ ବତୀଖମ୍ବ ଦେଖିବାକୁ ପାଇଲି । ପର୍ଟୁଗାଲ ଉପକୂଳରେ ସନ୍ଥ ଭିନ୍‍ସେଣ୍ଟ୍ ଅନ୍ତରୀପ ପାଖରେ ଆମେ ପହଞ୍ଚିଛୁ । ଆମ ହିନ୍ଦୁ ଧର୍ମ ପରି କାଥୋଲିକ୍ କରି କାଥୋଲିକ୍ ଧର୍ମମତରେ ମହାତ୍ମା ଓ ଧର୍ମପୁରୁଷଙ୍କ ନାମରେ ସ୍ଥାନର ନାମକରଣ କରିବାର ରୀତି ଥିଲା । ସ୍ପେନ୍ ଓ ପର୍ଟୁଗାଲ ଆଜିଯାଏ ଏଇ ଧର୍ମର ଏକ ବଡ଼ ପୀଠ ହୋଇ ଉଠିଚି-। ସ୍ପେନ୍ ଦେଶରେ ଦେବକନ୍ୟା କରି ପୂଜା ପାଉଥିବା ଥେରେସା (St. Teresa) ଙ୍କର ନାମ ଜଗତର ଧର୍ମ ଇତିହାସରେ ଅତି ଜଣାଶୁଣା । ଭିନସେଣ୍ଟ୍ (St. Vincent) ମଧ୍ୟ ସେଇ ଧର୍ମଗୋଷ୍ଠୀର ଜଣେ ମହାପୁରୁଷ । ହୁଏତ ଏଇ ଅନ୍ତରୀପର ନିର୍ଜନ ପ୍ରାନ୍ତରରେ ସେ ଦିବ୍ୟଦୃଷ୍ଟି ଲାଭ କରିଥିଲେ ।

 

ସଞ୍ଜ ଯାଇ ରାତି ହେଲା । ପୂର୍ବ ଉପକୂଳର ଆଲୁଅରୁ ବେଶ୍ ସ୍ପଷ୍ଟ ହୋଇ ଯାଉଥାଏ ସେ ଆମେ ଉପକୂଳର ଅତି ନିକଟରେ ଯାଉଛୁ । ବେଳେ ବେଳେ ଗୋଟିଏ ଗୋଟାଏ ବତୀଘରର ଦପ୍‍ଦପ୍ ଆଲୁଅ ଆମ ଧାରଣାକୁ ଅଧିକ ପରିଷ୍କାର କରି ଦେଉଥାଏ । କ୍ରମେ ପର୍ଟୁଗାଲ ଦେଶର ରାଜଧାନୀ ଲିସ୍‍ବନ୍‍ ସହର ମଧ୍ୟ ଅତିକ୍ରାନ୍ତ ହୋଇଗଲା । ଅବଶ୍ୟ ଅତି ଦୂରରେ କେବଳ ସମ୍ମିଳିତ ଆଲୋକର ଏକ ଉଜ୍ଜଳ ଆଭା ଛଡ଼ା ଆମେ ସହରର ଆଉ କୌଣସି ପରିଚୟ ପାଇଲୁ ନାହିଁ । ଏଇ ଉପକୂଳରୁ ପାଞ୍ଚଶହ ବର୍ଷତଳେ କଲମ୍ବସ୍ ପୃଥିବୀ ଆବିଷ୍କାର କରି ବାହାରିଥିଲେ । ମଣିଷର ନାବିକ ମନରେ ନୂଆ ଦେଶ ଦେଖିବାର ଖିଆଲ ଜାଗିଥିଲା । କେତେ ପ୍ରତିରୋଧ ଓ ପ୍ରତିକୂଳତାର ସମ୍ମୁଖୀନ ହୋଇ ନିରୁଦ୍ଦେଶ୍ୟ ସାଗରରେ ନୌକା ବାହି ନେଇଥିବା ସେଇ ଅଗ୍ରଣୀ ଚିରଦିନ ନମସ୍ୟ ହୋଇ ରହିଥିବ ।

 

ବିସ୍କେ ଉପସାଗର ନିକଟବର୍ତ୍ତୀ ହୋଇ ଆସୁଚି । ସେଇଠି କୁଆଡ଼େ ଭାରି ଝଡ଼, ଭାରି ଉତ୍ପାତ ଲାଗି ରହିଥାଏ । ତା’ ଭିତରେ ଯିବାକୁ ନାବିକମାନେ ଭାରି ଭୟ କରନ୍ତି । ଆଜି ସକାଳୁ ସମୁଦ୍ର ସେଇ ଅନାଗତ ସାଗର ସୂଚନା ଦେଲାଣି । ଆମ ଜାହାଜ ଖାଲି ଉଠୁଚି, ପଡ଼ୁଚି । ଅନେକ ପୁଣି ଅସୁସ୍ଥ ହୋଇ ପଡ଼ିଲେଣି । କେମିତି ଆଉ ଦୁଇଟାଦିନ କଟାଇ ଜାହାଜ ଛାଡ଼ିବେ, ସେଥିଲାଗି ଅନେକ ବଡ଼ ଅଧୀର ହୋଇ ପଡ଼ିଲେଣି ।

•••

 

ବିସ୍କେ ଉପସାଗର

୧୭-୧୨-୫୦

 

କାଲି ରାତିଠାରୁ ସମୁଦ୍ର ବଡ଼ ପ୍ରଚଣ୍ଡ ହୋଇ ଉଠିଚି, ଭୂମଧ୍ୟସାଗରର ପ୍ରଚଣ୍ଡତା ଏହା ତୁଳନାରେ କିଛି ନୁହେଁ । ତଥାପି କପ୍ତାନ କହୁଚନ୍ତି ଯେ, ଆମର ଭାଗ୍ୟ ଭାରି ଭଲ । କାରଣ ବିସ୍କେ, ଉପସାଗରର ଆଜି ଅନେକ ଶାନ୍ତ, ତାହାର ସ୍ୱରୁପ ଦେଖିବାର ଦୁର୍ଭାଗ୍ୟ ଆମର ହୋଇନାହିଁ ।

 

ଏହି ଉପସାଗରର ଭୌଗୋଳିକ ଅବସ୍ଥିତି ବୋଧହୁଏ ଏହାକୁ ଏତେ ପ୍ରମାଦପୂର୍ଣ୍ଣ କରି ପକାଇଚି । ସ୍ପେନ୍ ଓ ଉତ୍ତର ଫ୍ରାନ୍ସର ମଧ୍ୟବର୍ତ୍ତୀ ହୋଇ ଏଇ ଜଳଭୂମି ଆଟ୍‍ଲାଣ୍ଟିକ୍‍ ମହାସାଗରର ଗୋଟିଏ ପକେଟ୍ ପରି କାମ ଦେଉଚି । ସୁଦୂର ମେକ୍‌ସିକୋ ଉପକୂଳରୁ ଆସୁଥିବା ଉପସାଗରୀୟ ସ୍ରୋତ ବୋଧହୁଏ, ଏଇ ବିସ୍କେ ଉପସାଗର ପକେଟରେ ଘୂର୍ଣ୍ଣି ଖାଇ ଉତ୍ତରମୁହାଁ ହୋଇ ଚାଲିଯାଉଚି । ସେଥିଲାଗି ଏଇ ଜାଗାଟିର ବାୟୁମଣ୍ଡଳ ସବୁବେଳେ ଅବିନ୍ୟସ୍ତ ହୋଇ ରହିଛି ।

 

କାଲି ଛଅଟା ନ ବାଜୁଣୁ ଆମେ ଏଇ ଉପସାଗରରେ ପ୍ରବେଶ କରିଚୁ । ସ୍ପେନ୍‍ ଦେଶର ଉତ୍ତର ପଶ୍ଚିମ କୋଣରେ ଥିବା ଫିନିଷ୍ଟର ଅନ୍ତରୀପର ବତୀଘର ପାରି ହୋଇ ଆସିବା ପରେ ଏଇ ଶଙ୍କୁଳ ଅଞ୍ଚଳ ଭିତରକୁ ଆସିଛୁ । ଏହାକୁ ଠିକ୍ ବିସ୍କେ ଉପସାଗରର କହିଲେ ଠିକ୍ ହେବନାହିଁ । କାରଣ ମାନଚିତ୍ରରେ ଦିଆଯାଇଥିବା ଆମର ଗତିପଥରୁ ପରିଷ୍କାର ଜଣାଯାଉଚି ଯେ ଆମେ ଆଦୌ ପକେଟ ଭିତରକୁ ଯାଉନାହୁଁ, ଅସଲ ଉପସାଗରଟିକୁ ଡାହାଣରେ ରଖି ଆମ ଜାହାଜ ପଶ୍ଚିମ ଇଂଲଣ୍ଡର ସ୍ଥଳଭୂମି ଛୁଇଁବାକୁ ବାଟ କାଟି ଚାଲି ଯାଉଚି ।

 

ପ୍ରମାଦଠାରୁ ଦୂରଛଡ଼ା ହୋଇଯାଉଥିଲେ ମଧ୍ୟ ପ୍ରମାଦର ଆଘାତ ବେଶ୍ ଅନୁଭବ କରିପାରୁଚୁ । ଏଠିକା ସାଗରର ପ୍ରକୃତି ଟିକଏ ସ୍ୱତନ୍ତ୍ର ଧରଣର । ଆଜି ତରଙ୍ଗର କୌଣସି ପ୍ରଚଣ୍ଡତା ନାହିଁ । କିନ୍ତୁ ମୁହୁର୍ମୁହୁ ସାଗରର ଜଳକକ୍ଷଟା ହଠାତ୍ ଫୁଲି ଉଠି ପୁଣି ହଠାତ୍ ଯେପରି ସୁଦୂର ତଳରେ ଲୀନ ହୋଇଯାଉଚି । ଆଉ ତା’ରି ସହିତ ଆମର ଜାହାଜ ଉଠୁଚି ଆଉ ପଡ଼ୁଚି । ଆମ ସମସ୍ତଙ୍କୁ ଗୋଟାଏ କୁହୁକ ଗାଲିଚା ଉପରେ ଶୂନ୍ୟକୁ ଉଡ଼ାଇ ନେଇ କୋଉ ରସିକ ଦୈତ୍ୟ ଯେପରି ହଠାତ୍ ତଳକୁ ଫିଙ୍ଗି ଦେଉଚି ।

 

ବନ୍ଧୁମାନେ ବଡ଼ ଅଶ୍ୱସ୍ତି ବୋଧ କଲେଣି । କେତେକ ଏ ପର୍ଯ୍ୟନ୍ତ ଅସୁସ୍ଥ ହୋଇ ପଡ଼ିଚନ୍ତି । ଭାଗ୍ୟକୁ ପ୍ରଶଂସା କରିବାକୁ ହେବ ଯେ ଆଜିଯାଏ ମତେ କୌଣସି ପୀଡ଼ା ସ୍ପର୍ଶ କରି ପାରିନାହିଁ । ମୋଟ କଥା ହେଉଚି ସମୁଦ୍ରର ପ୍ରଚଣ୍ଡ ଆନ୍ଦୋଳନ ଓ ନିଜର ଅସୁସ୍ଥତା ବିଷୟରେ ଯେତେ ଗୁରେଇ ତୁରେଇ ହୋଇ ଭାବୁଥିବ, ସେତିକି ଅସୁସ୍ଥତା ପାଖକୁ ମାଡ଼ି ଆସିବ । ଟିକକରେ ମୁଣ୍ଡ ବଥାଇବ, ପାଗ ଟିକିଏ ବଦଳିଲେ ଖାଇବାକୁ ରୁଚି ହେବ ନାହିଁ । ଯିଏ ଆପଣା ଘରର ଆଖପାଖରୁ ଡାଆଣୀ ଆଉ ଭୂତ ଛଡ଼ାଇବାରେ ଯେତିକି ପଇସା ଖରଚ କରେ, ତା ଘରକୁ ସେତିକି ଡାଆଣୀ ଆଉ ଭୂତ ମାଡ଼ି ଆସନ୍ତି । ଯିଏ ଗ୍ରହ ପୂଜାରେ ନବଗ୍ରହଙ୍କୁ ସବୁଠାରୁ ବେଶୀ ସନ୍ତୁଷ୍ଟ କରି ରଖିବାକୁ ଇଚ୍ଛାକରେ, ଗ୍ରହଗୁଡ଼ାକ ପରସ୍ପର-ସାହାର୍ଯ୍ୟକୃତ ସନ୍ଧି କରି ତା’ରି ଭାଗ୍ୟକୁ ଆକ୍ରମଣ କରିବାକୁ ସତେ ଯେପରି ଭାରି ଉତ୍ସାହୀ ହୋଇ ପଡ଼ନ୍ତି । ଆମର ସୌଭାଗ୍ୟ ଯେ, ଆମେ ଏଇ ଜାହାଜରେ ସମାନ ବୟସର କେତେଜଣ ରହିଚୁ । ପ୍ରତ୍ୟେକର ସ୍ୱତନ୍ତ୍ର ଖିଆଲ ଓ ଖୋଇମାନ ରହିଥିଲେ ହେଁ ଏଇ ଉଡ଼ା ବୟସର ମନଟା ଆମକୁ ଭାରି ମିଳିତ କରି ରଖିପାରିଚି । ଖେଳ, ଗପ ଆଉ ଆଲୋଚନାରେ ସମୟ କଟିଯାଉଚି । ଯେତେବେଳେ ପ୍ରଖର ଶୀତ ପବନରେ ଦେହ କମ୍ପିଗଲା ପରି ଲାଗୁଚି; ବୈଠକଖାନା ଘରେ ସବୁ କବାଟ ଓ ଖିଡ଼ିକି କିଳି ଦେଇ ବୟସ୍କମାନେ ନିଆଁ ପୁଉଁଚନ୍ତି, ସେତିକିବେଳେ ସବା ଆଗରେ ଥିବା ଜାହାଜର ଖୋଲା ଆଗ ମଙ୍ଗକୁ ଯାଇ ଦୁଃସାହସିକତା ଦେଖାଇବା ଲାଗି ଆମର ଭାରି ଖିଆଲ ଉଠୁଚି ।

 

ଅସଲ କଥା ହେଉଚି ବାହାଘର ଭୂତ, ଡାହାଣୀ ଆଉ ଗ୍ରହମାନଙ୍କୁ ସନ୍ତୁଷ୍ଟ କରିବାର ଯେତେ ଚେଷ୍ଟା କଲେ ମଧ୍ୟ ମଣିଷର କଷ୍ଟ-ସହନ ବନ୍ଦ ହୋଇପାରେ ନାହିଁ । କାରଣ ସବୁଠାରୁ ବଡ଼ ଭୂତ ଆଉ ବଡ଼ ଗ୍ରହ ମଣିଷର ମନ ଭିତରେ ରହିଚି । ସବୁରି ଭିତରେ ଥିବା ଏଇ ଭୀମ (ଇଂରେଜୀ ଲେଖକ James Joyce ସବୁରି ମନର ଏଇ ଏକାନ୍ତ ଭୀମକୁ ଯଥାର୍ଥରେ Ulysses ବୋଲି କହିଚନ୍ତି) । ଦୁର୍ବଳ ଓ ଭରସାଲୋଭୀ ମନକୁ ନେଇ ସବୁବେଳେ ତାମସା ଲଗାଇ ରଖିଚି । ଜଗତର ଆଧିଭୌତିକ ଓ ଆଧିଦୈବିକ ବିପଦରୁ ରକ୍ଷା ପାଇବାକୁ ମଣିଷ ଆଠ ପହରଯାକ କେତେ ବ୍ୟବସ୍ଥା କରିବାରେ ଲାଗିଚି, କିନ୍ତୁ ସବୁ ବିପଦର ଅତ୍ମଭୂତ ଛାଇପରି ରହିଥିବା ଭିତରର ସେଇ ଭୀମଟା ମଣିଷକୁ ନିୟତ ସନ୍ତ୍ରସ୍ତ କରି ରଖିଚି । ବାହାରର ବିପଦଠାରୁ ଆପଣାକୁ ବଞ୍ଚାଇବାକୁ ମଣିଷ ଯେତିକି ସତର୍କତାର ଦୁର୍ଗ ତିଆରି କରିବାରେ ଲାଗିଚି, ସେତିକି ସେ ଭିତରେ ଭୂତର କବଳ ଭିତରେ ପଡ଼ୁଚି ।

 

ପୃଥିବୀରେ ତେଣେ ଯୁଦ୍ଧଲାଗି ସଜବାଜ ଲାଗିଲାଣି । ରେଡ଼ିଓଟା ସବୁଦିନ ପରି ସତେ ଯେପରି ଆମଲାଗି ନୂଆ ନୂଆ ତ୍ରାସ ସେଇଆଡ଼ୁ ବହନ କରି ଆଣୁଚି । ଏଥର ପାଲାଲାଗି ବିଶେଷ ଭାବରେ ପାଗ କରି ରଖିଥିବା ବୋମା ନେଇ ଏଥର ଭାରି ଲଢ଼େଇ ଲାଗିବ, ଦଶବର୍ଷ ତଳେ ମଡେଇଥିବା ଅକ୍ଷରଗୁଡ଼ାକ ମୂର୍ଖମଣିଷ ପୁଣି ଅଭ୍ୟାସ କରିବ । ଗଣତନ୍ତ୍ର, ସାମ୍ୟବାଦ ପ୍ରଭୃତିକୁ କଣ୍ଢେଇ କରି ବସାହୋଇ କେତେ ପ୍ରକାର ଚାଲିବ, ପୃଥିବୀରେ ନାଁ କମେଇଥିବା ବଡ଼ ବଡ଼ ରାଷ୍ଟ୍ର ପାଳକମାନେ ଯୁଗ-ଶେଷର ପ୍ରହସନରେ ବିଦୂଷକର ରଙ୍ଗ ପୋଷାକ ପିନ୍ଧି ବାହାରିବେ, କେତେ ପ୍ରକାର ବାଙ୍କ ଭାଙ୍ଗରେ କଥା କହି ସେମାନେ ଆପଣାର ନିର୍ଦ୍ଦୋଷତା ପ୍ରମାଣ କରିବେ । କିଏ ନିଆଁ ଲଗାଇଲା, ବିଶ୍ୱ ସଭାରେ ଏଇ କଥାର ନିରପେକ୍ଷ ଗବାହୀ ନିଆ ହେଉଥିବା ବେଳେ ବେଳେ ତେଣେ ସମସ୍ତଙ୍କର ଘର ଜଳୁଥିବ ।

 

ବିଜ୍ଞାନର ପରାକ୍ରମ ପାଖରେ ଆପଣାର ବିବେକକୁ ପାଣି ଛଡ଼ାଇ ଦେବା ଦିନଠାରୁ ସଂସାରର କୌଣସି ନା କୌଣସି ସ୍ଥାନରେ ଘରଜଳା ଲାଗିଚି । ଚାରିଶହ ବର୍ଷତଳେ ଦେଶର ରାଜା ରାଣୀ ମାନଙ୍କଠାରୁ ଆଶୀର୍ବାଦ ନେଇ ଜାହାଜ ଚଢ଼ି ଆସୁଥିବା ବଣିକମାନେ ସେଦିନ ଯେଉଁ ନିଆଁ ଲଗାଇ ଆଫ୍ରିକା, ଏସିଆ ଓ ଅଷ୍ଟ୍ରେଲିଆକୁ ଉଚ୍ଛନ୍ନ କରିଥିଲେ, ସେଇ ନିଆଁ ଆଜିଯାଏ ଜଳୁଚି-। ବର୍ବର ଆଦିମ ପୃଥିବୀ ସତ୍ୟାନାଶ କରି ସାରିବା ପରେ ହୁଏତ ସଭ୍ୟ ମାଲିକମାନଙ୍କର ପକ୍କା ଘରକୁ ସେ ନିଆଁ ମୁହାଁଇବାକୁ ଯାଉଚି । ଅତୀତର ସେଇ ଉପନିବେଶ ଖୋଜି ବାହାରିଳା ବେଳେ ଏକା ଧର୍ମର ବାନା ଉଡ଼ାଇ ଆସିଥିବା ବନ୍ଧୁମାନେ ଆପଣା ଆପଣାକୁ ଉତ୍ସକାଇବାକୁ ଲାଗିଲେଣି । ଆପଣା ଘରେ ଆପଣା ବାରୁଦର ଶକ୍ତି ପରିକ୍ଷା କରିବାକୁ ବାହାରିଲେଣି । ଏଥର ରୋଶନୀଟା ଯେପରି ମାଲିକ ଘରର ଯୋଗ୍ୟ ରୋଶନୀ ହୋଇ ପାରିବ, ସେଥିଲାଗି ସରକାରଙ୍କର ବଡ଼ ବଡ଼ ମୁଣ୍ଡ ମାନେ ଲାଗି ପଡ଼ିଲେଣି ।

 

ତଳେ ପୃଥିବୀ, ଉପରେ ଦେବାନିବାସ ସୁରଲୋକ, ଉପରେ ଭଗବାନ ତଳେ ମଣିଷ । ମଣିଷର ପିଣ୍ଡରେ ଜୀବନ୍ୟାସ ଦେଇ ଭଗବାନ ସେଇ ସରଗରୁ ମଣିଷର ଅଭିନୟ ଦେଖୁଚନ୍ତି, ରଙ୍ଗମଞ୍ଚର ଅଭିନୟ ଆରମ୍ଭ କରିଦେଇ ମଞ୍ଚର ମାଲିକ ଯାଇ Balcony ରେ ବସି ଦେଖିଲା ପରି । ପୁରାତନ ରୋମ୍‍ର ପ୍ରଖ୍ୟାତ କବି Lucretius ସ୍ୱର୍ଗ ଆଉ ମର୍ତ୍ତ୍ୟର ଏହିପରି ଏକ କଳ୍ପନା କରିଥିଲେ । ସହରର ଅନେକ ଲୋକ କୁକୁଡ଼ା, ମେଣ୍ଢା ବା ଷଣ୍ଢ ଲଢ଼େଇରେ ଭାରି ମଜା ପାଆନ୍ତି । ପ୍ରାଚୀନ ରୋମ୍‍ର ଲୋକମାନେ ମଣିଷ ଆଉ ହିଂସ୍ର ପଶୁର ଲଢ଼େଇ ଦେଖିବାକୁ ଭାରି ଭଲ ପାଉଥିଲେ । ଅନ୍ଧ, ବାସନାବିକଳ, ଅପୂର୍ଣ୍ଣ ଓ କ୍ଷୁଧିତ ମଣିଷର ଷଣ୍ଢ ଲଢ଼େଇ ଲଗାଇ ଦେଇ କୋଉ ଭଗବାନ ଯେ ଆଜି ସ୍ୱର୍ଗର ଗବାକ୍ଷରୁ ତାମସା ଦେଖୁଥିବେ, ସେ କଥା ସେଇ ଭଗବାନଙ୍କୁ ଗୋଚର । Theology ଦୃଷ୍ଟିରୁ ଯାହା ହୋଇ ଥାଉ ପଛକେ, ଏଇ ଷଣ୍ଢ ଲଢ଼େଇର ତାମସା ଲାଗି ମଣିଷ ଯେ ବେଶୀ ଦାୟୀ, ଇତିହାସ ସେଇ ସତ୍ୟକୁ ଜଳ ଜଳ କରି ଦେଖାଇ ଦେଇଚି । ମଣିଷ ଇଚ୍ଛା କରିଥିଲେ ଅପଦେବତାର ଏଇ ତାମସା ଦେଖିବାର ଲାଳସାକୁ ସମୁଚିତ ଜବାବ ଦେଇ ପାରିଥାନ୍ତା । ମାତ୍ର ବାସ୍ତବରେ ସବୁ ଓଲଟା ହୋଇ ଯାଇଚି । ମଣିଷ ମରିଯାଇଚି; ପରସ୍ପରକୁ ଭୟ କରୁଥିବା ଭୂତ ଗୁଡ଼ାକ ଆଜି ସଂସାରରେ ଅତି ପ୍ରବଳ ହୋଇ ଯାଇଚନ୍ତି । ସଂସାର ଆପଣା ଅଢ଼ା ସେଇମାନଙ୍କ ହାତକୁ ଟେକି ଦେଇଚି । ସେଇମାନଙ୍କର କୂଟରେ ଆଜି ଜାତି, ଧର୍ମ ଓ ଦେଶ ଅନୁସାରେ ନାନା ମାର୍କାର ବିଗ୍ରହ-ପତାକା ମଣିଷ ଭିତରର ପଶୁକୁ ଭାରି ରକ୍ତମୁହାଁ କରି ରଖିଚି ।

 

ଗତ ଯୁଦ୍ଧର ନିଆଁ ଲଭିବା ପାଞ୍ଚବରଷ ବି ହୋଇନାହିଁ । ବର୍ଲିନ ଓ ଭିଏନାର ଗଳିରେ ଏ ପର୍ଯ୍ୟନ୍ତ ଯୁଦ୍ଧର ପ୍ରେତପରି ଦାରିଦ୍ର୍ୟ ଓ ଅସହାୟତା ମଣିଷ ଜୀବନକୁ ଗିଳି ରହିଚି । ହିରୋଶିମାର ଅନ୍ତର୍ଜ୍ୱାଳା ଏପର୍ଯ୍ୟନ୍ତ ବନ୍ଦ ହୋଇ ନାହିଁ । ଡଲାର ଖରଚ କରି, ନାନା କୌଶଳରେ ଦାନ ବିତରଣ କରି ମଧ୍ୟ ଜଗତର ସୌଦାଗର ଏପର୍ଯ୍ୟନ୍ତ କାଙ୍ଗାଳର ଆର୍ତ୍ତନାଦ ବନ୍ଦ କରିପାରିନାହିଁ । କେବଳ ସେତିକି ନୁହେଁ, ଗଲା ଯୁଦ୍ଧରେ ଜଗତରେ ସାମାଜିକ ଜୀବନରେ ଯେଉଁ ଅରାଜକତା ଆସିଥିଲା, ତାହାର ଦଂଶନ ଏପର୍ଯ୍ୟନ୍ତ ସବୁ ଦେଶକୁ ଅଙ୍ଗେ ନିଭାଇବାକୁ ପଡ଼ୁଚି । ଇଂଲଣ୍ଡ ଅନ୍ୟାନ୍ୟ ଦେଶରେ ହଜାର ହଜାର ଅରକ୍ଷିତ ପିଲାଙ୍କୁ ମଣିଷ କରାଇବାରେ ଦାୟିତ୍ୱ ଲୋକମାନଙ୍କ ଉପରେ ବୋଝ ପରି ମାଡ଼ି ବସିଚି ।

 

ତଥାପି ସଂସାରର ବ୍ୟବସାୟୀ ଯୁଦ୍ଧ ଚାହେଁ, ତଥାପି ସେ ଆହୁରି ମଣିଷ ମାରିବାକୁ ଚାହେଁ । ମର୍ମର ଶୁଭ୍ର ପ୍ରସାଦ ଭିତରେ ବସି ସେ ମଣିଷର ଆହୁରି ଆର୍ତ୍ତନାଦ ଶୁଣିବାକୁ ଚାହେଁ । ଭାଗ୍ୟ ଆଜି ସେଇ ଦୁର୍ଯ୍ୟୋଧନର କାନ୍ଧଉପରେ ରକ୍ଷିତା ସ୍ତ୍ରୀ ହୋଇ ବସିଚି । ତା’ରି ହାତରେ ସଭା, ସାହିତ୍ୟ, ସଂସ୍କୃତି ସବୁ ରହିଚି । ତା’ରି ଘରେ କେତେ ବୈଜ୍ଞାନିକର ସାଧନା ଶତ୍ରୁ ଲାଗି ବିଷଲଡ଼ୁ ତିଆରି କରିବାରେ ଆପଣାକୁ ପାସୋରି ଦେଇଚି । ଇଂରେଜୀ ସାହିତ୍ୟର ସେହି ରୋମାଣ୍ଟିକ୍ ଯୁଗରେ Ode to Intellectual Beauty ଲେଖା ହୋଇଥିଲା । Intellect କୁ ଆଜି ଚମତ୍କାର ଭାବରେ ଜାତି, ଦେଶ ଓ ପତାକାର ମାଲିକ ବ୍ୟବହାର କରି ପାରୁଥିବାବେଳେ ନୂଆ କରି ଗୋଟାଏ Ode To Mercantile Beauty ଲେଖାହେଲେ ଭଲ ହୁଅନ୍ତା ।

 

ମଣିଷ ଆପଣାକୁ ମଣିଷ କରି ରଖିଥିଲେ ହୁଏତ ଆଜି ବିଭିନ୍ନ ପଥର ସାଧକ ମାନେହିଁ ଜଗତର ସବୁଠାରୁ ବେଶି ସମ୍ମାନ ପାଉଥାନ୍ତେ । ସବୁ ଦେଶର ସାହିତ୍ୟ ଓ ସଂସ୍କୃତିରେ ଏକ ସୁଖତର ଆଦାନ ପ୍ରଦାନ ହୋଇ ସଂସାରରେ ଏକ ସୁନ୍ଦର ରାଜ୍ୟ ପ୍ରତିଷ୍ଠିତ ହୋଇ ପାରିଥାନ୍ତେ । ସେ ରାସ୍ତାକୁ ଆମେ ଅନେକ ପଛରେ ଛାଡ଼ି ଆସିଲୁଣି । ଆମ ଲୋଭ ଓ ଦମ୍ଭର ଗହନ ବନ ସେପାଖରେ ସେହି ଛୋଟିଆ ଘାସପଥ କୁଆଡ଼େ ଅଦୃଶ୍ୟ ହୋଇ ଗଲାଣି । ଆସ ସମସ୍ତଙ୍କ ଭିତରେ ପ୍ରଚ୍ଛନ୍ନ ରହି ଆପଣାର ସୁଯୋଗ ଲାଗି ଅପେକ୍ଷା କରି ରହିଥିବା ବଣିକର Personna ସଂସାରରେ ବଣିକ ଉପରେହିଁ ଗାଦୀର ଅଧିକାର ସମର୍ପି ଦେଇଚି । ସେଥିଲାଗି ବଣିକ-ରାଷ୍ଟ୍ରପାଳକମାନଙ୍କର ଚୁକ୍ତି ଓ ମନ୍ତ୍ରଣା ବର୍ତ୍ତମାନ ସଂସାରର ଗତି ଓ ଦୃଷ୍ଟିକୁ ସବୁଠାରୁ ଅଧିକ ପ୍ରଭାବିତ କରି ରଖିଚି ।

 

କିନ୍ତୁ ଅଳସ ପ୍ରଳୟବାଦୀ ପରି ଅଶୁଭ ସମାଚାର ଦେଇ ଜଗତରେ ପାପୀଙ୍କୁ ଆହୁରି ତ୍ରସ୍ତ କରିବା ମୋର ଧର୍ମ ନୁହେଁ । ମୁଁ କହିବି ତଥାପି ଜଗତରେ ମଣିଷହିଁ ଜୟ ଲାଭା କରିବ ।

•••

 

ଆଇରିଶ ସାଗର

୧୮-୧୨-୫୦

 

ସକାଳ ଦଶଟା ବାଜିଲାଣି, ତଥାପି ମନେ ହେଉଚି ଯେପରି ରାତି ପାହି ନାହିଁ । ସୂର୍ଯ୍ୟ ଉଦୟ ହୋଇ ସାରିଲାଣି ବୋଲି ପ୍ରମାଣ କରିବାକୁ ପୂର୍ବ ଆକାଶରେ କୌଣିସି ସୂଚନା ମିଳୁନାହିଁ । ଚାରିଆଡ଼େ କୁହୁଡ଼ି ଆଚ୍ଛାଦି ରହିଚି । ଆସ କୋଠରୀର କାଚ ଝରକାରେ କୁହୁଡ଼ି–ପବନର ଆଘାତ ବାଜି ଧାରା ଧାରା ହୋଇ ପାଣି ବୋହି ଯାଉଛି ଆମେ ପଚାଶ ଡିଗ୍ରୀ ଅକ୍ଷାଂଶ ଡେଇଁ ଆହୁରି ଉପରକୁ ଚାଲି ଆସିଲୁଣି । ଆଉ ଅଳ୍ପ କେତେ ଘଣ୍ଟା ପରେ ଇଂଲଣ୍ଡର ସ୍ଥଳ-ପ୍ରାନ୍ତ (Land’s End) ଆମର ଦୃଷ୍ଟି ଗୋଚର ହେବ ।

 

ବିସ୍କେ ଉପସାଗର ସୁରୁଖରୁରେ କଟିଗଲା । କପ୍ତାନଙ୍କଠାରୁ ଆରମ୍ଭ କରି ଅସୁସ୍ଥ ହୋଇ ପଡ଼ିଥିବା ଯାତ୍ରୀମାନଙ୍କ ପର୍ଯ୍ୟନ୍ତ ଯୋଉମାନେ କେତେ କ’ଣ ଆଶଙ୍କା କରୁଥିଲେ, ସମସ୍ତଙ୍କର ଭାଗ୍ୟବଳଙ୍କୁ ସେଇ ଆଶଙ୍କାର ମହାର୍ଘ ଅଭିଜ୍ଞତା ଭୋଗିବାକୁ ପଡ଼ିଲାନାହିଁ । ବିସ୍କେ ଉପସାଗରରେ ସାଧରଣତଃ ଜାହାଜ ଅତି ବେଶୀ ଟଳମଳ ହୁଏ । ତେଣୁ ଜାହାଜର କର୍ତ୍ତୁପକ୍ଷ୍ୟ ଆଗରୁ ନାନାପ୍ରକାର ସତର୍କତା ଅବଲମ୍ବନ କରି ସେଥିଲାଗି ପ୍ରସ୍ତୁତ ହୋଇ ରହିଥିଲେ । ଖାଇବା ଘରେ ଟେବୁଲର ଧାରରେ କାଠ ପଟା ଦିଆଯାଉଥିଲା, ଚଉକୀ ଗୁଡ଼ାକ ସାମଗ୍ରୀ ଓ ତଳେ ପଡ଼ି ନ ଯାଏ । ଚଉକୀ ଗୁଡ଼ାକୁ ଟେବୁଲ ସହିତ ବାନ୍ଧିଦିଆ ଯାଉଥିଲା, ଯେପରି ଖାଇବା ବେଳେ ଲେଉଟିବା ଭଳି କୌଣସି ଦୁର୍ଘଟନା ନ ଘଟେ । କାଲି ସଞ୍ଜ ପରେ ସେସବୁ କାଢ଼ି ନିଆଗଲା । ସେତେବେଳକୁ ଆମେ ପ୍ରମୋଦ-ସୀମା ଅତିକ୍ରମ କରି ଯାଇଥିଲୁ ।

 

କାଲି ରବିବାରେ ପ୍ରାର୍ଥନାରେ ଅପେକ୍ଷାକୃତ କମ୍ ଲୋକ ଯୋଗ ଦେଇଥିଲେ । ପ୍ରଥମ ଦିନ ଗୋଟାଏ ହଠାତ୍ ଆଗ୍ରହ ନେଇ ଯେଉଁ ଅଣଖ୍ରୀଷ୍ଟିଆନମାନେ ଆସିଥିଲେ, ହୁଏତ ଏଥର ବେଳକୁ ସେମାନଙ୍କର ଆଗ୍ରହ ତୁଟିଯାଇଥିଲା । ଜାହଜର ବିଚିତ୍ର କର୍ମାନୁଷ୍ଠାନ ମଧ୍ୟରେ ଅନ୍ତତଃ ଏହି ଗୋଟାଏ ଉପଲକ୍ଷରେ ମଣିଷ ଭଗବାନଙ୍କ ଜରିଆରେ ଆପଣର ସବୁଠାରୁ ଅଧିକ ସମୀମବର୍ତ୍ତୀ ହେଉଚି । ଏହି ଧର୍ମସମାଗମ ଯେତେ ସଂକୀର୍ଣ୍ଣ ଓ ସ୍ୱଧର୍ମାଚାରପ୍ରମତ୍ତ ହେଲେ ମଧ୍ୟ ଘୋଡାଦୌଡ ବା ହୁଇସ୍କି-ସେବନର ମାତାଲ ମେଳାଠାରୁ ଅଧିକ ଭଦ୍ର, ଅଧିକ ସମାଦିତ । ସଭିଙ୍କ ସହିତ ଏକାଠି ହୋଇ ଘଡ଼ିଏ ଭଗବାନଙ୍କୁ ସ୍ମରଣ କରିବାକୁ ସୁଯୋଗ ପାଇବି, ଏହାହିଁ ମୋତେ ରବିବାର ପ୍ରାର୍ଥନାକୁ ଆକୃଷ୍ଟ କରିଥିଲେ । ଖ୍ରୀଷ୍ଟଧର୍ମର ପ୍ରାର୍ଥନା ସଂଗୀତ ଗାଇଲାବେଳେ ମୁଁ କେବଳ ସବୁ ଧର୍ମ ଓ ସବୁ ଅଭିହିତରେ ସର୍ବଜୀବନନିଦାନ ସେହି ପରତ୍ମାଙ୍କ ପାଖରେ ପ୍ରଣତି ହୋଇ ପଡ଼ିଥିଲି ।

 

ଆଜିକାଲି ଧର୍ମବକ୍ତୃତା (Sermons) ଗତଥର ଅପେକ୍ଷା ଅଧିକ ବିଚାରପୂର୍ଣ୍ଣ ଓ ଶ୍ରାବ୍ୟ ହୋଇଥିଲା । ଇତିହାସର ଯୀଶୁଙ୍କୁ ନେଇ ଆପଣା ଧର୍ମାଭିମାନର ବାରୁଦବ୍ୟୂହ ରଚନା କରିଦେଇ ଅପର-ଧର୍ମୀମାନଙ୍କୁନ୍ୟୂନ କରିଦେବାର ସାଧାରଣ ଆଚରିତ ନୀତି ଠାରୁ ଆଜିକାର ଉପଦେଶ ନିଶ୍ଚୟ ଅଧିକ ଭଦ୍ର ଥିଲା ବୋଲି ସ୍ୱୀକାର କରିବାକୁ ହେବ । ପୃଥିବୀର ଯାବତୀୟ ଧର୍ମ ଅପେକ୍ଷା ଖ୍ରୀଷ୍ଟିଆନ ଧର୍ମ ଶ୍ରେଷ୍ଠ ଓ ମହତ୍‍ । ଏହିପରି ଏକ ଅସୁନ୍ଦର ଅସୁସ୍ଥ କଥା ଦେଇ ବକ୍ତିମା ବଖାଣିବାକୁ ଏଯୁଗରେ ଯେ କିପରି ଖରାପ ଲାଗୁ ନାହିଁ, ସେଇଆ ଅତି ଆଶ୍ଚର୍ଯ୍ୟର କଥା । ଅନ୍ୟ ଧର୍ମରେ ଯାହା ନାହିଁ, ଖ୍ରୀଷ୍ଟଧର୍ମରେ ତାହା ଅଛି; ସେଇ ସିନ୍ଧାନ୍ତକୁ ଶୁଣି ତାକୁ କୌଣସି ମୂଲ୍ୟ ଦେବା ପୂର୍ବରୁ ଏପରି ଏକ ଅନ୍ଧ ସିନ୍ଧାନ୍ତ ପ୍ରଚାର କରୁଥିବା ଲୋକମାନେ ଜଗତର ଅନ୍ୟାନ ଧର୍ମ ବିଷୟରେ କେତେଦୂର ଜ୍ଞାନଲାଭ କରିଛନ୍ତି, ସେଇଆ ଜାଣିବାକୁ ଇଚ୍ଛାହୁଏ ।

 

ସେ ଦେଶରେ ପୋଷାକ ଭଲ, ଚାଲିଚଳଣ ଭଲ, ପାଠ ଭଲ, ସୈନ୍ୟସାମନ୍ତ ଭଲ, ଗୁଲିବାରୁଦ ଭଲ, ଏଇ କଥା ଆମେ ଯୁଗ ଯୁଗ ଧରି ଶୁଣି ଶୁଣି ଆସୁଛୁ । ସେ ଦେଶର ଧର୍ମ ମଧ୍ୟ ଭଲ; ଏଇ କଥାଟା ସେହି ସମାନ ଶେଣୀର । ଏହି କ୍ଷେତ୍ରାନ୍ତରରେ ମଧ୍ୟ ସେହି ସାମ୍ରାଜ୍ୟବିସ୍ତାର-ଅଭିମାନ ଗନ୍ଧ ଉପରେ ମାଛି ଭଣ ଭଣ କରି ଉଠୁଛି ।

 

କାଲି ଖ୍ରୀଷ୍ଟ-ପ୍ରାର୍ଥନାର ସଂକଳିତ ଗ୍ରନ୍ଥରେ ଗୋଟିଏ ପ୍ରାର୍ଥନା ପଢ଼ିଛ, ଗ୍ରୀନ୍‌ଲାଣ୍ଡରୁ ସିଂହଳ ଦ୍ୱୀପ ପର୍ଯ୍ୟନ୍ତ ମନୁଷ୍ୟ ସମାଜ ଘୋର ଅନ୍ଧକାରରେ ବୁଡ଼ି ରହିଛି; ସେହି ଦୂର ଭୂମିରୁ ପାପୀ ମଣିଷ ଆଲୋକ ଲାଗି ଚିତ୍କାର କରି ଉଠିଚୁ । ସେହି ମାନଙ୍କୁ ଆପଣା ଧର୍ମର ପରିତ୍ରାଣା–ସନ୍ଦେଶ ଦେବାର ଆବେଦନ କରି ଉକ୍ତ ସଂଗୀତଟିରେ ଯୀଶୁଙ୍କ ପ୍ରାର୍ଥନା କରାଯାଇଚି । ଅଣଧର୍ମୀ (Heathen) ମାନେ ମଧ୍ୟ ପ୍ରାର୍ଥନାଟିରେ ରହିଚି । ଅଜସ୍ର ପଇସା ଲଗାଣ ହୋଇ ଖ୍ରୀଷ୍ଟିଆନ ଧର୍ମର ବଂଶ ବଢ଼ାଇବାର ଅଭିଯାନ ପଛରେ ହୁଏତ ଏହି ସଂଗୀତର ପ୍ରେରଣା ନିହିତ ରହିଚି ।

 

ଗଛ ଓ ପଥର ପୂଜା ପୃଥିବୀର ସବୁ ଦେଶରେ କୌଣସି ନା କୌଣସି ସମୟରେ ହୋଇଚି । ଭାରତବର୍ଷ ଏପର୍ଯ୍ୟନ୍ତ ଗଛ ପଥରର ପୂଜା କରି ତା’ର ଧର୍ମବାସନା ମେଣ୍ଟାଇବାର ଅଭିଳାଷ ରଖି ଆସିଚି । ତନ୍ତ୍ରଶାସ୍ତ୍ରର ସାଧନା ଏହି ପ୍ରତୀକ ପୂଜାକୁ ଏକ ବିଶାଳ ଦାର୍ଶନିକ ଭୂମି ଉପରେ ପ୍ରତିଷ୍ଠିତ କରିପାରିଚି । ପ୍ରତୀକ ବା ବିଗ୍ରହ ମଧ୍ୟ ଦେଇ ସକଳ ଭାବର ଅତୀତ ଶୁଦ୍ଧ ମୁକ୍ତ ସମ୍ବନ୍ଧରେ କିଞ୍ଚିତ୍‌ ଜ୍ଞାନ ଅର୍ଜନ କରିଥିବା ଯେ କୌଣସି ବ୍ୟକ୍ତି ଏହି ପ୍ରତୀକ ପୂଜାର ପ୍ରଶସ୍ତତା ସ୍ୱୀକାର କରିବ । ମହାତ୍ମାଗାନ୍ଧୀ ସବୁ ଅଭିଧାର ପରପାରକୁ ଅତିକ୍ରମ କରି ଯାଇଥିଲେ ମଧ୍ୟ ରାମନାମର ଜପାମାଳୀକୁ ଶେଷ ପର୍ଯ୍ୟନ୍ତ ଧରି ରଖିଥିଲେ । ରାମ ଓ କୃଷ୍ଣଙ୍କୁ ମୂଳାଧାରା କରିଥିବା କବୀର ଓ ତୁଳସୀ ଦାସ ଉଦାର ଦୃଷ୍ଟି-ସମ୍ପନ୍ନ ଯେ କୌଣସି ଖ୍ରୀଷ୍ଟିଆନ ତତ୍ତ୍ୱଦ୍ରଷ୍ଟାଙ୍କର ସମକକ୍ଷ ହୋଇ ପାରିବେ । ରାମକୃଷ୍ଣ ପରମହଂସ ଦେବଙ୍କର ସାଧନା ଏଇ ଦୃଷ୍ଟିରୁ ସବୁଠାରୁ ବେଶି ବୈଶିଷ୍ଟପୂର୍ଣ୍ଣ । ଯେତେ ପ୍ରକାର ଇତିହାସ ସାଧନାର ସମ୍ଭବ ହୋଇଚି, ଆପଣାର ଭକ୍ତି ଓ ବାସନା ବଳରେ ସେ ଗୋଟି ଗୋଟି କରି ପାର ହୋଇ ଯାଇଥିଲେ । କାଳୀ, ଖ୍ରୀଷ୍ଟ ଓ ମହମ୍ମଦ ସମସ୍ତଙ୍କୁ ସେ ଆପଣା ଦୃଷ୍ଟିକ୍ଷେତ୍ରରେ ଅଧିଷ୍ଠିତ ଦେବତାରୂପେ ବରଣ କରି ପାରିଥିଲେ; ତଥାପି ଅଦ୍ୱୈତବାଦର ନିର୍ବିକଳ୍ପ ସମାଧିଯାଏ ଆପଣାକୁ ଉତ୍‌କ୍ରାନ୍ତ କରିଦେଇଥିଲେ । ଏ କଥା ଶହେବର୍ଷ ତଳେ ଏ ଦେଶରେ ଘଟିଯାଇଚି । ଜାଣେନା, ଆପଣା ଧର୍ମର ଡୁବଗଡ଼ିଆରେ ସଂସାର ଜିଣିବାର ନୌବାହିନୀ ସଜ କରୁଥିବା ଧର୍ମପାଳମାନେ ଏକଥା ଜାଣିଚନ୍ତି କି ନାହିଁ ।

 

ଭାରତର ଏଇ ପ୍ରତୀକ ପୂଜା ପଛରେ ନିଗୂଢ଼ ହୋଇ ରହିଥିବା ତତ୍ତ୍ୱଟିକୁ ସେହି ଖ୍ରୀଷ୍ଟିଆନ ଜଗତରେ ପ୍ରସିଦ୍ଧ ପଣ୍ଡିତମାନେ ହିଁ ପ୍ରଥମ ବିସୃତ ଭାରତବର୍ଷ ତଥା ଜଗତ ସମକ୍ଷକୁ ଆଣ ପାରିଚନ୍ତି । ପଣ୍ଡିତ ଉଡ଼୍‍ରଫ ଓ ଦାର୍ଶନିକ ରୋମାଁରୋଲାଁଙ୍କର ପ୍ରତିଭା ପାଖରେ ଭାରତ ଅବଶ୍ୟ ଚିର କୃତଜ୍ଞ ହୋଇ ରହିଥିବ ।

 

ମନ୍ଦିର, ମସ୍‌ଜିତ ଓ ଗୀର୍ଜା ଘରୁ ଗଛ ପଥରର ପ୍ରତୀକକୁ ବହିଷ୍କୃତ କରିଦେବାର ଦମ୍ଭ କରୁଥିବା ଅଳ୍ପ ଜ୍ଞାନୀ ତଥାପି କଣ ତାର ଜାଲରୁ ଆପଣାକୁ ବଞ୍ଚାଇ ରଖିଚି ? ନାନା ଛଳନା ଓ ନାନା ମାର୍ଜନାର ଆଚ୍ଛାଦନରେ ଲୋଭୀ ମଣିଷ ଆଜି ମଧ୍ୟ କୀଟ ପରି ନାନା ପ୍ରତୀକର ଖଣ୍ଡପ୍ରୀତିର ଆପଣାକୁ ଆସକ୍ତ କରି ରଖିଚି । ଏ ଯୁଗରେ ପତାକା, ଏ ଯୁଗର ପୋଷାକଳ ଦେଶ ଓ ଜାତି ନାମ ଧରି ବଳ ପାଇ ଉଠିଥିବା ଏଇ ଯୁଗର ନାନା ଉପଲକ୍ଷ ମଣିଷକୁ ଆଜି ମଧ୍ୟ ସମ୍ମୁଗ୍‌ଧ ଭୋଳାନାଥ କରି ରଖିଚି । ଗଛ ପଥର ପୂଜା କରୁଥିବାର ସେହି ପ୍ରାଚୀନ ଯୁଗରେ ମଣିଷ ବୋଧ ହୁଏ ଆପଣାକୁ ଓ ଆପଣାର ପଥକୁ ଏତେ ଦୂର ଭୁଲି ପାରି ନ ଥିଲା । ସାତଦିନରେ ଥରେ ଭଗବାନଙ୍କୁ ମନେ ପକାଇ ଗଛ ପଥର ବର୍ଜନ କରିବାକୁ ଆସୁଥିବା ଏ ଯୁଗର ମଣିଷ ସେ ନିଶ୍ଚୟ ଏତେ ସହଜରେ ଲାଙ୍ଗୁଡ଼ରେ ନିଆଁହୁଳା ବାନ୍ଧି ଡେଇଁ ପଡ଼ୁ ନ ଥିଲା ।

 

ଗଛ ପଥରରେ ବିଷ ନାହିଁ, ବିଷ ଅଛି ମଣିଷର ମନରେ । ସବୁଧର୍ମରେ ଉଦାରଦୃଷ୍ଟିସମ୍ପନ୍ନ ସନ୍ଥ ପୁରୁଷମାନଙ୍କର ଆବିର୍ଭାବ ହୋଇଚି, ଯେଉଁମାନେ ଏଇ ସତ କଥାଟା ବାର ବାର କହିବାକୁ ଆସିଚନ୍ତି । ଆପଣା କୁହୁଡ଼ିରେ ବୁଡ଼ି ରହିଥିବା ସଂସାରୀ ସେମାନଙ୍କୁ ନିଆଁରେ ପୋଡ଼ିଚି, ଫାଶୀରେ ଲଟକାଇ ଦେଇଚି, ସେମାନଙ୍କ ବେକରେ ଛୁରୀ ବସାଇଚି । ତଥାପି ସେହି ମାନବ ପୁତ୍ରମାନେ ଚିରଦିନ ବିଶ୍ୱର ନିରାଟ ସତ୍ୟ କଥାଟା ସାହସ ସହିତ ନ କହି ଛାଡ଼ି ନାହାନ୍ତି । ଆତ୍ମଦର୍ଶନ ନ ହେଲା ପର୍ଯ୍ୟନ୍ତ ଧର୍ମ ଦର୍ଶନ ଅସମ୍ଭବ, ଏହାହିଁ ବିଶ୍ୱ-ଦର୍ଶନର ପ୍ରଥମ ସର୍ତ୍ତ । ସବୁ ଧର୍ମର ଅନ୍ଧ ଧର୍ମଶାସକମାନଙ୍କୁ ବିରୁଦ୍ଧରେ ସବୁ ଧର୍ମର ଦ୍ରଷ୍ଟାମାନେ ଏଇ ସତ କଥାଟା ବାର ବାର କହି ଯାଇଛନ୍ତି ।

 

କୁହୁଡ଼ି ଅନେକ ପରିମାଣରେ କଟି ଗଲାଣି । ସମୁଦ୍ରରେ ମେଘର ମେଦୁର ରୂପ ବେଶ୍ ଦୃଷ୍ଟି ଗୋଚର ହେଲାଣି । ଢେଉ ପରେ ଢେଉ କାଟି ଆମର ଜାହାଜ ୨୨ଦିନ କାଳ ସାଗର ପରେ ସାଗରେ ପାରି ହୋଇ ଆସିଚି । ଯାତ୍ରା ପଥର ଶେଷ ପର୍ବତ ଆଜି ମନଟା କିପରି କିପରି ଲାଗୁଛି । କାଲି ବଡ଼ିସକାଳୁ ଆମେ ଲିଭରପୁଲ ବନ୍ଦରରେ ପହଞ୍ଚିବୁ, ସେଇଠି ଆମର ଯାତ୍ରା ସରିବ । ହୁଏତ ଏହିପରି ନିର୍ବିଘ୍ନରେ ବସି ମୋର ଭାବନାଗୁଡ଼ିକ ଲେଖିବାର ଅବସର କାଲି ପାଇବି ନାହିଁ ?

 

ଚାଟଶାଳୀର ଚାଟ ପରି ନିତି ଏଇ ଟେବୁଲ ଉପରେ ମନକୁ ବସାଇ ଆଣିଚି, ସାଗରର ବିଚିତ୍ର ଲୀଳା ଦେଖୁ ଦେଖୁ ଚଲାମେଘର ତନ୍ତ୍ରୀରେ ମହ୍ଲାର ରାଗିଣୀର ଆଳାପ ଶୁଣୁ ଶୁଣୁ ନିତି ମୁଁ ଚାରିପୃଷ୍ଠା କାଗଜ ପୂର୍ଣ୍ଣ କରିଚି । ନିତି ଟିକିଏ ଟିକିଏ ଗଢ଼ି ବାଇଶି ଦିନରେ ଯେଉଁ ଉଇହୁଙ୍କାଟି ତିଆରି କରି ପାରିଛି, ସମସ୍ତ ତ ଯାତ୍ରାର ସ୍ମାରକ ହୋଇ ସେ ଚିରଦିନ ବଞ୍ଚି ରହିବ । ପରବର୍ତ୍ତୀ କେଉଁ ଅବ୍ୟାହତ ଅବସରରେ ଏହି ଲିପି ପଢ଼ୁ ପଢ଼ୁ ହୁଏତ ସାଗର ଉପରର ତରଙ୍ଗ ଓ ଉପକୂଳର ଗିରିଶ୍ରେଣୀ ପୁଣି ମୋ ଆଖି ଆଗରେ ନାଚି ଉଠିବ । ମଣିଷ ଠାରୁ ପ୍ରକୃତିକୁ ଓ ପ୍ରକୃତିଠାରୁ ମଣିଷ ପାଖକୁ ବାହୁଡ଼ି ବୁଲିବାର ମନଟା ଏଇ ଦୀର୍ଘ ଅବସରରେ ଯେଉଁ ଦର୍ପଣଟି ଗଢ଼ିରଖି ପାରିଚି, ହୁଏତ ଆପଣାକୁ ଓ ଜଗତକୁ ଦେଖିବାଲାଗି ସେ ମତେ ଭାରି ସାହାଯ୍ୟ କରିବ । ପ୍ରତ୍ୟହ କେତେଘଣ୍ଟାର ମାନସିକ ସଂଯମ ଫଳରେ ଯେତିକି ମୁଁ ସମ୍ଭବ କରି ପାରିଚି, ତାହା ହିଁ ବୋଧହୁଏ ମୋତେ ଏଇ କେତେଦିନର ଜୀବନ ବଞ୍ଚିବାରେ ସବୁଠାରୁ ବେଶୀ ପ୍ରେରଣା ଦେଇଚି । ଦିନକର ଭାବନା ଓ ଦିନ ଦିନର ଜୀବନକୁ ସଂଯୁକ୍ତ କରି ଗୋଟିଏ ଗଠନରେ ପରିବେଷଣ କରିବା କେବଳ କେବଳ ଏହାରି ଦ୍ୱାରା ସମ୍ଭବ ହୋଇଚି ।

 

ଆଉ ଏଇ ସାଗରଯାତ୍ରୀର ବିନୋଦିତ ମୂହୁର୍ତ୍ତଗୁଡ଼ିକ ସତେ ଯେପରି ଅନ୍ତର- ମନ୍ଦିରରେ ଗୋଟିଏ ଗୋଟିଏ ପ୍ରତିମା ଭଳି ସେଗୁଡ଼ିକ ପୂଜା ପାଉଚି । ଯିଏ ଉଚିତ ବିନୟ ଓ ଉଚିତ ଶ୍ରଦ୍ଧା ସହିତ ପ୍ରକୃତିକୁ ଦେଖିପାରେ, ପ୍ରକୃତି ତାକୁ କେବେ ପରିତ୍ୟାଗ କରିଯାଏ ନାହିଁ । ପ୍ରକୃତିର ବିଚିତ୍ର ରୂପ ମଣିଷର ଜୀବନକାଶର ସକଳ ମେଘକୁ ଧନ୍ୟ କରି ଇନ୍ଦ୍ରଧନୁ ହୋଇ ଆପଣାକୁ ପ୍ରତିଫଳିତ କରି ରଖେ ।

 

ଔପନ୍ୟାସିକ ଟୁର୍ଗେନିଭ ପ୍ରକୃତିକୁ ଚିରନ୍ତନ ସମାଧାନ ପ୍ରତିମୂର୍ତ୍ତି (Image of Eternal Reconciliation) ବୋଲି ବଞ୍ଚିବାର ବ୍ୟାକୁଳ କ୍ଷେତ୍ରରେ ଆପଣା ଓ ଇତର ନେଇ ସବୁବେଳେ ଟଣା ଟଣି ଚାଲିଥାଏ । ନାନା ପ୍ରକାର ଭୟ ଓ ବିଚ୍ୟୁତି ଦ୍ୱାରା ସନ୍ତ୍ରସ୍ତ ହୋଇ ରହିଥିବା ମଣିଷର ସ୍ୱାର୍ଥ ସଂସାର ସହିତ ଲଢ଼ି ଲଢ଼ି ବିକଳ ହୋଇ ପଡ଼େ, ତଥାପି ତାର ଅଡ଼ୁଆ ତୁଟେ ନାହିଁ, ତା’ର ଖାତାରେ ସବୁ ସମସ୍ୟାର ହିସାବନିକାଶ ହୋଇପାରେ ନାହିଁ । ସେଇ ସଂଶୟ ବେଳେ ପ୍ରକୃତି କେଉଁ ଯାଦୁକରର କୁହୁକ ମନ୍ତ୍ର ପରି କାମ ଦିଏ । ତାହାରି ନିଃସୀମରୂପ ଆଗରେ ନିର୍ନିମେଷ ହୋଇ ରହି ପାରିଲେ ମଣିଷର ସବୁ ଅଡ଼ୁଆ ଉଭେଇ ଯାଏ । ସତେ ଅବା କେଉଁ ଚିହ୍ନା ଘରର ପ୍ରାଙ୍ଗଣରେ ଖେଳିବାକୁ ଆରମ୍ଭ କରେ, ସତେ ଅବା ସେ କେଉଁ କରୁଣାମୟ ଜନଙ୍କର ଅଭୟ ଲାଭ କରେ ।

Image